Advertisment

ଦିନକ ପରେ ବିଧାନସଭା, ସରଗରମ ହୋଇପାରେ ଅଧିବେଶନ

ବିଧାନସଭା ଅଧିବେଶନ ପାଇଁ କୌଣସି ଦଳ ଏପର୍ଯ୍ୟନ୍ତ ନିଜର ବିଧାୟକ ଦଳ ବୈଠକ କରିନଥିଲେ ମଧ୍ୟ ଗୃହ ପ୍ରଥମଦିନରୁ ସରଗରମ ହେବାର ଆଶଙ୍କା ରହିଛି।

author-image
Ordigital Desk
undefined

Assembly

ଦିନକ ପରେ ବିଧାନସଭାର ସ୍ୱଳ୍ପକାଳୀନ ବଜେଟ୍ ଅଧିବେଶନ ଆରମ୍ଭ ହେବ। ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭାର ଏହା ଶେଷ ଅଧିବେଶନ ହୋଇଥିବାରୁ ବେଶ୍ ସରଗରମ ହେବ ବୋଲି ଆଶଙ୍କା କରାଯାଉଛି। ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆସନ୍ତା ୮ତାରିଖରେ ଗୃହରେ ଆଗତ କରିବେ।

Advertisment

ବିଧାନସଭା ଅଧିବେଶନ ପାଇଁ କୌଣସି ଦଳ ଏପର୍ଯ୍ୟନ୍ତ ନିଜର ବିଧାୟକ ଦଳ ବୈଠକ କରିନଥିଲେ ମଧ୍ୟ ଗୃହ ପ୍ରଥମଦିନରୁ ସରଗରମ ହେବାର ଆଶଙ୍କା ରହିଛି। ରାଜ୍ୟର ଅନେକ ପ୍ରସଙ୍ଗକୁ ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ଉତଥାପନ କରିବାର ସମ୍ଭାବନା ରହିଛି । ତେବେ ଗୃହ କାର୍ଯ୍ୟ ଆସନ୍ତା ୫ତାରିଖରୁ ଆରମ୍ଭ ହେଉଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆସନ୍ତା ୬ତାରିଖ ରାତିରେ ବୀରମିତ୍ରପୁରରେ ପହଂଚି ୭ ଓ ୮ତାରିଖ ଅପରାହ୍ନ ଯାଏ ଓଡ଼ିଶାରେ ରହିବାର ଓ ନ୍ୟାୟ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମ ଥିବାରୁ କଂଗ୍ରେସ ନେତାମାନେ ସେଠାରେ ବ୍ୟସ୍ତ ରହିବାର ସମ୍ଭାବନା ଅଧିକ ରହିଛି।

ଅବଶ୍ୟ କଂଗ୍ରେସ ବିଧାୟକ ଦଳ ବୈଠକ ଆସନ୍ତାକାଲି ବସିବ ବୋଲି ସୂଚନା ମିଳିଛି ।  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଧର୍ମକୁ ନେଇ ସରକାର ଯେଭଳି ଢଙ୍ଗରେ ରାଜନୀତି କରୁଛନ୍ତି ତାକୁ ଗୃହରେ ଉତଥାପନ କରାଯିବ । ବିଶେଷକରି ଅର୍ପଣ ଯାତ୍ରା ନାଁରେ ମହାପ୍ରଭୁ ଶ୍ରୀଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଲିଛନ୍ତି ସରକାର । ଶ୍ରୀମନ୍ଦିର କରିଡ଼ର ପ୍ରକଳ୍ପର ବ୍ୟୟ ଓ ଅନ୍ୟାନ୍ୟ ପ୍ରମୁଖ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗକୁ ଗୃହରେ ଉତଥାପନ କରାଯିବ।

Advertisment

ଅନ୍ୟପକ୍ଷରେ ବିଜେପି ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବ ବୋଲି ସଙ୍କେତ ଦେଇଛି । ବିଜେପିର ବିଧାୟକ ଦଳ ବୈଠକ ଅଧିବେଶନ ଆରମ୍ଭ ଦିନ ଅର୍ଥାତ୍ ୫ତାରିଖରେ ବସିବ ବୋଲି ସୂଚନା ମିଳିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅର୍ପଣ ରଥ ଆଦି ପ୍ରସଙ୍ଗ ସହ ରାଜ୍ୟରେ ବେକାର ସମସ୍ୟା, ଚାଷୀ ସମସ୍ୟା , ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥା ଆଦି ପ୍ରସଙ୍ଗକୁ ଗୃହରେ ଉତଥାପନ କରାଯିବ ବୋଲି ବିଜେପି ସୂଚନା ଦେଇଛି।

ସେହିପରି ଶାସକ ବିଜେଡି ମଧ୍ୟ ସ୍ୱଳ୍ପକାଳୀନ ଅଧିବେଶନକୁ ସୁରୁଖୁରୁରେ ସମ୍ପାଦନ ଉପରେ ଗୁରୁତ୍ୱ ଦେଉଛି । ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ୮ତାରିଖରେ ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନ କରିବେ ଓ ୯ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ୧୩ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବ ବୋଲି କାର୍ଯ୍ୟକ୍ରମ ରହିଛି।

Odisha Odisha Assembly Odisha Assembly Budget Session