ହିଣ୍ଡାଲକୋ ବିରୁଦ୍ଧରେ ମାମଲା ରୁଜୁ କଲା ସିବିଆଇ, ବଢ଼ିବ କି ନବୀନ ପଟ୍ଟନାୟକଙ୍କ ଅଡ଼ୁଆ

ତେବେ ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସିବିଆଇ ପ୍ରାରମ୍ଭିକ ତଦନ୍ତବେଳେ ହିଣ୍ଡାଲକୋକୁ ତଳବିରା-୧ ଖଣିରୁ ପ୍ରତିବର୍ଷ ୦.୪ ମିଲିୟନ ଟନ୍ କୋଇଲା ଖନନ ପାଇଁ ୨୦୦୧ରେ ପ୍ରଥମ ପରିବେଶ ମଞ୍ଜୁରୀ ମିଳିଥିଲା।

Representational Image

  • Published: Tuesday, 06 August 2024
  • , Updated: 06 August 2024, 08:36 PM IST

ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ତଳବିରା କୋଇଲା ଖଣି ପାଇଁ ବାଧ୍ୟତାମୂଳକ ପରିବେଶ ଅନୁମତି ହାସଲ ନିମନ୍ତେ ଆଦିତ୍ୟ ବିର୍ଲା ଗ୍ରୁପର ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ହିଣ୍ଡାଲକୋ ବ୍ୟାପକ ଲାଂଚ କାରବାର କରିଥିବାର ପ୍ରାରମ୍ଭିକ ପ୍ରମାଣ ଆଧାରରେ ସିବିଆଇ ଏଫଆଇଆର ରୁଜୁ କରିଛି । ପରିବେଶ ଅନୁମତି ପାଇଁ ହିଣ୍ଡାଲକୋ ମୋଟା ଅଙ୍କର ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଦେଇଥିବା ନେଇ ଅଭିଯୋଗ ଆସିବା ପରେ ୨୦୧୬ ମସିହାରେ ସିବିଆଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା । ଏବେ ପ୍ରାୟ ଦୀର୍ଘ ୮ବର୍ଷ ପରେ ସିବିଆଇ ଏହି ଅଭିଯୋଗ ଉପରେ ମାମଲା ରୁଜୁ କରିଛି । ଯାହାକି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଡ଼ୁଆ ବଢ଼ାଇବାର ଆଶଙ୍କା ଦେଖାଦେଇଛି । ୨୦୦୫ ଅଗଷ୍ଟ ୧୭ତାରିଖରେ ନବୀନ ହିଁ ହିଣ୍ଡାଲକୋକୁ ତଳବିରା କୋଇଲା ଖଣି ଦେବା ପାଇଁ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଲିଖିତ ଅନୁରୋଧ କରିଥିଲେ।

ସୂଚନା ଅନୁସାରେ, ତତକାଳୀନ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଟି ଚାନ୍ଦିନୀଙ୍କ ବିରୁଦ୍ଧରେ ମଧ୍ୟ ସରକାରୀ ଗାଇଡଲାଇନକୁ ଉଲ୍ଲଘଂନ କରି ଝାରସୁଗୁଡ଼ାର ଅତ୍ୟଧିକ ପ୍ରଦୂଷିତ ଅଂଚଳରେ ତଳବିରା-୧ କୋଇଲା ଖଣିରେ ଖନନର ଅନୁମତି ଦେବା ପାଇଁ ଏକ୍ସପର୍ଟ ଆପ୍ରାଇଜାଲ କମିଟି(ଇଏସି)ର ସଦସ୍ୟ ସଚିବ ଭାବେ କମ୍ପାନୀ ସପକ୍ଷରେ ମତ ରଖିଥିବାର ପ୍ରମାଣ ମଧ୍ୟ ସିବିଆଇକୁ ମିଳିଛି । ଆଦିତ୍ୟ ବିର୍ଲା ଗ୍ରୁପର ଏହି କମ୍ପାନୀ ତଳବିରା କୋଇଲା ଖଣି ପାଇଁ ପରିବେଶ ଅନୁମତି ହାସଲ କରିବାକୁ ୨୦୧୧ରୁ ୨୦୧୩ ମସିହା ମଧ୍ୟରେ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ବ୍ୟାପକ ଲାଂଚ ଦେଇଥିବାର ଅଭିଯୋଗ ଉପରେ ସିବିଆଇ ୨୦୧୬ ମସିହାରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା । ଆଉ ଏହି ପ୍ରାରମ୍ଭିକ ତଦନ୍ତର ୮ବର୍ଷ ପରେ ସିବିଆଇ ଏବେ ମାମଲା ରୁଜୁ କରିଛି । ତଦନ୍ତରୁ ଜଣାପଡ଼ିଛି ଯେ, ୨୦୦୬ ମସିହାରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନରେ ସମସ୍ତ ନୂଆ ପ୍ରକଳ୍ପ, ବର୍ତ୍ତମାନ ପ୍ରକଳ୍ପର ସମ୍ପ୍ରସାରଣ ଓ  ଉତ୍ପାଦ ୟୁନିଟରେ ପରିବର୍ତ୍ତନ ଆଦି ପାଇଁ ପରିବେଶ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଥିଲା । ଯେଉଁ ପ୍ରକଳ୍ପକୁ ଆଗୁଆ ପରିବେଶ ଅନୁମତିର ଆବଶ୍ୟକତା ଥିଲା, ସେଗୁଡ଼ିକୁ ବିଭିନ୍ନ ବିଶେଷଜ୍ଞ ବିଶିଷ୍ଟ କମିଟି(ଇଏସି) ମାଧ୍ୟମ ଦେଇ ଯିବାକୁ ପଡ଼ୁଥିଲା । ଇଏସିଙ୍କ ସୁପାରିଶ ଆଧାରରେ ନିୟାମକ ପ୍ରାଧିକରଣ ଏହି ପରିବେଶ ଅନୁମତି ଦେଉଥିଲେ।

ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସିବିଆଇ ପ୍ରାରମ୍ଭିକ ତଦନ୍ତବେଳେ ହିଣ୍ଡାଲକୋକୁ ତଳବିରା-୧ ଖଣିରୁ ପ୍ରତିବର୍ଷ ୦.୪ ମିଲିୟନ ଟନ୍ କୋଇଲା ଖନନ ପାଇଁ ୨୦୦୧ରେ ପ୍ରଥମ ପରିବେଶ ମଞ୍ଜୁରୀ ମିଳିଥିଲା । ୨୦୦୯ ଜାନୁୟାରୀରେ ଏହାର ସମ୍ପ୍ରସାରଣ ପାଇଁ ଆଉ ଏକ ମଞ୍ଜୁରୀ ଦିଆଯାଇଥିଲା । ଯେଉଁଥିରେ ଖନନରେ ୦.୪ ଏମଟିପିଏରୁ ୧.୫ ଏମଟିପିଏ(ବାର୍ଷିକ ଦେଢ଼ ନିୟୁତ ଟନ ଉତ୍ପାଦନ) ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା । ଦ୍ୱିତୀୟ ମଞ୍ଜୁରୀର ପ୍ରାୟ ଏକମାସ ପରେ କମ୍ପାନୀ ନିଜର କ୍ଷମତାକୁ ୩ ଏମଟିପିପିଏ(ଦୁଇଗୁଣା ବୃଦ୍ଧି) ପାଇଁ ଦାବି କରିଥିଲା, ଯାହା ଉପରେ ଇଏସି ଦ୍ୱାରା ବିଚାର କରାଯିବାର ଥିଲା । କମ୍ପାନୀ ୨୦୦୧ ଓ ୨୦୦୯ରେ ଦିଆଯାଇଥିବା ମଞ୍ଜୁରୀକୁ ଉଲ୍ଲଘଂନ କରି ଅଧିକ କୋଇଲା ଉତ୍ପାଦନ କରିଛି । କମ୍ପାନୀ ୨୦୦୪-୦୫ରୁ ୨୦୦୭-୦୮ ଓ ୨୦୦୮-୦୯ ପର୍ଯ୍ୟନ୍ତ ୩.୦୪ ଏନଟିପିଏ ଅତିରିକ୍ତ କୋଇଲା ଖନନ କରିଥିଲା । ଯାହାକି ଇଏସି ଦ୍ୱାରା କମ୍ପାନୀର ଆବେଦନ ଉପରେ ବିଚାରବେଳେ ପଦାକୁ ଆସିଥିଲା, ଯେଉଁ ଇଏସିରେ ଟି ଚାନ୍ଦିନୀ ସଦସ୍ୟ ସଚିବ ଥିଲେ । ସିବିଆଇ ଆହୁରି ଅଭିଯୋଗ କରିଛି ଯେ, ଝାରସୁଗୁଡ଼ାର ଅତ୍ୟଧିକ ପ୍ରଦୂଷିତ ଅଂଚଳରେ ତଳବିରା ଖଣି ଥିବା ନେଇ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ପଷ୍ଟ କରିଥିଲେ ବୋଲି ସିବିଆଇ ଅଭିଯୋଗ କରିଛି।

ସେହିପରି ମନ୍ତ୍ରଣାଳୟର ନିୟମ ଅନୁସାରେ, ଅତ୍ୟଧିକ ପ୍ରଦୂଷିତ ଅଂଚଳରେ ପାଇପଲାଇନ୍ ପ୍ରକଳ୍ପ ଅବା ୨୦୧୦ ଜାନୁୟାରୀ ୧୩ ପରେ ଆବେଦନ କରିଥିବା ପ୍ରକଳ୍ପଗୁଡ଼ିକୁ ଉପଦେଷ୍ଟାମାନଙ୍କ ମଞ୍ଜୁରୀ ସହ ସଦସ୍ୟ ସଚିବଙ୍କ ଦ୍ୱାରା ପ୍ରକଳ୍ପର ପ୍ରସ୍ତାବକଙ୍କୁ ଫେରାଇ ଦିଆଯିବାର ଥିଲା । କିନ୍ତୁ ନିର୍ଦ୍ଦେଶିକା ଟି.ଚାନ୍ଦିନୀ କମ୍ପାନୀ ପୂର୍ବ ପରିବେଶ ଅନୁମତିକୁ ଉଲ୍ଲଘଂନ କରି ଅତିରିକ୍ତ କୋଇଲା ଖନନ କରିଥିବା ଜାଣି ମଧ୍ୟ  କମ୍ପାନୀର ଆବେଦନକୁ ଫେରାଇ ନଥିଲେ । ଆଉ ନିଜ କ୍ଷମତାର ଦୁରୂପଯୋଗ କରି ହିଣ୍ଡାଲକୋକୁ ସୁହାଇବା ଭଳି କାର୍ଯ୍ୟ କରିଥିଲେ । ଆଉ ୨୦୧୦ ଫେବୃୟାରୀ ୨୫ତାରିଖରେ ହେବାକୁ ଥିବା ଇଏସି ବୈଠକରେ ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ହିଣ୍ଡାଲକୋକୁ ଲିଖିତ ଭାବେ ଅବଗତ କରାଇଥିଲେ । ପୂର୍ବରୁ ହିଣ୍ଡାଲକୋକୁ ତରବରିଆ ଭାବେ ପରିବେଶ ମଞ୍ଜୁରୀ ଦିଆଯାଇଥିଲା ବୋଲି ବୈଠକରେ ସମସ୍ତଙ୍କୁ ସୁନିଶ୍ଚିତ କରାଇଥିଲେ ବୋଲି ସିବିଆଇ ପ୍ରାରମ୍ଭିକ ତଦନ୍ତରୁ ଜାଣିପାରିଥିବା ନେଇ ଜାତୀୟ ସମ୍ବାଦପତ୍ରଗୁଡ଼ିକ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ସିବିଆଇ ତଳବିରା-୧ କୋଇଲା ଖଣିକୁ ପରିବେଶ ମଞ୍ଜୁରୀ ପାଇଁ ଅନିୟମିତତା ଦର୍ଶାଇ ହିଣ୍ଡାଲକୋ ବିରୁଦ୍ଧରେ ମାମଲା ରୁଜୁ କରିବା ପରେ ତଳବିରା-୨ କୋଇଲା ଖଣିକୁ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ସପକ୍ଷରେ ଆବଂଟନ ପାଇଁ ନବୀନ କରିଥିବା ସୁପାରିଶ ପୁଣିଥରେ ଚର୍ଚ୍ଚାକୁ ଆସିଛି । ନବୀନ ୨୦୦୫ ଅଗଷ୍ଟ ୧୭ତାରିଖରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଚିଠି ଲେଖି ତଳବିରା-୨ କୋଇଲା ଖଣିକୁ ହିଣ୍ଡାଲକୋ ସପକ୍ଷରେ ଆବଂଟନ ପାଇଁ ସୁପାରିଶ କରିଥିଲେ । ଯଦିଓ ସେହି ଖଣି ନେୟଭେଲି ଲିଗନାଇଟ୍ କର୍ପୋରେସନକୁ ଆବଂଟିତ ହୋଇଥିବା ନବୀନ ଓ ଓଡ଼ିଶା ସରକାର ୨୦୦୫ ଜାନୁୟାରୀ ୧୦ତାରିଖରୁ ଭଲ ଭାବେ ଅବଗତ ଥିଲେ । କିନ୍ତୁ ନବୀନଙ୍କ ସୁପାରିଶ ପରେ ହିଣ୍ଡାଲକୋକୁ ଖଣି ଆବଂଟନ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତତ୍ପରତା ଦେଖାଇଥିଲା । ଅବଶ୍ୟ ଏହି ତଳବିରା କୋଇଲା ଖଣି ମାମଲାରେ ନବୀନଙ୍କ ସମ୍ପୃକ୍ତି ଯାଂଚ ପାଇଁ ୨୦୧୩ ମସିହାରେ ସିବିଆଇର ତତକାଳୀନ ନିର୍ଦ୍ଦେଶକ ଓଡ଼ିଶା ଆସି ନବୀନଙ୍କୁ ଭେଟିଥିବା ଚର୍ଚ୍ଚା ହୋଇଥିଲା।

ଏବେ ଏତେବର୍ଷ ପରେ ପୁଣିଥରେ ତଳବିରା କୋଇଲା ଖଣି ମାମଲାରେ ସିବିଆଇ ସକ୍ରିୟ ହୋଇଥିବାରୁ ନବୀନଙ୍କ ଅଡ଼ୁଆ ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Related story