Advertisment

୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ : କାଳିଆ ସ୍କିମ୍ ୩ବର୍ଷ ବୃଦ୍ଧି, ଖର୍ଚ୍ଚ ହେବ ୬୦୩୦କୋଟି ଟଙ୍କା, ଭୂମିହୀନ ଚାଷୀଙ୍କୁ ୨ହଜାର ଟଙ୍କା

କାଳିଆ’ ଯୋଜନାର ଅବଧିକୁ ୨୦୨୬-୨୭ମସିହା ପର୍ଯ୍ୟନ୍ତ ଆଉ ୩ବର୍ଷ ବୃଦ୍ଧି ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି

ଅଦ୍ୟତନ ହୋଇଛି
undefined

Loka Seva Bhavan

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସବୁ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ମାଳମାଳ ସ୍କିମ୍ ଓ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବା ପରେ ଆଜି ଚାଷୀଙ୍କ ପାଇଁ ଲୋଭନୀୟ ଘୋଷଣା କରିଛନ୍ତି । ‘କାଳିଆ’ ଯୋଜନାର ଅବଧିକୁ ଆଉ ୩ବର୍ଷ ଅର୍ଥାତ୍ ୨୦୨୪-୨୫ରୁ ୨୦୨୬-୨୭ ମସିହା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଓ ଏବାବଦରେ ୬୦୨୯.୭୦କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ବ୍ୟୟବରାଦ ହୋଇଛି । କେବଳ ସେତିକି ନୁହେଁ କାଳିଆ ଯୋଜନାର ହିତାଧିକାରୀ ଥିବା ଭୂମିହୀନ ଚାଷୀ ପରିବାରକୁ ଆଉ ୨ହଜାର ଟଙ୍କାର ଅତିରିକ୍ତ ସହାୟତା ମିଳିବ । ଏହାସହିତ କାଳିଆ ଯୋଜନାରେ ବାର୍ଷିକ ୨ଥର ସହାୟତା ବ୍ୟତୀତ ରାଜ୍ୟ ସରକାର ଯେକୌଣସି ସମୟରେ ଅତିରିକ୍ତ ସହାୟତା ମଧ୍ୟ ସରକାର ଦେଇପାରିବେ । ଆଜି ଏଭଳି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୨୦୧୮-୧୯ ମସିହାରୁ ଚାଷୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ‘କାଳିଆ’ ଯୋଜନାର ଅବଧିକୁ ୨୦୨୬-୨୭ମସିହା ପର୍ଯ୍ୟନ୍ତ ଆଉ ୩ବର୍ଷ ବୃଦ୍ଧି ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଏବାବଦରେ ମୋଟ ୬୦୨୯.୭୦କୋଟି ଟଙ୍କା ଖର୍ଚ୍ଚ ହେବାର ବ୍ୟୟବରାଦ ହୋଇଛି । ଏବେ କାଳିଆ ଯୋଜନାରେ ଚାଷୀମାନେ ଖରିଫ ଚାଷ ପାଇଁ ଏପ୍ରିଲ ପହିଲା ଓ ରବି ଚାଷ ପାଇଁ ସେପ୍ଟେମ୍ବର ପହିଲା ପରେ ଦୁଇଥର ସହାୟତା ପାଉଛନ୍ତି । ସେହିପରି ଭୂମିହୀନ ଚାଷୀଙ୍କୁ ଏକକାଳୀନ ୧୨୫୦୦ଟଙ୍କାର ସହାୟତା ମଧ୍ୟ ମିଳିଛି । ତେବେ ଚାଷୀମାନଙ୍କୁ ଏହି ସହାୟତା ବାଦ୍ କାଳିଆ ଯୋଜନାରେ ଅତିରିକ୍ତ ସହାୟତା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ଏଥିପାଇଁ ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଓ ସେମାନଙ୍କୁ ରାଜ୍ୟର ଆର୍ଥିକ ପ୍ରଗତିରେ ଭାଗିଦାର କରିବା ନିମନ୍ତେ ରାଜ୍ୟ ସରକାର ଏହି କାଳିଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।

ସେହିପରି କାଳିଆ ଯୋଜନାର ସହାୟତା ପ୍ରଦାନ ପାଇଁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ବ୍ୟତୀତ ଯେକୌଣସି ସମୟରେ ଦେଇପାରିବେ । ଭୂମିହୀନ ଚାଷୀ ପରିବାରଙ୍କୁ ମଧ୍ୟ ଯେକୌଣସି ସମୟରେ ସେମାନଙ୍କ ପ୍ରାପ୍ୟ ଆର୍ଥିକ ସହାୟତା ମଧ୍ୟ ଦିଆଯାଇପାରିବ। ରାଜ୍ୟର ସମସ୍ତ ଯୋଗ୍ୟ ଭୂମିହୀନ ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ଉଦ୍ୟାନ କୃଷି, ଅନ୍ୟାନ୍ୟ କୃଷି କାର୍ଯ୍ୟ ଓ ପଶୁପାଳନ ନିମନ୍ତେ ୩ଟି କିସ୍ତିରେ ୧୨୫୦୦ଟଙ୍କାର ଜୀବିକା ସହାୟତା ପ୍ରଦାନ କରାଯାଉଛି । କାଳିଆ ଯୋଜନାର ହିତାଧିକାରୀ ଥିବା ଏହି ଭୂମିହୀନ ଚାଷୀମାନଙ୍କୁ ସରକାର ୨ହଜାର ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଦେବେ । ଆଜି ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି। ଆଜି କ୍ୟାବିନେଟ ବୈଠକରେ ମୋଟ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

Advertisment
Lokaseva Bhaban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe