Advertisment

ବିମାନ ଥାଇ ବି ବାହାରୁ ଭଡ଼ା ଆଣିଲେ!

ବିଜେଡି ସରକାର ୪ ବର୍ଷରେ ଅଯଥା ଖର୍ଚ୍ଚ କରିଥିଲେ ୫ କୋଟି ୮୬ ଲକ୍ଷ ଟଙ୍କା। ସିଏଜିର ଡ୍ରାଫ୍ଟ ରିପୋର୍ଟ ଖୋଲୁଛି ସରକାରୀ ଟଙ୍କାର ବ୍ୟାପକ ଅପବ୍ୟବହାରର କଳା ଫର୍ଦ୍ଦ।

author-image
Debadatta Aryashrestha
Representational Image

Representational Image

ରାଜ୍ୟ ସରକାର ଚୁକ୍ତି କରି ବିମାନ ରଖିଲେ, ହେଲେ ବାହାରୁ ବିମାନ ଆଣିଲେ। ସିଏଜିର ଡ୍ରାଫ୍ଟ ରିପୋର୍ଟ ଖୋଲୁଛି ସରକାରୀ ଟଙ୍କାର ବ୍ୟାପକ ଅପବ୍ୟବହାରର କଳା ଫର୍ଦ୍ଦ। ବିଜେଡି ସରକାର ୪ ବର୍ଷରେ ଅଯଥା ଖର୍ଚ୍ଚ କରିଥିଲେ ୫ କୋଟି ୮୬ ଲକ୍ଷ ଟଙ୍କା।

Advertisment

୨୦୨୧ରେ ଦିଲ୍ଲୀର ଏକ ସଂସ୍ଥାଠାରୁ ଏୟାରକ୍ରାଫ୍ଟ ବା ଛୋଟ ବିମାନ ଓ ତା’ ସହ ହେଲିକପ୍ଟର ଆଣିବାକୁ ରାଜ୍ୟ ସରକାର ଚୁକ୍ତି କରିଥିଲେ। ଦିଲ୍ଲୀର M/s OSS Air Management Pvt Ltd. ସହ ସରକାର ଚୁକ୍ତି କରିଥିଲେ। ଏଥିପାଇଁ ମାସିକ ୯୨ ଲକ୍ଷ  ଟଙ୍କା ଭଡ଼ା ମଧ୍ୟ ଦେଉଥିଲେ। ଚୁକ୍ତି ମୁତାବକ ସର୍ତ୍ତ ଥିଲା ଏତିକି ଟଙ୍କାରେ ବିମାନ ମାସିକ ଅତି କମରେ ୨୦ ଘଣ୍ଟା ବା ବର୍ଷକୁ ୨୪୦ ଘଣ୍ଟା ଉଡ଼ାଣ ଭରିବ। ଉଡ଼ାଣ ନଥିଲେ ବି ବିମାନଟି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରହିବ।

ହେଲେ ଦେଖାଗଲା ରାଜ୍ୟ ସରକାର ୨୦୧୯ରୁ ୨୦୨୩ ଅର୍ଥାତ ପ୍ରାୟ ୪ ବର୍ଷରେ ବାହାରୁ ବିମାନ ଭଡ଼ାରେ ଆଣି ଅଯଥାରେ ୫ କୋଟି ୮୬ ଲକ୍ଷ ଟଙ୍କା ବର୍ବାଦ କରିଥିଲେ। ହେଲେ ଚୁକ୍ତିରେ ଗଳାବାଟ ରଖିବାରୁ ବିମାନଟି କେବେ ବି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରହୁନଥିଲା। ଏହା ସରକାରୀ ଟଙ୍କାର ଅପବ୍ୟବହାର, ଓ ଜାଣିଶୁଣି ଏଭଳି କରାଯାଇଥିବା ମନେ ହେଉଛି ବୋଲି କହିଛନ୍ତି ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର ନନ୍ଦ କିଶୋର ସାମଲ।

Advertisment

ଅଡିଟ ବେଳେ ଜଣାପଡ଼ିଛି, ବଜାର ଦରଠାରୁ ଯଥେଷ୍ଟ ଉଚ୍ଚା ଦରରେ ଦିଲ୍ଲୀର ଏହି କମ୍ପାନୀ ସହ ସରକାର ଚୁକ୍ତି କରିଥିଲେ। ସର୍ତ ଥିଲା ରାଜ୍ୟ ଭିତରେ ହେଉ କି ବାହାରେ, ଯେଉଁଠି ୩ ହଜାର ଫୁଟ ଲମ୍ବର ଏୟାରଷ୍ଟ୍ରିପ୍ ଥିବ ସେଠାକୁ ଅତିଥିମାନେ ବିମାନ ବା ଏୟାରକ୍ରାଫ୍ଟରେ ଯିବେ ଓ ଅନ୍ୟ ଜାଗାକୁ ହେଲିକପ୍ଟରରେ ଯିବେ। ମାତ୍ର ଦେଖାଗଲା ଅନେକ ସମୟରେ ଅତିଥିମାନଙ୍କୁ ହେଲିକପ୍ଟରରେ ନିଆଯାଇଥିଲା ଓ ଏଥିପାଇଁ ରାଜ୍ୟ ତହବିଲରୁ ଅଯଥାରେ ୧ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲିକପ୍ଟର ରୋଟର ଷ୍ଟାର୍ଟ ଓ ଷ୍ଟପ୍ ଭିତରେ ରହିଥିବା ଉଡ଼ାଣ ସମୟକୁ ଠିକ୍ ଭାବେ ରେକର୍ଡ କରାଯାଇନଥିଲା। ଏଥିପାଇଁ ଅଯଥା ୧୮ ଲକ୍ଷ ୭୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।

ବିମାନ ଉଡ଼ାଣ ଏଜେନ୍ସି ବାଛିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ନିଲାମ ଡାକୁଥିବାବେଳେ ଏଥିପାଇଁ ସଂସଦୀୟ ବ୍ୟାପାର ବିଭାଗ ଆକାଉଣ୍ଟରୁ ଟଙ୍କା ଯାଉଥିଲା। ଲୋକଙ୍କ ଟିକସରୁ ତିଆରି ସରକାରୀ ତହବିଲରୁ ଏଭଳି ଅପବ୍ୟୟ ପାଇଁ କାହାକୁ ଦାୟୀ କରାଯିବ ତାହା ଏବେ ପ୍ରଶ୍ନ ହୋଇଛି।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର 

Naveen Patnaik BjD Odisha Aircraft Rent In Odisha CAG Report