କେନ୍ଦ୍ରର ବଡ଼ ନିଷ୍ପତ୍ତି: ବିହାରକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ଏବେ ନୀତୀଶ କୁମାର କରିବେ କ’ଣ?

ନୀତୀଶ କୁମାରଙ୍କ ଜେଡିୟୁ ସହାୟତାରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିଛି। ହେଲେ ଜେଡିୟୁର ଦାବିକୁ ବାଏଁବାଏଁ ଉଡ଼ାଇ ଦେଇଛନ୍ତି କେନ୍ଦ୍ର ସରକାର।

ମୋଦିଙ୍କ ସହ ନୀତୀଶ କୁମାର

  • Published: Monday, 22 July 2024
  • , Updated: 22 July 2024, 04:11 PM IST

ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରୁଥିବା ବିଜେପିର ସହଯୋଗୀ ଜେଡିୟୁକୁ ଶକ୍ତ ଝଟକା ଲାଗିଛି। ନୀତୀଶ କୁମାରଙ୍କ ଜେଡିୟୁ ସହାୟତାରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିଛି। ହେଲେ ଜେଡିୟୁର ଦାବିକୁ ବାଏଁବାଏଁ ଉଡ଼ାଇ ଦେଇଛନ୍ତି କେନ୍ଦ୍ର ସରକାର। ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଜେଡିୟୁ ଦାବି କରି ଆସୁଥିଲା। କିନ୍ତୁ ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର କୌଣସି ଯୋଜନା ନାହିଁ।

ବିହାରର ଝାଞ୍ଜହରପୁରର ଜେଡିୟୁ ସାଂସଦ ରାମପ୍ରିତ ମଣ୍ଡଳ ଲୋକସଭାରେ ଅର୍ଥ ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ ଯେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ କୌଣସି ଯୋଜନା ଅଛି କି? ପଛୁଆ ବର୍ଗର ରାଜ୍ୟଗୁଡ଼ିକରେ ଅର୍ଥନୀତିକ ଅଭିବୃଦ୍ଧି ଓ ଶିଳ୍ପାୟନ ପାଇଁ ମନ୍ତ୍ରଣାଳୟର କିଛି ଯୋଜନା ରହିଛି କି?

ଏହାର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କିଛନ୍ତି, “ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର କାରଣ କିଛି ନାହିଁ। ପୂର୍ବରୁ ନ୍ୟାଶନାଲ ଡେଭଲପମେଣ୍ଟ କାଉନସିଲ (ଏନଡିସି) କିଛି ରାଜ୍ୟର ସ୍ଥିତିକୁ ବିଚାରକୁ ନେଇ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଇଥିଲେ। ଏଥିପାଇଁ ଏକାଧିକ ସର୍ତ୍ତ ରହିଛି। 

ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବାକୁ ସର୍ତ୍ତଗୁଡ଼ିକ ହେଲା ୧-ପାହାଡ଼ିଆ ଓ କଷ୍ଟକର ରାସ୍ତା ଥିବ ୨-କମ ଜନସଂଖ୍ୟା/ ବଡ଼ ସଂଖ୍ୟାରେ ଆଦିବାସୀ ଲୋକ ଥିବେ ୩- ପଡ଼ୋଶୀ ଦେଶରେ ସୀମାନ୍ତରେ ଥିବା ରାଜ୍ୟ ୪- ଅର୍ଥନୀତିକ ଓ ଭିତ୍ତିଭୂମି ବିକାଶରେ ପଛରେ ପଡ଼ିବା ୫- ରାଜ୍ୟ ପାଣ୍ଠି ଯୋଗାଡ଼ କରିବାକୁ ଅକ୍ଷମ ରହୁଥିବା ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥାଏ।

ପୂର୍ବରୁ ବିହାର ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସ୍ତାବକୁ ଗୋଟିଏ ଇଣ୍ଟର ମିନଷ୍ଟରିଆଲ ଗ୍ରୁପ ଦ୍ୱାରା ବିଚାର କରାଯାଇଥିଲା। ୨୦୧୨ ମାର୍ଚ୍ଚ ୩୦ରେ ଆଇଏମଜି ରିପୋର୍ଟ ଦେଇଥିଲା। ଆଇଏମଜି କହିଥିଲା ଯେ ଏନଡିସି ରଖିଥିବା ସର୍ତ୍ତ ଅନୁସାରେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବାର କୌଣସି କାରଣ ନାହିଁ।”

ଏବେ କେନ୍ଦ୍ର ସରକାର ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମିଳିବ ନାହିଁ କହିଥିବାରୁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ପଦକ୍ଷେପ ଉପରେ ସମସ୍ତ ନଜର ରହିଛି। କାରଣ ଏହି ପ୍ରସଙ୍ଗକୁ ନେଇ ଅନେକ ଥର ଜେଡିୟୁ ଓ ବିଜେପି ମଧ୍ୟରେ ମତପାର୍ଥକ୍ୟ ଦେଖିବାକୁ ମିଳିଛି। ଏପରି କି ବଜେଟ ଅଧିବେଶ ପୂର୍ବରୁ ବିସିଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଜେଡିୟୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କଥା ଉଠାଇଥିଲା। ତଥାପି ଜେଡିୟୁର ଦାବି ରହିନାହିଁ।

ନୀତୀଶ କୁମାର ପ୍ରଥମେ ବିରୋଧୀ ମେଣ୍ଟରେ ଥିଲେ। କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ସହ ହାତ ମିଳାଇଥିଲେ। ଏଥିସହ ବିଜେପିକୁ କେନ୍ଦ୍ରରେ ସମର୍ଥନ ଘୋଷଣା କରିଛନ୍ତି। ବିଜେପି ଏକାକୀ ସରକାର ଗଠନ କରିବାକୁ ଏଥର ସକ୍ଷମ ହୋଇନାହିଁ। ତେଣୁ ନୀତୀଶ କୁମାର ଓ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନରେ ଦଳ କେନ୍ଦ୍ରରେ ଶାସନ କରୁଛି। ଏବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାକୁ ପ୍ରସଙ୍ଗ କରି ନୀତୀଶ କୁମାର ଏନଡିଏରୁ ଓହରି ଯିବେ କି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା କହିଛନ୍ତି, “ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପ୍ରସଙ୍ଗ ସବୁବେଳେ ଜେଡିୟୁର ପ୍ରାଥମିକତା ରହିଛି। ଆରମ୍ଭରୁ ଆମ ଦଳ ଏପରି ଦାବି କରି ଆସିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିପାଇଁ ବଡ଼ବଡ଼ ରାଲି କରିଛନ୍ତି। ଯଦି କେନ୍ଦ୍ର ସରକାର ଭାବୁଛନ୍ତି, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାରେ ସମସ୍ୟା ରହିଛି, ତେବେ ଆମେ ବିହାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି କରୁଛୁ।”

ତେବେ କେନ୍ଦ୍ର ସରକାର ସହଯୋଗୀ ଜେଡିୟୁର ପ୍ରମୁଖ ଦାବିକୁ ଅଣଦେଖା କରିବାରୁ ବିହାରର ପ୍ରମୁଖ ବିରୋଧୀ ଦଳ ଆରଜେଡି ଏହାକୁ କଟାକ୍ଷ କରିଛି। ଆରଜେଡି କହିଛି, “ନୀତୀଶ କୁମାର ଓ ଜେଡିୟୁର ନେତାମାନେ କେନ୍ଦ୍ରରେ କ୍ଷମତାର ଫଳକୁ ଉପଭୋଗ କରନ୍ତୁ। ଏଥିସହ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାକୁ ନେଇ ନିଜର ରାଜନୀତିକ ଡ୍ରାମା କରନ୍ତୁ।”

Related story