Advertisment

ପାଣ୍ଡିଆନଙ୍କୁ କାଳିମାଡ଼: ଘଟଣାକୁ ନେଇ ନିରବ ରହିଲେ ବବିଙ୍କ ଗୋଷ୍ଠୀ, ନିନ୍ଦା ବି କଲେନି

କେବଳ ବବି ନୁହଁନ୍ତି, ତାଙ୍କର ଖାସ୍ ଅନୁଗତ ଭାବେ ପରିଚିତ ବିଧାୟକ ସୁଶାନ୍ତ ସିଂ, ପ୍ରଣବ ବଳବନ୍ତରାୟ, ଦିବ୍ୟଶଙ୍କର ମିଶ୍ର, ବ୍ୟୋମକେଶ ରାୟ ଓ ସଞ୍ଜିବ ମଲ୍ଲିକ ପ୍ରମୁଖ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ନିରବ ରହିଛନ୍ତି ।

Pranab Prakash Das

Pranab Prakash Das

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ପୁରୀ ଜିଲ୍ଲାର ସତ୍ୟବାଦୀ କଲେଜ ପଡ଼ିଆଠାରେ ଶହଶହ ପୁଲିସ,ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ଜଣେ ବ୍ୟକ୍ତି କାଳିମାଡ଼ କଲେ । ଏହି କାଳିମାଡ଼ ଘଟଣାକୁ ବିରୋଧୀ ଦଳ ସମେତ ରାଜ୍ୟର ମନ୍ତ୍ରୀ, ସାଂସଦ ଓ ବିଧାୟକ,ଅଫିସର ସଂଘ ଓ ବିଭିନ୍ନ ବର୍ଗର ଲୋକେ ନିନ୍ଦା କଲେ । କିନ୍ତୁ ୪୮ଘଣ୍ଟା ପରେ ବି ଏହି ଘଟଣାରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି) ଓ ତାଙ୍କ ଗୋଷ୍ଠୀ ନିରବ ରହିଛନ୍ତି । ପାଣ୍ଡିଆନଙ୍କ ଗୁଡବୁକରେ ରହିବା ପାଇଁ ନବରଙ୍ଗପୁର ଜିଲ୍ଲାରେ ଗେଟକିପର(ଦ୍ୱାରପାଳ) ଭୂମିକା ତୁଲାଉଥିବା ବବି ଏତେବଡ଼ ଘଟଣାରେ ନିରବ ରହିବା ଓ ତାଙ୍କର ଖାସ୍ ଅନୁଗତମାନେ ମଧ୍ୟ ମୁହଁ ନଖୋଲିବାକୁ ନେଇ ଏବେ ଦଳ ଭିତରେ ନୂଆ ଚର୍ଚ୍ଚା ଚାଲିଛି । ବିଜେଡିର କ୍ଷମତା ଦଖଲ ପାଇଁ  ଆରମ୍ଭ ହୋଇଥିବା ଶୀତଳଯୁଦ୍ଧ ଓ ଛକାପଞ୍ଝାର ଏହା ପରିଣତି ବୋଲି ଚର୍ଚ୍ଚା ହେଉଛି ।

Advertisment

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସତ୍ୟବାଦୀ କଲେଜ ପଡ଼ିଆରେ ଏକ ସଭାସ୍ଥଳକୁ ଯିବାବେଳେ ତାଙ୍କ ଉପରେ କଣାସ ଅଂଚଳର ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି କାଳି ଫିଙ୍ଗିବାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ହେଉ ଅବା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ବିରୋଧୀ ଦଳ ଓ ବିଜେଡିର ବରିଷ୍ଠ ନେତା,ମନ୍ତ୍ରୀ, ସାଂସଦମାନେ ଘଟଣାକୁ ନିନ୍ଦା କଲେ । ଓଏଏସ୍ ଅଫିସର ସଂଘଠୁ ଆରମ୍ଭ କରି ବିଭିନ୍ନ କର୍ମଚାରୀ ସଂଘ ମଧ୍ୟ ଏହାର ବିରୋଧ କଲେ । ମାତ୍ର ଯେଉଁ ପାଣ୍ଡିଆନଙ୍କ ଯୋଗୁ ଯାଜପୁରର ବିଧାୟକ ପ୍ରଣବପ୍ରକାଶ ବହୁ ପୁରୁଖା ନେତାମାନଙ୍କୁ ପଛରେ ପକାଇ ବିଜେଡି ସଂଗଠନରେ ଏବେ ନିଜକୁ ଦ୍ୱିତୀୟ ସର୍ବେସର୍ବା ବୋଲି ବିବେଚନା କରୁଛନ୍ତି, ସେ କିଭଳି ଏହି କାଳିମାଡ଼ ଘଟଣାରେ ନିରବ ରହିଲେ ତାହା ବିଜେଡି ନେତାମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।  ଯଦିଓ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ପୂର୍ବରୁ ସମସ୍ତ ପ୍ରକାରର ପ୍ରସ୍ତୁତିର ତଦାରଖ ପାଇଁ ନିଜେ ବବି ଯାଇଥାନ୍ତି । ଜିଲ୍ଲାର ବିଜେଡି ନେତା,ବିଧାୟକ ଓ ସାଂସଦଙ୍କ ସମେତ ଜିଲ୍ଲା ପ୍ରଶାସନ ସହ ବୈଠକ କରି ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଯେଭଳି ସଫଳ ହେବ ତା’ର ଚୂଡ଼ାନ୍ତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ତଥାପି ସତ୍ୟବାଦୀରେ ପାଣ୍ଡିଆନଙ୍କୁ କାଳିମାଡ଼ ହେବା ଘଟଣାରେ ବବି କିଭଳି ମୁହଁ ଖୋଲିଲେ ନାହିଁ ତାହା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ । ଯଦିଓ ବିଭିନ୍ନ ପ୍ରସଙ୍ଗରେ ନିଜ ସୋସିଆଲ ମିଡିଆରେ ବବି ନିଜର ପ୍ରତିକ୍ରିୟା ରଖିବାକୁ ପଛାନ୍ତି ନାହିଁ ।

କେବଳ ବବି ନୁହଁନ୍ତି ତାଙ୍କର ଖାସ୍ ଅନୁଗତ ଭାବେ ପରିଚିତ ବିଧାୟକ ସୁଶାନ୍ତ ସିଂ, ପ୍ରଣବ ବଳବନ୍ତରାୟ, ଦିବ୍ୟଶଙ୍କର ମିଶ୍ର, ବ୍ୟୋମକେଶ ରାୟ ଓ ସଞ୍ଜିବ ମଲ୍ଲିକ ପ୍ରମୁଖ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ନିରବ ରହିଛନ୍ତି । ଏହି ସମସ୍ତ ବିଧାୟକ ଏକକାଳୀନ ନିରବ ରହିବା ପରୋକ୍ଷରେ ଦଳରେ ଦୀର୍ଘଦିନ ଧରି ଚାଲିଥିବା ନୂଆ ଚର୍ଚ୍ଚାକୁ ଅଧିକ ବଳ ଯୋଗାଇଛି । ଚର୍ଚ୍ଚା ହେଉଛି, ଶ୍ରୀ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ବବି ଖୁସି ନାହାନ୍ତି । ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ବବି ନିଜେ ଜିଲ୍ଲାତମାମ ବୁଲିବାକୁ ଚାହୁଁଥିଲେ । କିନ୍ତୁ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଯୋଗୁ ତାଙ୍କର ଏହି ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ସେ କେବଳ ଜଣେ ପ୍ରତିନିଧି ହୋଇ ରହିଯାଇଛନ୍ତି ଯିଏକି ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତିର ତଦାରଖ କରିବେ ଓ ସ୍ଥାନୀୟ ବିଜେଡି ନେତାମାନଙ୍କୁ ଲଜିଷ୍ଟିକ୍ ସର୍ପୋଟ୍ ମଧ୍ୟ ଦେବେ । ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଭୟ ପ୍ରଶାସନ ଓ ସ୍ଥାନୀୟ ବିଜେଡି ନେତା-ମନ୍ତ୍ରୀ ଦିନରାତି ଏକ କରି ଦେଉଥିବାରୁ ବବିଙ୍କ ବିଶେଷ ଗୁରୁତ୍ୱ ରହୁନି । ତା’ଛଡ଼ା ବିଜେଡି ନେତାମାନେ ଏବେ ସିଧାସଳଖ ପାଣ୍ଡିଆନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେମାନଙ୍କ ଅଂଚଳରେ ଉଭୟ ସଂଗଠନ ଓ ପ୍ରଶାସନିକ ସମସ୍ୟାର ସମାଧାନ ମଧ୍ୟ ପାଇ ପାରୁଛନ୍ତି । ତେଣୁ ସଂଗଠନରେ ଧୀରେଧୀରେ ନିଜର ପ୍ରଭାବ ହ୍ରାସ ପାଇବାକୁ ବବି ସହଜରେ ହଜମ କରିପାରୁନାହାନ୍ତି ବୋଲି ଦଳରେ ଚର୍ଚ୍ଚା ।

Advertisment

ଦଳୀୟ ସୂତ୍ର ଅନୁସାରେ ଗତ କିଛିବର୍ଷ ଧରି ସଂଗଠନ କାର୍ଯ୍ୟ ବୁଝିବା ଆଳରେ ବବି ନିଜକୁ ଦଳର ସର୍ବେସର୍ବା ଭାବେ ବିବେଚନା କରିବାକୁ ଲାଗିଲେ । ଦଳର ବରିଷ୍ଠ ନେତାମାନଙ୍କ ପ୍ରତି ଖରାପ ଆଚରଣ, ନିଜସ୍ୱ କୋଟୋରୀକୁ ଗୁରୁତ୍ୱ, ଶିକ୍ଷୟିତ୍ରୀ ମମିତା ମେହେର ଓ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବବିଙ୍କ ଖାସ୍ ଅନୁଗତ ଯଥାକ୍ରମେ ଦିବ୍ୟଶଙ୍କର ଓ ସୁଶାନ୍ତ ସିଂଙ୍କ ବିବାଦୀୟ ଭୂମିକାକୁ ନେଇ ଚର୍ଚ୍ଚା ଆଦି ସହ ଦଳୀୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦକ୍ଷତା-ଅଭିଜ୍ଞତା ନଥିବା ବିବାଦୀୟଙ୍କୁ ଥଇଥାନ କରିବା ବବିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । ଯୁବ ବିଜେଡି ସଭାପତି ପଦବୀରେ ବ୍ୟୋମକେଶ ରାୟଙ୍କୁ ଥଇଥାନ କରିବା, ଯୁବ ସଂଗଠନ ଓ ବିଭିନ୍ନ ଉପନିର୍ବାଚନ ପରିଚାଳନା ତଥା କଳାହାଣ୍ଡି ଭଳି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ବଳବନ୍ତରାୟଙ୍କୁ ଥଇଥାନ କରିବାକୁ ବବି ପଛାଇ ନାହାନ୍ତି । ଯଦିଓ ବିଭିନ୍ନ ଦୁର୍ନୀତି ମାମଲାରେ ପ୍ରଣବଙ୍କ ସମ୍ପୃକ୍ତିର ଅଭିଯୋଗ ହେଉଥିବାବେଳେ ବ୍ୟୋମକେଶଙ୍କ ବିବାଦୀୟ ଭୂମିକା ଯୋଗୁ ଦଳ ଅନେକ ସମୟରେ ନିନ୍ଦିତ ହୋଇଛି । ତା’ଛଡ଼ା ବବି ସିଧାସଳଖ ଦଳର ବିଧାୟକ-ସାଂସଦ ଓ ବରିଷ୍ଠ ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ନହୋଇ ନିଜର ବ୍ୟକ୍ତିଗତ କର୍ମଚାରୀଙ୍କୁ ଦାୟିତ୍ୱ ଦେବା ଓ ସେମାନେ ଅଣପେଷାଦାର ଢଙ୍ଗରେ କଥାବାର୍ତ୍ତା କରିବାର ମାଳମାଳ ଅଭିଯୋଗ ମଧ୍ୟ ଏବେ ନବୀନ ନିବାସକୁ ମିଳିବାରେ ଲାଗିଛି । ଯେଉଁଥିପାଇଁ ପାଣ୍ଡିଆନଙ୍କ କଟକ ଜିଲ୍ଲା ମାହାଙ୍ଗା ଗସ୍ତବେଳେ ପ୍ରସ୍ତୁତି ତଦାରଖ କରିବାକୁ ବବି ଯିବାକୁ ଚାହୁଁଥିଲେ ମଧ୍ୟ ବିରୋଧ ଯୋଗୁ ସେଠାକୁ ଯାଇପାରିନଥିଲେ । ଦଳ ଓ ସଂଗଠନରେ ସମସ୍ତଙ୍କୁ ନେଇ ଚାଲିବା ପରିବର୍ତ୍ତେ କେବଳ ନିଜସ୍ୱ ଗୋଷ୍ଠୀକୁ ଗୁରୁତ୍ୱ ଦେଉଥିବାରୁ ତାହା ଆଗାମୀ ସାଧାରଣ ନିର୍ବାଚନବେଳେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା କରି ଏବେଠୁ ତାଙ୍କର ପକ୍ଷଛେଦନ ପ୍ରକ୍ରିୟା ଆରମ୍ଭ ହୋଇଛି  ତଥା ଏସବୁ କାରଣ ପାଇଁ ପାଣ୍ଡିଆନଙ୍କ ଉପରେ ହେଉଥିବା ବିରୋଧୀଙ୍କ ଆକ୍ରମଣକୁ ନେଇ ବବି ଓ ତାଙ୍କ ଗୋଷ୍ଠୀ ଉଦ୍ଦେଶ୍ୟମୂଳକ ଭାବେ ନିରବ ରହୁଥିବା ସାଧାରଣରେ ଚର୍ଚ୍ଚା ।

BjD Vk Pandian Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe