Advertisment

‘ମୋ ସ୍ୱାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭାବି ନ ଥିଲି’

ଆଜି ବିଧିବଦ୍ଧ ଭାବେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

author-image
Tapaswini Nayak
ଅଦ୍ୟତନ ହୋଇଛି
Priyanka marndi

Priyanka marndi

ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବରିଷ୍ଠ ବିଜେପି ନେତା ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କ ବାସଭବନରେ ଦେଖିବାକୁ ମିଳିଛି ସେଲିବ୍ରେସନର ମାହୋଲ। ପରିବାର ଲୋକେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି। ଅନେକ ଶୁଭେଚ୍ଛୁମାନେ ଆସି ମୋହନ ମାଝୀ ଓ ତାଙ୍କ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ପାଇଥିବାରୁ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ମୋହନ ମାଝୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି। ସେ କହିଛନ୍ତି, ମୋ ସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି। ସେଥିପାଇଁ ବହୁତ ଖୁସି ଲାଗୁଛି, ଗର୍ବ ଅନୁଭବ ମଧ୍ୟ କରୁଛି। ଏଥିପାଇଁ ଓଡ଼ିଶାବାସୀ ମଧ୍ୟ ବହୁତ ଖୁସି ଅଛନ୍ତି।

Advertisment

ସେ ଆହୁରି କହିଛନ୍ତି, ମୋ ସ୍ୱାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭାବି ନ ଥିଲି,ହେଲେ ମନ୍ତ୍ରୀ ହେବେ ବୋଲି ଆଶା ଥିଲା। ଘୋଷଣା ହେବା ପରେ ସବୁ ଜଣାପଡ଼ିଲା। ଲୋକମାନଙ୍କ ସେବା କରିବା ପାଇଁ ତାଙ୍କୁ ବଛାଯାଇଛି। ସେ ଜୀବନସାରା ଲୋକମାନଙ୍କ ସେବା କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ତାରିଣୀଙ୍କ ଆଶୀର୍ବାଦ ଯୋଗୁଁ ଆଜି ଏ ଖୁସିର ମୁହୂର୍ତ୍ତ ଆସିଛି ବୋଲି ମୋହନ ମାଝୀଙ୍କ ପତ୍ନୀ କହିଛନ୍ତି।

ଆଜି ବିଧିବଦ୍ଧ ଭାବେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ଭବ୍ୟ ଆୟୋଜନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଅର୍ଡର ଅଫ୍ ଆପଏଣ୍ଟମେଣ୍ଟ ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏଥିସହ ତାଙ୍କୁ ରାଜ୍ୟରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି। ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ। ସେମାନେ ମଧ୍ୟ ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିନିମନ୍ତେ ଭୁବନେଶ୍ୱର ଏକ ପ୍ରକାର ପୁଲିସ୍‌ ଛାଉଣୀରେ ପରିଣତ ହୋଇଥିବା ବେଳେ ନୂଅ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Odisha State Bjp Mohan Majhi