ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ସଭାପତି ଭକ୍ତଚରଣ ଦାସଙ୍କ ‘ମାଷ୍ଟରଷ୍ଟ୍ରୋକ’କୁ ନେଇ ରାଜନୀତିକ ମହଲରେ ହଟଚମଟ ଆରମ୍ଭ ହୋଇଛି । ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ଭକ୍ତ ଦାସଙ୍କ ଦସ୍ତଖତରେ ଶୁକ୍ରବାର ୫ଧାଡ଼ିର ପ୍ରେସ୍ ରିଲିଜ୍ ଜାରି ହୋଇଛି । ଯାହାକି ରାଜ୍ୟରେ କଂଗ୍ରେସକୁ ପୁଣିଥରେ ସୁଦୃଢ଼ କରିବା ଦିଗରେ ସଞ୍ଜିବନୀ ଭଳି କାର୍ଯ୍ୟ କରିବ ବୋଲି ଆକଳନ କରାଯାଉଛି । ଏହାସହିତ ଭକ୍ତଙ୍କ ଏଭଳି ଆଭିମୁଖ୍ୟ ସୁଦୃଢ଼ ବିରୋଧୀ ଦଳର ଅଭାବକୁ ପୂରଣ କରିବାରେ ସହାୟକ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।
ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ଦସ୍ତଖତରେ ଆଜି ଏକ ପ୍ରେସ୍ ରିଲିଜ୍ ଜାରି ହୋଇଛି । ଏହି ପ୍ରେସ୍ ରିଲିଜ୍ ମାଧ୍ୟମରେ ଶ୍ରୀ ଦାସ କଂଗ୍ରେସର ପୁରୁଣା କର୍ମୀ ଓ ନେତାମାନଙ୍କୁ ପୁଣିଥରେ ଦଳରେ ସ୍ୱାଗତ କରିଛନ୍ତି । “ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରି ଦିଆଗଲା । ବିଭିନ୍ନ ସମୟରେ କୌଣସି ନାକୌଣସି କାରଣରୁ ଯେଉଁମାନେ କଂଗ୍ରେସ ଛାଡ଼ି ଚାଲି ଯାଇଛନ୍ତି ସେମାନେ ପୁଣିଥରେ କଂଗ୍ରେସକୁ ଫେରି ଆସିବାକୁ ଆମେ ନିବେଦନ କରୁଛୁ । ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ ।”
ଭକ୍ତଙ୍କ ମାଷ୍ଟରଷ୍ଟ୍ରୋକ
ରାଜନୀତିକ ବିଶ୍ଲେଷକଙ୍କ ମତରେ, ଭକ୍ତଙ୍କ ଏହି ଗୋଟିଏ ନିର୍ଦ୍ଦେଶନାମାରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ସମସ୍ତ କର୍ମୀ ଓ ନେତାଙ୍କ ଉପରୁ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରି କଂଗ୍ରେସର ଲକ୍ଷ ଲକ୍ଷ କର୍ମୀମାନଙ୍କ ମନରେ ସଂଗଠନକୁ ସୁଦୃଢ଼ କରାଇ ନେବା ଦିଗରେ ଆଶା ସଂଚାର କରିବାରେ ସକ୍ଷମ ହୋଇଛନ୍ତି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଏବେ ଦିଶାହୀନ ଅବସ୍ଥାରେ ଗତି କରୁଛି । ଦଳ କ୍ଷମତାରୁ ଯିବାପରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ନେତୃତ୍ୱ ସଙ୍କଟ(ନବୀନ ପଟ୍ଟନାୟକ ନା ଭିକେ ପାଣ୍ଡିଆନଙ୍କ ମଧ୍ୟରୁ ବସ୍ କିଏ)ର ସମ୍ମୁଖୀନ ହୋଇଛି । ଦଳରେ ଥିବା ନେତାମାନେ ଏବେ ଅଣନିଶ୍ୱାସୀ ହେବାରେ ମଧ୍ୟ ଲାଗିଛନ୍ତି ।
କଂଗ୍ରେସକୁ ସୁଦୃଢ଼ କରିବାର ପ୍ରକୃଷ୍ଟ ସମୟ
ଏପଟେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୮ମାସ ପୁରିଥିଲେ ମଧ୍ୟ ବିଜେଡିର ୨୪ବର୍ଷ ଶାସନର କୌଣସି ଗୋଟିଏ କଳାକାରନାମାକୁ ମଧ୍ୟ ଆଗକୁ ଆଣିବାରେ ସକ୍ଷମ ହୋଇନି । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ସବୁ ନିୟମକାନୁନକୁ ଏଡ଼ାଇ ରାଜ୍ୟ ଶାସନକୁ ମନମର୍ଜିରେ ଚଳାଇଥିଲେ । କୋଟିକୋଟି ଟଙ୍କାର ଅନିୟମିତତା ସହ ବହୁ ଦୁର୍ନୀତି ଅଭିଯୋଗ ମଧ୍ୟ ତତକାଳୀନ ବିଜେଡି ସରକାର ବିରୁଦ୍ଧରେ ବିଜେପି ଖୋଦ୍ ବିରୋଧୀ ଦଳ ଭାବେ ଆଣିଥିଲା । ଏବେ ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିଲେ ମଧ୍ୟ କୌଣସି ଦୁର୍ନୀତି କିମ୍ବା ଅନିୟମିତତାର ମାଷ୍ଟରମାଇଣ୍ଡକୁ ଧରିବା ତ ଦୂରର କଥା ବରଂ ବିଜେଡି ଶାସନରେ ଯାହାସବୁ ବେଆଇନ କାର୍ଯ୍ୟ ହୋଇଛି ତାକୁ ଆଇନସିଦ୍ଧ କରିବା ପାଇଁ ପରୋକ୍ଷରେ କାର୍ଯ୍ୟ କରୁଥିବା ଦୀର୍ଘ ୮ମାସର ଶାସନ ଶୈଳୀରୁ ପରୋକ୍ଷରେ ପ୍ରମାଣିତ ହେବାରେ ଲାଗିଛି ।
ଆରମ୍ଭରୁ ପୁରୀକୁ ‘ସଂକଳ୍ପ ଯାତ୍ରା’, ୧୭ଜଣିଆ କମିଟି ଗଠନ
ଭକ୍ତ ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ୧୮ତାରିଖରେ ଓଡ଼ିଶା ଆସିବେ । ଏବେ ଦିଲ୍ଲୀରେ ଥିବା ଭକ୍ତ ଓଡ଼ିଶା ଆସିବା ପୂର୍ବରୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଏକଜୁଟ କରିବା ପାଇଁ ପ୍ରୟାସ ଜୋରଦାର କରିଛନ୍ତି । ଦଳର ବରିଷ୍ଠ ନେତାମାନଙ୍କୁ ଫୋନ୍ ମାଧ୍ୟମରେ ନିଜ ଆଡ଼ୁ ଯୋଗାଯୋଗ କରିବା ସହ ସମସ୍ତଙ୍କୁ ସାଙ୍ଗରେ କିଭଳି ନେଇ ଚାଲି ହେବ ତା’ର ମାର୍ଗ ପ୍ରଶସ୍ତ କରିଛନ୍ତି । କଂଗ୍ରେସର ପୁରୁଣା ରୋଗ-ଗୋଷ୍ଠୀକନ୍ଦଳ ଭିତରେ ନପଶି ଭକ୍ତ ସମସ୍ତଙ୍କୁ ସାଙ୍ଗରେ ନେଇ ବିଶେଷକରି ଯୁବବର୍ଗଙ୍କୁ ଆଗରେ ରଖି କାର୍ଯ୍ୟ କରିବେ ବୋଲି ସଙ୍କେତ ମଧ୍ୟ ଦେଇଛନ୍ତି । ଭକ୍ତ ପିସିସି ସଭାପତି ଭାବେ ନିଜର କାର୍ଯ୍ୟ ଆରମ୍ଭ କରିବେ ‘ପୁରୀ ସଂକଳ୍ପ ଯାତ୍ରା’ରୁ । ଯେଉଁଥିପାଇଁ ୧୭ଜଣିଆ କମିଟି ମଧ୍ୟ ଗଠନ ହୋଇଛି । ଏହି କମିଟିରେ ଯୁବବର୍ଗଙ୍କୁ ପ୍ରାଧାନ୍ୟ ମିଳିଛି । ଭକ୍ତ ୧୮ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ ଦଳୀୟ କର୍ମୀ ଓ ନେତାମାନଙ୍କ ସହ ପଦଯାତ୍ରାରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଏହି ସଂକଳ୍ପ ଯାତ୍ରା କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ବିଧାୟକ ଦେବାଶୀଷ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି । କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ମହମ୍ମଦ ମୋକିମ, ବିଧାୟକ ରମେଶ ଜେନା,ଦାଶରଥୀ ଗମାଙ୍ଗୋ,ସିଏସ ରାଜନ ଏକ୍କା, କାଡ୍ରାକା ଆପଲା ସ୍ୱାମୀ, ଅଶୋକ କୁମାର ଦାସ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର,ଉମାବଲ୍ଲଭ ରଥ, ନବଜ୍ୟୋତି ପଟ୍ଟନାୟକ, ମିନାକ୍ଷୀ ବାହିନୀପତି, ବିଶ୍ୱଜିତ୍ ଦାଶ, ବିଶ୍ୱଭୂଷଣ ଦାଶ, ମନୋଜ ଜେନା, ରଞ୍ଜିତ ପାତ୍ର, ୟାସିର ନୱାଜ ଓ ଉଦିତ ନାରାୟଣ ପ୍ରଧାନ ରହିଛନ୍ତି । ଏହି ସଂକଳ୍ପ ଯାତ୍ରାକୁ ସଫଳ କରିବା ପାଇଁ କଂଗ୍ରେସ ପକ୍ଷରୁ ଏବେଠୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ଦଳର ବରିଷ୍ଠ ଓ ଯୁବ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଦଳକୁ ସୁଦୃଢ଼ କରିବା ପାଇଁ ଭକ୍ତ ଯେଉଁ ଗୋଟି ଚଳାଇଛନ୍ତି ତାହା ଯଦି ସଫଳ ହୁଏ କଂଗ୍ରେସକୁ ଆଗାମୀ ଦିନରେ ରାଜ୍ୟରେ ବଡ଼ ନିର୍ବାଚନୀ ସଫଳତା ମିଳିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।