ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟସ ହୋଇଗଲାଣି, ସେ ଅବସର ନିଅନ୍ତୁ ବୋଲି ବିଜେପି କରୁଥିବା ଦାବିକୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଅଧିକ ବଳିଷ୍ଠ କରାଇଛନ୍ତି । ବୟସାଧିକ ଯୋଗୁ ନବୀନ ଏବେ ନିଜର ବ୍ୟକ୍ତିଗତ ସୁରକ୍ଷାକର୍ମୀ(ପିଏସଓ)ଙ୍କ ସହାୟତା ବିନା ଛିଡ଼ା ହୋଇପାରୁନଥିବା ଦେଖିବାକୁ ମିଳିଛି । ଏଭଳି ଏକ ଭିଡିଓକୁ ଭୁବନେଶ୍ୱର ମେୟର ଶ୍ରୀମତୀ ଦାସ ନିଜ ସୋସିଆଲ ମିଡିଆରେ ଆକାଉଣ୍ଟରେ ଶେୟାର କରି ନିଜ ଦଳର ସୁପ୍ରିମୋଙ୍କୁ ସର୍ବସାଧାରଣରେ ସମାଲୋଚନାର କାହିଁକି ସୁଯୋଗ ସୃଷ୍ଟି କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।
ସୂଚନା ଅନୁସାରେ, ଭୁବନେଶ୍ୱର ମେୟର ଶ୍ରୀମତୀ ଦାସ ଗତକାଲି ମାତ୍ର ୪ସେକେଣ୍ଡର ଏକ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ସେ ତାଙ୍କ ଜନ୍ମଦିନ ପାଇଁ ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବାର ଦୃଶ୍ୟ ଏହି ଭିଡିଓରେ ଦୃଶ୍ୟମାନ ହେଉଛି । ଶ୍ରୀମତୀ ଦାସଙ୍କ ଜନ୍ମଦିନ ସମ୍ପର୍କରେ ମନ୍ତ୍ରୀ ଅଶୋକ ପଣ୍ଡା ଅବଗତ କରାଉଛନ୍ତି ଓ ନବୀନ ମଧ୍ୟ ‘ଜନ୍ମଦିନର ଶୁଭେଚ୍ଛା’ ବୋଲି କହି ଆଶୀର୍ବାଦ ଦେଉଛନ୍ତି । ଏହି ଭିଡିଓରେ ନବୀନଙ୍କ ହାତକୁ ତାଙ୍କର ଜଣେ ସୁରକ୍ଷାକର୍ମୀ ଧରି ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ନବୀନଙ୍କ ଅବସର ନେବାର ବୟସ ହୋଇଗଲାଣି କହି ବିଜେପି କ୍ରମାଗତ ଭାବେ ଶାଣିତ ସମାଲୋଚନା କରୁଥିବାବେଳେ ଭୁବନେଶ୍ୱର ମେୟର କାହିଁକି ନିଜ ଦଳର ସୁପ୍ରିମୋଙ୍କ ଏଭଳି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କଲେ ତାହା ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ନବୀନଙ୍କୁ ତାଙ୍କ ସୁରକ୍ଷାକର୍ମୀ ଧରି ରହିଥିବାର ଦୃଶ୍ୟକୁ ସର୍ବସାଧାରଣରେ ପ୍ରଦର୍ଶନ କରାଇ ମେୟର ଶ୍ରୀମତୀ ଦାସ ଖୋଲାଖୋଲି ଭାବେ ନବୀନ ଏବେ ବୟସାଧିକ ଯୋଗୁ ଏକା ଛିଡ଼ା ହେବା ପାଇଁ ସକ୍ଷମ ନୁହଁନ୍ତି ବୋଲି ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି କି ? ନିର୍ବାଚନ ସମୟରେ ବିରୋଧୀ ଦଳ ଭିନ୍ନ ଭିନ୍ନ ଢଙ୍ଗରେ ନବୀନଙ୍କୁ ଟାର୍ଗେଟ୍ କରି ଟୀକାଟିପ୍ପଣୀ କରୁଛି । ଆଉ ଏଭଳି ସମୟରେ ମେୟର ଶ୍ରୀମତୀ ଦାସଙ୍କ ଦ୍ୱାରା ନବୀନଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବା ଭଳି ଭିଡିଓ ସର୍ବସାଧାରଣରେ ଜାରି କରାଯିବା ବିଜେଡି ପାଇଁ ଚିନ୍ତାର ବିଷୟ ପାଲଟିଛି ।
ସୂଚନାଯୋଗ୍ୟ, ନିର୍ବାଚନୀ ସଭାରେ ନବୀନ ନିଜେ ମାଇକ୍ ଧରି ଭାଷଣ ଦେଇପାରୁନଥିବାରୁ ବିଜେଡି ନେତା ଭିକେ ପାଣ୍ଡିଆନ ତାଙ୍କ ପାଖରେ ଛାଇଭଳି ରହିବା ସହ ମାଇକ୍ ଧରି ତାଙ୍କୁ ସହଯୋଗ କରୁଛନ୍ତି । ଯାହାକୁ ନେଇ ବିଜେପି କଡ଼ା ଭାଷାରେ ସମାଲୋଚନା ମଧ୍ୟ କରିଛି । ଏବେ ଏହି ଭିଡିଓ ବିଜେପି ଓ ବିରୋଧୀ ଦଳଙ୍କୁ ପୁଣିଥରେ ନବୀନଙ୍କୁ ସମାଲୋଚନା ପାଇଁ ସୁଯୋଗ ଆଣିଦେବ ବୋଲି ଚର୍ଚ୍ଚା ହେଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।