ଦିନେ ଅନାସ୍ଥା ଆଣିଥିଲେ, ଏବେ ମୋଦି ସରକାରଙ୍କ ସପକ୍ଷରେ ବାହାରିଲେ

ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏକଦା କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା। ଏହାକୁ ବିରୋଧୀ ଦଳଗୁଡ଼ିକ ସମର୍ଥନ କରିଥିଲେ। ଏହାପରେ ଗୋଟିଏ ଦିନ ବିତର୍କ ବି ହୋଇଥିଲା।

ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ (ଫାଇଲ ଫଟୋ)

  • Published: Wednesday, 02 August 2023
  • , Updated: 02 August 2023, 04:20 PM IST

ରାଜନୀତିରେ ସବୁ ସମ୍ଭବ। ଆଜି ଯିଏ ଶତ୍ରୁ, କାଲି ସିଏ ମିତ୍ର ହୋଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି(ଟିଡିପି) ଏହି କଥାକୁ ପ୍ରମାଣିତ କରି ଦେଖାଇଛି।

ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏକଦା କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା। ଏହାକୁ ବିରୋଧୀ ଦଳଗୁଡ଼ିକ ସମର୍ଥନ କରିଥିଲେ। ଏହାପରେ ଗୋଟିଏ ଦିନ ବିତର୍କ ବି ହୋଇଥିଲା।

ହେଲେ ଏବେ ସେହି ଟିଡିପି ମୋଦି ସରକାରଙ୍କୁ ଖୋଲା ସମର୍ଥନ ଘୋଷଣା କରିଛି। ଦିଲ୍ଲୀର ପ୍ରଶାସନିକ ସେବାକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌କୁ ଟିଡିପି ସମର୍ଥନ କରିବ ବୋଲି କହିଛି।

ବିଜେପି ନେତୃତ୍ୱାଧୀନ ଏନଡିଏରୁ ଟିଡିପି ୨୦୧୮ରେ ଅଲଗା ହୋଇ ଯାଇଥିଲା। ଏବେ ବିଧିବଦ୍ଧ ଭାବେ ଦଳ ଏନଡିଏ ସହ ନାହିଁ। କିନ୍ତୁ ସଂସଦରେ ଟିଡିପି କେନ୍ଦ୍ରର ଦିଲ୍ଲୀ ବିଲ୍‌କୁ ସମର୍ଥନ କରିବ ବୋଲି କହିଛି।

ଟିଡିପି ୨୦୧୮ରେ ଏନଡିଏ ଠାରୁ ଅଲଗା ହେବା ପରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା। ଏହାକୁ ବିରୋଧୀ ନିଃସର୍ତ୍ତ ସମର୍ଥନ କରିଥିଲେ। ହେଲେ ଏବେ ବିରୋଧୀ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଟିଡିପି ନିଜକୁ ଏଥିରୁ ଦୂରେଇ ରଖିଛି। ଏପରି କି ଦଳ ଅନାସ୍ଥା ପ୍ରସ୍ତାବ ବେଳେ ସରକାରଙ୍କ ସହ ରହିବାକୁ ଯୋଜନା କରିଛି।

ଲୋକସଭାରେ ଟିଡିପିର ୩ ଜଣ ଓ ରାଜ୍ୟସଭାରେ ଜଣେ ସାଂସଦ ରହିଛନ୍ତି। ଏମାନଙ୍କ ସମର୍ଥନ ନିଶ୍ଚିତ ଭାବେ ମୋଦି ସରକାରଙ୍କୁ ଆହୁରି ଶକ୍ତିଶାଳୀ କରିବ। ଟିଡିପି ପୂର୍ବରୁ ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ୱାଇଏସ୍‌ଆର କଂଗ୍ରେସ ମଧ୍ୟ ଦିଲ୍ଲୀ ବିଲ୍‌କୁ ସମର୍ଥନ କରିବ ବୋଲି କହିଥିଲା। ଏହାର ଅର୍ଥ ଆନ୍ଧ୍ର ପ୍ରଦେଶର ଦୁଇ ଶକ୍ତିଶାଳୀ ଦଳ ଏବେ ବିଜେପି ସହ ହାତ ମିଳାଇଛନ୍ତି।

ଏହି ଦୁଇ ଦଳ ସହ ଏନଡିଏରେ ନଥିବା ବିଜେଡି ମଧ୍ୟ ଦିଲ୍ଲୀ ବିଲ୍‌କୁ ସମର୍ଥନ କରିବ ବୋଲି କହିଛି। ରାଜ୍ୟସଭାରେ ଦଳର ୯ ଜଣ ସାଂସଦ ରହିଛନ୍ତି। ଏମାନଙ୍କ ସମର୍ଥନରେ ଦିଲ୍ଲୀ ବିଲ୍‌କୁ ସରକାର ବେଶ ସହଜରେ ରାଜ୍ୟସଭାରେ ପାରିତ କରିବାକୁ ସକ୍ଷମ ହୋଇଛନ୍ତି।

ରାଜ୍ୟସଭାରେ କୌଣସି ବିଲ୍‌ ପାସ୍‌ କରାଇବା ପାଇଁ ବର୍ତ୍ତମାନ ୧୨୦ ଜଣ ସାଂସଦଙ୍କ ସମର୍ଥନ ଦରକାର। ବିଜେଡି, ୱାଇଏସ୍‌ଆର କଂଗ୍ରେସ, ଟିଡିପି ଓ ମାୟାବତୀଙ୍କ ବିଏସ୍‌ପିକୁ ମିଶାଇଲେ ବିଜେପି ନେତୃତ୍ୱାଧୀନ ସରକାର ପାଖରେ ୧୨୭ ସାଂସଦ ରହିଛନ୍ତି।

ବିରୋଧୀ ଦଳଗୁଡ଼ିକ ପାଖରେ ୧୦୯ ଜଣ ସାଂସଦ ଅଛନ୍ତି। ତେଣୁ ଦିଲ୍ଲୀ ବିଲ୍‌କୁ ରାଜ୍ୟସଭାରେ ମାତ ଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟକା ଲାଗିଛି।

Related story