Advertisment

'ମୋତେ ମୁଖ୍ୟମନ୍ତ୍ରୀ ଆବାସରୁ ବାହାର କରାଯାଇଛି'; ଆତିଶୀଙ୍କ ସଂଗୀନ ଅଭିଯୋଗ

ଆବଶ୍ୟକ ହେଲେ ଯାଇ ସାଧାରଣ ଲୋକଙ୍କ ଘରେ ରହିବି, କିନ୍ତୁ ଦିଲ୍ଲୀର କାମ ବନ୍ଦ ହେବ ନାହିଁ ବୋଲି କହିଲେ ଆତିଶୀ। ମିଡିଆ ନେଇ ମୁଖ୍ୟମନ୍ତ୍ରୀ ଆବାସକୁ ଯିବୁ କହିଲେ ସଂଜୟ ସିଂହ।

Delhi CM Atishi

Delhi CM Atishi

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାପରେ ଜାତୀୟ ରାଜଧାନୀରେ ରାଜନୀତି ସରଗରମ ହୋଇଛି। ମଙ୍ଗଳବାର ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। ଗତ ତିନି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଜେପି ମୋ ଠାରୁ ମୋ ବାସଭବନ ଛଡ଼ାଇ ନେଇଛି ବୋଲି କହିଛନ୍ତି ଆତିଶୀ। ଯଦି ଆବଶ୍ୟକ ହୁଏ, ମୁଁ ଯାଇ ସାଧାରଣ ଲୋକଙ୍କ ଘରେ ରହିବି, କିନ୍ତୁ ଦିଲ୍ଲୀର କାମ ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି।

Advertisment

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆତିଶୀ କହିଛନ୍ତି ଯେ ତିନି ମାସ ମଧ୍ୟରେ ଦ୍ୱିତୀୟ ଥର କେନ୍ଦ୍ର ସରକାର ମୋ ପାଇଁ ମୁଖ୍ୟମନ୍ତ୍ରୀ ବାସଭବନ ଆବଣ୍ଟନକୁ ବାତିଲ କରିଦେଇଛନ୍ତି। ବିଜେପି ଭାବୁଛି ଯେ ଆମଠାରୁ ଆମ ଘର ଛଡ଼ାଇ ନେଇ, ଆମକୁ ଦୁର୍ବ୍ୟବହାର କରି, ଆମ ପରିବାର ଲୋକଙ୍କୁ ଡରାଇ ଧମକାଇ ସେମାନେ ଦିଲ୍ଲୀର ଲୋକଙ୍କ ପାଇଁ ହେଉଥିବା କାମ ବନ୍ଦ କରିଦେବେ। ମୁଁ ଦିଲ୍ଲୀର ଲୋକଙ୍କୁ କହିବାକୁ ଚାହେଁ ଯେ ମୋର ଘର ଛଡ଼ାଇ ନେଲେ ମଧ୍ୟ କାମ ବନ୍ଦ ହେବ ନାହିଁ। ଯଦି ଆବଶ୍ୟକ ହୁଏ, ମୁଁ ଯାଇ ଦିଲ୍ଲୀର ଲୋକଙ୍କ ଘରେ ରହିବି ଏବଂ ଦୁଇଗୁଣା ଉତ୍ସାହର ସହ କାମ କରିବି। ଆତିଶୀ ଆହୁରି କହିଛନ୍ତି ଯେ, ବିଜେପି ମୋତେ ମୁଖ୍ୟମନ୍ତ୍ରୀ ବାସଭବନରୁ ବାହାର କରିଦେଇଛି, ଆଜି ମୁଁ ଏକ ପ୍ରତିଜ୍ଞା କରୁଛି ଯେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ମାସକୁ ୨୧୦୦ ଟଙ୍କା, ପ୍ରତ୍ୟେକ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିଙ୍କୁ ୧୮ ହଜାର ଟଙ୍କା ମାସିକ ଦରମା ଦେଇକି ହିଁ ରହିବି।

ଅନ୍ୟପଟେ ଆତିଶୀଙ୍କ ଅଭିଯୋଗ ଉପରେ ପିଡବ୍ଲ୍ୟୁଡି ସୂତ୍ରରୁ କୁହାଯାଇଛି ଯେ ତାଙ୍କୁ କୌଣସି ବାସଭବନରୁ ବାହାର କରି ଦିଆଯାଇନାହିଁ। ସେ କେବେ ସେଠାକୁ ଯାଇ ହିଁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସପ୍ତାହେ ମଧ୍ୟରେ ତାଙ୍କୁ ସେଛାକୁ ଯିବାର ଥିଲା। ହେଲେ ତିନି ମାସ ପର୍ଯ୍ୟନ୍ତ ସେ ସେଠାକୁ ନଯିବାରୁ ତାଙ୍କ ଆବଣ୍ଟନ ନିର୍ଦ୍ଦେଶ ଖାରଜ ହୋଇଯାଇଥିଲା। ଏହାପରେ ବି ସେ ଜାଣିଶୁଣି ଏହା ଉପରେ କୌଣସି ଧ୍ୟାନ ଦେଇନଥିଲେ। ଯାହାଫଳରେ ଘରଟି ବନ୍ଦ ହୋଇ ରହିଲା ଏବଂ ଏହା ଉପରେ ଚାଲିଥିବା ତଦନ୍ତ ବନ୍ଦ ହୋଇଗଲା।

Advertisment

ଉଲ୍ଲେଖ ଯୋଗ୍ୟ ବିଜେପି ପକ୍ଷରୁ କ୍ରମାଗତ ଭାବେ ଅଭିଯୋଗ ହୋଇଆସୁଛି ଯେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ବାସଭବନକୁ ଆଲିଶାନ ବଙ୍ଗଳା ଭାବେ ନବୀକରଣ କରିଥିଲେ। ଏହା ଭିତରେ ଅତ୍ୟାଧୁନିକ ଶୈଳୀରେ ସ୍ୱିମିଂ ପୁଲ୍ ଓ ମିନି ବାର୍ ଆଦି ତିଆରି କରିଥିଲେ। ଏହି ପ୍ରସଙ୍ଗରେ ଆପ୍ ସାଂସଦ ସଂଜୟ ସିଂହ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଏହି ବାସଭବନ ଭିତରେ ସ୍ୱିମିଂ ପୁଲ୍ ଓ ସୁନା ଛାଉଣୀ ହୋଇଥିବା ଶୌଚାଳୟ ଅଛି ବୋଲି ବିଜେପି ପ୍ରମାଣ ଦେଉ। କାଲି ସକାଳ ୧୧ଟା ସମୟରେ ମିଡିଆକୁ ସାଥିରେ ନେଇ ଆମେ ତା ଭିତରକୁ ଯିବୁ। ଆଉ ଦେଖିବୁ କେଉଁଠି ଅଛି ସ୍ୱିମିଂ ପୁଲ୍, ମିନି ବାର। ସତ୍ୟ ସାମ୍ନାକୁ ଆସିବା ଦରକାର।

Bjp AAP Sanjay Singh Atishi Delhi Election Delhi Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe