Advertisment

ଇସ୍ତଫା ଦେଲେ ହେମନ୍ତ, ଚମ୍ପାଇ ସୋରେନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ

ଚମ୍ପାଇ ସୋରେନ ନିଜେ ହେମନ୍ତ ସୋରେନଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

author-image
Hemant Lenka
ଅଦ୍ୟତନ ହୋଇଛି
JMM

JMM

ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଅତ୍ୟନ୍ତ ଖାସ ଚମ୍ପାଇ ସୋରେନ ହେବେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ମାରଥାନ ଜେରା କରିବା ସହ ତାଙ୍କୁ ଗିରଫ ମଧ୍ୟ କରିବାର ଆଶଙ୍କା ପାଇଛି। ଏହି କାରଣରୁ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଚମ୍ପାଇ ସୋରେନ ଝାରଖଣ୍ଡ ଟାଇଗର ଭାବେ ମଧ୍ୟ ପରିଚିତ। 

Advertisment

ଇଡି ଆଜି ଅପରାହ୍ନ ୩ଟାରୁ ହେମନ୍ତଙ୍କୁ ଜେରା ଆରମ୍ଭ କରିଥିଲା। ୫ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଇଡିର ଅଧିକାରୀମାନେ ବାହାରି ଯାଇଛନ୍ତି। ଜେରା ଶେଷ ହେବା କ୍ଷଣି ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇଡିର ଅଧିକାରୀମାନଙ୍କ ସହ ହେମନ୍ତ ରାଜଭବନ ଯାଇ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। 

ଜେଏମଏମ ସହ ଶାସକ ମେଣ୍ଟରେ ଥିବା କଂଗ୍ରେସ ଓ ବାମପନ୍ଥୀ ଦଳର ବିଧାୟକମାନେ ରାଜଭବନରେ ପହଞ୍ଚି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଚମ୍ପାଇ ସୋରେନ ବିଧାୟକ ଦଳର ନେତା ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ଝାରଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଛନ୍ତି। 

Advertisment

ହେମନ୍ତ ସୋରେନଙ୍କ ସରକାରରେ ଚମ୍ପାଇ ସୋରେନ ପରିବହନ ଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଗୋଟିଏ ପଟେ ଇଡି ହେମନ୍ତ ସୋରେନଙ୍କୁ ଜେରା କରୁଥିବା ବେଳେ ଅନ୍ୟପଟେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ଝାରଖଣ୍ଡ କଂଗ୍ରେସ ମୁଖ୍ୟ ରାଜେଶ ଠାକୁର କହିଛନ୍ତି, “ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଚମ୍ପାଇ ସୋରେନ ବିଧାୟକ ଦଳର ନୂଆ ନେତା ଭାବେ ମନୋନୀତ ହୋଇଛନ୍ତି। ସବୁ ବିଧାୟକ ଆମ ସହ ରହିଛନ୍ତି।” 

ED Raid Jharkhand Hemant Soren JMM