ସାଧାରଣ ନିର୍ବାଚନ ପାଇଁ ବିଜେପି ଆଜି ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କରିଛି । ମୋଟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୧୨ଟିରେ ଦଳ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବାକି ୩୫ଟି ଆସନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଆସନଗୁଡ଼ିକରେ ପ୍ରାର୍ଥୀ ଘୋଷଣା ହୋଇନାହାନ୍ତି ଓ ଏହି ଆସନଗୁଡ଼ିକରେ କେଉଁମାନେ ଟିକେଟ ପାଇବାକୁ ଦାବିଦାର ଅଛନ୍ତି?
ଯେଉଁ ୩୫ଟି ବିଧାନସଭା ଆସନ ପାଇଁ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି ସେଗୁଡ଼ିକ ହେଲା- ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର,କରଞ୍ଜିଆ, ବାଙ୍ଗିରିପୋଷି, ଭୋଗରାଇ, ବସ୍ତା, ଭଣ୍ଡାରୀପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ଝରିଗାଁ, ଡାବୁଗାଁ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ରାଜନଗର, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ବେଗୁନିଆ, ଖୋର୍ଦ୍ଧା, ସାନଖେମୁଣ୍ଡି, ମୋହନା, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ ଚିତ୍ରକୋଣ୍ଡା।
ଯେଉଁ ଆସନଗୁଡ଼ିକରେ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିନି ସେଥିପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଦୌଡ଼ରେ ଦିଲ୍ଲୀପ ରାୟ, ଦେବାଶିଷ ନାୟକ, ଅନୁଭବ ମହାନ୍ତି, ପ୍ରଶାନ୍ତ ଜଗଦେବ, ଅରନ୍ଦିମ ରାୟ,ପ୍ରେମାନନ୍ଦ ନାଏକ, ସନାତନ ମହାକୁଡ଼ ଓ ବାଣୀକଲ୍ୟାଣ ମହାନ୍ତି ପ୍ରମୁଖ ରହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ କ୍ଷମତାସୀନ ବିଜେଡି ନିଜର ୭୨ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବାବେଳେ ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ବିଧାନସଭା କିମ୍ବା ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ସକ୍ଷମ ହୋଇନି । ଯଦିଓ ଦଳ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଗତ ଅଗଷ୍ଟ ମାସରୁ କହି ହେଉଛି ।