Advertisment

ମଦ ବ୍ୟବସାୟୀଙ୍କ ଜବତ କଳାଟଙ୍କା: ସଫେଇ ଦେଇଚାଲିଛି ବିଜେଡି, ନଛୋଡ଼ବନ୍ଧା ବିଜେପି

ଝାଡ଼ଖଣ୍ଡ ମଦ ବ୍ୟବସାୟୀ ସାହୁ ବ୍ରଦର୍ସଙ୍କଠୁ ୩୫୧କୋଟି ଟଙ୍କାର କଳାଟଙ୍କା ଜବତକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ କାଦୁଅଫିଙ୍ଗା ଜୋର ଧରିଛି। ଜବତ କଳାଟଙ୍କା ବିଜେଡିର ବୋଲି ଅଭିଯୋଗ କରି ବିଜେପି ରାଜ୍ୟବ୍ୟାପୀ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିବାରେ ଲାଗିଛି

author-image
Ordigital Desk
Black money

Black money

ଝାଡ଼ଖଣ୍ଡ ମଦ ବ୍ୟବସାୟୀ ସାହୁ ବ୍ରଦର୍ସଙ୍କଠୁ ୩୫୧କୋଟି ଟଙ୍କାର କଳାଟଙ୍କା ଜବତକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ କାଦୁଅଫିଙ୍ଗା ଜୋର ଧରିଛି। ଜବତ କଳାଟଙ୍କା ବିଜେଡିର ବୋଲି ଅଭିଯୋଗ କରି ବିଜେପି ରାଜ୍ୟବ୍ୟାପୀ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିବାରେ ଲାଗିଛି । ଆଉ ଏପଟେ ବିଜେଡି ବାରମ୍ବାର ରକ୍ଷଣାତ୍ମକ ମୁଦ୍ରାରେ କେନ୍ଦ୍ରୀୟ ବିଜେପି ନେତୃତ୍ୱଙ୍କ ଆଳ ଦେଖାଇ ରାଜ୍ୟ ବିଜେପି ନେତାମାନେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି କହିବାରେ ଲାଗିଛି । ବିଜେଡି ଗତ ୪ଦିନ ଧରି ନିଜର ମୁଖପାତ୍ରମାନଙ୍କ ମାଧ୍ୟମରେ ସମାନ କଥାକୁ ଦୋହରାଇ ସଫେଇ ଦେଉଥିଲେ ମଧ୍ୟ ବିଜେପି ନଛୋଡ଼ବନ୍ଧା । ଆଜି ବିଜେଡି ନିଜର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ମୁଖପାତ୍ର ଲେନିନ୍ ମହାନ୍ତି ଓ ସ୍ୱୟଂମପ୍ରକାଶ ମହାପାତ୍ରଙ୍କ ମୁହଁରେ ଭିନ୍ନ ଭିନ୍ନ ଭାବେ ଜବତ କଳାଟଙ୍କାକୁ ନେଇ ସଫେଇ ଦେଇଥିଲେ ମଧ୍ୟ ବିଜେପି ଏହି କଳାଟଙ୍କା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପୃକ୍ତି କଥା ଦୋହରାଇଛି ।

Advertisment

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସିଧାସଳଖ ଏହି ମଦ ବ୍ୟବସାୟୀଙ୍କଠୁ କଳାଟଙ୍କା ଜବତ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଡ଼କୁ ଅଙ୍ଗୁଳି ଉଠାଇବା ପରେ ବିଜେଡି ଶିବିରରେ ଚହଳ ପଡ଼ିଛି । ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ଅନିୟମିତତା, ଦୁର୍ନୀତି ହୋଇଛି ତା’ର ତଦନ୍ତ ସରକାର କରୁଛନ୍ତି । ସମସ୍ତେ ତଦନ୍ତ ପ୍ରକ୍ରିୟାକୁ ସହଯୋଗ କରିବା ଉଚିତ୍ । ରାଜନୀତିକ ରଙ୍ଗ ଦେବା ଅର୍ଥ ମୂଳ ସମସ୍ୟାରୁ ଲୋକଙ୍କ ଦୃଷ୍ଟିକୁ ଏଡ଼ାଇଯିବା । ଯାହାର ଶକ୍ତି ଓ ଲୋକ ସମର୍ଥନ ନାହିଁ, ସେମାନେ ବହୁ ପ୍ରସଙ୍ଗ କରନ୍ତି । ବିଜେଡି କେବେବି ଦୁର୍ନୀତିକୁ ପ୍ରଶୟ ଦେଇନାହିଁ । ବିରୋଧ ଆଳରେ ଯଦି କିଏ ବିରୋଧ କରେ, କିଛି କହିବାର ନାହିଁ । ସେହିପରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯେଉଁ ମତ ଦେଇଛନ୍ତି, ତାଙ୍କ ଉକ୍ତିରୁ ଲାଗୁଛି ଯେମିତି ତାଙ୍କ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀଙ୍କଠାରୁ ଅଧିକ ତଥ୍ୟ ରହିଛି।

ଡିସେମ୍ବର ୮ ଓ ୧୨ତାରିଖରେ ପ୍ରଧାନମନ୍ତ୍ରୀ ଦୁଇଟି ଟୁଇଟ୍ କରି ମତ ରଖିଛନ୍ତି ଯେ, ଏହା କଂଗ୍ରେସର ରାଜ୍ୟସଭା ସାଂସଦଙ୍କ ଟଙ୍କା । ତେଣୁ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରିଥିଲେ । ତେବେ ମନମୋହନ ସାମଲଙ୍କ ପାଖରେ ଯଦି ଅଧିକ ତଥ୍ୟ ଅଛି, ତାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ଦେଲେ ଭଲ ହୁଅନ୍ତା । ଉତ୍ତରପ୍ରଦେଶରୁ ୫୦୦କୋଟି, କର୍ଣ୍ଣାଟକରୁ ୩୦୦କୋଟି ଟଙ୍କା ଆୟକର ବିଭାଗ ଜବତ କରିଥିଲା । ପ୍ରତିଦିନ କୋଟି କୋଟି ଟଙ୍କା ମହାରାଷ୍ଟ୍ରରେ ଚଢ଼ଉ ବେଳେ ମିଳୁଛି । ଏସବୁ ଜବତ ଟଙ୍କା କ’ଣ ବିଜେପି ନେତାମାନଙ୍କର କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିବା ସହ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ମନମୋହନ ସାମଲ ତଥ୍ୟହୀନ ମନ୍ତବ୍ୟ ଦେଉଛନ୍ତି ବୋଲି କହିଛନ୍ତି । ସେହିପରି ବିଜେଡି ସୋସିଆଲ ମିଡିଆ ମୁଖ୍ୟ ସ୍ୱୟଂମପ୍ରକାଶ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କଳାଟଙ୍କା ପ୍ରସଙ୍ଗରେ ରାଜ୍ୟ ବିଜେପି ଏବେ ରାଜ୍ୟ କଂଗ୍ରେସକୁ ସୁହାଇବା ଭଳି ମନ୍ତବ୍ୟ ଦେଉଛି । ବିଜେପି କେନ୍ଦ୍ରୀୟ ନେତୃତ୍ୱ ଗୋଟିଏ କଥା କହୁଥିବାବେଳେ ରାଜ୍ୟ ବିଜେପି ସମ୍ପୂର୍ଣ୍ଣ ଓଲଟା ମତ ରଖୁଛି ।

Advertisment

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବୀନଙ୍କ କଳା ଟଙ୍କା ଧରା ପଡିବା ପରେ ବିଜେଡି ନିରାଶାରେ ଭାଙ୍ଗି ପଡିଛି । କଂଗ୍ରେସ ଦଳର ମଦ ମାଫିଆ ଓ ବିଜୁ ଜନତା ଦଳ ଭିତରେ ମଧୁଚନ୍ଦ୍ରିକାରେ ଚାଲିଥିବା ମଦ ବେପାର ଓ କଳା ଟଙ୍କା କାରବାର ଧରାପଡ଼ି ଯିବାପରେ ଏବେ ବିଜୁ ଜନତା ଦଳ ନିରାଶାରେ ଭାଙ୍ଗିପଡ଼ିଛି । କଳା ଟଙ୍କା କାହାର, ମୁଖ୍ୟମନ୍ତ୍ରୀ କାହିଁକି ବୌଦ୍ଧ ଡିଷ୍ଟିଲାରୀକୁ ଅନୁଗ୍ରହ ଦେଖାଇଥିଲେ, କାହିଁକି ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀକୁ ପୁରା ପଶ୍ଚିମ ଓଡ଼ିଶାର ମଦ ଠିକା ଦିଆ ଯାଇଥିଲା ଏହାର ଉତ୍ତର ସେମାନେ ଦେଇ ନପାରି ପ୍ରତିଦିନ ଗଣମାଧ୍ୟମ ଆଗରେ ନିଜର ଅଯୁକ୍ତିକର କଥା ମାନ କହୁଛନ୍ତି। ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ତାଙ୍କର ଶାସନାଧୀନ ଝାଡ଼ଖଣ୍ଡ ରାଜ୍ୟରେ ଏହି କଳା ଟଙ୍କାକୁ ନ ରଖି ଓଡ଼ିଶାରେ କାହିଁକି ରଖିଥିଲେ।

ଏଥିରୁ ପ୍ରମାଣିତ ହେଉଛି ଯେ ଏହି ଅର୍ଥ ବିଜୁ ଜନତା ଦଳ ପାଇଁ ରଖା ଯାଇଥିଲା ଓ ନବୀନ ପଟ୍ଟନାୟକ ସରକାର ଧୀରଜ ସାହୁ ଏଣ୍ଡ କୋ’ର କଳା ସାମ୍ରାଜ୍ୟକୁ ସୁରକ୍ଷା ଦେଉଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଦୁଇ ଜଣ ଅଣଓଡ଼ିଆ ଅଫିସରଙ୍କ ଚାପରେ ବିଜେଡିର ମୁଖପାତ୍ରମାନେ ଚାପଗ୍ରସ୍ତ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି । ବିବାଦ ଭିତରେ ଥିବା ବୌଦ୍ଧ ଡିଷ୍ଟିଲାରିର ଓଡ଼ିଶାରେ ଦେଶୀ ମଦ ବେପାରରେ ଏକଚାଟିଆ ଆଧିପତ୍ୟ

ରହିଛି । ଏହା ପଛରେ ବିଜେଡି ସରକାରଙ୍କ ଅବକାରୀ ନୀତି ଦାୟୀ । ଓଡ଼ିଶାରେ ୨୦୦୦ ମସିହାରୁ ଦେଶୀ ମଦଭାଟି କେବଳ ନବୀକରଣ ହେଉଛି । ଏହାର ପୁନଃନିଲାମ କିମ୍ବା ପୁନଃଟେଣ୍ଡର ହେଉନି । ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି । ଓଡ଼ିଶାରେ ଆଜି ‘ମଦର ମହାନଦୀ’ ସୃଷ୍ଟି ହୋଇଛି । କେବଳ ବଲାଙ୍ଗିର ଜିଲ୍ଲାରେ ଅଛି ମୋଟ ୬୨ଟା ମଦ ଭାଟି । ଦିନକୁ ୮ ଲକ୍ଷ ଲିଟର ମଦ ବିକ୍ରି ହେଉଛି ଓଡ଼ିଶାରେ । “ନ୍ୟାସନାଲ ଫ୍ୟାମିଲ ହେଲ୍‌ଥ ସର୍ଭେ” ଅନୁସାରେ ଗ୍ରାମାଂଚଳରେ ୩୦ ପ୍ରତିଶତ ଲୋକ ମଦ ପିଉଛନ୍ତି । ବିଜୁ ଜନତା ଦଳ ସରକାରର ଗୋଟିଏ ମିଶନ ହେଉଛି ରାଜ୍ୟର ଲୋକଙ୍କୁ ମଦୁଆ କରି ନିର୍ବାଚନ ପାଇଁ ଟଙ୍କା ଆଦାୟ କରିବା । ବିଜେଡି ଏବେ ସମସ୍ତ ଆଂଚଳିକ ଦଳ ଭିତରେ ସବୁଠାରୁ ଧନୀ ଦଳ । ସେହି ଦଳ ପାଖରେ ମଦ ମାଫିଆଙ୍କ ଅର୍ଥ ରହିଛି । ଏବେ ସେହି କଳାଧନ ଧରା ପଡ଼ିଯିବାରୁ ବିଜେଡି ଚିନ୍ତାଗ୍ରସ୍ତ ହୋଇପଡ଼ି ଏଭଳି ବୟାନ ଦେଉଛି ବୋଲି ବିଜେପି ଅଭିଯୋଗ କରିଛି ।

BjD State Bjp Black Money