Pandian And Bobby
ବିଜେଡିରେ ‘ପାଣ୍ଡିଆନ’ ବିବାଦ ଥମିବାର ନାଁ ଧରୁନି । ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଆଉ ବିଜେଡି ବ୍ୟାପାରରେ ନାହାନ୍ତି ବୋଲି ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ପଷ୍ଟୀକରଣ ଦେବାପରେ ମଧ୍ୟ ‘ପାଣ୍ଡିଆନ’ ଏବେବି ବିଜେଡି ବେକରେ କଂଟା ସାଜିଛନ୍ତି । ସୋମବାର ଦଳର କୋରଟିମ୍ ସଦସ୍ୟମାନେ ନବୀନ ନିବାସରେ ନବୀନଙ୍କୁ ଭେଟି ପ୍ରାୟ ଏକଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା କରିବା ପରୋକ୍ଷରେ ଦଳରେ ପୁଣିଥରେ ବିଶୃଙ୍ଖଳା ଓ ଅରାଜକତାର ମାହୋଲ ସୃଷ୍ଟିର କାରଣ ପାଲଟିଥିବା ଜଣାପଡ଼ିଛି । ନବୀନଙ୍କ ସହ ଆଲୋଚନାବେଳେ ଅଧିକାଂଶ ନେତା ସିଧାସଳଖ ପାଣ୍ଡିଆନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇ ଦଳର ବିପର୍ଯ୍ୟୟ ପାଇଁ ତାଙ୍କୁ ଦୋଷ ଦେବାପରେ ଏହି କୋରଟିମ୍ ସଦସ୍ୟଙ୍କୁ ଏବେ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଛି । ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବି ଅତ୍ୟନ୍ତ ଚତୁରତାର ସହ କିଛି ଅନୁଗତଙ୍କ ମାଧ୍ୟମରେ ନିଜର ‘ ବିଜେଡି ଡିଜାଷ୍ଟର ପ୍ଲାନ’କୁ ଆକ୍ଟିଭ କରାଇଥିବା ଚର୍ଚ୍ଚା ହେଉଛି । ଦଳର ସଭାପତି ନିର୍ବାଚନ ସରିଥିଲେ ମଧ୍ୟ ‘ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ’ ତାଲିକା ଏପର୍ଯ୍ୟନ୍ତ ପ୍ରକାଶ ପାଇନଥିବା ବିଜେଡି ନିଜର ମୁଖପାତ୍ରଙ୍କ ମାଧ୍ୟମରେ ମଙ୍ଗଳବାର ସ୍ପଷ୍ଟ କରିସାରିଛି । ମାତ୍ର ଦଳର ଏହି ଦୁଇ ଶୀର୍ଷ କମିଟିର ସଭ୍ୟ ଚୟନରେ ସମ୍ପୃକ୍ତ କୋରଟିମ୍ ସଦସ୍ୟମାନେ ମୁଖ୍ୟ ଭୂମିକା ତୁଲାଇ ଥିବାର ସନ୍ଦେଶ ଦେବାକୁ ବବିଙ୍କ ଗୋଷ୍ଠୀ ଉଦ୍ୟମ କରିଥିବା ଜଣାପଡ଼ିଛି । ଯଦିଓ ନବୀନ ନିବାସର ଆଳ ଦେଖାଇ ଦଳର ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବଙ୍କୁ ଧରି ବବି ଏହି ‘ରାଜ୍ୟ ପରିଷଦ’ ଓ ‘ରାଜ୍ୟ କାର୍ଯ୍ୟକାରିଣୀ’ର ସଦସ୍ୟ ଚୟନକୁ ଚୂଡ଼ାନ୍ତ କରିଥିଲେ ବୋଲି ସୂଚନା ମିଳିଛି ।
ବବିଙ୍କ ‘ଡିଜାଷ୍ଟର’ ପ୍ଲାନ୍ ଓ କୋରଟିମ୍
ବିଜେଡିର ନିର୍ବାଚନୀ ପରାଜୟ ପରେ ପାଣ୍ଡିଆନ ଓ ତାଙ୍କ ଟିମ୍ (ବବି,ମାନସ ମଙ୍ଗରାଜ ଓ ଅଫିସର ଟିମ)ଙ୍କ ପ୍ରତି ଦଳୀୟ ମହଲରେ ତୀବ୍ର ଆକ୍ରୋଶ ଲାଗି ରହିବାରୁ ଦେବୀ ମିଶ୍ରଙ୍କୁ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା । ବିଗତ ୯ମାସ ଧରି ଦେବୀ ଦଳର ଆଗଧାଡ଼ିର ନେତା ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରତାପ ଦେବଙ୍କୁ ଧରି ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ନେତାମାନେ ଦଳର ବରିଷ୍ଠ ଓ ପୁରୁଖା ନେତାମାନଙ୍କ ସହ ସମନ୍ୱୟ ରକ୍ଷା କରି ଦଳକୁ ଏକଜୁଟ ରଖିବାକୁ ପ୍ରୟାସ କରୁଥିବାବେଳେ ପାଣ୍ଡିଆନ-ବବିଙ୍କ ‘ଡିଜାଷ୍ଟର’ ପ୍ଲାନ୍ ଯୋଗୁ ବିଜେଡିରେ ଅରାଜକତାର ମାହୋଲ୍ ଥମିବାର ନାଁ ଧରୁନି । ବିଶୃଙ୍ଖଳା ଚରମସୀମାରେ ପହଂଚିଲାଣି । ଦେବୀଙ୍କ ଏହି ଟିମ୍ ସହ ବବି ସାମିଲ ରହୁଥିଲେ ମଧ୍ୟ ପାଣ୍ଡିଆନଙ୍କ ପ୍ରତି ଆନୁଗତ୍ୟ ଯୋଗୁ ତାଙ୍କର ‘ଡାହାଣୀ-ଗୁଣିଆ’ ଚରିତ୍ର ଏବେ ପଦାରେ ପଡ଼ିଛି । ସୋମବାର ନବୀନଙ୍କ ସହ ଏହି ତଥାକଥିତ କୋରଟିମ୍ ସଦସ୍ୟମାନେ ଖୁଲମଖୁଲା ପାଣ୍ଡିଆନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଚର୍ଚ୍ଚା କରିବାବେଳେ ସେଠାରେ ବବି ଏକଘରକିଆ ପାଲଟିଯାଇଥିଲେ । ଏପରିକି ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କ ସପକ୍ଷରେ ବବି ଯୁକ୍ତି ବାଢ଼ି ଏହି କୋରଟିମ୍ ସଦସ୍ୟମାନଙ୍କ ବିରୋଧର ସମ୍ମୁଖୀନ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।
ଏହି ଭେଟଘାଟ ପରେ ରାତିରେ ସଞ୍ଜୟ ଦାସବର୍ମାଙ୍କ ବାସଭବନ ସମ୍ମୁଖରେ ବିଜେଡି କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ସମର୍ଥକମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ସଞ୍ଜୟଙ୍କ ଯୋଗୁ ତାଙ୍କ ନାଁ ଦଳର ରାଜ୍ୟ ପରିଷଦରୁ ବାଦ୍ ପଡ଼ିଲା ବୋଲି ବାଇଁଆ ଅଭିଯୋଗ କରି ଏଭଳି ହଟ୍ଟଗୋଳ କରିଥିବା କୁହାଯାଉଛି । ଅମରେଶ ଆଜି ମଧ୍ୟ ଗଣମାଧ୍ୟମକୁ ବୟାନ ଦେଇ ଏହି କୋରଟିମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ।
ଅନ୍ୟପକ୍ଷରେ ଏସବୁ ପଛରେ ପାଣ୍ଡିଆନ ଓ ବବିଙ୍କ ‘ଡିଜାଷ୍ଟର ପ୍ଲାନ’ ରହିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି । ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଦଳର ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଜାଣିଶୁଣି ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ତାଲିକାକୁ ସାର୍ବଜନୀନ କରାଯାଉନଥିବା ସୂଚନା ମିଳିଛି । ଏପରିକି କୋରଟିମ ସଦସ୍ୟଙ୍କୁ ବିରୋଧ କିଏ କିଭଳି କରିବ ସେଥିପାଇଁ ବବି ଗୋଟିଚାଳନା କରୁଥିବା ଓ ନିଜ ବାସଭବନକୁ ଡାକି କିଛି ଏଭଳି ମନ୍ତ୍ରଣା ଦେଉଥିବା ଚର୍ଚ୍ଚା ହେଉଛି ।
ନବୀନଙ୍କୁ କାହିଁକି ଭେଟିଲେ କୋରଟିମ୍
ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ରାଜ୍ୟ କାର୍ଯ୍ୟକାରିଣୀରେ କିଏ ସ୍ଥାନ ପାଇବେ ତା’ର ସାମାନ୍ୟତମ ସୁରାକ ଏହି କୋରଟିମକୁ ଆଗୁଆ ମିଳିପାରିନଥିଲା । ଏହି କାର୍ଯ୍ୟକାରିଣୀ ତାଲିକା ‘ନବୀନ ନିବାସ’ କରିବ କହି ସମସ୍ତଙ୍କୁ ଚୁପ୍ ରହିବାକୁ ପରୋକ୍ଷରେ ତାଗିଦ୍ କରାଯାଇଥିଲା । ମାତ୍ର ଦଳର କିଛି ବରିଷ୍ଠ ନେତା ଯଥା-ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ନେତାମାନଙ୍କୁ କାର୍ଯ୍ୟକାରିଣୀରେ ସାମିଲ କରାଯାଇନଥିବାର ସୁରାକ ପାଇବା ପରେ ଏହି ଟିମ୍ ସୋମବାର ନବୀନଙ୍କୁ ଭେଟି ପୁରୁଖା ନେତାମାନଙ୍କୁ ସଂଗଠନ ଭିତରେ ରଖିବାକୁ ପରାମର୍ଶ ଦେଇଥିଲେ । ଯଦିଓ ନବୀନ ଏହି ଅନୁରୋଧ ଉପରେ କିଛି ମତାମତ ଦେଇନଥିଲେ କିନ୍ତୁ ଦଳର ପରିଚାଳନା ଓ ବିପର୍ଯ୍ୟୟ କାରଣ ପାଇଁ ସମସ୍ତେ ଏକସ୍ୱରରେ(ବବିଙ୍କୁ ବାଦ୍ ଦେଇ) ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରିଥିଲେ । ଏହି ଟିମ୍ ସହ ଯାଇଥିବା ବବି ସେଠାରେ ପାଣ୍ଡିଆନଙ୍କୁ ସୁହାଇବା ଭଳି କଥା କହିବାକୁ ପ୍ରୟାସ କରିଥିଲେ ମଧ୍ୟ ସମ୍ପୃକ୍ତ ନେତାମାନଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ ବୋଲି ଜଣାପଡ଼ିଛି । ନବୀନଙ୍କ ସହ ଭେଟଘାଟବେଳେ ପାଣ୍ଡିଆନଙ୍କ ଏଜେଂଟ ଭଳି ଭୂମିକାରେ ‘ବବି’ ରହିଥିବା ଚର୍ଚ୍ଚା ହେଉଛି ।
ସଞ୍ଜୟଙ୍କ ଘର ଆଗରେ ହଟ୍ଟଗୋଳ, ଦଳୀୟ ନେତାଙ୍କୁ ଟାର୍ଗେଟ
ସାଂଗଠନିକ ନିର୍ବାଚନରେ ପାଣ୍ଡିଆନ-ବବିଙ୍କ ମାମଲାତି ଏବଂ ପାଣ୍ଡିଆନଙ୍କ କାର୍ଯ୍ୟକଳାପ ବିରୁଦ୍ଧରେ ନବୀନଙ୍କୁ ଏହି ନେତାମାନେ ସିଧାସଳଖ ଫେରାଦ ହେବାପରେ ବବିଙ୍କ ନିଜର ‘ଡିଜାଷ୍ଟର ପ୍ଲାନ’କୁ ଅଚାନକ ଆକ୍ଟିଭ କରାଇଛନ୍ତି । ବବିଙ୍କ ଖାସ୍ ଭାବେ ପରିଚିତ କର୍ପୋରେଟର ଅମରେଶ ଜେନା ଓ ବିରଂଚିନାରାୟଣ ମହାସୁପକାର(ଲିଟୁ) ମଙ୍ଗଳବାର ଗଣମାଧ୍ୟମ ସାମ୍ନାକୁ ଆସି ବୟାନବାଜି କରିଛନ୍ତି । ସଞ୍ଜୟଙ୍କ ଯୋଗୁ ରାଜ୍ୟ ପରିଷଦରେ ସାମିଲ ହୋଇପାରିନଥିବାର ଅଭିଯୋଗ ଅମରେଶ ଆଣି ଏଭଳି ବିଶୃଙ୍ଖଳା ଓ ଅରାଜକତା ସୃଷ୍ଟି କରିଛନ୍ତି । ଯଦିଓ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ଏହି ତାଲିକା ସାର୍ବଜନୀନ କରାଯାଇ ନାହିଁ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ମଙ୍ଗଳବାର ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି । ଯଦି ତାଲିକା ସାର୍ବଜନୀନ ହୋଇନି ତା’ହେଲେ ସଞ୍ଜୟ କାଟିଲେ ବୋଲି ଅମରେଶ ଜାଣିଲେ କେମିତି ବୋଲି ପ୍ରଶ୍ନ ଉଠିଛି । ଅବଶ୍ୟ ବିଗତ ୧୦ମାସ ଧରି ବବିଙ୍କ ଖାସ୍ ହେବାକୁ ଯାଇ ତାଙ୍କୁ ବିଭିନ୍ନ ଉପାୟରେ ସୁରକ୍ଷା ଦେଉଥିବା ସଞ୍ଜୟ ଯେଭଳି ସୁବିଧାବାଦୀ ରାଜନୀତିକୁ ଆପଣାଇଥିଲେ ଏବେ ତାଙ୍କୁ ଉଚିତ୍ ଜବାବ ମିଳିଛି ବୋଲି ଚର୍ଚ୍ଚା ।
ବିଜେଡି ସୂତ୍ର ଅନୁସାରେ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇ କର୍ପୋରେଟର ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଖୋଲାଖୋଲି ବିରୋଧ କରିବା ସହ ନିର୍ବାଚନ ପରେ ବିଜେପିର ନିକଟତର ହୋଇଛନ୍ତି । ବିଭିନ୍ନ ସମୟରେ ଦଳକୁ ଅଡ଼ୁଆରେ ପକାଇବା ଭଳି ମନ୍ତବ୍ୟ ଦେଉଛନ୍ତି । ନିକଟରେ ଦଳର ପୁରୁଖା ନେତାମାନଙ୍କ ବୈଠକରେ ଅଶୋକ ପଣ୍ଡା ସାମିଲ ହୋଇଥିଲେ । ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ମଧ୍ୟ ଏହି ଦୁଇ କର୍ପୋରେଟର ବିରୋଧ କରୁଥିବା ସମସ୍ତେ ଜାଣନ୍ତି । ଅଶୋକ-ଅନନ୍ତଙ୍କୁ ଖୋଲାଖୋଲି ବିରୋଧ କରି ଏହି ଦୁଇ କର୍ପୋରେଟର ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିଲେ ମଧ୍ୟ ବବି ଦଳରେ ସେମାନଙ୍କର ତ୍ରାଣକର୍ତ୍ତା ସାଜିଥିବାରୁ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବପର ହୋଇପାରିନି ।
ପାଣ୍ଡିଆନ-ବବିଙ୍କ ଡିଜାଷ୍ଟର ପ୍ଲାନ୍
ଦଳରେ ଅରାଜକତା, ବିଶୃଙ୍ଖଳା ଓ ଘୃଣ୍ୟ ବୟାନବାଜିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପାଣ୍ଡିଆନ-ବବି ଏବେ ନିଜର ‘ଡିଜାଷ୍ଟର ପ୍ଲାନ’କୁ ଆକ୍ଟିଭ କରିଥିବା ଚର୍ଚ୍ଚା ହେଉଛି । ସୋମବାର ଦେବୀ ମିଶ୍ରଙ୍କ ନେତୃତ୍ୱରେ ଆଗଧାଡ଼ିର ଏହି ନେତାମାନେ ନବୀନଙ୍କୁ ଭେଟି ପାଣ୍ଡିଆନଙ୍କ ବିରୁଦ୍ଧରେ ଅଭିଯୋଗ କରିବାପରେ ବବି ଆକ୍ଟିଭମୋଡକୁ ଆସିଛନ୍ତି । ପାଣ୍ଡିଆନଙ୍କ କ୍ଷମତା ହ୍ରାସ ପାଇଲେ ତାଙ୍କର ରାଜନୀତିକ ଅସ୍ତିତ୍ୱ ମଧ୍ୟ ସଙ୍କଟଘେରକୁ ଯିବାର ଆଶଙ୍କା ବବି କରିଛନ୍ତି । ଯେଉଁଥିପାଇଁ ସେ ‘ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ’ ତାଲିକା ଏହି କୋରଟିମ୍ ସଦସ୍ୟମାନେ ପ୍ରସ୍ତୁତ କରିଥିବାର ମିଛ ପ୍ରଚାର କରାଇ କୋରଟିମ୍ ସଦସ୍ୟଙ୍କୁ ଆକ୍ରୋଶର ଶିକାର କରାଇବାରେ ଲାଗିଥିବା ଚର୍ଚ୍ଚା ହେଉଛି । ଏଭଳି କରି ବବି ଗୋଟିଏଗୁଳିରେ ଏକାଧିକ ଶିକାରର ଲକ୍ଷ୍ୟ ରଖିଛନ୍ତି । ପ୍ରଥମତଃ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟକୁ ନେଇ ପାଣ୍ଡିଆନ ଓ ବବିଙ୍କ ପ୍ରତି ରହିଥିବା ଦଳୀୟ ଆକ୍ରୋଶରୁ କର୍ମୀଙ୍କ ନଜର ହଟିବ । ଏବେ ଯାହାସବୁ ଚାଲିଛି ସେସବୁ ପାଇଁ ଏହି ତଥାକଥିତ କୋରଟିମ ଦାୟୀ । ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀରେ ସ୍ଥାନ ପାଇନଥିବା ନେତାମାନେ ଏହି କୋରଟିମକୁ ଦାୟୀ କରିବେ ଓ ସେମାନଙ୍କୁ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିବ । ଆଉ ଦ୍ୱିତୀୟତଃ ଏହି ମଉକାରେ ଏହି ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରି ବବି ପୁଣିଥରେ ନିଜକୁ ଦଳର ୩ନମ୍ବର ଭାବେ ପ୍ରତିପାଦନ କରିବେ । ନବୀନଙ୍କ ଅଭୟ ଆଶୀର୍ବାଦରୁ ନବୀନ ନିବାସରେ ରହି ଦଳକୁ ଅଘୋଷିତ ନିୟନ୍ତ୍ରଣ କରୁଥିବା ପାଣ୍ଡିଆନ ମଧ୍ୟ ବବିଙ୍କ ମାଧ୍ୟମରେ ବିଜେଡିର କର୍ତ୍ତୃତ୍ୱ ନିଜ ପାଖରେ ରଖିବାରେ ସକ୍ଷମ ହୋଇପାରିବେ ବୋଲି ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1728919012.jpg)