ବ୍ଲାକରୋଜ୍ ବୁଡ଼ି ମାମଲା: ସିବିଆଇ ନେଇପାରେ ତଦନ୍ତ ଦାୟିତ୍ୱ, ବଢ଼ିଲା ବବି ଦାସଙ୍କ ଅଡ଼ୁଆ

ବବିଙ୍କ ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା କମ୍ପାନୀ ମେସର୍ସ ରେକ୍ଟର ମାଇନ୍ସ ଆଣ୍ଡ ମିନେରାଲସ ପ୍ରାଇଭେଟ୍ ଲିମିଟେଡର ଲୁହାପଥରକୁ ଏହି ମଙ୍ଗୋଲୀୟ ଜାହାଜ ‘ଏମଭିବ୍ଲାକରୋଜ୍‌’ ଚୀନ ନେଇ ଯାଉଥିଲା ବୋଲି ଜଣାପଡ଼ିଛି।

ସମୁଦ୍ରରେ ବୁଡି ଯାଇଥିବା ବ୍ଲାକରୋଜ୍‌

  • Published: Wednesday, 14 August 2024
  • , Updated: 14 August 2024, 09:50 PM IST

ଦୀର୍ଘ ୧୫ବର୍ଷ ପରେ ପାରାଦୀପ ସମୁଦ୍ରରେ ଏମଭି ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ହେବାର ସମ୍ଭାବନା ରହିଛି। ପାରାଦୀପ ସାମୁଦ୍ରିକ ଥାନାରେ ରୁଜୁ ଏହି ବ୍ଲାକରୋଜ୍ ବୁଡ଼ି ଘଟଣାର ତଦନ୍ତ ପ୍ରକ୍ରିୟାକୁ ସିବିଆଇକୁ ହସ୍ତାନ୍ତର କରିବା ନିମନ୍ତେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ଗୃହ ବିଭାଗ ଚଳିତ ଅଗଷ୍ଟ ୩ତାରିଖରେ ପୁଲିସ ଡିଜି ଓ କ୍ରାଇମବ୍ରାଂଚ ଏଡିଜିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କରିଥିବା ଅଭିଯୋଗ ଆଧାରରେ ଗୃହ ବିଭାଗ ଏଭଳି ଚିଠି ଲେଖିଛି। ଆଉ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣା ସିବିଆଇକୁ ହସ୍ତାନ୍ତର ହେବାର ସମ୍ଭାବନା ଥିବାବେଳେ ଏହା ବିଜେଡି ନେତା ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଅଡ଼ୁଆ ବଢ଼ାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବବିଙ୍କ ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା କମ୍ପାନୀ ମେସର୍ସ ରେକ୍ଟର ମାଇନ୍ସ ଆଣ୍ଡ ମିନେରାଲସ ପ୍ରାଇଭେଟ୍ ଲିମିଟେଡର ଲୁହାପଥରକୁ ଏହି ମଙ୍ଗୋଲୀୟ ଜାହାଜ ‘ଏମଭିବ୍ଲାକରୋଜ୍‌’ ଚୀନ ନେଇ ଯାଉଥିଲା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗୃହ ବିଭାଗର ଉପସଚିବ ମିନାକ୍ଷୀ ବେହେରା ଗତ ୩ତାରିଖରେ ରାଜ୍ୟ ପୁଲିସ ଡିଜି ଓ କ୍ରାଇମବ୍ରାଂଚ ଅତିରିକ୍ତ ଡିଜିଙ୍କୁ ଚିଠି ଲେଖି ପାରାଦୀପ ସାମୁଦ୍ରିକ ଥାନାର କେସ୍ ନମ୍ବର ୨୮/୨୦୦୯ର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର ନିମନ୍ତେ ଆଇନତଃ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ଏହାସହିତ ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରଧାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାଖଲ ଅଭିଯୋଗକୁ ମଧ୍ୟ ଗୃହ ବିଭାଗ ଦ୍ୱାରା ପୁଲିସ ଡିଜିଙ୍କ ନିକଟକୁ ପଠାଯାଇଛି।

ସେହିପରି ଶ୍ରୀ ପ୍ରଧାନଙ୍କ ଅଭିଯୋଗ ପତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୦୯ ସେପ୍ଟେମ୍ବର ୯ତାରିଖରେ ପାରାଦୀପ ବନ୍ଦର ନିକଟରୁ ପ୍ରାୟ ୫କିମି ଦୂରରେ ଏମଭି ବ୍ଲାକରୋଜ୍ ଜାହାଜ ବୁଡ଼ି ଯାଇଥିଲା। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ମଙ୍ଗୋଲୀୟ ଜାହାଜ ବେଆଇନ ଭାବେ ଏବି ମିନେରାଲ୍ସ ଓ ବବି ଦାସଙ୍କ ପରିବାରର କମ୍ପାନୀ ରେକ୍ଟର ମାଇନ୍ସର ୨୩୮୪୭ ମେଟ୍ରିକ ଟନ୍ ଲୁହାପଥର ଓ ୯୨୦ମେଟ୍ରିକ ଟନ୍ ଫର୍ଣ୍ଣେସକୁ ନେଇ ଚୀନ ଯାଉଥିଲା। ଏହି ଘଟଣା ସେତେବେଳେ ଅଧିକ ବିବାଦୀୟ ହେବାରୁ ରାଜ୍ୟ ସରକାର ୨୦୦୯ ଡିସେମ୍ବର ୧୭ରେ ଉକ୍ତ ମାମଲାକୁ ରାଜ୍ୟ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଉଭୟ ପୁଲିସ ଓ କ୍ରାଇମବ୍ରାଂଚ ଏହାର ତଦନ୍ତ କରିଥିଲେ ମଧ୍ୟ କାହାରିକୁ ଗିରଫ କିମ୍ବା ଜେରା କରିନଥିଲେ। ପରେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ଶଙ୍ଖନାଦ ବେହେରା ଓ ଗୁରୁପ୍ରସାଦ ମହାନ୍ତି ନାମକ ଦୁଇଜଣ ବ୍ୟକ୍ତି ଭିନ୍ନ ଭିନ୍ନ ମାମଲା ଓଡ଼ିଶା ହାଇକୋର୍ଟରେ ଦାଖଲ କରିଥିଲେ। କିନ୍ତୁ ସେମାନେ କୋର୍ଟରେ ବାରମ୍ବାର ଅନୁପସ୍ଥିତ ରହିବାରୁ ମାମଲା ଖାରଜ ହୋଇଯାଇଥିଲା।

୨୦୧୮ ମସିହାରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ଅନୁରୋଧ କରିଥିଲେ।  ଯାହା ଆଧାରରେ ସିବିଆଇ ୨୦୧୯ ସେପ୍ଟେମ୍ବର ୩୦ ଓ ଡିସେମ୍ବର ୯ତାରିଖରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ବ୍ଲାକରୋଜ୍ ବୁଡ଼ି ମାମଲାର ତଦନ୍ତ ସଂକ୍ରାନ୍ତ ଦସ୍ତାବିଜ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟ ସରକାର ଏଥିପ୍ରତି ସାମାନ୍ୟ ଦୃଷ୍ଟି ଦେଇନଥିଲେ। ୨୦୨୩ ଅଗଷ୍ଟ ୩୦ତାରିଖରେ ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରଧାନ ବ୍ଲାକରୋଜ୍ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ କରିଛନ୍ତି। ଯାହା ଏବେବି ବିଚାରଧୀନ ରହିଛି।

ସୂଚନାଯୋଗ୍ୟ, ବ୍ଲାକରୋଜ୍ ଜାହାଜ ବୁଡ଼ିବେଳେ ୨୬ଜଣ କ୍ର‌୍ୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିଲା, ମାତ୍ର ଜାହାଜର ମୁଖ୍ୟ ଇଞ୍ଜିନିୟରଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିଲା । ସେହି ଜାହାଜ ଏବେବି ସମୁଦ୍ର ମଝିରେ ପଡ଼ି ରହିଛି । ବିଜେଡି ସରକାର ରାଜ୍ୟରେ ଶାସନରେ ଥିବା ଦଳର ନେତା ବବି ଦାସ ନିଜର ପ୍ରଭାବ ବଳରେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାରେ ପ୍ରତିବନ୍ଧକ ସାଜୁଥିଲେ ବୋଲି ଚର୍ଚ୍ଚା । ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର ମାର୍ଗ ପ୍ରଶସ୍ତ ହୋଇଛି ।

Related story