ପାପ ଲୁଚାଇବାକୁ ସରକାରୀ କ୍ୱାର୍ଟର୍ସକୁ ଭାଙ୍ଗି ମାଟିରେ ମିଶାଉଛନ୍ତି ବବି, କାହିଁକି ଚୁପ୍ ବସିଛି ସାଧାରଣ ପ୍ରଶାସନ ବିଭାଗ

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଏହି କ୍ୱାର୍ଟର୍ସକୁ ସାଧାରଣ ପ୍ରଶାସନ ୨୦୧୯ ଜୁନ୍ ୧୯ତାରିଖରେ ପ୍ରଣବଙ୍କ ନାଁରେ ଆବଂଟନ କରିଥିଲା । ସେହିବର୍ଷ ଅଗଷ୍ଟ ୧୭ତାରିଖରେ ପ୍ରଣବ ଉକ୍ତ କ୍ୱାର୍ଟର୍ସକୁ ନିଜ ଦଖଲକୁ ନେଇଥିଲେ ।

ବବି ଦାସ (ଫାଇଲ ଫଟୋ)

  • Published: Friday, 14 June 2024
  • , Updated: 14 June 2024, 10:29 PM IST

ନିଜର ପତିଆରା ଦେଖାଇବା ପାଇଁ ସରକାରୀ କ୍ୱାର୍ଟର୍ସକୁ ଭାଙ୍ଗି ‘ଆଲିଶାନ୍ ବଙ୍ଗଳା’ଭଳି ସଜେଇବା ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ଏବେ ମହଙ୍ଗା ପଡ଼ିପାରେ । ସବୁ ଆଇନକୁ ଫୁ’ କରି ରାଜଭବନଠୁ ମାତ୍ର ୧୦୦ମିଟର ଦୂରରେ ଥିବା ଗୋଟିଏ ସରକାରୀ କ୍ୱାର୍ଟର୍ସକୁ ନିଜର ପୈତୃକ ସମ୍ପତ୍ତି ଭଳି କୋଟିକୋଟି ଟଙ୍କା ବ୍ୟୟରେ ନବୀକରଣ କରିବା ଓ ଏବେ ପୁଣି ତାକୁ ମାଟିରେ ମିଶାଇବା ପାଇଁ ବବି ଉଦ୍ୟମ କରୁଥିବା ଜଣାପଡ଼ିଛି । ଆଉ ରାଜଭବନ ଓ ସଚିବାଳୟ ମଝିରେ ରହିଥିବା ଏହି କ୍ୱାର୍ଟର୍ସରେ କିପରି ଓ କାହା ନିର୍ଦ୍ଦେଶରେ ଭଙ୍ଗାଗଢ଼ା କାର୍ଯ୍ୟ ଚାଲିଛି, ସବୁ ଜାଣିମଧ୍ୟ ସାଧାରଣ ପ୍ରଶାସନ ବିଭାଗ କାହିଁକି ଚୁପ୍ ବସିଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର୍ସରେ ଏବେ ବ୍ୟାପକ ଭଙ୍ଗାରୁଜା କାମ ଜୋରସୋରରେ ଚାଲିଛି । ସରକାରୀ କ୍ୱାର୍ଟର୍ସର ମୁଖ୍ୟ ଗେଟକୁ ତାଲା ପକାଯାଇ ଏହି ଭଙ୍ଗାଗଢ଼ା କାର୍ଯ୍ୟ ହେଉଛି । ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସରେ ଗତ ସପ୍ତାହେ ଧରି ଦିନରାତି କୋଠା ଭଙ୍ଗା କାର୍ଯ୍ୟ ଚାଲିଥିଲେ ମଧ୍ୟ ସେଥିପ୍ରତି ନା ସାଧାରଣ ପ୍ରଶାସନ ବିଭାଗ ନା ପୂର୍ତ୍ତ ବିଭାଗ କେହି ନଜର ଦେଉଛନ୍ତି । ଏପରିକି ଇଷ୍ଟେଟ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସେହି କ୍ୱାର୍ଟର୍ସଠୁ ମାତ୍ର ୨୦୦ମିଟର ଦୂରରେ ଥିଲେ ମଧ୍ୟ ସେ ବି ଆଖିବୁଜି ଦେଇଛନ୍ତି ।

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଏହି କ୍ୱାର୍ଟର୍ସକୁ ସାଧାରଣ ପ୍ରଶାସନ ୨୦୧୯ ଜୁନ୍ ୧୯ତାରିଖରେ ପ୍ରଣବଙ୍କ ନାଁରେ ଆବଂଟନ କରିଥିଲା । ସେହିବର୍ଷ ଅଗଷ୍ଟ ୧୭ତାରିଖରେ ପ୍ରଣବ ଉକ୍ତ କ୍ୱାର୍ଟର୍ସକୁ ନିଜ ଦଖଲକୁ ନେଇଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ମେ’ ମାସରେ ଆସିଥିବା ମହାବାତ୍ୟା ‘ଫନି’ର ଫାଇଦା ଉଠାଇ ପ୍ରଣବପ୍ରକାଶ ତାଙ୍କୁ ଆବଂଟିତ କ୍ୱାର୍ଟର୍ସର ପରିମିତ ଜାଗାକୁ ବେଆଇନ ଭାବେ ବଢ଼ାଇଥିଲେ । ସେହି କ୍ୱାର୍ଟର୍ସର ଦୁଇ ପାଶ୍ୱର୍ରେ ଥିବା ୨ଟି ସରକାରୀ କ୍ୱାର୍ଟର୍ସ ଯଥା-ଭିଆଇଆଇଏମଆର-୨ ଏବଂ ଭିଆଇଆଇଆର-୧ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର୍ସ ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ । ଯେପରି ଦୁଇପାଶ୍ୱର୍ରେ ଥିବା କ୍ୱାର୍ଟର୍ସର ଲୋକ ତାଙ୍କ କ୍ୱାର୍ଟର୍ସ ଭିତରେ କ’ଣ ଚାଲିଛି ତାହା ଦେଖିନପାରିବେ । ଆଉ ଲୋକଙ୍କ ଆଢ଼ୁଆଳରେ ପ୍ରଣବ ବେଆଇନ ଭାବେ ହାତେଇଥିବା ଭିଆଇଆଇଆ-୧ କ୍ୱାର୍ଟସର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାରେ ଏକ ଆଲିଶାନ୍ କୋଠା ନିର୍ମାଣ କରିଥିଲେ । ଲଣ୍ଡନରେ ଥିବା ବଙ୍ଗଳା ଷ୍ଟାଇଲରେ ନିର୍ମାଣ ହୋଇଥିବା ଉକ୍ତ ଆଲିଶାନ୍ କୋଠାର ଭିତର କେବଳ ମୂଲ୍ୟବାନ କାଠ ଓ କାଚରେ ସଜ୍ଜିତ ହୋଇଥିଲା ।  ଆଉ ସେ କୋଠାକୁ ଭିତରୁ ଦେଖିଲେ ତାହା ରାଜପ୍ରସାଦର ଭ୍ରମ ସୃଷ୍ଟି କରିବ । ଯାଜପୁରର କୁସୁମାଠାରେ ଅନୁରୂପ ଶୈଳୀରେ ଏକ କୋଠା ମଧ୍ୟ ପ୍ରଣବଙ୍କର ରହିଛି । ଅବଶ୍ୟ ଏସବୁ ଭବ୍ୟ ନିର୍ମାଣ ଓ ସାଜସଜ୍ଜାରେ ସରକାରୀ ଅର୍ଥ ବ୍ୟୟ କମ୍ ଓ ଠିକାଦାରୀଙ୍କ ପୁଞ୍ଜି ବେଶୀ ଲାଗିଥିବା ସନ୍ଦେହ କରାଯାଉଛି ।

ଭୁବନେଶ୍ୱରର ସରକାରୀ କ୍ୱାର୍ଟର୍ସର ଯେଉଁ ଅଣ୍ଡରଗ୍ରାଉଣ୍ଡ ଆଲିଶାନ କୋଠା ଥିଲା ସେଠାକୁ ସର୍ବସାଧାରଣ ଏପରିକି ବିଜେଡି ନେତାମାନଙ୍କ ପ୍ରବେଶ ବାରଣ ଥିଲା ।  ସେହି କୋଠାରେ ସୋଫା,ବେଡ୍ , ଅନ୍ୟାନ୍ୟ ଉପକରଣ ଓ ଲାଇଟ୍ ଆଦି ବିଭିନ୍ନ ସାଜସଜ୍ଜା ସାମଗ୍ରୀ ବିଦେଶରୁ ଅଣାଯାଇଥିଲା । ଗାର୍ଡେନରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କେବଳ ‘ହ୍ୱାଇଟ ଲିଲି’ରେ ସଜ୍ଜିତ ହୋଇଥିଲା । ଏହି ଆଲିଶାନ କୋଠାରେ ପ୍ରଣବ କ’ଣ କରୁଥିଲେ ତାହା କେବଳ ସେହି ଜାଣନ୍ତି । ମାତ୍ର ଉକ୍ତ କୋଠାର ବିଳାସମୟ ସାମଗ୍ରୀକୁ ଦେଖିଲେ ତାହା ଆଗରେ ଅତ୍ୟାଧୁନିକ ହୋଟେଲ ବି ଫିକା ପଡ଼ିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

କେବଳ ଏତିକି ନୁହେଁ, ସେହି କ୍ୱାର୍ଟର୍ସ ମଧ୍ୟରେ ପ୍ରଣବଙ୍କ ପରିବାରର ମାଲିକାନାରେ ଥିବା ପ୍ରାୟ ୨୫ରୁ ଅଧିକ ବିଳାସପୂର୍ଣ୍ଣ କାର ପାର୍କିଂ କରୁଥିଲା । ସରକାରୀ କ୍ୱାର୍ଟର୍ସଠୁ ମାତ୍ର ୫୦୦ମିଟର ଦୂରରେ ପ୍ରଣବଙ୍କ ନିଜସ୍ୱ ଘର ଥିଲେ ମଧ୍ୟ ସେ କେବଳ ନିଜର ପତିଆରା ଦେଖାଇବା ପାଇଁ ଏହି ସରକାରୀ କୋଠାକୁ ନେଇଥିଲେ ।

ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଜୁନ୍ ୧୬ତାରିଖରେ ଯେଉଁ ଚିଠି ନମ୍ବର-୧୬୬୮୭ରେ ପ୍ରଣବଙ୍କୁ ଭିଆଇଆଇଆଇ-ଏମଆର-ଏ କ୍ୱାର୍ଟର୍ସକୁ ଆବଂଟନ କରିଥିଲା ସେଥିରେ ସରକାରଙ୍କ ବିନା ଅନୁମତିରେ କୌଣସି ଭଙ୍ଗାଗଢ଼ା କାର୍ଯ୍ୟ ନକରିବା ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲା । ତା’ଛଡ଼ା ଇଷ୍ଟେଟ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଥିବା ବାସଭବନ ଆବଂଟନ କମିଟିଙ୍କ ସହମତି ମଧ୍ୟ ରହିଥିଲା । ଏହି କ୍ୱାର୍ଟର୍ସ ମରାମତି ପାଇଁ ୨୦୧୯-୨୦ ଓ ୨୦୨୦-୨୧ରେ ମୋଟ ୯.୩୭ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ।

ତେଣୁ ନବୀନ ପଟ୍ଟନାୟକ ସରକାରରେ ଭିକେ ପାଣ୍ଡିଆନଙ୍କ ଅନୁଗତ ହୋଇ ‘ଧରାକୁ ସରା ମଣୁଥିବା’ ପ୍ରଣବ ବେଆଇନ ଭାବେ ଯେଉଁ ସବୁ ନିର୍ମାଣ କରିଛନ୍ତି ଓ ଏବେ ସେସବୁ ଲୁଚାଇବା ପାଇଁ ଯେଉଁ ପ୍ରୟାସ କରୁଛନ୍ତି ସେଥିପାଇଁ ତାଙ୍କ ବିରୁଦ୍ଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏଭଳି ବେଆଇନ କାର୍ଯ୍ୟ ଉପରେ ତୁରନ୍ତ ଲଗାମ ଦେବାରେ କାହିଁକି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ, ପୂର୍ତ୍ତ ବିଭାଗ ଓ ଇଷ୍ଟେଟ ନିର୍ଦ୍ଦେଶକ ସକ୍ଷମ ହେଉନାହାନ୍ତି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ସରକାରୀ କ୍ୱାର୍ଟର୍ସରେ ବେଆଇନ ନିର୍ମାଣ କରି ୧୯୯୭ ବ୍ୟାଚ୍ ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏପରିକି ତାଙ୍କର ପଦୋନ୍ନତିରେ ମଧ୍ୟ ବିଳମ୍ବ ହୋଇଥିଲା । ତେଣୁ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ରାଜ୍ୟର ନୂଆ ସରକାର ପ୍ରଣବଙ୍କ ବିରୁଦ୍ଧରେ ଆବଶ୍ୟକ ତଦନ୍ତ ସହ କାର୍ଯ୍ୟାନୁଷ୍ଠା ପାଇଁ ପଦକ୍ଷେପ ନେବେ ବୋଲି ସାଧାରଣରେ ଦାବି ଜୋର ଧରିଛି ।

Related story