
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କ୍ଷମତାକୁ ହାଇଜ୍ୟାକ୍ କରିବା ପାଇଁ ଦଳ ଭିତରେ ଆରମ୍ଭ ହୋଇଛି ବଡ଼ଧରଣର ଷଡ଼ଯନ୍ତ୍ର । ନବୀନଙ୍କ ନିର୍ଦ୍ଦେଶକୁ ଖୋଲା ଚ୍ୟାଲେଞ୍ଜ କରି ଦଳର ୫୦ରୁ ଅଧିକ ନେତା ଝୁମୁକା ଫାର୍ମ ହାଉସରେ ଏକଜୁଟ ହୋଇ ଶକ୍ତିପ୍ରଦର୍ଶନ କରିବା ପରେ ଦଳ ଭିତରେ ଚାଲିଥିବା ‘କ୍ଷମତା ଯୁଦ୍ଧ’ର ନଗ୍ନ ଚିତ୍ର ପଦାକୁ ଆସିଛି । ଏହି ମେଳି କେବଳ ଏକ ବନ୍ଧୁମିଳନ ନୁହେଁ ବରଂ ବିଜେଡିର ନେତୃତ୍ୱ ହାଇଜ୍ୟାକ୍ କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ରର ମୂଳଦୁଆ ତଥା ଝୁମୁକା ଫାର୍ମହାଉସରେ ମେଳି କରିଥିବା ଅଧିକାଂଶ ନେତା ହେଉଛନ୍ତି ବିଜେଡିର ପାୱାରଫୁଲ ନେତା ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଅନୁଗତ ଭାବେ ପରିଚିତ ବୋଲି ଚର୍ଚ୍ଚା ହେଉଛି । ତେବେ ଦଳ ଭିତରେ ଚାଲିଥିବା କ୍ଷମତା ଦଖଲର ଏହି ଛକିଶୂନ ଖେଳ ଓ ବଢ଼ୁଥିବା ଅସ୍ଥିରତାକୁ ଦେଖି ଆଉ କିଛି ନେତା ଏବେ ନେତୃତ୍ୱ ହାତେଇବାକୁ ଗୋଟିଚାଳନା ଆରମ୍ଭ କରିଥିବା ଜଣାପଡ଼ିଛି ।
ବିଜେଡିକୁ ଅସ୍ଥିର କରୁଛି କିଏ, ଅପାରଗତା ଜଳଜଳ
ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରଠୁ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଦଳୀୟ ନେତାମାନଙ୍କଠୁ ନିଜକୁ ଦୂରେଇ ରଖିବା ସହ ଦଳର ସାଂଗଠନିକ ନିଷ୍ପତ୍ତିରୁ ଦୂରେଇ ରହିଥିବାର ସନ୍ଦେଶ ଦେଉଛନ୍ତି । ଯଦିଓ ସେ ଏବେବି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ପରଦା ପଛରେ ରହି ଦଳକୁ ନିୟନ୍ତ୍ରଣ କରୁଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ତେବେ ଦଳର ସାଂଗଠନିକ କାର୍ଯ୍ୟ ତଦାରଖ ଓ ନିଷ୍ପତ୍ତି ନେବା ପାଇଁ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ରାଜନୀତିକ ବ୍ୟାପାର କମିଟି(ପିଏସି) ଓ ଦେବୀ ମିଶ୍ରଙ୍କ ନେତୃତ୍ୱାଧୀନ କୋର କମିଟି ଦୀର୍ଘ ଦେଢ଼ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ଅପାରଗତା ଏବେ ଜଳଜଳ ହୋଇ ଦିଶିଲାଣି ।
ଏହି କୋର ଟିମ ଓ ପିଏସି ସଦସ୍ୟମାନଙ୍କ ଅପାରଗତା ଯୋଗୁ ତଳସ୍ତରରେ ଦଳ ପ୍ରତି କର୍ମୀ ଓ ସାଧାରଣ ଲୋକେ ବିମୁଖ ହେବାରେ ଲାଗିଥିବା ଚର୍ଚ୍ଚା ହେଉଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାସାଧିକ୍ୟ ଶାରୀରିକ ସମସ୍ୟା, ଏହି କୋର ଟିମ ନେତାମାନଙ୍କର ଅପାରଗତା ଓ ସେମାନଙ୍କ ନିଜସ୍ୱ ମହତ୍ୱାକଂକ୍ଷା ଯୋଗୁ ଦଳ ଦିନକୁ ଦିନ ରସାତଳଗାମୀ ହେଉଥିବାବେଳେ ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ଏବେ ଦଳକୁ ଅସ୍ଥିର କରିବା ପାଇଁ ଜୋରସୋରରେ ସକ୍ରିୟ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି ।
ବନ୍ଧୁମିଳନକୁ ‘ବିଦ୍ରୋହୀଙ୍କ ମେଳି’ ସଜାଇଲା କିଏ?
ଝୁମୁକା ଫାର୍ମହାଉସ ମେଳି ଓ ଭୋଜିରେ ଯେଉଁ ପରାଜିତ ବିଧାୟକ ଓ ଦିବଂଗତ ନେତାମାନଙ୍କ ପୁଅମାନେ ଏକାଠି ହୋଇଥିଲେ, ସେମାନେ ସମସ୍ତେ ବବିଙ୍କ ସମର୍ଥକ ଭାବେ ଜଣାଶୁଣା । ଯଦିଓ ଏହି ମେଳି ଆୟୋଜନ ପାଇଁ ପ୍ରଣବ ବଳନ୍ତରାୟ(ଜିତୁ), ସମ୍ବିତ ରାଉତରାୟ, ଚନ୍ଦ୍ରସାରଥୀ ବେହେରା ଓ ରୁଦ୍ର ମହାରଥୀ ଆଦି ପ୍ରମୁଖ ଭୂମିକା ନେଇଥିଲେ ଓ ଦଳର ୧୫୦ରୁ ଅଧିକ ନେତାଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ସେଠାରେ ୫୦ରୁ ୬୦ଜଣ ନେତା ହିଁ ଯୋଗ ଦେଇଥିବା ଜଣାପଡ଼ିଛି ।
ତେବେ ଦଳର କୋର ଟିମ୍ ସଦସ୍ୟ ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ପ୍ରମୁଖଙ୍କୁ ସେମାନେ ନିମନ୍ତ୍ରଣ କରିଥିଲେ ମଧ୍ୟ କେହି ସେଥିରେ ସାମିଲ ହୋଇନଥିଲେ । ଯାହାକି ଦଳରେ ଚାଲିଥିବା କନ୍ଦଳକୁ ସ୍ପଷ୍ଟ ପ୍ରମାଣିତ କରିଥିଲା । ଏହି କୋର ଟିମ୍ ସଦସ୍ୟ ଓ ପିଏସି ସଦସ୍ୟମାନେ ଚାହିଁଥିଲେ ସେହି ମେଳିରେ ଯୋଗ ଦେଇ ଏହାକୁ କେବଳ ‘ବନ୍ଧୁମିଳନ’ରେ ସୀମିତ ରଖିବାର ସନ୍ଦେଶ ଦେଇପାରିଥାନ୍ତେ । ମାତ୍ର ଉଦ୍ଦେଶ୍ୟମୂଳକ ଢଙ୍ଗରେ ଏହାକୁ ସୁଚିନ୍ତିତ ଢଙ୍ଗରେ ‘ବିଦ୍ରୋହୀଙ୍କ ମେଳି’ର ରୂପ ଦିଆଯିବା ସହ ବିଜେଡିରେ ସବୁକିଛି ଠିକ୍ ନାହିଁ ବୋଲି ଦର୍ଶାଇବାକୁ ପ୍ରୟାସ ହୋଇଥିବା ଚର୍ଚ୍ଚା ହେଉଛି ।
ପରଦା ପଛରେ ‘ବବି’ ଓ ସାମ୍ନାରେ ‘ଅରୁଣ’
ଦଳରେ କ୍ଷମତା ଦଖଲକୁ ନେଇ ଚାଲିଥିବା ଛକାପଞ୍ଝା ମଧ୍ୟକୁ ଧସେଇ ପଶିଛନ୍ତି ବରିଷ୍ଠ ନେତା ଅରୁଣ ସାହୁ । ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରଠୁ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ବୁଲେଇବଙ୍କେଇ ଟାର୍ଗେଟ୍ କରିବା ସହ ତାଙ୍କର କଟ୍ଟରବିରୋଧୀ ଭାବେ ନିଜକୁ ଉଭା କରିଛନ୍ତି । ନବୀନଙ୍କ ଶାସନକାଳରେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ବବି ଏବେ ଦଳରେ କୋଣଠେସା ହୋଇଥିବାରୁ ସେ ନିଜର ଅନୁଗତମାନଙ୍କ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଭୋଜି ହେଉ ଅବା ମେଳି ଅବାପୁଣି ପ୍ରତିକୂଳ ମନ୍ତବ୍ୟ ମାଧ୍ୟମରେ ଦଳରେ ପୁଣିଥରେ ନିଜର ଦବଦବା ଜାହିର କରିବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି ।
ତେବେ ବିଭିନ୍ନ ବାଧ୍ୟବାଧକତା ପାଇଁ ପାଣ୍ଡିଆନଙ୍କ ସହ ବବିଙ୍କ ସମ୍ପର୍କ ପୂର୍ବଭଳି ରହିଥିବା ଦଳୀୟ ମହଲରେ ସନ୍ଦେହ କରାଯାଉଥିବାବେଳେ ବବିଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳୁନଥିବାରୁ ସେ ଏବେ ପରଦା ପଛରେ ରହି ସୁଯୋଗ ପାଇବା ମାତ୍ରେ କଂଟାବାଞ୍ଜିଠୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ନିଜର ଶକ୍ତିପ୍ରଦର୍ଶନ କରୁଥିବା ଚର୍ଚ୍ଚା ହେଉଛି ।
ଏପଟେ କ୍ଷମତାଦଖଲର ଏହି ଗୋଳିଆପାଣି ଏବଂ ପାଣ୍ଡିଆନ-ବବି ଯୋଡ଼ିକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ରହିଥିବା ସନ୍ଦେହ ଭିତରେ ବରିଷ୍ଠ ନେତା ଅରୁଣ ସାହୁ ନିଜର ମହତ୍ୱାକାଂକ୍ଷାକୁ ସାମ୍ନାକୁ ଆଣିଛନ୍ତି । ଦଳରେ ଯୁବ ନେତୃତ୍ୱଙ୍କୁ ପ୍ରାଧାନ୍ୟ ଦେବା କଥା କହି ଆଜି ଅରୁଣ ଏକା ସାଙ୍ଗରେ ଦୁଇଟି ଶିକାର କରିଛନ୍ତି । ପ୍ରଥମତଃ, ଦଳରେ ଏବେ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ରହିଥିବାକୁ ସ୍ୱୀକାର କରିଛନ୍ତି ଓ ଅନ୍ୟପଟେ ବବିଙ୍କ ଆଚରଣ-ଉଚ୍ଚାରଣକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଥିବା ଅସନ୍ତୋଷର ଫାଇଦା ଉଠାଇ ନିଜେ ଦଳର ମଙ୍ଗ ଧରିବାକୁ ଆଗକୁ ଆସିବାକୁ ଚାହୁଁଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ସବୁ ଗୋଷ୍ଠୀ ସହ ଭଲ ସମ୍ପର୍କ ରଖିଥିବା ଅରୁଣ ଏବେ ବବିଙ୍କ ସମର୍ଥନରେ ନୁହେଁ, ବରଂ ନିଜ ସପକ୍ଷରେ ମାହୋଲ ପ୍ରସ୍ତୁତ କରିବା ପାଇଁ ‘ଯୁବ କାର୍ଡ’ ଖେଳିଛନ୍ତି । ଅରୁଣ କହିଛନ୍ତି ଯେ ‘ ଦଳରେ ସବୁ ନେତୃତ୍ୱଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି, ଯାହାର ସାଙ୍ଗଠନିକ ଦକ୍ଷତା ଅଛି ସେମାନେ ନେତୃତ୍ୱ ନେଇପାରିବେ । ଯୁବ ନେତୃତ୍ୱଙ୍କୁ ପ୍ରାଧାନ୍ୟ ଦେଲେ ଦଳ ମଜଭୂତ ହେବ । ଏକଥା ଯିଏବି କହିଛନ୍ତି କିଛି ଭୁଲ କହିନାହାନ୍ତି ବୋଲି କହି ଅରୁଣ ସେମାନଙ୍କୁ ସମର୍ଥନ କରିଛନ୍ତି । ଯଦିଓ ଗତକାଲି ମେଳିରେ ସାମିଲ ଥିବା ନେତାମାନେ ‘ଯୁବ ନେତା’ଙ୍କୁ ଦଳର ଦାୟିତ୍ୱ ଦେବା ସପକ୍ଷରେ ମତ ଦେଇଥିଲେ । ଅରୁଣ ଆଜି ଏଭଳି ମନ୍ତବ୍ୟ ଦେଇ ବୁଲେଇବଙ୍କେଇ ନିଜର ମହତ୍ୱାକାଂକ୍ଷାକୁ ପଦାକୁ ଆଣିଥିବା ଚର୍ଚ୍ଚା ହେଉଛି ।
ସତରେ କ’ଣ ବିଭାଜନମୁହାଁ ବିଜେଡି?
ଦଳରେ ବବି ନିଜର ପତିଆରା ଫେରିପାଇବାକୁ ବବିଙ୍କ ଗୋଟିଚାଳନା, ସଂଗଠନଠୁ ପ୍ରତ୍ୟକ୍ଷ ଭାବେ ପାଣ୍ଡିଆନ ନିଜକୁ ଦୂରେଇ ନାଟକବାଜି ସହ ଦଳର ପିଏସ ଓ ଦେବୀ ମିଶ୍ର ଟିମର ଅପାରଗତ ମଧ୍ୟରେ ସଂଗଠନ ଦିଶାହୀନ ହୋଇପଡ଼ିଛି। ନବୀନ ମଧ୍ୟ ସାଂଗଠନିକ କାର୍ଯ୍ୟରେ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି । ଆଉ ୩ ମାସ ପରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡିରେ ଚାଲିଥିବା ଏହି ଛକାପଞ୍ଝା ଦଳକୁ ଏକ ବଡ଼ ବିଭାଜନ ଆଡ଼କୁ ଠେଲି ଦେବାର ଆଶଙ୍କା ରହିଛି । ଦଳର ୫୦ ବିଧାୟକ ଥିଲେ ମଧ୍ୟ ସେମାନଙ୍କ ଉପରେ ଦଳୀୟ ନେତୃତ୍ୱଙ୍କ ଶକ୍ତ ନିୟନ୍ତ୍ରଣ ନଥିବା ପ୍ରମାଣ ଗତ ବିଧାନସଭା ଶୀତ ଅଧିବେଶନରେ ମିଳିସାରିଛି ।
ତେଣୁ ରାଜ୍ୟସଭା ନିର୍ବାଚନ ହିଁ ବିଜେଡିର ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ଆକଳନ ହେଉଛି । ଏପଟେ ବବି ଦଳରେ ନିଜର ପୁରୁଣା ପତିଆରା ଜାହିର କରିବା ପାଇଁ ଅନୁଗତଙ୍କ ମାଧ୍ୟମରେ ମେଳି ଓ ଶକ୍ତି ପ୍ରଦର୍ଶନ କରୁଥିବାବେଳେ ଅରୁଣ ନିଜର ମହତ୍ୱାକାଂକ୍ଷାକୁ ସୁଚିନ୍ତିତ ଢଙ୍ଗରେ ଆଗକୁ ଆଣିଛନ୍ତି । ପାଣ୍ଡିଆନ ଓ ବବିଙ୍କ ମଧ୍ୟରେ ଥିବା ରହସ୍ୟମୟ ବୁଝାମଣାକୁ ଦଳର ଅଧିକାଂଶ ବରିଷ୍ଠ ନେତା ନାପସନ୍ଦ କରୁଥିବାବେଳେ ଯଦି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତୁରନ୍ତ ଦୃଢ଼ ପଦକ୍ଷେପ ନନିଅନ୍ତି, ତେବେ ବିଜେଡିରୁ ଏକ ବୃହତ୍ ଗୋଷ୍ଠୀ ବାହାରି ନୂଆ ଆଂଚଳିକ ଦଳ ଗଢ଼ିବା କଥା କେବଳ ଚର୍ଚ୍ଚାରେ ନୁହେଁ ବରଂ ବାସ୍ତବତାର ରୂପ ନେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
