Advertisment

ବିପିଏସ୍‌ସି ଆଶାୟୀଙ୍କୁ ସମର୍ଥନ କରି ଅଡ଼ୁଆରେ ପ୍ରଶାନ୍ତ କିଶୋର, ମାମଲା ରୁଜୁ

ବିପିଏସ୍‌ସି ଆଶାୟୀଙ୍କ ଆନ୍ଦୋଳନକୁ ପ୍ରବର୍ତ୍ତାଇବା ଅଭିଯୋଗରେ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ମାମଲା ରୁଜୁ। ଗାନ୍ଧି ମଇଦାନରେ ବିକ୍ଷୋଭ ପାଇଁ ଅନୁମତି ଦେଇନଥିଲା ପ୍ରଶାସନ।

author-image
Debadatta Aryashrestha
Prashant Kishor at BPSC aspirants protest

Prashant Kishor at BPSC aspirants protest

ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି) ଆଶାୟୀଙ୍କ ଦ୍ୱାରା ଜାରି ରହିଥିବା ବିକ୍ଷୋଭକୁ ସମର୍ଥନ କରି ଅଡ଼ୁଆରେ ପ୍ରଶାନ୍ତ କିଶୋର। ଗତକାଲି ଛାତ୍ର ଉତ୍ତେଜନା ପରେ ପାଟନାରେ ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମେତ ଦଳର ରାଜ୍ୟ ସଭାପତି ମନୋଜ ଭାରତୀ ଓ ଅନ୍ୟ ନେତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ପରୀକ୍ଷାର୍ଥୀଙ୍କୁ ରାଜରାସ୍ତାରେ ଆସି ବିଶୃଙ୍ଖଳା ସୃଷ୍ଟି କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ପ୍ରଶାନ୍ତ କିଶୋରଙ୍କ ଉପରେ ଅନେକ ଗମ୍ଭୀର ଧାରା ଲାଗୁ କରିଛି ବିହାର ପୁଲିସ।

Advertisment

କାଲିର ଉତ୍ତେଜନା ପାଇଁ ୬୦୦ରୁ ଅଧିକ ଅଜଣା ବିକ୍ଷୋଭକାରୀଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ପ୍ରଶାସନର ଅନୁମତି ନମିଳିବା ସତ୍ତ୍ୱେ ଗାନ୍ଧି ମଇଦାନରେ ଆସି ବିକ୍ଷୋଭ କରିବା ଓ ବିକ୍ଷୋଭକାରୀଙ୍କୁ ଉସୁକାଇବା ଅଭିଯୋଗରେ ପ୍ରଶାନ୍ତ କିଶୋର ଏବଂ ମନୋଜ ଭାରତୀଙ୍କ ବ୍ୟତୀତ ଏକ କୋଚିଂର ସଂଚାଳକ ରହମାଂସୁ ମିଶ୍ର, ନିଖିଲମଣି ତିୱାରୀ, ସୁଭାଷ କୁମାର ଠାକୁର, ଶୁଭମ ସ୍ନେହିଲ, ଆନନ୍ଦ ମିଶ୍ର, ରାକେଶ କୁମାର ମିଶ୍ର, ବିଷ୍ଣୁ କୁମାରଙ୍କ ସମେତ ମୋଟ ୨୧ ଜଣଙ୍କୁ ମାମଲାଭୁକ୍ତ କରିଛି ପୁଲିସ।

ଉଲ୍ଲେଖଯୋଗ୍ୟ, ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି)ର ଡିସେମ୍ବର ୧୩ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଶାୟୀମାନେ ପୁନଃ ପରୀକ୍ଷା ଦାବିରେ ଆନ୍ଦୋଳନ କରୁଛନ୍ତି। ଏକ ବିବୃତି ଜାରି କରି ବିହାର ପୁଲିସ କହିଛି ଯେ, ଗାନ୍ଧି ମଇଦାନରେ ରବିବାର ଏକ ଛାତ୍ର ଆନ୍ଦୋଳନର ଆୟୋଜନ ପାଇଁ ପ୍ରଶାନ୍ତ କିଶୋରଙ୍କ ଦଳ ପ୍ରଶାସନକୁ ଅନୁମତି ମାଗିଥିଲା। ହେଲେ ପ୍ରଶାସନ ଏହି ଅନୁମତି ଦେଇନଥିଲା। ଏହା ସତ୍ତ୍ୱେ ସେଠାରେ ଅନଧିକୃତ ଭାବେ ଛାତ୍ରଙ୍କୁ ମେଳି କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଇଥିଲା।

Advertisment

ଗତକାଲି ଯଦିଓ ସକାଳୁ ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୁଲିସ ସେଠାରେ ସୁରକ୍ଷା ବ୍ୟବସ୍ଥା କରିଥିଲା, ସନ୍ଧ୍ୟା ସୁଦ୍ଧା ସ୍ଥିତି କିନ୍ତୁ ବିଗିଡି ଯାଇଥିଲା। ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଶାନ୍ତ କିଶୋରଙ୍କ ନେତୃତ୍ୱରେ ସମସ୍ତ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଆଗେଇଲେ ଏବଂ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଏହା ପରେ ଆଶାୟୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ। ଛାତ୍ରମାନେ ସର୍ବସାଧାରଣ ଯାନବାହନ ଚଳାଚଳ ବନ୍ଦ କରି ରାସ୍ତା ଅବରୋଧ କରିଥିଲେ। ଏହା ପରେ ପୁଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିବା ସହ ପାଣି ମାଡ଼ କରିଥିଲା।

Prashant Kishore Student Protest Bihar News BPSC Aspirants Protest