Advertisment

ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ

ବୋର୍ଡ ଓ ନିଗମ ଦାୟିତ୍ୱରେ ଅଭିଜ୍ଞ ତଥା ପ୍ରମୁଖ ବ୍ୟକ୍ତିବିଶେଷ, ଟେକ୍ନିକାଲ ବ୍ୟକ୍ତି, ବୈଜ୍ଞାନିକ, ଏକ୍ସ-ସର୍ଭିସମ୍ୟାନଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି।

ଅଦ୍ୟତନ ହୋଇଛି
Manomohan Samal

Manomohan Samal

Advertisment

ଖୁବଶୀଘ୍ର ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମରେ ଅଧ୍ୟକ୍ଷ ନିଯୁକ୍ତ ହେବେ। ବିଜେପିର ସଦସ୍ୟତା ଅଭିଯାନ ସରିବା ପରେ ଏହି ପଦଗୁଡ଼ିକରେ ଦିଆଯିବ ନିଯୁକ୍ତି। ଆଜି ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

Advertisment

ସେ କହିଛନ୍ତି, ଆମ ସରକାରକୁ ଏବେ ୧୦୦ ଦିନ ପୂରିଛି। ଏହି ସମୟ ଭିତରେ ଶପଥ ଗ୍ରହଣ ଦିନ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଯାଇଛି। ସରକାର ଶପଥ ନେବାର ୮ ଘଣ୍ଟା ଭିତରେ ଜଗନ୍ନାଥଙ୍କ ଚାରି ଦ୍ଵାର ଖୋଲାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନା ଆରମ୍ଭ କରାଗଲା। ରତ୍ନଭଣ୍ଡାର ଖୋଲାଗଲା। ଧାନ କ୍ଵିଣ୍ଟାଲ ୩୧ ଶହ ଟଙ୍କା କରିବାକୁ ନୀତିଗତ ନିଷ୍ପତ୍ତି ନେଇଛି ଆମ ସରକାର। ସବୁ କାର୍ଯ୍ୟକ୍ରମ ଗୋଟିଏ ଗୋଟିଏ କରାଯାଉଛି। 

ଶ୍ରୀ ସାମଲ କହିଛନ୍ତି, ଏବେ ଦଳର ସଦସ୍ୟତା ଅଭିଯାନ ଶେଷ ପର୍ଯ୍ୟାୟରେ ଅଛି। ଏହା ସରିବା ପରେ ପରେ ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ଵ ଦିଆଯିବ। ଏନେଇ ଖୁବଶୀଘ୍ର ଆମେ ନିଷ୍ପତ୍ତି ନେବୁ। ଏଥିପାଇଁ ଦଳୀୟ ସ୍ତରରେ ଓ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ବୋର୍ଡ ଓ ନିଗମ ଦାୟିତ୍ୱରେ ଅଭିଜ୍ଞ ତଥା ପ୍ରମୁଖ ବ୍ୟକ୍ତିବିଶେଷ, ଟେକ୍ନିକାଲ ବ୍ୟକ୍ତି, ବୈଜ୍ଞାନିକ, ଏକ୍ସ-ସର୍ଭିସମ୍ୟାନଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ପଲିସି ପ୍ଲାନିଂ ହେବ, ତାହା ଅନୁଯାୟୀ ପଦକ୍ଷେପ ନିଆଯିବ।

Advertisment

ରାଜ୍ୟରେ ରହିଛି ୩୭ ନିଗମ ସହ ଅନେକ ପ୍ରକାର ବୋର୍ଡ। ମୁଖ୍ୟତଃ ଓଟିଡିସି, କାଜୁ ନିଗମ, ମତ୍ସ୍ୟ ନିଗମ, ଉଠା ଜଳସେଚନ ନିଗମ, ଖଦି ବୋର୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ନିଗମ ଓ ବୋର୍ଡଗୁଡିକ ସମେତ କୌଣସିଟିରେ ଏ ଯାଏଁ ଅଧ୍ୟକ୍ଷ ନିଯୁକ୍ତ ହୋଇ ନାହାନ୍ତି।  ବିଜେଡି କ୍ଷମତାରୁ ଯିବା ପରେ ଜୁନ୍ ୨୨ରେ ନିଗମଗୁଡିକର ଗୁଣାତ୍ମକ ଉନ୍ନତି ହୋଇନଥିବା ଅଭିଯୋଗ କରି ସମସ୍ତ ନିଗମ ଗୁଡିକରେ ଥଇଥାନ ହୋଇଥିବା ବିଜେଡି ନେତା ତଥା ଅଧ୍ୟକ୍ଷମାନଙ୍କୁ ଅବ୍ୟାହତି ଦେଇଥିଲେ ନୂଆ ସରକାର। ଖାଲି ନିଗମ ନୁହେଁ ଆଦିବାସୀଙ୍କ ପାଇଁ ରାଜ୍ୟରେ ଥିବା ୨୩ଟି SDC ବା ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ସରକାର ବାତିଲ କରିଥିଲେ। କିନ୍ତୁ ଏଯାଏଁ ସେଗୁଡିକରେ ଅଧ୍ୟକ୍ଷ କିମ୍ବା ସଦସ୍ୟ ନିଯୁକ୍ତ ହୋଇନାହାନ୍ତି। ତେବେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଢ଼ିଥିବା ବେଳେ ଲମ୍ବା ସମୟ ଧରି କେଉଁ କାର୍ଯ୍ୟକର୍ତ୍ତାକୁ କେଉଁଠି ଥଇଥାନ କରାଯିବ ତାହା ଦଳ ପାଇଁ ଚ୍ୟାଲେଞ୍ଜ ହୋଇପାରେ। 

ଖାଲି ନିଗମ ନୁହେଁ ରାଜ୍ୟ ଯୋଜନା ବୋର୍ଡଠୁ ଆରମ୍ଭ କରି ଜିଲ୍ଲା ଯୋଜନା ବୋର୍ଡଗୁଡିକ ବି ଫାଙ୍କା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦବି ବି ଖାଲି ପଡ଼ିଛି। ବଡ଼ କଥା ହେଲା ଦୀର୍ଘ ଦିନ ପରେ କ୍ଷମତାକୁ ଆସିବା ପରେ ଆରମ୍ଭ ହୋଇଛି ନେତାଙ୍କ ଲବି। ଚର୍ଚ୍ଚା ହେଉଛି ଏନେଇ ଦଳ ଏବଂ ସରକାରୀ ସ୍ତରରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇସାରିଛି। ଟିକେଟ୍ ନନେଇ ଦଳ ପାଇଁ ନିର୍ବାଚନ କାର୍ଯ୍ୟରେ ମୁଖ୍ୟ ଭୂମିକା ନେଇଥିବା ନେତାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ। ଲବିରେ ଆଗରେ ଅଛନ୍ତି, ଦଳର ଉପସଭାପତି ଗୋଲକ ମହାପାତ୍ର, ବିରଞ୍ଚି ତ୍ରିପାଠୀଙ୍କ ସହ ସାଧାରଣ ସଂପାଦକ ସୀମାଞ୍ଚଳ ଖଟେଇ, ଯତୀନ ମହାନ୍ତି, ଶାରଦା ଶତପଥୀ। ସେହିପରି ଜୟନ୍ତ ଜେନା, ସମୀର ରଞ୍ଜନ ଦାଶ, ସୁରଥ ବିଶ୍ୱାଳ, ସୁଦୀପ୍ତ ରାୟ, ସଜ୍ଜନ ଶର୍ମା, ରାଜେନ୍ଦ୍ର ପଣ୍ଡା, ଅନୀଲ ବିଶ୍ୱାଳଙ୍କ ନାଁ ବି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ନିର୍ବାଚନ ଲଢି ହାରିଥିଲେ ବି ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଜଗନ୍ନାଥ ପ୍ରଧାନ, କୁସୁମ ଟେଟେ, ଗୌତମ ରାୟ ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ମଧ୍ୟ ଦଳ ନିଯୁକ୍ତି ଦେଇପାରେ।

Bjp Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe