ପ୍ରଥମଥର ପାଇଁ ନିଜର ଅସନ୍ତୋଷ ଝାଡ଼ିଛନ୍ତି ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ। ବିଜେପିରେ ମିଶିବା ଚର୍ଚ୍ଚା ମଧ୍ୟରେ ଆଜି ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହାପରେ ସେ ନିଜ ଦଳ ଜେଏମଏମ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
ହେମନ୍ତ ସୋରେନ ଜେଲରୁ ବାହାରିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏପରି ଇସ୍ତଫା କଥା ତାଙ୍କ ଆତ୍ମ ସମ୍ମାନକୁ ବେଶ କଷ୍ଟ ଦେଇଥିଲା ବୋଲି ଆଜି ଚମ୍ପାଇ ସୋରେନ କହିଛନ୍ତି।
ସେ ଏକ୍ସରେ ବିସ୍ତୃତ ଭାବେ ତାଙ୍କ ସହ ଜେଏମଏମରେ କ’ଣ ସବୁ ଘଟିଛି ସେସବୁ କଥା ସେ ଉଲ୍ଲେଖ କରିଛନ୍ତି। ଏଥିସହ ଏବେ ତାଙ୍କ ପାଖରେ ୩ଟି ବିକଳ୍ପ ଥିବା କଥା ମଧ୍ୟ କହିଛନ୍ତି। ଏହାର ଅର୍ଥ ସେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ସେହିପରି ସେ ଏକ୍ସରେ ପୋଷ୍ଟ କରିବା ବେଳେ ବେଶ ଭାବବିହ୍ୱଳ ମଧ୍ୟ ହୋଇଯାଇଛନ୍ତି।
ସେ କହିଛନ୍ତି, “ଆଜି ଖବର ଦେଖିବା ପରେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠିପାରେ। ସର୍ବଶେଷରେ ଏମିତି କ’ଣ ଘଟିଲା ଯେ କୋଲହାନର ଏକ ଛୋଟ ଗାଁରେ ରହୁଥିବା ଜଣେ ଗରିବ କୃଷକର ପୁଅକୁ ଏପରି ସ୍ଥିତିକୁ ଚାଲି ଆସିଲା? ମୁଁ ମୋର ସର୍ବ ସାଧାରଣ ଜୀବନ ଆରମ୍ଭ କରିବା ଦିନ ଠାରୁ ଶ୍ରମିକଙ୍କ ସ୍ୱର ସାଜିଛି।
ଶ୍ରମିକଙ୍କ ସ୍ୱର ଠାରୁ ଆରମ୍ଭ କରି ଝାରଖଣ୍ଡ ଆନ୍ଦୋଳନ ପର୍ଯ୍ୟନ୍ତ ମୁଁ ସର୍ବଦା ଜନସାଧାରଣଙ୍କ ପାଇଁ ରାଜନୀତି କରିଆସିଛି। ରାଜ୍ୟର ଆଦିବାସୀ, ଗରିବ, ଶ୍ରମିକ, ଛାତ୍ର ଓ ପଛୁଆ ବର୍ଗର ଲୋକଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବାକୁ ଚେଷ୍ଟା କରୁଛି। କୌଣସି ପଦବୀରେ ଥାଏ କି ନଥାଏ ପ୍ରତି ମୁହୂର୍ତ୍ତରେ ମୁଁ ଜନସାଧାରଣଙ୍କ ନିକଟରେ ଉପଲବ୍ଧ ରହିଛି। ସେମାନଙ୍କ ପ୍ରସଙ୍ଗ ଉଠାଇଛି।
ଏସବୁ ଭିତରେ ଜାନୁଆରୀ ୩୧ରେ ଏକ ଅଦ୍ଭୁତ ଘଟଣାକ୍ରମରେ ଇଣ୍ଡିଆ ଗଠବନ୍ଧନ ମୋତେ ଝାରଖଣ୍ଡର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ସେବା କରିବାକୁ ମନୋନୀତ କରିଥିଲା। ମୋର କାର୍ଯ୍ୟକାଳର ପ୍ରଥମ ଦିନରୁ ଆରମ୍ଭ କରି ଶେଷ ଦିନ (ଜୁଲାଇ ୩) ପର୍ଯ୍ୟନ୍ତ ମୁଁ ସମ୍ପୂର୍ଣ୍ଣ ନିଷ୍ଠା ସହିତ ରାଜ୍ୟ ପ୍ରତି ମୋର କର୍ତ୍ତବ୍ୟ ପାଳନ କରିଥିଲି।
ଏହି ଅବଧି ମଧ୍ୟରେ ଆମେ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଅନେକ ନିଷ୍ପତ୍ତି ନେଇଥିଲୁ ଓ ସବୁଥର ପରି ସମସ୍ତଙ୍କ ପାଇଁ ସର୍ବଦା ଉପଲବ୍ଧ ରହିଥିଲୁ। ମହିଳା, ଯୁବକ, ଛାତ୍ର ତଥା ସମାଜର ପ୍ରତ୍ୟେକ ବର୍ଗ ତଥା ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧ୍ୟାନରେ ରଖି ଆମ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିର ମୂଲ୍ୟାଙ୍କନ ରାଜ୍ୟବାସୀ କରିବେ।
ଯେତେବେଳେ କ୍ଷମତା ମିଳିଲା ସେତେବେଳେ ବାବା ତିଲକା ମାଞ୍ଝୀ, ପ୍ରଭୁ ବିର୍ସା ମୁଣ୍ଡା ଓ ସିଡୋ-କାହ୍ନୁଙ୍କ ଭଳି ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରାଜ୍ୟ ସେବା କରିବାକୁ ସ୍ଥିର କରିଥିଲି। ଝାରଖଣ୍ଡର ପ୍ରତ୍ୟେକ ପିଲା ଜାଣନ୍ତି ଯେ ମୋର କାର୍ଯ୍ୟକାଳ ମଧ୍ୟରେ ମୁଁ କାହା ସହିତ କୌଣସି ଭୁଲ କରି ନ ଥିଲି କିମ୍ବା ଏପରି ଭୁଲ ଘଟିବାକୁ ଦେଇ ନ ଥିଲି।
ଏଇ ଭିତରେ ହୁଲ ଦିବସର ପରଦିନ ମୁଁ ଜାଣିଲି ଯେ ଆଗାମୀ ଦୁଇ ଦିନ ପାଇଁ ମୋର ସମସ୍ତ କାର୍ଯ୍ୟକ୍ରମ ଦଳର ନେତୃତ୍ୱ ଦ୍ୱାରା ସ୍ଥଗିତ କରି ଦିଆଯାଇଛି। ପଚାରିବା ପରେ ଜଣାପଡ଼ିଲା ଯେ ଜୁଲାଇ ୩ରେ ଗଠବନ୍ଧନ ତରଫରୁ ବିଧାୟକ ଦଳ ବୈଠକ ଡକାଯାଇଛି। ସେଯାଏ ମୁଖ୍ୟମନ୍ତ୍ରୀ ଭାବେ ମୁଁ କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ।
ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଅନ୍ୟ କେହି ବାତିଲ କରିବା ଠାରୁ ସମ୍ଭବତଃ ଅଧିକ ଅପମାନଜନକ କଥା କିଛି ହୋଇ ନପାରେ? ଅପମାନର ଏହି ତିକ୍ତ ଘଟଣା ପରେ ବି ମୁଁ କହିଲି ଯେ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ ସକାଳେ ହେବ ଓ ଅପରାହ୍ନରେ ବିଧାୟକ ଦଳ ବୈଠକ ବସିବ। ତେଣୁ ମୁଁ ସେଠାରୁ ସିଧା ବୈଠକରେ ଯୋଗଦେବି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ଶୁଣିବା ପରେ ଗତ ୪ ଦଶନ୍ଧିର ଧରି ମୋର ରାଜନୀତିକ ଯାତ୍ରା ମଧ୍ୟରେ ମୁଁ ପ୍ରଥମ ଥର ପାଇଁ ଭିତରୁ ଭାଙ୍ଗି ଯାଇଥିଲି।
ମୁଁ କ’ଣ କରିବି କିଛି ବୁଝି ପାରିଲି ନାହିଁ। ଦୁଇ ଦିନ ଧରି ମୁଁ ଚୁପଚାପ୍ ବସି ରହି ପୂରା ଘଟଣାରେ ମୋର ଭୁଲ୍ ଖୋଜିଲି। କ୍ଷମତା ପ୍ରତି ଲୋଭ ମଧ୍ୟ ନଥିଲା। କିନ୍ତୁ ମୁଁ ମୋର ଆତ୍ମ ସମ୍ମାନକୁ ଏହି ଆଘାତ କାହାକୁ ଦେଖାଇ ପାରିବି? ମୋର ପ୍ରିୟଜନଙ୍କ ଦ୍ୱାରା ଦିଆଯାଇଥିବା ଯନ୍ତ୍ରଣା ମୁଁ କେଉଁଠାରେ ପ୍ରକାଶ କରିବି?
ଯେତେବେଳେ ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀର ବୈଠକ ବର୍ଷ ବର୍ଷ ଧରି ହେଉନାହିଁ ଓ ଏକପାଖିଆ ଆଦେଶ ପାରିତ କରାଯାଉଛି ସେତେବେଳେ ମୁଁ କାହା ପାଖକୁ ଯାଇ ନିଜର ସମସ୍ୟା ପ୍ରକାଶ କରିବି? ଏହି ଦଳରେ ମୁଁ ବରିଷ୍ଠ ସଦସ୍ୟମାନଙ୍କ ମଧ୍ୟରେ ଗଣିତ ହୁଏ।
ଅନ୍ୟମାନେ କନିଷ୍ଠ। ମୋ ଠାରୁ ବରିଷ୍ଠ ସୁପ୍ରିମୋ(ଶିବୁ ସୋରେନ) ସ୍ୱାସ୍ଥ୍ୟ କାରଣରୁ ଆଉ ରାଜନୀତିରେ ସକ୍ରିୟ ନୁହନ୍ତି। ଏପରି ସ୍ଥିତିରେ ମୋ ପାଖରେ କେଉଁ ବିକଳ୍ପ ଥିଲା? ଯଦି ସେ ସକ୍ରିୟ ଥାଆନ୍ତେ, ତା’ହେଲେ ସ୍ଥିତି କିଛି ଅଲଗା ହୋଇଥାନ୍ତା।
କୁହାଯାଏ ଯେ ବିଧାୟକ ଦଳର ବୈଠକ ଡାକିବା ମୁଖ୍ୟମନ୍ତ୍ରୀଙ୍କ ଅଧିକାର। କିନ୍ତୁ ମୋତେ ବୈଠକର ଏଜେଣ୍ଡା ମଧ୍ୟ କୁହାଯାଇ ନଥିଲା। ବୈଠକ ବେଳେ ମୋତେ ଇସ୍ତଫା ଦେବାକୁ କୁହାଯାଇଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। କିନ୍ତୁ ମୁଁ କ୍ଷମତା ପ୍ରତି ଆକର୍ଷିତ ନଥିଲି। ତେଣୁ ମୁଁ ତୁରନ୍ତ ଇସ୍ତଫା ଦେଇଥିଲି। ହେଲେ ଏପରି ଘଟଣା ମୋର ଆତ୍ମ ସମ୍ମାନକୁ ଆଘାତ ଦେଇଥିଲା।
ଗତ ତିନି ଦିନ ଧରି ଅପମାନଜନକ ଆଚରଣକୁ ନେଇ ମୁଁ ମୋର ଲୁହକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲି। କିନ୍ତୁ ସେମାନଙ୍କୁ କେବଳ ଚେୟାର ପାଇଁ ଚିନ୍ତା ଥିଲା। ମୁଁ ଅନୁଭବ କରୁଛି ଯେ ଏହି ଦଳରେ ମୋର କୌଣସି ଅସ୍ତିତ୍ୱ ନାହିଁ। ଯେଉଁ ଦଳ ପାଇଁ ଆମେ ଆମର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଥିଲୁ, ସେଠାରେ ଆମର ଆଉ କୌଣସି ଆବଶ୍ୟକ ନାହିଁ।
ଏପରି ଅନେକ ଅପମାନଜନକ ଘଟଣା ଘଟିଛି ଯାହା ମୁଁ ଏହି ସମୟରେ ଉଲ୍ଲେଖ କରିବାକୁ ଚାହେଁ ନାହିଁ। ଏତେ ଅପମାନ ପରେ ମୁଁ ଏକ ବିକଳ୍ପ ରାସ୍ତା ଖୋଜିବାକୁ ବାଧ୍ୟ ହୋଇଛି।
ମୁଁ ବହୁତ କଷ୍ଟରେ ବିଧାୟକ ଦଳର ବୈଠକରେ କହିଥିଲି ଯେ ଆଜିଠାରୁ ମୋ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ମୋ ପାଖରେ ତିନୋଟି ବିକଳ୍ପ ଥିଲା। ପ୍ରଥମତଃ ରାଜନୀତିରୁ ସନ୍ନ୍ୟାସ ନେବା, ଦ୍ୱିତୀୟରେ ନିଜର ଅଲଗା ସଂଗଠନ ଗଢ଼ିବା ଓ ତୃତୀୟରେ ଯଦି ଏହି ରାସ୍ତାରେ କୌଣସି ସାଥୀ ପାଇଯାଉ, ତା’ହେଲେ ତାଙ୍କ ସହିତ ଆଗକୁ ବଢ଼ିବା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଓ ଆଗାମୀ ଝାରଖଣ୍ଡ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ ବିକଳ୍ପ ମୋ ପାଇଁ ଖୋଲା ଅଛି।”