Advertisment

ଆରମ୍ଭରୁ ‘ବିଆରଏସ୍‌’ର ହାମ୍‌ଲା: ଓଡ଼ିଶାର ଚାଷୀ,ଦଳିତ,ଖଣି,ପାଣି ପ୍ରସଙ୍ଗ ଉଠାଇଲେ କେସିଆର

ଆଜି ହାଇଦ୍ରାବାଦରେ ବିଆରଏସ୍ ପାର୍ଟି କାର୍ଯ୍ୟାଳୟରେ ଓଡ଼ିଶାରୁ ଯାଇଥିବା  ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସେ ଦଳରେ ଆନୁଷ୍ଠାନିକ ଭାବେ ସାମିଲ କରିଛନ୍ତି ।

KCR

KCR

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଭାରତ ରାଷ୍ଟ୍ରସମିତି(ବିଆରଏସ) ଆଜି ଆନୁଷ୍ଠାନିକ ଭାବେ ଓଡ଼ିଶାରେ ନିଜର ପାଦ ଥାପିଛି । ଓଡ଼ିଶାର ୧୨ରୁ ଅଧିକ ପୂର୍ବତନ ବିଧାୟକ, ସାଂସଦଙ୍କ ସମେତ ମୋଟ ପ୍ରାୟ ୫୦୦ଜଣ ଆଜି ହାଇଦ୍ରାବାଦର ବିଆରଏସ କାର୍ଯ୍ୟାଳୟରେ କେସିଆରଙ୍କ ଉପସ୍ଥିତିରେ ବିଆରଏସରେ ସାମିଲ ହୋଇଛନ୍ତି । ବିଆରଏସ୍ ଗଠନର ସଂକଳ୍ପ ସମ୍ପର୍କରେ ଅବଗତ କରିବା ସହ କେସିଆର ଆରମ୍ଭରୁ ଓଡ଼ିଶା ପ୍ରତି ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି । କୌଣସି କାଗଜ ଅବା ଟେଲିପ୍ରମ୍ପଟର ନପଢ଼ି କେସିଆର ଓଡ଼ିଶାର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉଠାଇ ଶାଣିତ ଆକ୍ରମଣ କରିଛନ୍ତି । କୌଣସି ରାଜନୀତିକ ଦଳକୁ ସିଧାସଳଖ ଆକ୍ଷେପ କରିନଥିଲେ ମଧ୍ୟ ନିର୍ବାଚନରେ ନେତା-ପାର୍ଟି ଜିତୁଛି, ନିର୍ବାଚନ ପରେ ଜନତା ହାରୁଛି ବୋଲି କହିବା ସହ ତାଙ୍କ ଦଳ ନିର୍ବାଚନରେ ଜନତା କିଭଳି ଜିତିବ ସେ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ବୋଲି କହିଥିଲେ ।

Advertisment

ଆଜି ହାଇଦ୍ରାବାଦରେ ବିଆରଏସ୍ ପାର୍ଟି କାର୍ଯ୍ୟାଳୟରେ ଓଡ଼ିଶାରୁ ଯାଇଥିବା  ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସେ ଦଳରେ ଆନୁଷ୍ଠାନିକ ଭାବେ ସାମିଲ କରିଛନ୍ତି । ଏକ ସ୍ୱତନ୍ତ୍ର ଚାର୍ଟର ପ୍ଲେନ ଓ ୧୦ଟି ବସରେ ଏହି ନେତାମାନେ ଆଜି ହାଇଦ୍ରାବାଦରେ ପହଂଚିଥିଲେ । କେସିଆରଙ୍କ ଉପସ୍ଥିତିରେ ଦଳର କାର୍ଯ୍ୟାଳୟରେ ବିଆରଏସରେ ସାମିଲ ହୋଇଥିବା ଓଡ଼ିଶାର ନେତାମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ,ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, ମୟୂରଭଞ୍ଜ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଂସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ରଥ ଦାସ, ଅର୍ଜୁନ ଦାସ, ରାଘବ ସେଠୀ, ଦେବରାଜ ସେଠୀ ଓ ବୃନ୍ଦାବନ ମାଝୀଙ୍କ ସମେତ ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ, କଂଗ୍ରେସ ନେତା କୈଳାସ ମୁଖି, ରାଜେଶ ପାତ୍ର, ରବିନ୍ଦ ପ୍ରଧାନ, ଫାଲଗୁନ ଶବର, ଜନାର୍ଦ୍ଦନ ପାତ୍ର, ସୁଧୀର ଷଡ଼ଙ୍ଗୀ, ପ୍ରତାପ ଚୌଧୁରୀ, ପ୍ରମୋଦ ସାମନ୍ତରାୟ, ନିମାଇଁ ରାୟ, ବିଶ୍ୱପ୍ରିୟ ନାୟକ, ଜଗବନ୍ଧୁ ନାୟକ, ସୂର୍ଯ୍ୟ ପତି, କୈଳାସ କୁମାର ନାୟକ, କାଶୀନାଥ ବେହେରା, ଅମିତ ଜେନା, ରଣଜିତ୍ ପଟ୍ଟନାୟକ, ଆଡଭୋକେଟ୍ କ୍ଷୀରୋଦ ରାଉତ ପ୍ରମୁଖ ବିଆରଏସରେ ସାମିଲ ହୋଇଛନ୍ତି ।

ଆଜି ସନ୍ଧ୍ୟାରେ ଏହି ନେତାମାନଙ୍କୁ ଦଳରେ ସ୍ୱାଗତ କରି କେସିଆର କହିଥିଲେ ଯେ, ଓଡ଼ିଶାର ମହାନଦୀର ମାତ୍ର ୨୫-୩୦ପ୍ରତିଶତ ଜଳ ଉପଯୋଗ ହେଉଛି । ପ୍ରାୟ ୫୫ ପ୍ରତିଶତ ଜଳ ସମୁଦ୍ରକୁ ଯାଉଛି । ଆବଶ୍ୟକତାରୁ ଅଧିକ ଜଳ ନଷ୍ଟ ହେଉଛି । ଏହି ଜଳକୁ ଲୋକଙ୍କ ପିଇବା ପାଣି, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କାର୍ଯ୍ୟରେ ଉପଯୋଗ କରାଯାଇ ପାରନ୍ତା । ବ୍ରାହ୍ମଣୀ, ବୈତରଣୀ ସହ ଆଉ ଛୋଟ ଛୋଟ ନଦୀ ବି ଅଛି । ନଦୀ ଜଳ ସମୁଦ୍ରରେ ନଷ୍ଟ ହେଉଛି କିନ୍ତୁ କାହିଁକି ଲୋକଙ୍କ କାମରେ ଲାଗି ପାରୁନି । ଓଡ଼ିଶାର ଢେଙ୍କାନାଳ ଓ ତାଳଚେରରେ ଉଚ୍ଚମାନର କୋଇଲା ମିଳୁଛି । ଓଡ଼ିଶାର କୋଇଲା ଖଣି କାହା କାମରେ ଲାଗୁଛି । ବିଦ୍ୟୁତ ଉତ୍ପାଦନ ହୋଇପାରନ୍ତା । ଓଡ଼ିଶାରେ ଦୀର୍ଘଦିନ ଧରି ଚାଷୀ ଆନ୍ଦୋଳନ ଜାରି ରହିଛି । ଦଳିତ, ଗରିବ, ଚାଷୀଙ୍କ ପ୍ରତି ଉପହାସ କରାଯାଉଛି । ଧନର ଅଭାବ ନୁହେଁ ବରଂ ମନର ଅଭାବ ଯୋଗୁ ଏସବୁ ହୋଇପାରୁନି । ନିର୍ବାଚନ ଜିତିବା ପାଇଁ ନୂଆ ନୂଆ ପ୍ରତିଶ୍ରୁତି ଦେଇ ଭୋଟ ପାଇଲା ପରେ ସେସବୁ ଭୁଲି ଯାଉଛନ୍ତି । ନିର୍ବାଚନରେ ନେତା ଓ ପାର୍ଟି ଜିତୁଛି, କିନ୍ତୁ ଜନତା ହାରି ଯାଉଛନ୍ତି । କିନ୍ତୁ ବିଆରଏସ ଚାହେଁ ନିର୍ବାଚନରେ ଜନତା ଜିତୁ । ତା ହିଁ ଗଣତନ୍ତ୍ର । ଦଳଗୁଡ଼ିକ ନିଜ କ୍ଷମତା ପାଇଁ ବା ରାଜନୀତିକ ଷଡ଼ଯନ୍ତ୍ରକାରୀମାନେ ନିର୍ବାଚନ ଜିତିବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି । ଯାହାକୁ ପରେ ପାଳନ କରନ୍ତି ନାହିଁ । ସେଥିପାଇଁ ବିଆରଏସ୍ ‘ଅବକି ବାର କିଷାନ ସରକାର’ର ସ୍ଲୋଗାନ ଦେଉଛି । ଚାଷୀମାନେ ହିଁ ନେତା ହେବେ, ଦେଶ ତଥା ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବେ । ସେ ନିଜ ରାଜ୍ୟ ତେଲେଙ୍ଗାନାର ଉଦାହରଣ ଦେଇ କହିଥିଲେ ଯେ, ମାତ୍ର ୮ବର୍ଷ ତଳେ ତେଲେଙ୍ଗାନାରେ ବି ପିଇବା ପାଣି, ଜଳସେଚନ ଓ ବିଦ୍ୟୁତ ସମସ୍ୟା ଥିଲା । କିନ୍ତୁ ଏବେ ରାଜ୍ୟର ଶତପ୍ରତିଶତ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଯେଉଁ ୫୦% ଲୋକ ଦାଦନ ଖଟିବାକୁ ଯାଇଥିଲେ ସେମାନଙ୍କୁ ନିଜ ଘରକୁ ଫେରାଇ ଅଣାଯାଇ ପାରିଛି । ଚାଷୀ ଏଠାରେ ଆତ୍ମହତ୍ୟା କରୁନି । ତେଣୁ ଏସବୁ ସମ୍ଭବପର ହୋଇପାରିଛି କେବଳ ରାଜନୀତିକ ଇଚ୍ଛାଶକ୍ତି ଯୋଗୁ । ବିଭିନ୍ନ କାରଣରୁ ରାଜକୋଷର କ୍ଷତି ହେଲେ ତା’ର ଭରଣା ଜନତାଙ୍କଠୁ କରାଯାଉଛି, କିନ୍ତୁ ଫାଇଦା ହେଲେ ତାହା ଉଦ୍ୟୋଗପତିଙ୍କୁ ଦିଆଯାଉଛି । ତେଣୁ ଏସବୁରେ ପରିବର୍ତ୍ତନ ଆବଶ୍ୟକ । ଏବେ ତେଲେଙ୍ଗାନାରେ ଚାଲିଥିବା ଦଳିତ ବନ୍ଧୁ, ରାଇଥୁ ବନ୍ଧୁ ଆଦି ଯୋଜନାକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି ସେ କହିଛନ୍ତି । କେସିଆର ମଧ୍ୟ ଆସନ୍ତାକାଲି ପୁଣିଥରେ ଓଡ଼ିଶାରୁ ଯାଇଥିବା ନେତାମାନଙ୍କୁ ଭେଟିବା ସହ ତେଲେଙ୍ଗାନାର ବିକାଶ ମଡେଲକୁ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି ।

Advertisment

କେସିଆରଙ୍କ ଦଳ ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ଦଳର ନିଜର ସଫଳ ତେଲେଙ୍ଗାନା ବିକାଶ ମଡେଲକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ଚାହିଁଛି । ଗୋଟିଏ ବିମାନ ଓ ୧୦ଟି ବସ୍ ପଠାଇ ଓଡ଼ିଶାରୁ ଲୋକଙ୍କୁ ନେଇ ବିଆରଏସରେ ସାମିଲ କରାଇବା ନିଷ୍ପତ୍ତି ମାଧ୍ୟମରେ ଓଡ଼ିଶା ତାଙ୍କ ଫୋକସରେ ବୋଲି କେସିଆର ସନ୍ଦେଶ ଦେଇଛନ୍ତି । ଏହାସହିତ ଓଡ଼ିଶାରେ ଦୃଢ଼ ବିରୋଧୀ ଦଳର ବିକଳ୍ପ ଭାବେ ଉଭା ହୋଇ ଶାସକ ବିଜେଡିକୁ କଡ଼ା ଟକ୍କର ଦେବା ନିମନ୍ତେ ଆସନ୍ତା ଏପ୍ରିଲ ମାସରେ କେସିଆରଙ୍କ ଉପସ୍ଥିତିରେ ଏକ ବିଶାଳ ସମାବେଶ ଭୁବନେଶ୍ୱରରେ କରିବା ନିମନ୍ତେ ମଧ୍ୟ ଲକ୍ଷ୍ୟ ରହିଥିବା ଜଣାପଡ଼ିଛି ।

Odisha Brs KCR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe