Advertisment

BJP ଶିବିରରେ ଉତ୍ସାହ: ନେତାଙ୍କୁ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ, ଛତିଶଗଡ଼ ନେତା-କର୍ମୀଙ୍କୁ ମନମୋହନଙ୍କ ପ୍ରଂଶସା

ଦଳର ନୂଆପଡ଼ା ନିର୍ବାଚନ ଦାୟିତ୍ୱ ତୁଲାଇଥିବା ସମସ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ସେ ଟାସ୍କ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଯେଉଁ ନେତା ଯେଉଁ ଅଂଚଳରେ ଥିଲେ, ସେହି ଅଂଚଳକୁ ଯାଇ ସ୍ଥାନୀୟ ସମସ୍ୟା ବୁଝନ୍ତୁ ।

BJP-celebrations

Celebrations in the BJP party Office

Advertisment

ନୂଆପଡ଼ା ଉପନିର୍ବାଚନର ବୃହତ୍ ବିଜୟକୁ ନେଇ ଓଡ଼ିଶା ବିଜେପି ବେଶ୍ ଉତ୍ସାହିତ ହୋଇପଡ଼ିଛି । ଫଳାଫଳ ଦିନ ଓ ପରଦିନ ଦୁଇଟି ବିଜୟ ସେଲିବ୍ରେସନ୍ ପରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ "ଧନ୍ୟବାଦ ସଭା’ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ଉପନିର୍ବାଚନରେ କାମ କରିଥିବା ନେତା ଓ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା ସହ ଆସନ୍ତା ୨ମାସ ମଧ୍ୟରେ ନୂଆପଡ଼ାରେ ବିଜୟ ଉତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ସେଠାକୁ ଗସ୍ତ କରିବେ ବୋଲି ଜଣାପଡ଼ିଛି ।

Advertisment

ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାସ୍କ: ଦୁଇ ମାସରେ ନୂଆପଡ଼ା ଗସ୍ତ

ରାଜ୍ୟ କାର୍ଯ୍ୟାଳୟରେ ଆଜି ଧନ୍ୟବାଦ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି ଯେ, ବିଜୟ ଉତ୍ସବ ପାଳନ ପାଇଁ ଦୁଇ ମାସ ଭିତରେ ସେ ନିଜେ ଏବଂ ଦାୟିତ୍ୱରେ ଥିବା ମନ୍ତ୍ରୀ ଓ ବିଧାୟକମାନେ ନୂଆପଡ଼ା ଯିବେ । ଦଳର ନୂଆପଡ଼ା ନିର୍ବାଚନ ଦାୟିତ୍ୱ ତୁଲାଇଥିବା ସମସ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ସେ ଟାସ୍କ ଦେଇ କହିଛନ୍ତି ଯେ ଯେଉଁ ନେତା ଯେଉଁ ଅଂଚଳରେ ଥିଲେ, ସେହି ଅଂଚଳକୁ ଯାଇ ସ୍ଥାନୀୟ ସମସ୍ୟା ବୁଝନ୍ତୁ ଏବଂ ଗୋଟିଏ ତାଲିକା ପ୍ରସ୍ତୁତ କରି ବିଜେପି ଉପସଭାପତି ବିରଞ୍ôଚ ନାରାୟଣ ତ୍ରିପାଠୀଙ୍କ ସହ ମନ୍ତ୍ରୀଙ୍କୁ ଦେବାକୁ ପରାମର୍ଶ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିନ ଥିଲା ସବୁ ପୋଲିଂ ବୁଥରେ ଆମର ଏଜେଂଟ ନଥିଲେ । କିନ୍ତୁ ଏଥର ସମସ୍ତେ ଏକାଠି ହୋଇ ଲଢ଼ି ବୃହତ ବିଜୟ ଦେଇଛନ୍ତି । ବିରୋଧୀ ଦଳ ବେଇମାନ, ଭୋଟ ଚୋରି ଏବଂ ପ୍ରାର୍ଥୀ ଚୋରି ଭଳି କଥା କହି ଆକ୍ରମଣ କଲେ ବି ତାହା କିଛି କାମ ଦେଲାନି । ମୁଖ୍ୟମନ୍ତ୍ରୀ ନୂଆପଡ଼ା ନିର୍ବାଚନକୁ ‘ଅପରେସନ ସିନ୍ଦୁର' ଭଳି ‘ଅପରେସନ ନୂଆପଡ଼ା' ହୋଇଛି ବୋଲି କହିଥିଲେ ଓ ନିର୍ବାଚନ ସମୟରେ ୪୮ଘଣ୍ଟା ମଧ୍ୟରେ ମାତ୍ର ୨ ଘଣ୍ଟା ବିଶ୍ରାମ ମିଳିଥିବା କହିଥିଲେ । ନୂଆପଡ଼ାରେ ଶିଳ୍ପ ପ୍ରତିଷ୍ଠା ହେବ ଓ ସରକାର ଏ ନେଇ ଯୋଜନା କରୁଛନ୍ତି ବୋଲି ସେ ଆଶ୍ୱାସନା ଦେଇଛନ୍ତି ।

Advertisment


ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ସୋସିଆଲ ମିଡିଆ ଇଞ୍ଜିନକୁ କରନ୍ତୁ ଚାର୍ଜ

ଧନ୍ୟବାଦ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦଳର ସୋସିଆଲ ମିଡିଆ ୱିଙ୍ଗକୁ ଅଧିକ ସକ୍ରିୟ ହେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, "ଆମ ସୋସିଆଲ ମିଡିଆ ଟିକେ ପଛରେ ରହିଛି । ଦଳୀୟ ସୋସିଆଲ ମିଡିଆରେ ସରକାରୀ କାର୍ଯ୍ୟକ୍ରମ ପ୍ରଚାର ପ୍ରସାରରେ ପଛରେ ପଡ଼ିଛି । ତେଣୁ ସୋସିଆଲ ମିଡିଆ ଇଞ୍ଜିନକୁ ଆହୁରି ଚାର୍ଜ କରିବାକୁ ହେବ ବୋଲି ସେ ସମସ୍ତ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ।

କଂଗ୍ରେସକୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ

କଂଗ୍ରେସକୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବିଭୀଷଣମାନଙ୍କ ଯୋଗୁଁ କଂଗ୍ରେସର ପରାଜୟ ହେଲା ଓ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସି ସଭାପତି କହୁଛନ୍ତି । କିନ୍ତୁ ବିଭୀଷଣମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ କଂଗ୍ରେସ ଶୂନ ହୋଇଯିବ କାରଣ କଂଗ୍ରେସ ଦଳରେ ୭୦ ପ୍ରତିଶତ ବିଭୀଷଣ । "କର୍ମ ତୋର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ । ବୋଲି କହି ସେ କଟାକ୍ଷ କରିବାକୁ ପଛାଇ ନଥିଲେ ।

ଋଣ ସୁଝିଲେ ପଡ଼ୋଶୀ ରାଜ୍ୟର ଦଳୀୟ କର୍ମୀ-ନେତା: ମନମୋହନ

ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନୂଆପଡ଼ା ବିଜୟର ସିକ୍ରେଟକୁ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, କୋମନା ବ୍ଲକ୍ ଓ ନୂଆପଡ଼ା ଏନଏସି ଆମ ପାଇଁ ଚ୍ୟାଲେଞ୍ଜ ଥିଲା । କିନ୍ତୁ ଶେଷ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ଗେମ୍‌ଚେଞ୍ଜର ହୋଇଥିଲା । ବିଜୟର ବଡ଼ ଶ୍ରେୟ ସେ ଛତିଶଗଡ଼ ନେତା-କର୍ମୀମାନଙ୍କୁ ଦେଇଛନ୍ତି । ୧୩୯ଟି ବୁଥ ଦାୟିତ୍ୱରେ ଛତିଶଗଡ଼ ନେତା-କର୍ମୀ ରହିଥିଲେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଚାର ପାଇଁ ଆସିଥିଲେ । ଛତିଶଗଡ଼ର ସାହୁ ସମାଜ ଏବଂ ଯାଦବ ସମାଜର ଲୋକେ ବିନା ଖର୍ଚ୍ଚରେ ସାଇକେଲରେ ବୁଲି କାମ କରିଥିବାରୁ ସେମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

 ପୁରୁଣା କଥା ମନେପକାଇ ସେ କହିଥିଲେ ଯେ, ରମଣ ସିଂଙ୍କ ସମୟରେ ଛତିଶଗଡ଼ ନିର୍ବାଚନବେଳେ ଓଡ଼ିଶାରୁ ୨ ହଜାର କର୍ମକତ୍ତା ସେଠାକୁ ଯାଇଥିଲେ । ଏଥର ଛତିଶଗଡ଼ କର୍ମକର୍ତ୍ତାମାନେ ସେହି ଋଣ ପରିଶୋଧ ସହ ଆମ ଉପରେ ଅଧିକ ଋଣ ଲଦି ଦେଲେ । ଛତିଶଗଡ଼ ନେତାଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍ ହେବ । ନୂଆପଡ଼ା ବିଜୟ ନେଇ ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏକ ଧନ୍ୟବାଦ ପତ୍ର ଲେଖିବେ । ଅବଶ୍ୟ ନିର୍ବାଚନର ସପ୍ତାହକ ପୂର୍ବରୁ ବିଜୟ ଏକପାଖିଆ ହେବ ବୋଲି ଜଣାପଡ଼ିଯାଇଥିବା ଶ୍ରୀ ସାମଲ କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe