Loka Seva Bhawan
ସର୍ବଭାରତୀୟ ସେବାରେ ରାଜ୍ୟରେ କାର୍ଯ୍ୟରତ ଅଫିସରମାନେ ଜାନୁୟାରୀ ୩୧ତାରିଖ ସୁଦ୍ଧା ନିଶ୍ଚିତ ଭାବେ ନିଜର ସମ୍ପତ୍ତି ବିବରଣୀ ଦାଖଲ କରିବେ । ଏହି ଅବଧି ମଧ୍ୟରେ ଯଦି କୌଣସି ଅଫିସର ଅନଲାଇନରେ ସମ୍ପତ୍ତି ବିବରଣୀ ପୈଠ କରିନଥିବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ଉପର ପାହ୍ୟାକୁ ପଦୋନ୍ନତି (ଅଧିକ ଦରମା ହାର) ମଧ୍ୟ ମିଳିବ ନାହିଁ । ଓଡ଼ିଶା କ୍ୟାଡ଼ରରେ କାର୍ଯ୍ୟରତ ସମସ୍ତ ଆଇଏଏସ୍, ଆଇପିଏସ୍ ଓ ଆଇଏଫଏସ୍ ଅଫିସରମାନଙ୍କୁ ଏ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।
ଚଳିତମାସ ୧୮ତାରିଖରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦୀପ୍ତି ଉମାଶଙ୍କର ଉଲ୍ଲେଖ କରିଛନ୍ତି ଯେ, ସର୍ବଭାରତୀୟ ସେବା(କଣ୍ଡକ୍ଟ) ରୁଲସ-୧୯୬୮ର ଧାରା ୧୬(୨) ଅନୁସାରେ ସର୍ବଭାରତୀୟ ସେବାରେ ଥିବା ସମସ୍ତ ସଦସ୍ୟ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଏକ ନିର୍ଦ୍ଧାରିତ ଫର୍ମାଟରେ ଦାଖଲ କରିବାକୁ ବାଧ୍ୟ । ଜାନୁୟାରୀ ୩୧ତାରିଖ ସୁଦ୍ଧା ନିଜର ସମ୍ପତ୍ତି ବିବରଣୀ ଅନଲାଇନରେ ଦାଖଲ କରିବାକୁ ହେବ । ଯଦି କୌଣସି ଅଫିସର ଏହାକୁ ଅମାନ୍ୟ କରନ୍ତି ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ପରବର୍ତ୍ତୀ ପାହ୍ୟାକୁ ପଦୋନ୍ନତିବେଳେ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲକୁ ବାଧ୍ୟତାମୂଳକ ପ୍ରାବଧାନ ଭାବେ ବିଚାର କରାଯିବ ।
ମନ୍ତ୍ରଣାଳୟ ପକ୍ଷରୁ ୨୦୧୬ ମସିହାରୁ ଅନଲାଇନରେ ସମ୍ପତ୍ତି ବିବରଣୀ ଦାଖଲ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଜାନୁୟାରୀ ୩୧ତାରିଖ ପରେ ଏହି ଅନଲାଇନ୍ ମଡ୍ୟୁଲ ଆପେଆପେ ବନ୍ଦ ହୋଇଯିବ । ୨୦୨୩ ମସିହାର ସମ୍ପତ୍ତି ବିବରଣୀକୁ ଅଫିସରମାନେ ନିଶ୍ଚିତ ଭାବେ ଜାନୁୟାରୀ ୩୧ତାରିଖ ସୁଦ୍ଧା ଅପଲୋଡ୍ କରିବା ଜରୁରୀ । କୌଣସି ଅଫିସର ନିଜର କ୍ୟାଡ଼ର କିମ୍ବା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ସମ୍ପତ୍ତି ବିବରଣୀର ହାର୍ଡ କପି ପଠାଇବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
୨୦୨୪ ଜାନୁୟାରୀ ସୁଦ୍ଧା ନିଜର ବାର୍ଷିକ ସମ୍ପତ୍ତି ବିବରଣୀ(୨୦୨୩ ମସିହାର)କୁ ଦାଖଲ କରିବା ପାଇଁ ସମସ୍ତ ଅଫିସରଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦୀପ୍ତି ଉମାଶଙ୍କର ଅନୁରୋଧ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ୱେବସାଇଟରେ ଥିବା ତଥ୍ୟ ଅନୁସାରେ ରାଜ୍ୟ ସରକାରରେ କାର୍ଯ୍ୟରତ ୩ଜଣ ଆଇଏଏସ୍ ୨୦୧୦ ବ୍ୟାଚର ରାମାସିସ୍ ହାଜରା, ୨୦୧୫ ବ୍ୟାଚର ଅମୃତ ଋତୁରାଜ ଓ ୨୦୧୬ ବ୍ୟାଚର ଏସ.ଡି.ଭାଉସାହେବ ସେମାନଙ୍କର ସମ୍ପତ୍ତି ବିବରଣୀ ଦାଖଲ କରିନାହାନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1689006385.jpg)