ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବିତ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେଙ୍କ କାରନାମାକୁ ଆଜି ପଦାକୁ ଆଣିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ କୁଟ୍ଟେଙ୍କ ନିଲମ୍ବନକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଥିବାବେଳେ ବିଜେପି ଆଜି ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରି ଆଇପିଏସ୍ ଶ୍ରୀ କୁଟ୍ଟେ ଓ ଆଶୀଷ ସିଂଙ୍କ କାମ କ’ଣ ଓ ସେମାନେ ବିଜେଡିରେ କ’ଣ କରନ୍ତି ତାହା ବିଜେଡିର ସମସ୍ତ ସଦସ୍ୟ ଜାଣିଛନ୍ତି ବୋଲି ବିଜେପି କହିଛି । ଏହାସହିତ ଏହି ଦୁଇ ଅଫିସରଙ୍କ ପାଇଁ ବିଜେଡି ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେବାକୁ ମଧ୍ୟ ଦଳ କଡ଼ା ଭାଷାରେ ନିନ୍ଦା କରିଛି ।
ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ପୁଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଭାବେ ଅବସ୍ଥାପିତ ଡିଏସ୍ କୁଟ୍ଟେ ଓ ଆଶିଷ ସିଂ ଖୋଲାଖୋଲି ବିଜେଡିର ଗୁଲାମଗିରି ଓ ଚାମଚାଗିରି କରୁଛନ୍ତି । ଏକଥା ପୂର୍ବରୁ ବିଜେପି ବାରମ୍ବାର ଓଡ଼ିଶାବାସୀଙ୍କୁ ଅବଗତ କରାଇଛି । ବିଜେଡିର ଚାମଚାଗିରି କରିବା ଏହି ଦୁଇ ପୁଲିସ ଅଧିକାରୀଙ୍କ ପୁରୁଣା ଅଭ୍ୟାସ । ଶାସକ ବିଜେଡି ପାଇଁ କାମ କରୁଥିବା ଯୋଗୁ ବରିଷ୍ଠ ଆଇପିଏସ ଶ୍ରୀ କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଏହି ଦୁଇ ଆଇପିଏସ୍ ଅଫିସରଙ୍କ ଭୂମିକା ବିଜେଡିରେ କ’ଣ ବିଜେଡିର ସମସ୍ତ ସଦସ୍ୟ ଜାଣିଛନ୍ତି । ଡିଏସ୍ କୁଟ୍ଟେ କେଉଁଠି ବସି କାହାର ଆପୋଏଂଟ୍ମେଂଟ୍ ଫିକ୍ସ କରନ୍ତି ତ କାହାର ବଦଳି କରନ୍ତି । ବିଜେଡିର କେଉଁ ନେତାଙ୍କୁ କେତେବେଳେ ଟାଇଟ ଓ ହୁଗୁଳା କରାଯିବ, କେଉଁ ପୁଲିସ ଷ୍ଟେସନର ଏଏସ୍ଆଇ କାହା ଘରକୁ ଯାଇ ଡାକିବେ, ମ୍ୟୁନିସପାଲଟି ଓ ସହରାଚଂଳ ନିର୍ବାଚନ ବେଳେ କିଏ ପ୍ରାର୍ଥୀ ହେବେ, ଅଂଚଳର ପୋଲିସ ଷ୍ଟେସନର ଅଧିକାରୀ କେଉଁ କାର୍ଯ୍ୟ କରିବେ ସେସବୁ ଉପରେ ଡିଏସ୍ କୁଟ୍ଟେ ନିଷ୍ପତ୍ତିି ନେଉଥିଲେ । ଗଞ୍ଜାମ ଜିଲ୍ଲାର ରାଜନୀତି ସହିତ ଆଶିଷ ସିଂଙ୍କର କ\'ଣ ସମ୍ପର୍କ ଏକଥା ବିଜେଡି ଓ କଂଗ୍ରେସ ଦଳ ଜାଣିଛି ଏବଂ ବିଜେପିର କାର୍ଯ୍ୟକର୍ତା ଅବଗତ ଅଛନ୍ତି । ଆଜି ଯିଏ ଶ୍ରୀ ସିଂଙ୍କୁ ସାର୍ଟିଫିକେଟ୍ ଦେବାକୁ ବସିଛନ୍ତି ସେ ପ୍ରଶାସନିକ ଅଧିକାରୀ ଥିବାବେଳେ ମସୁରୀ ଟ୍ରେନିଂ ବେଳେ କ\'ଣ ଶପଥ ନେଇଥିଲେ ସେ ଭୁଲିଯାଇଛନ୍ତି । ସମପ୍ରକୃତିର ଲୋକ ନିଶ୍ଚିତ ମିଶିକି ରହିବେ । ଓଡ଼ିଶାର ସାଧାରଣ ଜନତା ତଥା ଟିକସଦାତାଙ୍କର ଅର୍ଥରୁ ଦରମା ନେଉଥିବା ସରକାରୀ କର୍ମଚାରୀ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ବାରମ୍ବାର ତଥ୍ୟ ଓ ପ୍ରମାଣ ସହ ନିର୍ବାଚନ କମିଶନଙ୍କୁ ପୂର୍ବରୁ ଅବଗତ କରିଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେଡି ନେତା ଭିକେ ପାଣ୍ଡିଆନ ଆଜି ଏହି ଦୁଇ ଅଫିସରଙ୍କ ସପକ୍ଷରେ ଗଣମାଧ୍ୟମକୁ ଆସି ମତ ରଖିବା ସହ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କ ପରେ ଦଳର ୩ଜଣ ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ସୁଲତା ଦେଓଙ୍କ ସମେତ ମୁଖପାତ୍ର ଲେନିନ୍ ମହାନ୍ତି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି କୁଟ୍ଟେଙ୍କ ସପକ୍ଷରେ ଓ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିି ଉପରେ ଅଙ୍ଗୁଳି ଉଠାଇଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।