ଆଭ୍ୟନ୍ତରୀଣ କନ୍ଦଳ ଓ ଅସନ୍ତୋଷ ମଧ୍ୟ ଦେଇ ଗତି କରୁଥିବା ବିଜେଡିର ସଦ୍ୟଘୋଷିତ ‘ପ୍ରଭାରୀ’ ତାଲିକା ଏବେ ଦଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ଦଳରେ ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ତଥାକଥିତ ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ(ବବି) ଯୋଡ଼ି ଦଳୀୟ ସଂଗଠନକୁ ନିଜ କବଜାକୁ ନେବା ପାଇଁ ସୁଚିନ୍ତିତ ଢଙ୍ଗରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ଦସ୍ତଖତରେ ଏହି ‘ପ୍ରଭାରୀ’ ଦାୟିତ୍ୱ ବଂଟନ କରାଇଛନ୍ତି । ଆଉ ବବିଙ୍କ ପ୍ରତି ଦଳୀୟ କର୍ମୀ ଓ ନେତାମାନଙ୍କ ମନରେ ଆକ୍ରୋଶ କିଭଳି ରହିଛି ତାହା ପରଖିବାକୁ ପାଣ୍ଡିଆନ ନିଜର ଏହି ପୁରୁଣା ଫର୍ମୂଲା ଆପଣାଇଥିବା ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ବବିଙ୍କୁ ପୁଣିଥରେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱରେ ଥଇଥାନ ଉଦ୍ଦେଶ୍ୟରେ ଏବେ ଏଭଳି ପ୍ରଭାରୀ ନିଯୁକ୍ତିର ଆବଶ୍ୟକତା ନଥାଇ ମଧ୍ୟ ୨୭ଟି ନିର୍ବାଚନମଣ୍ଡଳୀର ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବବିଙ୍କ ସମେତ ୧୦ଜଣ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ସାଂଗଠନିକ ନିର୍ବାଚନବେଳେ ମାତ୍ର ୨୭ଟି ନିର୍ବାଚନମଣ୍ଡଳୀକୁ କିଏ ଓ କେଉଁ ଆଧାରରେ ଚୟନ କରିଛନ୍ତି ଏବଂ ଦେବୀ କାହିଁକି ମାମଲାତି ସାଜି ବବିଙ୍କୁ ସଂଗଠନରେ ଏଣ୍ଟ୍ରୀ ଦେଇଛନ୍ତି ତାକୁ ନେଇ ଦଳ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବା ଜଣାପଡ଼ିଛି ।
ବିଜେଡି ସୂତ୍ର ଅନୁସାରେ, ଦଳର ୨୪ବର୍ଷର ଶାସନ ଅଚାନକ ହାତରୁ ଖସିଯିବା ପାଇଁ ଦଳୀୟ କର୍ମୀ ଓ ନେତାମାନେ ସିଧାସଳଖ ପାଣ୍ଡିଆନ-ବବି ଯୋଡ଼ିଙ୍କୁ ଦାୟୀ କରୁଥିବାବେଳେ ସେମାନେ ପୁଣି ଥରେ ସଂଗଠନକୁ ନିଜ ନିୟନ୍ତ୍ରଣକୁ ନେବା ନିମନ୍ତେ ବିଗତ କିଛି ଦିନ ଧରି ଉଦ୍ଦେଶ୍ୟମୂଳକ ଭାବେ ଦଳରେ କ୍ରମାଗତ ଅସ୍ଥିରତା ଭିଆଇବାରେ ଲାଗିଛନ୍ତି । କଟକ, ଭୁବନେଶ୍ୱର,ଗୋପାଳପୁର, ପୁରୀ ଆଦି ସ୍ଥାନରେ ଦଳର ପରାଜିତ ବିଧାୟକମାନେ ବାରମ୍ବାର ମେଳି କରିବା ପଛରେ ବବିଙ୍କ ପ୍ରମୁଖ ଭୂମିକା ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଯେହେତୁ ଏହିସବୁ ମେଳିରେ ସାମିଲ ହେଉଥିବା ନେତାମାନେ ବବିଙ୍କ ଖାସ୍ ଅନୁଗତ ଭାବେ ପରିଚିତ, ତେଣୁ ଗଣମାଧ୍ୟମରେ ଏହି ମେଳି ଖବର ପ୍ରସାରଣ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଲା । ଆଉ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରୁ ବବି-ପାଣ୍ଡିଆନ ଯୋଡ଼ି ‘ଡାହାଣୀ’ ଭୂମିକା ଛାଡ଼ି ‘ଗୁଣିଆ’ ସାଜିଥିଲେ । ନବୀନ ନିବାସରେ ରହି କାହାରିକୁ ଭେଟୁନଥିବା ନବୀନଙ୍କୁ ପ୍ରଭାବିତ କରି ଏହି ମେଳି ବାନ୍ଧିଥିବା ନେତାମାନଙ୍କ ନିକଟକୁ ଫୋନ୍ ମାଧ୍ୟମରେ ତାଗିଦ୍ ବି କରାଇବାରେ ସକ୍ଷମ ହେଲେ । ଅବଶ୍ୟ ଏବେ ଏହି ମେଳି ସିନା ବନ୍ଦ ହୋଇଗଲା, କିନ୍ତୁ ବବିଙ୍କୁ ପୁଣିଥରେ ସଂଗଠନରେ ‘ନମ୍ବର-ଟୁ’ ଭୂମିକାରେ ଅବତୀର୍ଣ୍ଣ କରାଇବା ପାଇଁ ଦଳରେ ଆବଶ୍ୟକ ମାହୋଲ୍ ତିଆରି ହୋଇପାରୁନଥିବାରୁ ଶେଷରେ ପାଣ୍ଡିଆନ ନିଜର ଉଦ୍ଭଟ ମସ୍ତିଷ୍କର ଉପଯୋଗ କରି ଦେବୀଙ୍କୁ ମୋହରା ସଜାଇ ଏହି ‘ପ୍ରଭାରୀ’ ତାଲିକା ଜାରି କରିଥିବା ଜଣାପଡ଼ିଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉକ୍ତ ପ୍ରଭାରୀ ତାଲିକା ଜାନୁୟାରୀ ୨୮ତାରିଖରୁ ଦଳୀୟସ୍ତରରେ ପ୍ରକାଶ ପାଇଥିଲେ ମଧ୍ୟ ଗଣମାଧ୍ୟମଠୁ ଏହାକୁ ଦୂରେଇ ରଖାଯାଇଛି । ବବିଙ୍କୁ ନେଇ ଦଳୀୟ ନେତାମାନଙ୍କ ପ୍ରତିକ୍ରିୟା ପରଖିବାକୁ ଏବେ ପ୍ରୟାସ ଚାଲିଛି । ଏପଟେ ଯେଉଁ ୨୭ଟି ନିର୍ବାଚନମଣ୍ଡଳୀର ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ୧୦ଜଣ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ତା’ର ଯଥାର୍ଥତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ତାଲିକାରେ ସାମିଲ ଝାରସୁଗୁଡ଼ା, ପିପିଲି, କଟକ-ବାରବାଟୀ, ଭଟଲି, ଖୋର୍ଦ୍ଧା ଭଳି ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାୟକ ନଥିଲେ ମଧ୍ୟ ସେଠାରେ ସଂଗଠନ ଓ ନେତୃତ୍ୱ ସୁଦୃଢ଼ ଅଛି । ସେହିପରି ଚମ୍ପୁଆରେ ଦଳର ବିଧାୟକ ଅଛନ୍ତି । କଟକ ସଦର,ପାରାଦୀପ, ବ୍ରହ୍ମପୁର, ଗୋପାଳପୁର,ଛତ୍ରପୁର ଭଳି ନିର୍ବାଚନମଣ୍ଡଳୀରେ ବି ସଂଗଠନ ଦଳର ସ୍ଥାନୀୟ ନେତାଙ୍କ କର୍ତ୍ତୃତ୍ୱ ରହିଛି । ଏସବୁ ସତ୍ତ୍ୱେ କେଉଁ ଉଦ୍ଦେଶ୍ୟରେ ଏହି ନିର୍ବାଚନମଣ୍ଡଳୀକୁ ଚୟନ କରାଯାଇଛି ତାକୁ ନେଇ ସ୍ଥାନୀୟ ନେତୃତ୍ୱଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଯେଉଁ ୧୦ଜଣ ନେତାଙ୍କୁ ୨୭ଟି ନିର୍ବାଚନମଣ୍ଡଳୀର ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ଦାୟିତ୍ୱ ନ୍ୟସ୍ତ ହୋଇଛି ସେଥିରୁ ସର୍ବାଧିକ ୫ଟି ଯଥା-ବଡ଼ଚଣା, ରାଇରଙ୍ଗପୁର, ବଡ଼ସାହି, ଉଦଳା, ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଦାୟିତ୍ୱ ବବିଙ୍କୁ ନ୍ୟସ୍ତ ହୋଇଛି । କେବଳ ବବି ଓ ତାଙ୍କ ଅନୁଗତଙ୍କ ବିଶୃଙ୍ଖଳା ଯୋଗୁ ବିଜେଡି ହାତରୁ ଏହି ସମସ୍ତ ସିଟ୍ ପଳାଇଥିଲା । ନିର୍ବାଚନ ପୂର୍ବରୁ ବବି ହିଁ ଜିଲ୍ଲା ପ୍ରଭାରୀ ଭାବେ ଏହି ସବୁ ନିର୍ବାଚନମଣ୍ଡଳୀର ସଂଗଠନ କଥା ପ୍ରତ୍ୟକ୍ଷ ଭାବେ ବୁଝୁଥିଲେ । ବବି ଓ ତାଙ୍କ ଅନୁଗତମାନେ ‘ଧରାକୁ ସରା ମଣି’ ନିର୍ବଚନ ପୂର୍ବରୁ ଦଳୀୟ କର୍ମୀମାନଙ୍କୁ ‘ପୋକମାଛି’ ଭଳି ବ୍ୟବହାର କରିଥିବାର ତିକ୍ତ ଅନୁଭୂତି ମଧ୍ୟ ବିଜେଡିକୁ ଏବେ ମହଙ୍ଗା ପଡ଼ିବ ।
ତେବେ ଦଳ ଏବେ ସାଂଗଠନିକ ନିର୍ବାଚନ ପାଇଁ ପ୍ରତାପ କେଶରୀ ଦେବଙ୍କୁ ରାଜ୍ୟ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ସହ ପ୍ରକ୍ରିୟା ଆରମ୍ଭ କରିସାରିଛି । ଜିଲ୍ଲା ୟୁନିଟ୍ ନିର୍ବାଚନ ପୂର୍ବରୁ ଦଳ ଏହି ନେତାମାନଙ୍କୁ ନିଯୁକ୍ତି ଦେଇଥିବା ଓ ରିଟର୍ଣ୍ଣିଂ ଅଫିସରଙ୍କ ବିନା ଅନୁମୋଦନରେ ଏହି ପ୍ରଭାରୀ ନିଯୁକ୍ତି ପାଇଥିବାରୁ ଜିଲ୍ଲା ୟୁନିଟ୍ ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ରାଜ୍ୟସ୍ତରୀୟ ନେତାମାନେ ହିଁ ସେସବୁ ଜିଲ୍ଲାରେ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାରେ ବାଧକ ସାଜିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଦେବୀଙ୍କ ଭଳି ବରିଷ୍ଠ ନେତା କିପରି ଏଭଳି ଅପରିପକ୍ୱତା ଦେଖାଇଲେ ତାହା ତାଙ୍କର ଭୂମିକାକୁ ସନ୍ଦେହଘେରକୁ ଟାଣି ନେଇଛି ।
ସୂଚନାଯୋଗ୍ୟ, ଯେଉଁ ୧୦ଜଣ ନେତାଙ୍କୁ ୨୭ଟି ନିର୍ବାଚନମଣ୍ଡଳୀ ଦାୟିତ୍ୱ ନ୍ୟସ୍ତ ହୋଇଛି ସେଥିରେ ବବିଙ୍କ ବ୍ୟତୀତ ନିରଞ୍ଜନ ପୂଜାରୀଙ୍କୁ ଝାରସୁଗୁଡ଼ା ଓ ବ୍ରଜରାଜନଗର, ଅତନୁ ସବ୍ୟସାଚୀ ନାୟକ-ବିଜୟ ନାୟକଙ୍କୁ ତେଲକୋଇ, ପାଟଣା,ଚମ୍ପୁଆ,ହିନ୍ଦୋଳ ଓ ପାରାଦୀପ, ପ୍ରତାପ ଜେନାଙ୍କୁ କଟକ-ବାରବାଟୀ,କଟକ-ସଦର ଓ ନିଆଳି, ଅରୁଣ ସାହୁଙ୍କୁ ନିମାପଡ଼ା,ପିପିଲି ଓ ଖୋର୍ଦ୍ଧା, ସଞ୍ଜୟ ଦାସବର୍ମାଙ୍କୁ ସାନଖେମୁଣ୍ଡି,ଛତ୍ରପୁର,ଗୋପାଳପୁର ଓ ବ୍ରହ୍ମପୁର, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବଣାଇ ଓ ବୀରମିତ୍ରପୁର, ଦେବେଶ ଆଚାର୍ଯ୍ୟଙ୍କୁ ଭଟଲି ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଦାୟିତ୍ୱ ନ୍ୟସ୍ତ ହୋଇଛି ।
ଏହି ନେତାମାନଙ୍କ ମଧ୍ୟରୁ କେବଳ ନିରଞ୍ଜନ ପୂଜାରୀ ଓ ଅରୁଣ ସାହୁଙ୍କୁ ବାଦ୍ ଦେଲେ ଅନ୍ୟ ୭ଜଣ ନିର୍ବାଚନରେ ପରାଜିତ ହୋଇଛନ୍ତି । ବିଜୟ ନାୟକ ନିର୍ବାଚନରେ ଟିକେଟରୁ ବଂଚିତ ଥିଲେ । ନିର୍ବାଚନର ଠିକ୍ ପୂର୍ବରୁ ବିଜେପି ଛାଡ଼ି ଭୃଗୁ ବିଜେଡି ଆସି ଟିକେଟ୍ ହାତେଇଥିଲେ । ଦଳର ହଜାର ହଜାର ପୁରୁଣା କର୍ମକର୍ତ୍ତା ଥିଲେ ମଧ୍ୟ ତାଙ୍କୁ ସଂଗଠନ ଦାୟିତ୍ୱ ଦିଆଯାଇଛି । ନିଜକୁ ସଂଗଠନରେ ବଂଚାଇ ରଖିବା ପାଇଁ ପାଣ୍ଡିଆନ-ବବି ଯୋଡ଼ିଙ୍କୁ ତୋଷାମଦ କରୁଥିବା ଏହି ୧୦ଜଣିଆ ନେତାଙ୍କୁ ଦଳୀୟ କର୍ମୀମାନେ ସ୍ୱାଗତ କରୁଛନ୍ତି ନା ନିଜର ଆକ୍ରୋଶର ଶିକାର କରୁଛନ୍ତି ତାହା ଏବେବି ବିରାଟ ପ୍ରଶ୍ନବାଚୀ ପାଲଟିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।