Advertisment

୭ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ୨ବର୍ଷରେ ଖୋଲିବ ୩୮ଟି ମଡେଲ୍ ମଣ୍ଡି, ଖର୍ଚ୍ଚ ହେବ ୩୦୦କୋଟି

ଚାଷୀଙ୍କୁ ଗୋଟିଏ ଛାତ ତଳେ ତା’ର ଉତ୍ପାଦିତ ଫସଲ ବିକ୍ରି ଓ ଉଚିତ୍ ମୂଲ୍ୟ ଦେବା ନିମନ୍ତେ ଡିଜିଟାଲ ପ୍ଲାଟଫର୍ମଠୁ ଆରମ୍ଭ କରି ଶୀତଳଭଣ୍ଡାର, ଓଜନ ସରଞ୍ଜାମ, ବହୁମୁଖୀ ଗୋଦାମ ସୁବିଧା, ବିଶ୍ରାମ ଗୃହ, ପରିବହନ ସୁବିଧା, ପାର୍କିଂ ଓ ଉଚ୍ଚମାନର ଯନ୍ତ୍ରପାତି ଆଦି ପ୍ରଦାନର ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ‘ମଡେଲ ମଣ୍ଡି’ ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

author-image
Ordigital Desk
CM Mohan Charan Majhi

CM Mohan Charan Majhi

ରାଜ୍ୟରେ ଧାନ ମଣ୍ଡିଗୁଡ଼ିକରେ ଚାଷୀମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବା ସହ ଗୋଟିଏ ଛାତ ତଳେ ଚାଷୀ,ବ୍ୟବସାୟୀ ଓ ଅନ୍ୟାନ୍ୟ ଭାଗିଦାରୀମାନଙ୍କୁ କାରବାର ସୁବିଧା ଦେବା ନିମନ୍ତେ ରାଜ୍ୟ ସରକାର ‘ମଡେଲ୍ ମଣ୍ଡି’ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨ବର୍ଷ ମଧ୍ୟରେ ରାଜ୍ୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ହେବ ଓ ଏବାବଦରେ ୩୦୦କୋଟି ଟଙ୍କା ବ୍ୟୟ କରାଯିବ । ଆଜି ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଏହାସହିତ ଆଜିର କ୍ୟାବିନେଟ୍ ବୈଠକରେ ମୋଟ ୬ଟି ବିଭାଗର ୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କରେ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେବା ସହ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ମଧ୍ୟ ଜାରି ହୋଇଛି ।

Advertisment

ସବୁ ଜିଲ୍ଲାରେ ଖୋଲିବ ମଡେଲ ମଣ୍ଡି

ଚାଷୀଙ୍କୁ ଗୋଟିଏ ଛାତ ତଳେ ତା’ର ଉତ୍ପାଦିତ ଫସଲ ବିକ୍ରି ଓ ଉଚିତ୍ ମୂଲ୍ୟ ଦେବା ନିମନ୍ତେ ଡିଜିଟାଲ ପ୍ଲାଟଫର୍ମଠୁ ଆରମ୍ଭ କରି ଶୀତଳଭଣ୍ଡାର, ଓଜନ ସରଞ୍ଜାମ, ବହୁମୁଖୀ ଗୋଦାମ ସୁବିଧା, ବିଶ୍ରାମ ଗୃହ, ପରିବହନ ସୁବିଧା, ପାର୍କିଂ ଓ ଉଚ୍ଚମାନର ଯନ୍ତ୍ରପାତି ଆଦି ପ୍ରଦାନର ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ‘ମଡେଲ ମଣ୍ଡି’ ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମଣ୍ଡି ସ୍ଥାପନ ନିମନ୍ତେ ଆବଶ୍ୟକ ସର୍ଭେ ଆଦି କାର୍ଯ୍ୟ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୮ଟି ମଣ୍ଡି ବିକଶିତ କରାଯିବ । ଏଥିରେ ୧୪ଟି ବୃହତ୍‌, ୧୭ଟି ମଧ୍ୟମ ଓ ୭ଟି କ୍ଷୁଦ୍ର ମଣ୍ଡି ସାମିଲ ଅଛି । ଏହି ମଣ୍ଡିଗୁଡ଼ିକର ନିର୍ମାଣ କାର୍ଯ୍ୟ ଓଡ଼ିଶା ରାଜ୍ୟ ସେତୁ ଓ ନିର୍ମାଣ ନିଗମ ମାଧ୍ୟମରେ କରାଯିବ । ଏହି ନିର୍ମାଣ କାର୍ଯ୍ୟର ତଦାରଖ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ(ଓସମା ବୋର୍ଡ) ଏକ ସେଲ୍ ଗଠନ କରି କରିବ । ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ୩୮ଟି ମଡେଲ୍ ମଣ୍ଡି ସ୍ଥାପନ ପାଇଁ ସମବାୟ ବିଭାଗ ୩୦୦କୋଟି ଟଙ୍କାର ପ୍ରାରମ୍ଭିକ ଆକଳନ କରିଛି । ଆରଏମସିଗୁଡ଼ିକର ନିଜସ୍ୱ ଅର୍ଥରୁ ୧୫୦କୋଟି ଓ ବାକି ରାଜ୍ୟ ସରକାର ୧୫୦କୋଟି ଟଙ୍କା ଦେବେ । ଚଳିତବର୍ଷ ବଜେଟରେ ୫୦କୋଟି ଟଙ୍କା ସରକାର ବ୍ୟବସ୍ଥା କରିଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୬୨ଟି ଏଭଳି ମଣ୍ଡି ଖୋଲିବା ଚୟନ ପ୍ରକ୍ରିୟା ଜାରି ରହିଛି ।

Advertisment

ଭୁବନେଶ୍ୱର ବିମାନବନ୍ଦରରେ ‘ଏମଆରଓ’ ସ୍ଥାପନକୁ ମଞ୍ଜୁରୀ

ଓଡ଼ିଶାକୁ ପୂର୍ବ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର କରିବା ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ମେେଂଟନାନ୍ସ, ରିପେୟାର ଆଣ୍ଡ ଓଭରହଲ (ଏମଆରଓ) କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ଏହା ପୂର୍ବ ଭାରତର ପ୍ରଥମ ବଡ଼ ଏମଆରଓ କେନ୍ଦ୍ର ହେବ । ଏହି ପ୍ରକଳ୍ପ ସରକାରଙ୍କ ବି-ମାନ (ବିଲଡିଂ ଆଣ୍ଡ ମ୍ୟାନେଜମେଂଟ ଅଫ ଏଭିଏସନ ଆସେଟସ ଆଣ୍ଡ ନେଟୱାର୍କ) ଯୋଜନାର ଅଂଶ । ଘରୋଇ ନିବେଶକଙ୍କୁ ଆକୃଷ୍ଟ ପାଇଁ ଇଣ୍ଡଷ୍ଟ୍ରିଆଲ ପଲିସି ରେଜୋଲ୍ୟୁସନ (ଆଇପିଆର) ୨୦୨୨ ଅନୁସାରେ ଏକ ସ୍ୱତନ୍ତ୍ର ପ୍ୟାକେଜ ଅଫର କରାଯାଇଛି । ଏହି ପ୍ରକଳ୍ପରେ ଭାରତର ସବୁଠାରୁ ପୁରୁଣା ଓ ବଡ଼ ତୃତୀୟ-ପକ୍ଷ ଏମଆରଓ ପ୍ରଦାନକାରୀ ମେସର୍ସ ଏୟାର ୱାକର୍ସ ଇଣ୍ଡିଆ (ଇଞ୍ଜିନିୟରିଂ) ପ୍ରାଇଭେଟ ଲିମିଟେଡକୁ ମୁଖ୍ୟ ନିବେଶକ ଭାବେ ଚୟନ କରାଯାଇଛି । ବିଶ୍ୱ ଏମଆରଓ ବଜାର ୨୦୩୧ ସୁଦ୍ଧା ୧୧୭ ବିଲିୟନ ଡଲାରରେ ପହଂଚିବ ବୋଲି ଆକଳନ କରାଯାଇଛି, ଆଉ ଭାରତର ଏମଆରଓ ଶିଳ୍ପ ସେହି ସମୟ ସୁଦ୍ଧା ୪ ବିଲିୟନ ଡଲାରରେ ପହଂଚିବ ।

ପାନୀୟ ଜଳଯୋଗାଣ ଟେଣ୍ଡର ଓ ଏଲଇଡି ଲଗାଇବା ପାଇଁ ପାଣ୍ଠିକୁ ଅନୁମୋଦନ

ସମ୍ବଲପୁରରେ ପାନୀୟ ଜଳ ଯୋଗାଣ: ସମ୍ବଲପୁର, ହୀରାକୁଦ ଓ ବୁର୍ଲା ସହରରେ ୨୪ଘଂଟିଆ ପାନୀୟ ଜଳ ଯୋଗାଣ ପାଇଁ ଏକ ବଡ଼ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ଦେଇଛି । ୩୮୨.୪୦ କୋଟି ଟଙ୍କା (ଜିଏସଟି ବ୍ୟତୀତ) ବ୍ୟୟରେ ଏହି ପ୍ରକଳ୍ପ ଏମ/ଏସ ଇଗଲ ଇନଫ୍ରା ଇଣ୍ଡିଆ ଲିମିଟେଡ ଦ୍ୱାରା କାର୍ଯ୍ୟକାରୀ ହେବ । ଏଥିରେ ୧୧୦ ଏମଏଲଡି କ୍ଷମତାର ଏକ ଜଳ ଗ୍ରହଣ କୂଅ ଓ ୬୫ ଏମଏଲଡି ଏବଂ ୩୫ ଏମଏଲଡି କ୍ଷମତାର ଦୁଇଟି ଜଳ ଶୁଦ୍ଧିକରଣ କେନ୍ଦ୍ର ନିର୍ମାଣ ହେବ । ଏହି କାମ ୧ ସେପେ୍‌ଟମ୍ବର ୨୦୨୫ରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ୨୦୨୭ ସୁଦ୍ଧା ଶେଷ ହେବ ।

ଏଲଇଡି ରାସ୍ତା ଆଲୋକ: ୧୧୦ଟି ସହରୀ ସ୍ଥାନୀୟ ନିକାୟରେ ଏଲଇଡି ରାସ୍ତା ଆଲୋକ ପ୍ରକଳ୍ପ ପାଇଁ ଓଡ଼ିଶା ନଗର ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଓୟୁଆଇଡିଏଫ)ରୁ ୨୦୦ କୋଟି ଟଙ୍କା ବ୍ୟୟ ପାଇଁ ଅନୁମୋଦନ ମିଳିଛି । ମୋଟ ୩୫୦.୦୪ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ, ଯାହାର କାମ ଆରମ୍ଭ ପାଇଁ ୬ଟି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି ।

ରୁଲସରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

‘ଓଡ଼ିଶା ମିନିଷ୍ଟ୍ରରିଆଲ ସର୍ଭିସେସ (କମର୍ସିଆଲ ଟ୍ୟାକ୍ସେସ ଆଣ୍ଡ ଜିଏସଟି ରେଞ୍ଜ ଆଣ୍ଡ ସବ-ଅର୍ଡିନେଟ ଅଫିସେସ) ରୁଲ୍ସ, ୨୦୨୫’ କୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏହା କମର୍ସିଆଲ ଟ୍ୟାକ୍ସ ଓ ଜିଏସଟି ସଂଗଠନରେ ଜିଲ୍ଲା ମିନିଷ୍ଟେରିଆଲ କ୍ୟାଡର ପାଇଁ ସ୍ୱତନ୍ତ୍ର ନିଯୁକ୍ତି ନିୟମ ପ୍ରଣୟନ କରିବ । ଏହି କ୍ୟାଡରରେ ଜୁନିଅର ଆସିଷ୍ଟାଂଟଙ୍କଠାରୁ ଏଷ୍ଟାବଲିସମେଂଟ ଅଫିସର ପର୍ଯ୍ୟନ୍ତ ବିଭିନ୍ନ ପଦବୀ ରହିବ । ୮୦% ଜୁନିଅର ଆସିଷ୍ଟାଂଟ ପଦବୀ ସିଧାସଳଖ ନିଯୁକ୍ତି ଦ୍ୱାରା ଓ ୨୦% ଗ୍ରୁପ-ଡି କର୍ମଚାରୀଙ୍କଠାରୁ ପଦୋନ୍ନତି ମାଧ୍ୟମରେ ପୂରଣ ହେବ ।

ନର୍ସିଂ ଶିକ୍ଷା ନିୟମ: ‘ଓଡ଼ିଶା ନର୍ସିଂ ଏଡୁକେସନ ସର୍ଭିସ (ମେଥଡ୍ ଅଫ ରିକ୍ରୁଟମେଂଟ ଆଣ୍ଡ କଣ୍ଡିସନସ ଅଫ ସର୍ଭିସ) ରୁଲ୍ସ, ୨୦୨୫’ ଅନୁମୋଦିତ ହୋଇଛି । ଏହା ର୍ନସିଂ ଶିକ୍ଷାକୁ ମଜବୁତ କରିବା ପାଇଁ ଟ୍ୟୁଟର ନିଯୁକ୍ତି ଓ ଯୋଗ୍ୟ ଅଧ୍ୟାପକମାନଙ୍କୁ ପଦୋନ୍ନତି ପାଇଁ ସ୍ପଷ୍ଟ ନିୟମ ପ୍ରଦାନ କରିବ ।

ସଂଗ୍ରହାଳୟ ନିୟମ: ରାଜ୍ୟ ସଂଗ୍ରହାଳୟଗୁଡ଼ିକର ବ୍ୟବସ୍ଥାପନା ଓ ସମନ୍ୱୟ ପାଇଁ ଏକ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦେ୍‌ଦଶାଳୟ ଗଠନ ପରେ ‘ଓଡ଼ିଶା ମ୍ୟୁଜିୟମ କ୍ୟୁରେଟୋରିଆଲ ସର୍ଭିସେସ ରୁଲ’ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି । ଏହା ରାଜ୍ୟର ସଂଗ୍ରହାଳୟଗୁଡ଼ିକରେ ସୁପରିଚାଳନା ଆଣିବ ।

Cabinet Meeting