Advertisment

ଅନୁଭବଙ୍କୁ ୫ବର୍ଷ କାମ କରାଇ ଦେଇନଥିଲେ,ଏବେ ବୈଜୟନ୍ତଙ୍କ ମୁଣ୍ଡରେ ଦୋଷ ଲଦିବାର ଅପଚେଷ୍ଟା

କେନ୍ଦ୍ରାପଡ଼ାରେ ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନାଁ ନନେଇ ବ୍ୟକ୍ତିଗତସ୍ତରରେ ତାଙ୍କ ପ୍ରତି କଟୂ ମନ୍ତବ୍ୟ ଦେଇଛନ୍ତି।

author-image
Ordigital Desk
CM

CM

ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନ ସରଗରମ ସହ ନେତାମାନଙ୍କ ମଧ୍ୟରେ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ବଢ଼ିଚାଲିଛି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି କେନ୍ଦ୍ରାପଡ଼ାରେ ନିର୍ବାଚନୀ ସଭାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଆକ୍ଷେପ କରି ବ୍ୟକ୍ତିଗତସ୍ତରରେ ତାଙ୍କର କୁତ୍ସାରଟନା କରିବାକୁ ପଛାଇ ନାହାନ୍ତି। ପୂର୍ବରୁ ବିଜେଡିର ତଥାକଥିତ ସର୍ବେସର୍ବା ଭିକେ ପାଣ୍ଡିଆନ କେନ୍ଦ୍ରାପଡ଼ାରେ ନିର୍ବାଚନୀ ପ୍ରଚାରରେ କହିଥିବା କଥାକୁ ନବୀନ ଆଜି ହଦୋରାଇଛନ୍ତି। ତେବେ ୨୦୧୯-୨୪ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାରୁ ଦଳୀୟ ସାଂସଦ ଥିବା ଅନୁଭବ ମହାନ୍ତିଙ୍କୁ କାହିଁକି ବିଜେଡି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ବିକାଶ ଦିଗରେ କାମ କରିବାର ସୁଯୋଗ ଦେଇନଥିଲା ଓ ପ୍ରତିବନ୍ଧକ ସୃଷ୍ଟି କରିଥିଲା ସେ ନେଇ ନବୀନ କିମ୍ବା ପାଣ୍ଡିଆନ ମୁହଁ ଖୋଲିନାହାନ୍ତି। ଏପରିକି ଅନୁଭବ ଖୋଲାଖୋଲି  ବିଜେଡି ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦାୟୀ କରିଥିଲେ ମଧ୍ୟ ନବୀନ ଓ ପାଣ୍ଡିଆନ ସେନେଇ ନିରବ ରହିଛନ୍ତି, ଓଲଟା ୨୦୦୯-୧୯ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସାଂସଦ ଥିବା ବୈଜୟନ୍ତଙ୍କୁ କଟୂ ସମାଲୋଚନା କରିଛନ୍ତି, ଯାହାକି ନବୀନ ଓ ପାଣ୍ଡିଆନଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି।

Advertisment

କେନ୍ଦ୍ରାପଡ଼ାରେ ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନାଁ ନନେଇ ବ୍ୟକ୍ତିଗତସ୍ତରରେ ତାଙ୍କ ପ୍ରତି କଟୂ ମନ୍ତବ୍ୟ ଦେଇଛନ୍ତି। ଏପରିକି ୪ଦିନ ପୂର୍ବରୁ ପାଣ୍ଡିଆନ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନବୀନ ଆଜି ଦୋହରାଇବା ସହ କୁତ୍ସାରଟନା କରିବାକୁ ପଛାଇନାହାନ୍ତି। ନବୀନ କହିଥିଲେ ଯେ, “ ଜଣେ ବ୍ୟକ୍ତିଙ୍କୁ ୧୦ବର୍ଷ ଧରି କେନ୍ଦ୍ରାପଡ଼ାର ସାଂସଦ କଲି। ସେ ନିଜ କମ୍ପାନୀକୁ ଲାଭ ଦେଇ ମୋ ସହ ଓ କେନ୍ଦ୍ରାପଡ଼ାବାସୀଙ୍କ ସହ ବିଶ୍ୱାସଘାତକତା କରିଥିଲେ।’ ସେହିପରି ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ରାପଡ଼ାର ସାଂସଦ ହେବାପରେ ତାଙ୍କ ପରିବାର ମାଲିକାନାରେ ଥିବା କମ୍ପାନୀର ଲାଭ କେତେ ହୋଇଛି। ପାର୍ଲାମେଂଟ ଫାଇନାନ୍ସ କମିଟିରେ ସଦସ୍ୟ ଥିବାବେଳେ ନିଜ କମ୍ପାନୀର ହଜାର ହଜାର ଟଙ୍କାର ଋଣ ଛାଡ଼ କରିଥିଲେ। ନିଜ କମ୍ପାନୀ ପାଇଁ ରେଲୱେ ସାଇଡିଂ ଆଣି କେନ୍ଦ୍ରାପଡ଼ାକୁ ଭୁଲିଗଲେ । ପାର୍ଲାମେଂଟ ଫାଇନାନ୍ସ କମିଟିର ଅଧ୍ୟକ୍ଷ ଦାୟିତ୍ୱ ନମିଳିବାରୁ ରାଗ ରଖି ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ସେ ନିଜ ଟିଭି ଚ୍ୟାନେଲ ମାଧ୍ୟମରେ ଗୁଜବ ସୃଷ୍ଟି କଲେ ବୋଲି ପାଣ୍ଡିଆନ ଅଭିଯୋଗ କରିଛନ୍ତି।

ତେବେ ୨୦୧୯-୨୦୨୪ ମସିହା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାର ଦଳୀୟ ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡ଼ିବାର ପ୍ରାୟ ଦେଢ଼ମାସ ପରେ ବିଜେଡି ନେତୃତ୍ୱ ଓ ପାଣ୍ଡିଆନଙ୍କ ସମ୍ପର୍କରେ ଯେଉଁସବୁ ଅଭିଯୋଗ ସବୁ ଆଣିଥିଲେ ସେନେଇ ଉଭୟ ନବୀନ ଓ ପାଣ୍ଡିଆନ ମୁହଁ ଖୋଲିନାହାନ୍ତି । ଅନୁଭବଙ୍କୁ ଭେଟିବାର ସୁଯୋଗ ନମିଳିବା, କେନ୍ଦ୍ରାପଡ଼ାରେ ତାଙ୍କ ସାଂସଦ ପାଣି୍ଠର ଫାଇଲଗୁଡ଼ିକ ଜିଲ୍ଲାପାଳ ଅଫିସରେ ମାସମାସ ଧରି ପଡ଼ିରହିବା, ସେ ସାଂସଦ ହୋଇମଧ୍ୟ କେନ୍ଦ୍ରାପଡ଼ା ଯିବା ପାଇଁ ତାଙ୍କୁ ବାରଣ କରାଯିବା, କେନ୍ଦ୍ରାପଡ଼ାବାସୀଙ୍କ ସେବାରୁ ତାଙ୍କୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦିଆଯିବା, ଏପରିକି କେନ୍ଦ୍ରାପଡ଼ାରେ ସ୍ୱାସ୍ଥ୍ୟସେବାର ଅଚାନକ ଯାଂଚ କରିବା ଆଦି କରି ସେ ବିଜେଡି ତଥାକଥିତ ନେତୃତ୍ୱଙ୍କ କୋପଦୃଷ୍ଟିରୁ ଶିକାର ହୋଇଥିଲେ। ଆଉ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କେନ୍ଦ୍ରାପଡ଼ାବାସୀଙ୍କଠୁ ଦୂରେଇ ଦେବାର ଷଡ଼ଯନ୍ତ୍ର ହୋଇଥିଲା ବୋଲି ଅନୁଭବ ଅଭିଯୋଗ କରିଥିଲେ । ତେବେ ଜଣେ ନିର୍ବାଚିତ ଜନପ୍ରତିନିଧି ଅନୁଭବ ମହାନ୍ତିଙ୍କ ଏଭଳି ଅଭିଯୋଗର କୌଣସି ଜବାବ ନବୀନ କିମ୍ବା ପାଣ୍ଡିଆନ ରଖିନାହାନ୍ତି।

Advertisment

ଆଉ କେନ୍ଦ୍ରାପଡ଼ାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତଙ୍କୁ ଟାର୍ଗେଟ୍ କରିବାବେଳେ ନିଜେ କେନ୍ଦ୍ରାପଡ଼ାକୁ ରେଳଲାଇନ ଯିବାର ଶ୍ରେୟ ବୈଜୟନ୍ତଙ୍କୁ ଦେବାକୁ ବିଜେଡି ନେତୃତ୍ୱ ବାଧ୍ୟ ହୋଇଛନ୍ତି। କେନ୍ଦ୍ରାପଡ଼ାରେ ଶିଳ୍ପ ସ୍ଥାପନ ପାଇଁ ଦୀର୍ଘବର୍ଷ ଧରି ବୈଜୟନ୍ତ ହିଁ ପ୍ରୟାସ କରିଥିଲେ ତଥା କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ବିନା ପ୍ରୟାସରେ କେନ୍ଦ୍ରାପଡ଼ାଠାରେ ଆନ୍ତର୍ଜାତିକ କମ୍ପାନୀ ଦ୍ୱାରା ଏତେବଡ଼ ଶିଳ୍ପ ସ୍ଥାପନ ପ୍ରକ୍ରିୟା ଯେ ସହଜ ନୁହେଁ ତାହା ସହଜରେ ଅନୁମେୟ। ମାତ୍ର ନବୀନ ଓ ପାଣ୍ଡିଆନଙ୍କ ମିଛ ପ୍ରଚାର ଓ ବ୍ୟକ୍ତିଗତ କୁତ୍ସାରଟନାକୁ ଆଜି ମୁହଁତୋଡ୍ ଜବାବ ଦେଇଛନ୍ତି ବୈଜୟନ୍ତ।

ପାଟକୁରାରେ ଏକ ନିର୍ବାଚନୀ ସଭାରେ ବୈଜୟନ୍ତ ଖୋଲାଖୋଲି କହିଛନ୍ତି ଯେ, ବହୁ ଦଶନ୍ଧି ଧରି ବିଜୁବାବୁଙ୍କ ଅମଳରୁ ତାଙ୍କ ପରିବାର ବ୍ୟବସାୟରେ ଅଛନ୍ତି। ତାଙ୍କ ପରିବାର ଉପରେ କେହି କେବେ ଆରୋପ ଲଗାଇନାହାନ୍ତି । ସମ୍ପତ୍ତି ହାସଲ କରିବାକୁ ସେ ରାଜନୀତିକୁ ଆସିନାହାନ୍ତି। ଲୋକଙ୍କ ପାଇଁ କାମ କରିବାକୁ ଓ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯାହା କହିଛନ୍ତି ତାହା ତାଙ୍କୁ କବଜାରେ ରଖିଥିବା ବ୍ୟକ୍ତିଙ୍କ ପ୍ରମ୍ପଟିଂ। ମୁଖ୍ୟମନ୍ତ୍ରୀ କିଛି ଇଆଡୁସିଆଡୁ ଅଭିଯୋଗ କରିଛନ୍ତି। ତାଙ୍କୁ ଦୋଷ ଦେଉନି। ଯେଉଁ ତାମିଲବାବୁ ତାଙ୍କୁ କବଜା କରିଛନ୍ତି ସେ ଯାହା କହୁଛନ୍ତି ନବୀନ ସେୟା ମାଇକରେ କହିଦେଉଛନ୍ତି। ନବୀନ ବାବୁ ଯାହାକୁ ଫାଇଭ-ଟି ଦେଇଛନ୍ତି ସେ ଫାଇଭ-ଟି ନାଁରେ ୫ଜଣ ତାମିଲ ଲୋକଙ୍କୁ ପୁରା ଓଡ଼ିଶା ବିକ୍ରି କରିଦେଇଛନ୍ତି। ସେମାନଙ୍କର ସମ୍ପତ୍ତି ଯାଂଚ କରନ୍ତୁ ,ଆଉ ଓଡ଼ିଆ ଲୋକଙ୍କୁ ସେହି ସମ୍ପତ୍ତି ଫେରସ୍ତ କରାଯାଉ।

ଓଡ଼ିଶାରେ ଉତ୍ପାଦିତ ବିଜୁଳି ଓଡ଼ିଶାରେ କାହିଁକି ବେଶୀ ଓ ତାମିଲନାଡୁ କିଣିକି ନେଇ ବି ସେଠାରେ କାହିଁକି କମ୍ ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି।
ତେବେ ବୈଜୟନ୍ତଙ୍କ ପାଲଟା ଶାଣିତ କଟାକ୍ଷ ପରେ ନବୀନ କିମ୍ବା ପାଣ୍ଡିଆନ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

2024 Election Loka Sabha Election 2024 Odisha Assembly Election 2024