/odisha-reporter/media/post_attachments/uploadimage/library/16_9/16_9_0/IMAGE_1723648944.jpg)
BJP and BJD
ସାଧାରଣ ନିର୍ବାଚନର ଦୁଇ ମାସ ପରେ ପୁଣି ମୈଦାନରେ ମୁହାଁମହିଁ ହେବେ ବିଜେପି-ବିଜେଡି। ପଞ୍ଚାୟତ ସମିତି ଉପନିର୍ବାଚନରେ ହେବ ବଳ କଷାକଷି। ବିଜେଡି ପାଇଁ ଅଗ୍ନି ପରୀକ୍ଷା। ଶାସକ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ଆସନ୍ତା ୨୨ ତାରିଖରେ ୫ଟି ବ୍ଲକ ଅଧ୍ୟକ୍ଷ ଓ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ଏହାବ୍ୟତୀତ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ମଧ୍ୟ ହେବ ଉପନିର୍ବାଚନ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ୍ ଥିଲା ବିଜେଡି ପାଖରେ। କିନ୍ତୁ ଅଧ୍ୟକ୍ଷଙ୍କ ମୃତ୍ୟୁ ପରେ ଏଠି ଉପନିର୍ବାଚନ ହେବାକୁ ଯାଉଛି। କୁହାଯାଉଛି ଏଠାକାର ୧୨ ସମିତି ସଭ୍ୟଙ୍କ ମଧ୍ୟରୁ ୭ ଜଣ ବିଜେପି ସମର୍ଥନରେ ରହିଛନ୍ତି। ତେଣୁ ଏଠାରେ ବିଜେପି ବାଜି ମାରିପାରେ। କିନ୍ତୁ ଖଲ୍ଲିକୋଟ ବ୍ଲକରେ ଛକାପଞ୍ଝା ସ୍ଥିତି। ଅନ୍ୟପଟେ କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଓ ନୟାଗଡ଼ର ଭାପୁର ବ୍ଲକରେ ମଧ୍ୟ ସମାନ ସ୍ଥିତି। ଉପନିର୍ବାଚନ ହେବାକୁ ଥିବା ଏହି ୩ ବ୍ଲକରେ କିଏ ବାଜି ମାରିବ ଓ କହାର ବଢ଼ିବ ମୁସ୍କିଲ? ତାକୁ ନେଇ ନାନା ଚର୍ଚ୍ଚା ହେଉଛି।
ନର୍ଲା ବ୍ଲକ ବିଜେଡି ପାଖରେ ରହିଥିଲା। କିନ୍ତୁ ଏବେ ସ୍ଥିତି ବଦଳିଛି। ସେହିପରି ରାଇଘରରେ ନବୀନା ନାୟକଙ୍କ ଇସ୍ତଫା ପରେ ୨୬ ସମିତି ସଭ୍ୟଙ୍କ ମଧ୍ୟରୁ ୧୮ଟି ବିଜେଡି ୬ ବିଜେପି ପାଖରେ ରହିଛି। କିନ୍ତୁ ଏଠାରେ ବିଜେଡି ଗୋଷ୍ଠୀ କନ୍ଦଳର ଫାଇଦା ଉଠାଇପାରେ ବିଜେପି। ଅନ୍ୟପଟେ ଭାପୁରରେ କିନ୍ତୁ ଶାସକ ବିଜେପି ପାଇଁ ଜଟିଳ ସ୍ଥିତି ରହିଛି। କାହିଁକି ନା ୨୦ ସମିତି ସଭ୍ୟରୁ ୧୭ ଜଣ ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କ ସମର୍ଥନରେ ଥିବା ସେ ଦାବି କରିଛନ୍ତି।
ସେହିପରି ବିଜେଡିରୁ ଗୀତାଞ୍ଜଳି ସେଠୀଙ୍କ ଇସ୍ତଫା ପରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ମଧ୍ୟ ଖାଲି ପଡିଛି। ସେଠି ଉପନିର୍ବାଚନ ହେବାକୁ ଥିବା ବେଳେ ୩୧ରୁ ମାତ୍ର ୨ ଜଣ ଶାସକ ବିଜେପି ପାଖରେ ରହିଛି। ଏସବୁ ଛକାପଞ୍ଝା ଭିତରେ ରାଜ୍ୟସ୍ତରର ନେତାଙ୍କୁ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି ବିଜେପି ଓ ବିଜେଡି। ସାଧାରଣ ନିର୍ବାଚନ ପରେ ବଦଳିଛି ରାଜ୍ୟ ରାଜନୀତିର ଚିତ୍ର। ୨୪ ବର୍ଷର ନିରଙ୍କୁଶ କ୍ଷମତା ହରାଇଛି ବିଜେଡି। ତେଣୁ ବିଜେଡି ପାଇଁ ଚାଲେଞ୍ଜ ହେବ ଗୋଷ୍ଠୀ କନ୍ଦଳ। ତା’ସହିତ ପରାଜୟର ପରବର୍ତ୍ତୀ ସମୟରେ କର୍ମୀଙ୍କୁ ଯୋଶ ଦେଇ ନିର୍ବାଚନ ଲଢିବା ବି ସହଜ ହେବନି। ଅନ୍ୟପଟେ ବିଜେପି କ୍ଷମତାକୁ ଆସିଥିଲେ ମଧ୍ୟ ପଞ୍ଚାୟତ ସ୍ତରରେ ତଥା ଦଳୀୟ ସମର୍ଥିତ କମ ସରପଞ୍ଚ ଏବଂ ସମିତି ସଭ୍ୟ ଥିବାରୁ କେମିତି ଏସବୁ ସିଟକୁ ହାତେଇବ ତାହା ଶାସକ ଦଳ ପାଇଁ ଚାଲେଞ୍ଜ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
