Advertisment

ଚାଷୀଙ୍କ ସମସ୍ୟା: ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି,  ଆସନ୍ତାକାଲିଠୁ କଂଗ୍ରେସର ମାସେବ୍ୟାପୀ ମଣ୍ଡିଚାଲ ଅଭିଯାନ

ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଉଭୟ ବିଜେପି ଓ କଂଗ୍ରେସ।

author-image
Ordigital Desk
Bjp and congress

Bjp and congress

ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଚଳିତମାସ ପ୍ରଥମ ସପ୍ତାହରେ ୩ଦିନ ଧରି ଲଗାଣବର୍ଷାରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ଦାବିରେ ବିଜେପି ଆଜି ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛି । ଏପଟେ ପିସିସି କିଷାନ କଂଗ୍ରେସ ମଧ୍ୟ ଆସନ୍ତାକାଲିଠୁ ଜାନୁୟାରୀ ୧୩ତାରିଖ ପର୍ଯ୍ୟନ୍ତ ଏକମାସ ଧରି ମଣ୍ଡିଚାଲ ଅଭିଯାନ କରି ଚାଷୀଙ୍କ ପାଇଁ ରାଜରାସ୍ତାରେ ଲଢ଼େଇ କରିବ ବୋଲି କହିଛି।

Advertisment

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନିଜର ଦାବିପତ୍ର ଦେଇଛନ୍ତି । ବିଜେପି କହିଛି ଯେ, ଓଡ଼ିଶାରେ ଡିସେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ, କପା ଓ ପନିପରିବା ଫସଲହାନି ଘଟି ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି।

ରାଜ୍ୟ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ । ଓଡ଼ିଶାରେ ବିଗତ ୨୩ବର୍ଷ ଶାସନରେ ଥିବା ନବୀନ ସରକାରର ନିଷ୍କ୍ରିୟତା ଓ ଚାଷୀ ବିରୋଧୀ ମାନସିକତା କାରଣରୁ ଓଡ଼ିଶା ଚାଷୀର ମାସିକ ଆୟ ଦେଶର ସବୁ ରାଜ୍ୟଠାରୁ କମ୍ ଅଟେ । ରାଜ୍ୟରେ ଚାଷ ଜମିକୁ ଜଳସେଚନ ଓ ଶୀତଳଭଣ୍ଡାର କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । କୃଷିଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ଓ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି । ଲଘୁଚାପ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ, କପା ଓ ପନିପରିବା ବ୍ୟାପକଭାବେ ଫସଲହାନି ଘଟି ଚାଷୀମାନଙ୍କର ଅର୍ଥନୈତିକ ମାନଦଣ୍ଡ ଭୁଷୁଡ଼ି ପଡିଛି।

Advertisment

ଯଦ୍ୱାରାକି ଚାଷୀ ଆଜି ଋଣ ସୁଝିବା ଓ ପରିବାର ପ୍ରତିପୋଷଣ ଚିନ୍ତାରେ ଆତ୍ମହତ୍ୟା କରୁଛି। ରାଜ୍ୟ ସରକାର ତୁରନ୍ତ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଫସଲର ଆକଳନ କରି ଚାଷୀମାନଙ୍କୁ କ୍ଷତିପୂରଣ ୧୫ଦିନ ଭିତରେ ପ୍ରଦାନ କରନ୍ତୁ । ରାଜ୍ୟ ସରକାର ତୁରନ୍ତ ଏହି ଦାବିଗୁଡିକୁ ପୂରଣ ନକଲେ କୃଷକମୋର୍ଚ୍ଚା ଆନ୍ଦୋଳନ କରିବ ସେ ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉଭୟ ବିଜେପି ଓ ବିଜେଡି ସରକାରର ଶାସନକାଳରେ ଚାଷୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ । ଚାଷ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଉନାହିଁ । ୩୫ ପ୍ରତିଶତ ଜଳସେଚନ କେବଳ ଧୂଆଁବାଣ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଆଜିପର୍ଯ୍ୟନ୍ତ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ହେଲାନି।

କିମ୍ବା ଚାଷୀଙ୍କୁ ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ମିଳିଲା ନାହିଁ । ଗତ ଲଘୁଚାପଜନିତ ବର୍ଷାରେ ବହୁ ଚାଷୀଙ୍କ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ତେଣୁ କେନ୍ଦ୍ର ସରକାର ତୁରନ୍ତ ଧାନ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କାର ଏମଏସପି ପ୍ରଦାନ କରିବା ସହ ରାଜ୍ୟ ସରକାର ଅନୁରୂପ ଭାବେ ପ୍ରତି କ୍ୱିଣ୍ଟାଲ ପିଛା ୬୦୦ଟଙ୍କା ବୋନସ ଦେବାକୁ କଂଗ୍ରେସ ଦାବି କରୁଛି।

ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଇବା, କଟନୀଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ମିଲରକୁ ମଣ୍ଡି ନିଷେଧ, କୃଷି ଇନପୁଟ ସବସିଡି ଦେଢ଼ଗୁଣ ବୃଦ୍ଧି, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୫ହଜାର ଟଙ୍କାର କ୍ଷତିପୂରଣ ସହାୟତା ଓ ଚାଷୀଙ୍କ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ସହ ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା ଭଳି ୭ଦଫା ଦାବିରେ କଂଗ୍ରେସ ଆନ୍ଦୋଳନ କରିବ । ଡିସେମ୍ବର ୧୩ରୁ ଜାନୁୟାରୀ ୧୩ତାରିଖ ପର୍ଯ୍ୟନ୍ତ କିଷାନ କଂଗ୍ରେସ ପକ୍ଷରୁ ମଣ୍ଡିଚାଲ ଅଭିଯାନ ଜୋରଦାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Farmer Protest Bjp Protest Odisha Congress