Advertisment

ବାଲେଶ୍ୱରରେ ବର୍ଷିଲେ ବୈଜୟନ୍ତ, କହିଲେ- ଦୁଇ ଜଣ ଏକାଠି ବୁଲୁଛନ୍ତି, ଲୁଚି ଛପି ଭିଡିଓ କରୁଛନ୍ତି

‘ନିର୍ବାଚନ ପାଇଁ ଏବେ ଓଡ଼ିଶାର ରାଜନୀତି ସରଗରମ ଥିବା ବେଳେ ୨ ଜଣ ଏକାଠି ବୁଲୁଥିବା ଦେଖାଯାଉଛି । ସେମାନେ ବୁଲି ବୁଲି କମେଡି ଭିଡିଓ କରି ଛାଡ଼ୁଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Baijayant panda

Baijayant panda

‘ନିର୍ବାଚନ ପାଇଁ ଏବେ ଓଡ଼ିଶାର ରାଜନୀତି ସରଗରମ ଥିବା ବେଳେ ୨ ଜଣ ଏକାଠି ବୁଲୁଥିବା ଦେଖାଯାଉଛି । ସେମାନେ ବୁଲି ବୁଲି କମେଡି ଭିଡିଓ କରି ଛାଡ଼ୁଛନ୍ତି। ସେମାନେ ଡିପ ଫେକ୍‌, AI ଭିଡିଓ କରୁଥିବା ଅଭିଯୋଗ ଉଠିବାରୁ ଏବେ ଲୁଚିଛପି ଭିଡିଓ କରାଯାଉଛି। ତାହାକୁ ପୁଣି ମଝିରେ ମଝିରେ ଛଡ଼ାଯାଉଛି।’ ଆଜି ବାଲେଶ୍ୱରରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ବିଜେପି ରାଷ୍ଟୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ସେ କହିଛନ୍ତି, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ସମଗ୍ର ଓଡ଼ିଶାବାସୀଙ୍କୁ ଜୁନ୍‌ ୧୦ ତାରିଖ ପାଇଁ ନିମନ୍ତ୍ରଣ କରି ଯାଇଛନ୍ତି। ଏଥର ପ୍ରଧାନମନ୍ତ୍ରୀଙ୍କ ୪ଶହ ପାର ନାରାକୁ ସଫଳ କରିବା । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆମେ ଶତ ପ୍ରତିଶତ ଚେଷ୍ଟା କରିବା। ଫଳରେ ୧୦ ତାରିଖରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ବିଜେପିକୁ ସଫଳ କରିବାକୁ ଓଡ଼ିଶା ଜନତା ମନସ୍ଥ କରିସାରିଲେଣି । କାରଣ କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବିକାଶ ଅଧିକ ତ୍ୱରାନ୍ୱିତ ହେବ । ନବ ଓଡ଼ିଶାର ନିର୍ମାଣ ହେବ । ତେଣୁ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ ପଣ୍ଡା।

Advertisment

ବାଲେଶ୍ୱରର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ଓଡ଼ିଶାରେ ଆଉଟସୋର୍ସ ସରକାର ଚାଲିଛି। ଆଉ ଜଣେ ସରକାର ଚଳାଉଛନ୍ତି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ରେ ଲୋକ ନଥିଲେ। ରୋଡ୍ ଶୋ’ରେ ମୁଖ୍ୟମନ୍ତ୍ରୀଙ୍କ ସହ ସାନ ବାବୁ ଯାଇଥିଲେ। ବଡ଼ବାବୁ ହେବାକୁ ରୋଡ୍‌ ଶୋ’ରେ ସାନବାବୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ କେହି ଦଳୀୟ ପ୍ରାର୍ଥୀ ନଥିଲେ। କ’ଣ ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ?

ଅପରାଜିତା ଆହୁରି କହିଛନ୍ତି, ହିଞ୍ଜିଳିରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ବିଜେପି ସରକାର ଆସିଲେ ଆଉ ଦାଦନ ଖଟିବାକୁ କେହି ଯିବେ ନାହିଁ। ସମସ୍ତଙ୍କୁ ଓଡ଼ିଶାରେ କାମ ମିଳିବ।

ବାଲେଶ୍ୱରରେ ଆଜି ଦେଖିବାକୁ ମିଳିଛି ବିଜେପିର ହେଭିୱେଟ ନେତାଙ୍କ ରୋଡ ଶୋ’ । ରାଜ୍ୟ ବିଜେପିର ୫ ତୁଙ୍ଗ ନେତା ଏକାଠି ହୋଇ ଶହ ଶହ ସମର୍ଥକଙ୍କ ସହ କରିଛନ୍ତି ରୋଡ୍ ଶୋ’ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ବାଲେଶ୍ୱର ରାଜରାସ୍ତାରେ ଦେଖାଇଛନ୍ତି ଫୁଲ୍‌ ଦମ୍‌ । ବିଜେପିର ଏହି ହେଭିୱେଟ ନେତାଙ୍କ ବିଶାଳ ରୋଡ୍ ଶୋ’ ଦେଖିବାକୁ ପ୍ରବଳ ଲୋକଙ୍କ ଭିଡ଼ ହୋଇଥିଲା। ।

Bjp 2024 General Election Loksabha Election 2024 Odisha Assembly Election 2024