Advertisment

ଦିଲ୍ଲୀରେ ଓଡ଼ିଶା, ହରିୟାଣା ଓ ମହାରାଷ୍ଟ୍ର ଭଳି ଚମତ୍କାର କରିବ କି ବିଜେପି?

ହରିୟାଣାରେ ବିଜେପି ରେକର୍ଡ ତୃତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା। ସେହିପରି ମହାରାଷ୍ଟ୍ରରେ ମହାୟୁତି ରେକର୍ଡ ସଂଖ୍ୟକ ସିଟ ଜିତିଥିଲା।

BJP

BJP

Advertisment

ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ। ଫେବୃଆରୀ ୫ରେ ଦିଲ୍ଲୀର ପ୍ରାୟ ୧.୫୦ କୋଟିରୁ ଅଧିକ ଭୋଟର ୩ ପ୍ରମୁଖ ରାଜନୀତିକ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନ ୩ ପ୍ରମୁଖ ଦଳ ପାଇଁ କେବଳ ଗୋଟିଏ ଲଢ଼େଇ ନୁହେଁ, ବରଂ ବହୁତ କିଛି ଏହାର ଫଳାଫଳ ଉପରେ ନିର୍ଭର କରିବ। ୧୦ ବର୍ଷ ହେଲା କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ପାଇଁ ଏହା ସବୁଠାରୁ ବଡ଼ ଲଢ଼େଇ। ନିର୍ବାଚନରେ ପରାସ୍ତ ହେଲେ ଦଳର ଜାତୀୟ ସଂପ୍ରସାରଣ ଲକ୍ଷ୍ୟ ଲାଇନଚ୍ୟୁତ ହୋଇଯିବ। 

Advertisment

ଦୀର୍ଘ ୨୭ ବର୍ଷ ହେଲା ଦିଲ୍ଲୀ ଦଖଲ ପାଇଁ ଉଦ୍ୟମ କରୁଥିବା ଭାରତୀୟ ଜନତା ପାର୍ଟି ପରାସ୍ତ ହେଲେ ଅନେକ କିଛି ପ୍ରଶ୍ନ ସୃଷ୍ଟି କରିବ। ଆଞ୍ଚଳିକ ଦଳଗୁଡ଼ିକ ବିରୋଧରେ ଲଢ଼େଇ କରିବା ପାଇଁ ବିଜେପିର କ୍ଷମତା ନଥିବା ପୁଣିଥରେ ପଦାରେ ପଡ଼ିବ।

୨୦୧୫ ଓ ୨୦୨୦ରେ ଖାତା ଖୋଲି ନଥିବା କଂଗ୍ରେସ ପାଇଁ ଦିଲ୍ଲୀ ନିର୍ବାଚନ ଅସ୍ଥିତ୍ୱର ଲଢ଼େଇ। ଏଥିରେ ପରାସ୍ତ ହେଲେ ଦଳକୁ ପ୍ରଥମେ ସାଂଗଠନିକ ସ୍ତରରେ ଥିବା ସମସ୍ୟାକୁ ସମାଧାନ କରିବାକୁ ହେବ। ତେଣୁ ସମସ୍ତ ୩ ଦଳ ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିବା ଜରୁରୀ।

Advertisment

ହରିୟାଣା ଓ ମହାରାଷ୍ଟ୍ର ଭଳି ସ୍ଥିତି ଦେଖାଯିବ କି?

ହରିୟାଣାରେ ଭୂପିନ୍ଦର ସିଂହ ହୁଡ୍ଡା ଓ ଦୀପେନ୍ଦର ସିଂହ ହୁଡ୍ଡାଙ୍କ ନେତୃତ୍ୱାଧୀନ କଂଗ୍ରେସ ଲୋକସଭା ନିର୍ବାଚନରେ ୧୦ଟି ଆସନରୁ ୫ଟିରେ ଜିତିଥିଲେ। କୁହାଯାଉଥିଲା ହୁଡ୍ଡା ବାପ-ପୁଅ ଯୋଡ଼ି ହରିୟାଣା ବିଧାନସଭା ନିର୍ବାଚନରେ ମଧ୍ୟ କମାଲ କରିବେ। ସେହିପରି କ୍ଷମତାସୀନ ବିଜେପି ବିରୋଧରେ କୁସ୍ତିଯୋଦ୍ଧା, ଚାଷୀ ଓ ଅଗ୍ନିବୀର ଆନ୍ଦୋଳନକାରୀ ମଧ୍ୟ ମାତିଥିଲେ। ମହାରାଷ୍ଟ୍ରରେ ବି ବିରୋଧୀ ମହା ବିକାଶ ଅଘାଡି ୪୮ଟି ଲୋକସଭା ଆସନରୁ ୩୦ଟିରେ ଜିତି ସମସ୍ତଙ୍କୁ ଚମକାଇ ଦେଇଥିଲା। ବିଜେପି ନେତୃତ୍ୱାଧୀନ ମହାୟୁତି ବ୍ୟାକଫୁଟରେ ରହିଥିଲା।

ଏସବୁ ସତ୍ତ୍ୱେ ହରିୟାଣାରେ ବିଜେପି ରେକର୍ଡ ତୃତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା। ସେହିପରି ମହାରାଷ୍ଟ୍ରରେ ମହାୟୁତି ରେକର୍ଡ ସଂଖ୍ୟକ ସିଟ ଜିତିଥିଲା। ଏହା ତୃଣମୂଳ ସ୍ତରରେ ମହାୟୁତିର ରଣନୀତି, ରାସ୍ତାକଡ଼ ବୈଠକ ଓ ସିଟ୍‌ ପିଛା ପ୍ରଚାର ଯୋଗୁ ସମ୍ଭବ ହୋଇପାରିଥିଲା। ଦିଲ୍ଲୀରେ ମଧ୍ୟ ବିଜେପି ସେମିତି କିଛି କରିବାକୁ ଲକ୍ଷ୍ୟ ରଖିଛି।

ବିଜେପି ଫୋକସରେ ବସ୍ତି ଅଞ୍ଚଳ

ଗଲା ୨ଟି ଯାକ ନିର୍ବାଚନରେ ବସ୍ତି ଅଞ୍ଚଳରେ ରହୁଥିବା ଭୋଟର ଆପ୍‌କୁ ସମର୍ଥନ ଦେଇ ଆସିଛନ୍ତି। ଏହି ଭୋଟରମାନେ ସାଧାରଣତଃ ଗରିବ ଓ ମାଗଣା ବିଜୁଳି-ପାଣିର ହିତାଧିକାରୀ। ସେହିପରି ମହିଳାଙ୍କ ପାଇଁ ମାଗଣା ବସ ସେବା, ମୋହଲା କ୍ଲିନିକ ଓ ଅନ୍ୟ ମାଗଣା ଯୋଜନାର ଲାଭାର୍ଥୀମାନେ ଆପ୍‌କୁ ସମର୍ଥନ ଦେଇ ଆସିଛନ୍ତି। ଆପ୍‌ ଦାବି କରିଛି ଯେ ଏଭଳି ଯୋଜନା ଯୋଗୁ ଲୋକମାନେ ମାସିକ ୨୫ ହଜାର ଟଙ୍କା ସେଭ୍‌ କରିପାରିଛନ୍ତି।

ଦିଲ୍ଲୀରେ ଏବେ ୬୭୫ଟି ବସ୍ତି ଅଞ୍ଚଳ ରହିଛି। ବିଶେଷ କରି ନୂଆଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀ ଲୋକସଭା ସିଟ୍‌ ଅଧୀନରେ ଯଥାକ୍ରମେ ୧୪୬ ଓ ୧୪୩ଟି ବସ୍ତି ଅଞ୍ଚଳ ପଡ଼ୁଛି। ଉତ୍ତର ପୂର୍ବ ଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀ ଲୋକସଭା ସିଟ୍‌ ଅଧୀନରେ କମ ସଂଖ୍ୟକ ବସ୍ତିବାସିନ୍ଦା ରୁହନ୍ତି।

ଏଥର ବସ୍ତି ଭୋଟକୁ ନିଜର କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ମାସରେ ବସ୍ତିବାସିନ୍ଦାଙ୍କ ପାଇଁ ୧୬୭୫ଟି ଫ୍ଲାଟ ଉଦଘାଟନ କରିଥିଲେ। ଏହାପରେ ବିଜେପି ବିଭିନ୍ନ ବସ୍ତି ଅଞ୍ଚଳରୁ କିଛି ଲୋକଙ୍କୁ ଆଣି ନୂଆ କରି ଉଦଘାଟନ ହୋଇଥିବା ସ୍ୱାଭିମାନ ଆପାର୍ଟମେଣ୍ଟରେ ରଖିଛି। ଯେଉଁମାନଙ୍କର ପକ୍କା ଘର ନାହିଁ, ସେମାନେ ମଧ୍ୟ ଫ୍ଲାଟ ପାଇବେ ବୋଲି ବିଜେପି କହିଛି। କିନ୍ତୁ ଏହି ପ୍ରକଳ୍ପ ସାରିବାକୁ ୧୦୦ ବର୍ଷ ଲାଗିବ ବୋଲି ଆପ୍‌ ଦାବି କରି ବିଜେପିକୁ ସମାଲୋଚନା କରିଛି।

ବସ୍ତି ଅଞ୍ଚଳ ଓ ଆପ୍‌ ସମର୍ଥନ ମଧ୍ୟରେ ଦୃଢ଼ ଲିଙ୍କ ରହିଛି। ନୂଆଦିଲ୍ଲୀ, ଚାନ୍ଦିନଚୌକ ଓ ଦକ୍ଷିଣ ଦିଲ୍ଲୀରେ ଅଧିକାଂଶ ବସ୍ତି ରହିଥିବାରୁ ଗଲା ନିର୍ବାଚନରେ ବିଜେପି ତୁଳନାରେ ଆପ୍‌ର ଭୋଟ ଶେୟାର ଯଥେଷ୍ଟ ଅଧିକ ରହିଥିଲା। ଦକ୍ଷିଣ ଦିଲ୍ଲୀରେ ଥିବା ୨୧%, ନୂଆଦିଲ୍ଲୀରେ ଥିବା ୨୧% ଓ ଚାନ୍ଦିନଚୌକରେ ଥିବା ୨୧% ବସ୍ତି ଅଞ୍ଚଳରେ ଆପ୍‌ ଯଥାକ୍ରମେ ୧୫%, ୧୮% ଓ ୨୦% ଲିଡ୍‌ ବିଜେପି ତୁଳନାରେ ପାଇଥିଲା।

ଟ୍ରେଣ୍ଡ ଆପ୍‌ ବିପକ୍ଷରେ ରହିଛି

୨୦୨୨ ଦିଲ୍ଲୀ ପୌରପାଳିକା ନିର୍ବାଚନରେ ଆପ୍‌ ବାଜିମାତ କରିଥିଲା। ଏହାର ଫାଇଦା ଉଠାଇବାକୁ ବିଜେପି ଲକ୍ଷ୍ୟ ରଖିଛି। ଏବେ ବି ଅଧିକାଂଶ ବସ୍ତି ଅଞ୍ଚଳ ଠିକ ଭାବେ ସଫା ହୋଇପାରୁନି ଓ ସେଠାରେ ସ୍ୱରେଜ ସମସ୍ୟା ଦେଖାଯାଉଛି। ତେଣୁ ବିଜେପି ଏହାକୁ ପ୍ରସଙ୍ଗ କରିବାକୁ ଲକ୍ଷ୍ୟ ରଖିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟ୍ରେଣ୍ଡ କହୁଛି ଯେ ଯେଉଁ ରାଜନୀତିକ ଦଳ ପୌର ନିର୍ବାଚନ ଜିତିଥାଏ, ସେହି ଦଳ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥାଏ। ଏହା ବିଜେପି ସହ ୨୦୦୭ରୁ ହୋଇ ଆସୁଛି। ବିଜେପି ୨୦୦୭, ୨୦୧୨, ଓ ୨୦୧୭ ଏମସିଡି ନିର୍ବାଚନରେ ବାଜିମାତ କରିଥିଲା। କିନ୍ତୁ ଦଳ ୨୦୦୮, ୨୦୧୩, ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ହାରିଥିଲା। ଆପ୍‌ ୨୦୨୨ରେ ଏମସିଡି ନିର୍ବାଚନ ଜିତିଥିବାରୁ ଏଥର ଦଳ ବିଧାନସଭା ନିର୍ବାଚନରେ ହାରିପାରେ ବୋଲି କୁହାଯାଉଛି।

ଓଡ଼ିଶା ଭଳି କମ ଭୋଟ ଶେୟାର ପାଇ ବିଜେପି ଦିଲ୍ଲୀ ଦଖଲ କରିପାରିବ କି?

ହରିୟାଣାରେ ବିଜେପି ୧%ରୁ କମ ଭୋଟ ଶେୟାର ବ୍ୟବଧାନରେ କଂଗ୍ରେସ ବିରୋଧରେ ବିଜୟ ଲାଭ କରିଥିଲା। କଂଗ୍ରେସ ତୁଳନାରେ ବିଜେପି ମାତ୍ର ୧.୧୮ ଲକ୍ଷ ଅଧିକ ଭୋଟ ପାଇଥିଲା। ଫଳରେ ବିଜେପି ମ୍ୟାଜିକ ନମ୍ବର ୪୫ ଠାରୁ ଅଧିକ ୩ଟି ଆସନ ଜିତି ପାରିଥିଲା। ୨୦୧୯ ତୁଳନାରେ କଂଗ୍ରେସର ଭୋଟ ଶେୟାର ୧୧% ବଢ଼ିଥିଲେ ହେଁ ଦଳ କେବଳ ଅଧିକ ୭ଟି ଆସନ ଜିତି ପାରିଥିଲା।

ସେହିପରି ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ୭୮ଟି ସିଟ୍‌ ଜିତି ୨୪ ବର୍ଷ ହେଲା କ୍ଷମତାରେ ଥିବା ବିଜେଡିକୁ ପରାସ୍ତ କରିଥିଲା। ବିଜେଡି ୫୧ଟି ଆସନ ଜିତିଥିଲା। ଭୋଟ ଶେୟାର କଥା ଦେଖିଲେ, ବିଜେପି ତୁଳନାରେ ବିଜେଡିର ଭୋଟ ଶେୟାର ସାମାନ୍ୟ ଅଧିକ ରହିଥିଲା। ବିଜେଡି ୪୦.୨୨ ଭୋଟ ଶେୟାର ପାଇଥିବା ବେଳେ ବିଜେପି ୪୦.୦୭% ଭୋଟ ପାଇଥିଲା।

ଦିଲ୍ଲୀରେ ମଧ୍ୟ ବିଜେପି କ୍ଷମତାସୀନ ଆପ୍‌ ତୁଳନାରେ କମ ଭୋଟ ଶେୟାର ପାଇ ମଧ୍ୟ ସରକାର ଗଠନ କରିବାର ସମ୍ଭାବନା ରହିଛି। ୨୦୨୦ରେ ବିଜେପି ବିରୋଧରେ ଆପ୍‌ର ମୋଟ ଲିଡ୍‌ ୧୫% ରହିଥିଲା। ସେହିପରି ଜେଡିୟୁ, ବିଜେପି ଓ ଲୋକ ଜନଶକ୍ତି ପାର୍ଟିକୁ ନେଇ ଗଠିତ ଏନଡିଏ ବିରୋଧରେ ଏହା ୧୪% ରହିଥିଲା। ବିଜେପିର ଦୁଇ ସହଯୋଗୀ ଦଳ ୭୦ଟି ବିଧାନସଭା ଆସନରୁ ୩ଟିରେ ଜିତିଥିଲେ।

ଭୋଟ ଶେୟାର ଗଣିତ କ’ଣ କହୁଛି?

ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ସମସ୍ତ ୧୨ଟି ଆସନରେ ଆପ୍‌ ବିଜୟୀ ହୋଇଥିଲା। ଏଠାରେ ଆପ୍‌ର ଭୋଟ ଶେୟାର ବିଜେପି ତୁଳନାରେ ୨୩% ଅଧିକ ରହିଥିଲା। ୯ଟି ମୁସଲିମ ବହୁଳ ସିଟ୍‌ରେ ଆପ୍‌ର ଲିଡ ୨୭% ରହିଥିଲା। କିନ୍ତୁ ୪୯ଟି ସାଧାରଣ ବର୍ଗର ସିଟ୍‌ରେ ଆପ୍‌ର ଲିଡ ବିଜେପି ତୁଳନାରେ ମାତ୍ର ୧୦%। ସଂରକ୍ଷିତ ସିଟ୍‌ରେ ଆପ୍‌ର ଭୋଟ ଶେୟାର ରେକର୍ଡ୫୮% ରହିଥିବା ବେଳେ ବିଜେପି କେବଳ ୩୫% ଭୋଟ ପାଇଥିଲା। ମୁସଲିମ ବହୁଳ ସିଟରେ ଆପ୍‌ ୬୦% ଓ ବିଜେପି କେବଳ ୩୩% ଭୋଟ ପାଇବାକୁ ସକ୍ଷମ ହୋଇପାରି ଥିଲା।

ସାଧାରଣ ବର୍ଗ ଆସନରେ ଆପ୍‌ର ଭୋଟ ଶେୟାର ୫୧% ଓ ବିଜେପି ୪୧% ଭୋଟ ପାଇଥିଲା। ଯଦି ୬% ଭୋଟ ସୁଇଂ ୨୦୨୫ରେ ହୁଏ, ତା’ହେଲେ ଆପ୍‌ର ଭୋଟ ଭାଗ ୪୮% ଓ ବଜେପି ୪୬% ଭୋଟ ପାଇବ।

ସଂରକ୍ଷିତ ଓ ମୁସଲିମ ବହୁଳ ସିଟ୍‌ରେ ୬% ଭୋଟ ସୁଇଂର ଅର୍ଥ ବିଜେପି ୨୦୨୫ରେ ସେଠାରେ ୩ଟି ଲେଖାଏ ଆସନ ଜିତିବାକୁ ସକ୍ଷମ ହୋଇପାରିବ। ଏପରି ସ୍ଥିତିରେ ସାଧାରଣ ବର୍ଗର ସିଟଗୁଡ଼ିକ ଗେମ ଚେଞ୍ଜର ସାବ୍ୟସ୍ତ ହେବ।

୨୦୨୦ରେ ସାଧାରଣ ବର୍ଗର ୪୯ଟି ଆସନ ମଧ୍ୟରୁ ଆପ୍‌ ୪୧ଟି ଓ ବିଜେପି ୮ଟି ଜିତିଥିଲା। ଯଦି ୬% ଭୋଟ ସୁଇଂ ହୁଏ, ତା’ହେଲେ ବିଜେପିର ଭୋଟ ଭାଗ ୪୬% ଓ ଆପ୍‌ ୪୮%କୁ ଖସି ଆସିବ। ଫଳରେ ବିଜେପି ୩୦ଟି(୨୨ଟି ଅଧିକ) ଓ ଆପ୍‌ ୧୯ଟି(୨୨ଟି କମ) ଆସନ ସହ ଅଭିଯାନ ଶେଷ କରିବ। ତେଣୁ ୨% କମ ଭୋଟ ଶେୟାର ସହ ବିଜେପି ଦିଲ୍ଲୀରେ ଅଧିକ ଆସନ ଜିତିବାକୁ ସକ୍ଷମ ହୋଇପାରିବ।

Bjp Narendra Modi PM Modi Delhi Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe