Advertisment

'ସ୍ୱାଧୀନ ଭାରତ ଇତିହାସରେ ଏହା ପ୍ରଥମ...' କାହିଁକି ଏପରି କହିଲେ ସୁପ୍ରିମକୋର୍ଟ

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଲଟ ପେପର ନାକଚ ମାମଲା ଉପରେ ଆଜି ସୁପ୍ରିମକୋର୍ଟ ପୁନର୍ବାର ବିଚାର କରି ଏପରି କହିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Supreme Court

Supreme Court

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଲାଟ ପେପର ନାକଚ ମାମଲା ଉପରେ ଆଜି ସୁପ୍ରିମକୋର୍ଟ ପୁନର୍ବାର ବିଚାର କରିଛନ୍ତି। ଏ ଉପରେ ବିଚାର କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ସମ୍ପୃକ୍ତ ରିଟର୍ଣ୍ଣିଂ ଅଧିକାରୀ ଅନିଲ ମାସିହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସେ କାହିଁକି ନିର୍ଦ୍ଦିଷ୍ଟ ୮ଟି ବାଲଟ ପେପର୍ ଉପରେ ଛକି ଚିହ୍ନ ମାରିଥିଲେ, ତା'ର ଉତ୍ତର ମାଗିଛନ୍ତି। ଏଥିସହ କୋର୍ଟ ଆହୁରି କହିଛନ୍ତି, ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ରିଟର୍ଣ୍ଣିଂ ଅଫିସର ପ୍ରଧାନ ବିଚାରପତିଙ୍କ ଦ୍ୱାରା ପୁନଃ-ଜେରା(cross-examine)ର ସାମ୍ନା କରିଛନ୍ତି। 

Advertisment

ଚଣ୍ଡିଗଡ଼ରେ ମେୟର ଆସନ ଅକ୍ତିଆର ପାଇଁ ଯେଉଁପରି ରାଜନୈତିକ ଗୋଟିଚାଲଣା ଚାଲିଛି ତାକୁ ନେଇ ମଧ୍ୟ ସର୍ବୋଚ୍ଚ ଅଦାଲତ ପ୍ରତିକ୍ରିୟା ରଖିଛନ୍ତି। ଆଜି ସୁପ୍ରିମକୋର୍ଟରେ ବାଲଟ ପେପର୍ ନାକଚ ହେବାକୁ ନେଇ ଆପ୍ ଆବେଦନ ଉପରେ ଶୁଣାଣି ଥିବାବେଳେ ଗତକାଲି ଦଳର ତିନି ଜଣ ନବ ନିର୍ବାଚିତ କାଉନସିଲର ବିଜେପିରେ ଯୋଗ ଦେଇଥିଲେ। ଏହାକୁ ନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଚାଲିଥିବା 'ଘୋଡା ବେପାର' ଏକ ଗୁରୁତର ବିଷୟ। 

ଆସନ୍ତାକାଲି ଅଦାଲତରେ ଏ ଉପରେ ପୁନଃ ବିଚାର ହେବ। ଏଥିପାଇଁ ନାକଚ୍ କରାଯାଇଥିବା ବାଲଟ ପେପର୍ ଆଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଶୁଣାଣି ସମୟରେ, ରିଟର୍ଣ୍ଣିଂ ଅଫିସର କୋର୍ଟରେ ବାଲଟ୍ ପେପର ନାକଚ କରିବା ନେଇ ମତ ରଖିଥିଲେ। ସେ କହିଥିଲେ, 8ଟି ବାଲାଟ୍ ପେପର ସଠିକ୍ ମେଳ ଖାଉନଥିବାରୁ ସେ ଏଥିରେ ଛକି ଚିହ୍ନ ମାରିଥିଲେ। 

Advertisment

ପକ୍ଷ ଶୁଣିବା ପରେ ଅଦାଲତ ବାଲଟ ପେପର୍ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁନଃ ନିର୍ବାଚନ କରିବା ପରିବର୍ତ୍ତେ, ନୂଆ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଭୋଟ୍ ଗଣତି କରିବାକୁ ହେବ। ବାଲଟ ପେପର୍ ଯାଞ୍ଚ କରିବା ପରେ ଏ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଅଦାଲତ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନ ହୋଇଥିଲା। ଏଠାରେ ବିଜେପି ଓ ଇଣ୍ଡିଆ ମେଣ୍ଟର (କଂଗ୍ରେସ-ଆପ୍) ମଧ୍ୟରେ ଲଢେଇ ହୋଇଥିଲା। ଜାନୁଆରୀ ୩୦ରେ ଭୋଟ୍ ଗଣତି ହୋଇଥିଲା। ବିଜେପି ୧୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ମେଣ୍ଟ ଦଳର ପ୍ରାର୍ଥୀଙ୍କୁ ୨୦ ଖଣ୍ଡ ମିଳିଥିଲା। କିନ୍ତୁ ଭୋଟ୍ ଗଣୁଥିବା ରିଟର୍ଣ୍ଣିଂ ଅଫିସର ଅନିଲ ମାସିହ  ୮ ଖଣ୍ଡ ଭୋଟ୍ ନାକଚ ବା ଆବୈଧ ବୋଲି ଘୋଷଣା କରିଥିଲେ। ଫଳରେ ବିଜେପି ପ୍ରାର୍ଥୀ ମନୋଜ ସୋନକର ବିଜୟୀ ହୋଇଥିଲେ।

ଭୋଟ୍ ନାକଚକୁ କଂଗ୍ରେସ ଓ ଆପ୍ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଭୋଟ୍ ଗଣତିରେ ଚଞ୍ଚକତା ହୋଇଥିବା ଅଭିଯୋଗ କରିଥିଲେ। ଏପରିକି ଅନିଲ ମାସିହ କିଛି ବାଲାଟ ପେପରକୁ ନଷ୍ଟ କରୁଥିବାର ଭିଡିଓ ପ୍ରମାଣ କୋର୍ଟରେ କରିଥିଲେ। କୋର୍ଟ ଫେବ୍ରୁଆରୀ 5ରେ ଏ ଉପରେ ବିଚାର କରି ଜଣେ ରିଟର୍ଣ୍ଣିଂ ଅଫିସର ବାଲଟ ପେପର୍ ନଷ୍ଟ କରିବା ଗଣତନ୍ତ୍ରର ହତ୍ୟା ଭଳି ବୋଲି କହିଥିଲେ।

ସେପଟେ ଆଜି ପୁନର୍ବାର ବିଚାର ଥିବାବେଳେ ଏହା ପୂର୍ବରୁ ବିଜେପି ପକ୍ଷରୁ ବିଜୟୀ ମେୟର ପଦରୁ ଇସ୍ତଫା ଦେଇଛନ୍ତି। ଆଗକୁ ଚଣ୍ଡିଗଡ଼ ମେୟର ନିର୍ବାଚନ କେଉଁ ମୋଡ଼ ନେଉଛି ତା' ଉପରେ ସମସ୍ତଙ୍କ ନଜର। 

Vote-Count Row Chandigarh Poll Supreme Court Returning Officer