/odisha-reporter/media/media_files/2025/10/14/bihar-2025-10-14-15-41-28.jpg)
ପ୍ରଧାନମନ୍ତ୍ରୀଙ୍କ ପ୍ରଚାର
ବିହାର ବିଧାନସଭା ନିର୍ବାଚନ(Bihar Election) ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ପ୍ରଥମ ପର୍ଯ୍ୟାୟରେ ଦଳ ୭୧ଟି ଆସନର ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି। ସିଟ୍ ଶେୟାରିଂ ଫର୍ମୁଲାକୁ ନେଇ କ୍ଷମତାସୀନ ଏନଡିଏରେ ଟଣାଓଟରା ଚାଲିଥିବା ବେଳେ ବିଜେପି(Bjp) ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି।
ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିହାରର ଦୁଇ ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନାଙ୍କ ନାଁ ରହିଛି। କିନ୍ତୁ ବର୍ତ୍ତମାନ ବିଧାନସଭାର ବାଚସ୍ପତି ଭାବେ କାମ କରୁଥିବା ନନ୍ଦ କିଶୋର ଯାଦବଙ୍କ ଟିକେଟ କଟିଛି। ସେ ପାଟନା ସାହିବ ସିଟରୁ ୨୦୧୦ରୁ ଜିତି ଆସୁଥିଲେ। ହେଲେ ଏଥର ବିଜେପି ତାଙ୍କୁ ତାଙ୍କୁ ଟିକେଟ ଦେଇନାହିଁ।
ସମ୍ରାଟ ଚୌଧୁରୀ ତାରାପୁର ଆସନରୁ ଓ ସିହ୍ନା ଲଖିସରାଇ ଆସନରୁ ଲଢ଼ିବେ। ବିହାର ବିଧାନ ପରିଷଦର ସଦସ୍ୟ ଭାବେ ଏବେ ସମ୍ରାଟ ଚୌଧୁରୀ ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରୁଛନ୍ତି। କିନ୍ତୁ ଦଳ ତାଙ୍କୁ ଏଥର ତାରାପୁରରୁ ପ୍ରାର୍ଥୀ କରିଛି। ଏହି ଆସନ ୨୦୧୦ରୁ ଜେଡିୟୁ ପାଖରେ ରହି ଆସିଛି। ଏହାପୂର୍ବରୁ ଚୌଧୁରୀଙ୍କ ବାପା ଶକୁନି ଚୌଧୁରୀ ଏଠାରେ ଜିତିଥିଲେ। ସେତେବେଳେ ଶକୁନି ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ସହ ରହିଥିଲେ।
ବରିଷ୍ଠ ନେତା ରାମ କ୍ରିପାଲ ଯାଦବ ପୂର୍ବଭଳି ଦାନାପୁର, ଗୟାରୁ ପ୍ରେମ କୁମାର, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ କଟିହାର, ସହର୍ସାରୁ ଆଲୋକ କୁମାର ଝା ଓ ସିୱାନରୁ ମଙ୍ଗଳ ପାଣ୍ଡେଙ୍କୁ ବିଜେପି ପ୍ରାର୍ଥୀ କରିଛି।
ହିସୁ ସିଟ ସହଯୋଗୀ ଜେଡିୟୁ ଖାତାକୁ ଯିବ ବୋଲି କୁହାଯାଉଥିଲା। କିନ୍ତୁ ବିଜେପି ଏହାକୁ ନିଜ ପାଖରେ ରଖିଛି ଓ ଅନୀଲ କୁମାରଙ୍କୁ ଏଠାରେ ଟିକେଟ ଦେଇଛି। ପାଟନା ସାହିବରେ ଦଳ ବାଚସ୍ପତି ନନ୍ଦ କିଶୋର ଯାଦବଙ୍କ ଟିକେଟ କାଟି ରତନେଶ କୁଶୱାଙ୍କୁ ପ୍ରାର୍ଥୀ କରିଛି। ବିହାରର ସଡ଼କ ନିର୍ମାଣ ମନ୍ତ୍ରୀ ନୀତୀନ ନବୀନଙ୍କୁ ଦଳ ବାଙ୍କିପୁର ଟିକେଟ ଦେଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଟିଂ ବର୍ଗରେ ସ୍ୱର୍ଣ୍ଣ ଜିତି ଥିବା ଶ୍ରେୟାସୀ ସିଂହ ପୂର୍ବଭଳି ଜାମୁଇ ଆସନରୁ ଲଢ଼ିବେ। ୨୦୨୦ରେ ସେ ଏଠାରୁ ଜିତିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
