ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ସହ ରାଜ୍ୟ ଶାସନରୁ ବିତାଡ଼ିତ ହେବା ପରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ବିଜେଡି ସୁଧରିବାର ନାଁ ଧରୁନି। ନବୀନଙ୍କ ସାଂଗଠନିକ କାର୍ଯ୍ୟରେ ଅନାଗ୍ରହ, ନେତୃତ୍ୱକୁ ଆଉଟସୋର୍ସିଂରେ ଦେବା ଓ ବିଶେଷକରି ନିର୍ବାଚନ ପରାଜୟର ସମୀକ୍ଷା କରି ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ ନକରିବାର ଫଳ ଏବେ ବିଜେଡିକୁ ପତନ ଅଭିମୁଖେ ନେବାରେ ଲାଗିଛି । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ମାମଲାତି ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ପୁଣିଥରେ ଦାୟିତ୍ୱ ନ୍ୟସ୍ତ ହେବାର ପରିଣତି ବିଜେଡିକୁ ମହଙ୍ଗା ପଡ଼ିଛି । ଆଉ ଏହି ପାଣ୍ଡିଆନ-ବବି ଯୋଡ଼ିଙ୍କୁ ଖୁସି କରିବାକୁ ଆଗଧାଡ଼ିର ଯେଉଁ ୮-୧୦ଜଣ ଦଳୀୟ ନେତା ବିଗତ କିଛିମାସ ଧରି ମାମଲାତି କରୁଛନ୍ତି ସେମାନଙ୍କୁ ମଧ୍ୟ ଝଟକା ଲାଗିଛି । ବବିଙ୍କୁ ଉଦଳା ସମେତ ମୋଟ ୫ଟି ନିର୍ବାଚନମଣ୍ଡଳୀର ସାଂଗଠନିକ କାର୍ଯ୍ୟ ବୁଝିବାର ଦାୟିତ୍ୱ ନ୍ୟସ୍ତ କରି ଭବିଷ୍ୟତରେ ଦଳୀୟ ସଂଗଠନରେ ତାଙ୍କୁ ପୁଣିଥରେ ଗୁରୁଦାୟିତ୍ୱ ଦେବା ପାଇଁ ହୋଇଥିବା ‘ରଣନୀତି’ ମଧ୍ୟ ଫେଲ୍ ମାରିଛି । ବବିଙ୍କୁ ଦାୟିତ୍ୱ ଦେବାର ୧୦ଦିନ ନପୁରୁଣୁ ଉଦଳା ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ ନିଜର ଶତାଧିକ ସମର୍ଥକ ଓ ବହୁ ନିର୍ବାଚିତ ପ୍ରତିନିଧିଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । କେବଳ ଉଦଳା ନୁହେଁ ବବିଙ୍କୁ ଦିଆଯାଇଥିବା ରାଇରଙ୍ଗପୁର,ବଡ଼ସାହି,ଛେଣ୍ଡିପଦା ଓ ବଡ଼ଚଣାରେ ମଧ୍ୟ ତୃଣମୂଳସ୍ତରର ଦଳୀୟ କର୍ମୀ ଏବେ ବବିଙ୍କୁ ଗ୍ରହଣ କରିବା ମୁଡରେ ନାହାନ୍ତି । ସେମାନେ ସାଂଗଠନିକ କାର୍ଯ୍ୟରେ ବବିଙ୍କୁ ସହଯୋଗ କରିବା ପରିବର୍ତ୍ତେ ଦଳୀୟ ନେତୃତ୍ୱଙ୍କ ଏଭଳି ଅସହାୟତା(ପାଣ୍ଡିଆନ-ବବିଙ୍କ ଉପରେ ନିର୍ଭରଶୀଳତା)କୁ ଦେଖି ବିଜେପି ମୁହାଁ ହେଉଥିବା ଚର୍ଚ୍ଚା ।
ମହଙ୍ଗା ପଡ଼ୁଛି ପାଣ୍ଡିଆନ-ବବିଙ୍କ ମାମଲାତି ଓ ପରାଜିତ ନେତାଙ୍କ ତୋଷାମଦ
ରାଜ୍ୟର ସବୁଠୁ ବଡ଼ ଦଳ ବିଜେଡିର ସଂଗଠନ ଏବେ ଦ୍ରୁତଗତିରେ ଭୁଶୁଡ଼ିବାରେ ଲାଗିଛି । ବିଜେଡିର ନେତା ନବୀନ ପଟ୍ଟନାୟକ ଅଛନ୍ତି ସତ କିନ୍ତୁ ନିଜେ ନେତୃତ୍ୱ ନନେଇ ପାଣ୍ଡିଆନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ହେବା ଓ ତାଙ୍କୁ ଅଘୋଷିତ ଭାବେ ନେତୃତ୍ୱ ଟେକିଦେବା ହିଁ ଏବେ ବିଜେଡି ପାଇଁ କାଳ ସାଜିଛି । ବିଜେଡିର ଶୋଚନୀୟ ପରାଜୟ ଓ ୨୪ବର୍ଷର କ୍ଷମତା ହାତରୁ ଖସିଯିବା ପାଇଁ ପାଣ୍ଡିଆନ ଓ ତାଙ୍କ ଟିମକୁ ସମସ୍ତେ ଦାୟୀ କରୁଛନ୍ତି । ପାଣ୍ଡିଆନ ମଧ୍ୟ ଏହାକୁ ଅନୁଭବ କରି କର୍ମୀ ଓ ନେତାମାନଙ୍କ ଆକ୍ରୋଶରୁ ବର୍ତ୍ତିବା ନିମନ୍ତେ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କଲେ । କିନ୍ତୁ ମାତ୍ର ଦିନ କେଇଟା ନପୁରୁଣୁ ନବୀନ ପୁଣିଥରେ ତାଙ୍କୁ ଆଉଟସୋର୍ସିଂରେ ‘ସଂଗଠନର ନେତୃତ୍ୱ’ ଟେକି ଦେଇଛନ୍ତି । ଆଉ ପାଣ୍ଡିଆନ ନିଜର ପୁରୁଣା ଅନୁଗତ ବବିଙ୍କୁ ସହଯୋଗରେ ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖି ପରିଚାଳନା କରିବାରେ ଲାଗିଛନ୍ତି । ପାଣ୍ଡିଆନ ଓ ବବି ପରସ୍ପରର ଦୋଷଦୁର୍ବଳତା ପାଇଁ ଯୋଡ଼ି ହୋଇ ରହିବା ଏକରକମ ବାଧ୍ୟବାଧକତା ହୋଇଥିଲେ ମଧ୍ୟ ଦଳର କିଛି ଆଗଧାଡ଼ିର ପରାଜିତ ନେତାଙ୍କ ତୋଷାମଦ ଏହି ଯୋଡ଼ିଙ୍କ ପାଇଁ ‘ସୋନେପ ସୁହାଗା’ ହୋଇଛି । ଦେବୀ ମିଶ୍ରଙ୍କଠୁ ଆରମ୍ଭ କରି ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅମର ପଟ୍ଟନାୟକ ପ୍ରମୁଖ ଏବେ ରାତି ପାହିଲେ ନିଜ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ପାଣ୍ଡିଆନ-ବବି ସ୍ତୃତିଗାନ କରିବାରେ ଲାଗିଛନ୍ତି । ଏହି ଗୋଷ୍ଠୀ ମାମଲାତି ଯୋଗୁ ବବିଙ୍କୁ ପୁଣିଥରେ ସଂଗଠନରେ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ବବିଙ୍କୁ ନେଇ ତୃଣମୂଳସ୍ତରରେ ବିରୋଧ ଓ ତୀବ୍ର ଅସନ୍ତୋଷ ଥିବାସତ୍ତ୍ୱେ କାହିଁକି ତାଙ୍କୁ ପୁଣିଥରେ ସାଂଗଠନିକ ଦାୟିତ୍ୱ ନ୍ୟସ୍ତ କରାଗଲା, ତାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବାରୁ କ୍ରମାଗତ ନିର୍ବାଚନ ହାରୁଥିବା ସଞ୍ଜୟ ଦାସବର୍ମାଙ୍କ ଭଳି ନେତା ଆଗକୁ ଆସି ବବିଙ୍କ ସପକ୍ଷରେ ତୋଷାମଦ କରିବାକୁ ପଛାଇଲେ ନାହିଁ । ଏହି ପରାଜିତ ନେତାମାନଙ୍କର ଏଭଳି ଚାଟୁକାରିତା ପାଇଁ ହିଁ ସଂଗଠନ ତୃଣମୂଳସ୍ତରରେ ସୁଧୁରିବା ପରିବର୍ତ୍ତେ ଭୁଶୁଡ଼ିବାରେ ଲାଗିଛି । ଅବଶ୍ୟ ପାଣ୍ଡିଆନ-ବବି ଯୋଡ଼ିଙ୍କ ନେତୃତ୍ୱ ଓ ମାମଲାତିକୁ ସ୍ୱୀକାର କରୁଥିବା ନେତାଙ୍କ ତାଲିକା ବେଶ୍ ଲମ୍ବା । ବରିଷ୍ଠ ନେତା ନିରଞ୍ଜନ ପୂଜାରୀଙ୍କଠୁ ଆରମ୍ଭ କରି ଅରୁଣ ସାହୁ, ପ୍ରତାପ ଦେବ, ଦେବାଶୀଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ବି ରହିଛନ୍ତି ।
ପାଣ୍ଡିଆନଙ୍କ ଚାଲ୍ ବୁଝିବାରେ ଦେବୀ ଗ୍ରୁପ୍ ଫେଲ୍
ନବୀନ ନିବାସରେ ବସି ବିଜେଡି ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିଥିବା ପାଣ୍ଡିଆନଙ୍କ ‘ଚାଲ୍’ ବୁଝିବାରେ ଦଳର ଅସ୍ଥାୟୀ ମୁଖିଆ(ସମନ୍ୱୟ କମିଟି ଅଧ୍ୟକ୍ଷ) ତଥା ଅଭିଜ୍ଞ ନେତା ଦେବୀ ମିଶ୍ର ଓ ତାଙ୍କ ଗ୍ରୁପ୍ ଫେଲ୍ ମାରିଛନ୍ତି । ଦଳର ରଣନୀତି ଓ କାର୍ଯ୍ୟକ୍ରମ ସେମାନଙ୍କ ହିସାବରେ ହେଉଛି ବୋଲି ଦେବୀ ଓ ତାଙ୍କ ଟିମ୍ ଏକପ୍ରକାର ଧରିନେଇଛନ୍ତି । କିନ୍ତୁ ବାସ୍ତବରେ ପାଣ୍ଡିଆନ ଯାହା ଚାହୁଁଛନ୍ତି ସେଭଳି କାର୍ଯ୍ୟକ୍ରମକୁ ଏହି ଗୋଷ୍ଠୀ ହିଁ ଆଗକୁ ଆସି କାର୍ଯ୍ୟକାରୀ କରାଉଛନ୍ତି । ଏହି ଗ୍ରୁପର ନେତାମାନଙ୍କୁ ଭିନ୍ନଭିନ୍ନ ଭାବେ ଡାକି ସେମାନଙ୍କ ମାଧ୍ୟମରେ ପାଣ୍ଡିଆନ ନିଜର ରଣନୀତିକୁ କାର୍ଯ୍ୟକାରୀ କରାଉଛନ୍ତି । ୧୪୭ ନିର୍ବାଚନମଣ୍ଡଳୀରୁ ମାତ୍ର ୨୭ଟି ନିର୍ବାଚନମଣ୍ଡଳୀକୁ ଚୟନ କରିବା ଓ ସେଠାରେ ସାଂଗଠନିକ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ବବିଙ୍କ ସମେତ ୧୦ଜଣ ନେତାଙ୍କୁ ଦାୟିତ୍ୱ ଦେବା ଏବଂ ବବିଙ୍କୁ ସର୍ବାଧିକ ୫ଟି ନିର୍ବାଚନମଣ୍ଡଳୀ ଦେବା ଆଦି ପାଣ୍ଡିଆନଙ୍କ ରଣନୀତିର ଅଂଶବିଶେଷ ଥିଲା । ଯଦିଓ ବବିଙ୍କୁ ରାଜ୍ୟର ସଂଗଠନ ସମ୍ପାଦକରୁ ଆଣି ମାତ୍ର ୫ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ସୀମିତ କରାଗଲା ବୋଲି ଦେବୀଙ୍କ ଟିମ୍ ଅନ୍ୟମାନଙ୍କୁ ଧାରଣ ଦେବାକୁ ପ୍ରୟାସ କରିଛି, କିନ୍ତୁ ତାହା ଯେ କେବଳ ଏକ ଡ୍ରାମା ଥିଲା ଧୀରେଧୀରେ ପ୍ରମାଣିତ ହେଲାଣି । ଏହି ତାଲିକା ଅନୁମୋଦନ ପାଇଁ ନବୀନ ନିବାସରେ ୮ଦିନ ପଡ଼ି ରହିବା, ତାଲିକାରେ ନାଁ ରହିବାକୁ ନେଇ ବବି ନିଜେ ଅସନ୍ତୁଷ୍ଟ ହେବା ଆଦି ପାଣ୍ଡିଆନଙ୍କ ରଣନୀତିର ଅଂଶବିଶେଷ ବୋଲି ଦଳର ବରିଷ୍ଠ ନେତାମାନେ ଅନୁଭବ କରିଥିବା ଜଣାପଡ଼ିଛି ।
ବବିଙ୍କୁ ବିରୋଧ କରି ଦଳ ଛାଡ଼ିଲେ
ସାଧାରଣ ନିର୍ବାଚନରେ ପାଣ୍ଡିଆନଙ୍କ ଟିମ୍ ଓ ବବିଙ୍କ ଟିମର ଆଚରଣ ଓ ଉଚ୍ଚାରଣରେ ଦଳୀୟ କର୍ମୀ ଓ ନେତାମାନେ ଅତିଷ୍ଠ ହୋଇପଡ଼ିଥିଲେ । ବବି ଦଳର ସଂଗଠନ ସମ୍ପାଦକ ଥିଲେ ମଧ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଅନୁଗୁଳ,କେନ୍ଦୁଝର, ସମ୍ବଲପୁର ଓ ଢ଼େଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିଲା । ଏସବୁ ସ୍ଥାନରେ ବବି ତାଙ୍କର ଟିମ୍ ସଦସ୍ୟମାନଙ୍କୁ ନିୟୋଜିତ କରି ସଂଗଠନ ପରିଚାଳନା କରୁଥିଲେ । ଅପରିପକ୍ୱ ଓ ଅଣରାଜନୀତିକ ବ୍ୟକ୍ତିମାନଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ଏସବୁ ଜିଲ୍ଲାରେ ବିଜେଡି ସଂଗଠକମାନେ ଅସନ୍ତୁଷ୍ଟ ଥିଲେ ମଧ୍ୟ ଦଳୀୟ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ୍ ରହୁଥିଲେ । ସ୍ଥିତି ଏପରି ହୋଇଥିଲା ଯେ, ନିଜର ବ୍ୟବସାୟକୁ ନିୟନ୍ତ୍ରଣରେ ରଖିବା ପାଇଁ ବବି ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ୱକୁ ନିଜ ଟିମ୍ ପାଖରେ ରଖିଥିଲେ । ଯଦିଓ ସାଧାରଣ ନିର୍ବାଚନର ପ୍ରାୟ ବର୍ଷକ ପୂର୍ବରୁ ଦଳର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲିଙ୍କୁ ଆନୁଷ୍ଠାନିକ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । କିନ୍ତୁ ବବି ନିଜର ପତିଆରା ଦେଖାି ପ୍ରଶାନ୍ତଙ୍କୁ ଉକ୍ତ ଜିଲ୍ଲାର ସଂଗଠନ ଦାୟିତ୍ୱ ବୁଝିବା ତ ଦୂରର କଥା ଜିଲ୍ଲାର ସାଂଗଠନିକ କାର୍ଯ୍ୟରେ ମୁଣ୍ଡ ପୁରାଇବାର ସୁଯୋଗ ମଧ୍ୟ ଦେଇନଥିଲେ । ବବିଙ୍କ ବ୍ୟବସାୟିକ ଟିମ୍ ସଦସ୍ୟମାନେ ହିଁ ମୟୂରଭଞ୍ଜ ଜିଲ୍ଲାର ଦଳୀୟ ପ୍ରାର୍ଥୀଙ୍କ ଟିକେଟ୍ ଚୟନଠୁ ଆରମ୍ଭ କରି ସବୁ କିଛି ବୁଝିଥିଲେ ବୋଲି ଚର୍ଚ୍ଚା ହୁଏ । ଏସବୁକୁ ସହି ଦଳରେ ରହିଥିବା ନେତାମାନେ ଏବେ ପୁଣିଥରେ ବବିଙ୍କ ସଂଗଠନରେ ଏଂଟ୍ରି ଦେଖି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ବିକଳ୍ପ ବାଛିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି । କେବଳ ଉଦଳା ନୁହେଁ ବଡ଼ସାହି,ରାଇରଙ୍ଗପୁର,ବାରିପଦା ଓ ବଡ଼ଚଣା ବିଜେଡିର ଆଗଧାଡ଼ିର ଅଧିକାଂଶ ନେତା ମଧ୍ୟ ଏବେ ବିଜେପି ସହ ଯୋଗାଯୋଗରେ ରହିଥିବା ସୂଚନା ମିଳିଛି ।
କିଏ ଛାଡ଼ିଲେ ବିଜେଡି
ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠୁ ବିଜେଡି ସଂଗଠନ ରାଜ୍ୟରେ ଦୁର୍ବଳ ହେବାରେ ଲାଗିଛି । ଦଳର ଡଜନେରୁ ଅଧିକ ପଂଚାୟତ ସମିତି ଅଧ୍ୟକ୍ଷ ଏବେ ବିଜେପିରେ ସାମିଲ ହୋଇସାରିଥିବାବେଳେ ପଂଚାୟତ ଓ ପୌର ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଦଳ ଛାଡ଼ିବାରେ ଲାଗିଛନ୍ତି ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କ ଉପସ୍ଥିତିରେ ଶ୍ରୀମତୀ ବିଶ୍ୱାଳଙ୍କ ସମେତ ପଂଚାୟତ ସମିତି ସଭ୍ୟା ମାଳତୀ ଟୁଡ଼ୁ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ମୁର୍ମୁ, ଶତ୍ରୁଘ୍ନ ବିଶ୍ୱାଳ, ଡମ୍ବୁରଧର ବିଶ୍ୱାଳ, ରୋହିଦାଶ ଟୁଡ଼ୁ,ଯୋଗେନ୍ଦ୍ର ଖଡ଼ିା, ଶ୍ରୀଧର ଖଉଡ଼େଇ, ଗୋପିନାଥ ପ୍ରଧାନ, ଶ୍ରୀକାନ୍ତ ନାଏକ, ରାମଚରଣ ପାନିଆଲ, ହରିଶ ଚନ୍ଦ୍ର ନାଏକ, ସୁଶାନ୍ତ କୁମାର ବରଶାଲିଆ ପ୍ରମୁଖ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଏହି ସମସ୍ତ ନେତା ଉଦଳା ବ୍ଲକରେ ବିଜେଡିର ନେତୃତ୍ୱ ନେଉଥିଲେ । ବବିଙ୍କୁ ଉଦଳା ନିର୍ବାଚନମଣ୍ଡଳୀର ସଂଗଠନ ଦାୟିତ୍ୱ ନ୍ୟସ୍ତ କରାଯିବା ପ୍ରତିବାଦରେ ସେମାନେ ବାଧ୍ୟ ହୋଇ ଦଳ ଛାଡ଼ିଥିବା ଜଣାପଡ଼ିଛି ।