୨୦୨୧ର ପ୍ରତିଜ୍ଞା ପୂରଣ କଲେ, ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାକୁ ଫେରିଲେ ଚନ୍ଦ୍ରବାବୁ ନାଇଡୁ

୦୨୧ ମସିହା ନଭେମ୍ବର ମାସରେ ବେଶ ଭାବବିହ୍ୱଳ ହୋଇ ସେ ଘୋଷଣା କରିଥିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହିଁ ଯାଇ ବିଧାନସଭାରେ ପୁଣି ପାଦ ରଖିବେ।

ବିଧାନସଭାରେ ଚନ୍ଦ୍ରବାବୁ ନାଇଡୁ

  • Published: Friday, 21 June 2024
  • , Updated: 21 June 2024, 04:16 PM IST

ପ୍ରାୟ ଅଢ଼େଇ ବର୍ଷ(୩୧ ମାସ) ପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ବିଧାନସଭାକୁ ଫେରିଛନ୍ତି। ୨୦୨୧ର ପ୍ରତିଜ୍ଞା ପୂରଣ ହେବାରୁ ସେ ବିଧାନସଭାରେ ପାଦ ରଖିଛନ୍ତି। ୩୧ ମାସ ତଳେ ଏହି ବିଧାନସଭାରେ ତାଙ୍କ ପରିବାର ଲୋକଙ୍କ ସମ୍ପର୍କରେ ଦିଆଯାଇଥିବା ଟିପ୍ପଣୀରେ ନାଇଡୁ ବେଶ ଅପମାନିତ ହୋଇଥିଲେ।

ଏଥିପାଇଁ ୨୦୨୧ ମସିହା ନଭେମ୍ବର ମାସରେ ବେଶ ଭାବବିହ୍ୱଳ ହୋଇ ସେ ଘୋଷଣା କରିଥିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହିଁ ଯାଇ ବିଧାନସଭାରେ ପୁଣି ପାଦ ରଖିବେ। ସତକୁ ସତ ସେ ମୁଖ୍ୟମନ୍ତ୍ରୀ ହୋଇ ବିଧାନସଭା ଆସିଛନ୍ତି।  

ତାଙ୍କ ଦଳ ଟିଡିପି ଓ ସହଯୋଗୀ ଦଳଗୁଡ଼ିକ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବାଜିତମାତ କରିଥିଲେ। ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ସେ ଆଜି ବିଧାନସଭାରେ ପ୍ରବେଶ କରିଛନ୍ତି। ବିଧାନସଭାରେ ପ୍ରବେଶ କରିବା ବେଳେ ସେ ଏହାର ପାହାଚକୁ ମୁଣ୍ଡିଆ ମାରିଥିଲେ।

ନାଇଡୁ ଅଢ଼େଇ ବର୍ଷ ପରେ ବିଧାନସଭାରେ ପ୍ରବେଶ କରିଥିବାରୁ ଟିଡିପିର ବିଧାୟକମାନେ ବେଶ ଉତ୍ସାହିତ ହୋଇ ଉଠିଥିଲେ। ସେମାନେ ନାଇଡଙ୍କ ଫଟୋ ଥିବା ଫ୍ଲାକାର୍ଡ ଧରିବା ସହ ବିଭିନ୍ନ ପ୍ରକାରର ନାରା ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ସତ୍ୟର ପର୍ଦ୍ଦାଫାସ ହୋଇଛି ଓ ଗଣତନ୍ତ୍ରର ବିଜୟ ହୋଇଛି ବୋଲି ନାରାରେ ପୂରା ବିଧାନସଭା ପ୍ରକମ୍ପିତ ହୋଇ ଉଠିଥିଲା।

୨୦୨୧ ମସିହା ନଭେମ୍ବର ୧୯ରୁ ନାଇଡୁ ବିଧାନସଭାକୁ ନିଜ ଆଡ଼ୁ ବୟକଟ କରିଥିଲେ। ସେତେବେଳେ କ୍ଷମତାରେ ଥିବା ୱାଇଏସ୍‌ଆର କଂଗ୍ରେସ ଦଳର ସଦସ୍ୟମାନେ ନାଇଡୁଙ୍କ ପରିବାର ଓ ପତ୍ନୀ ଭୁବନେଶ୍ୱରୀଙ୍କ ସମ୍ପର୍କରେ ଟିପ୍ପଣୀ କରିବାରୁ ଏହା ତାଙ୍କୁ ବେଶ ବାଧିଥିଲା। ତେଣୁ ସେ ଏହାକୁ ବିରୋଧ କରି ଗୃହରୁ ବାହାରି ଯାଇଥିଲେ। ଆଜି ସେ ଗୃହରେ ପ୍ରବେଶ କରି ବିଧାୟକ ଭାବେ ଶପଥ ପାଠ ମଧ୍ୟ କରିଛନ୍ତି।

ନାଇଡୁ ବିଧାନସଭା ଛାଡ଼ିବା ବେଳେ କହିଥିଲେ ଯେ “ବିଗତ ଅଢ଼େଇ ବର୍ଷ ହେଲାଣି ମୁଁ ସବୁ ପ୍ରକାରର ଅପମାନ ଶୁଣୁଥିଲି। କିନ୍ତୁ ଶାନ୍ତ ରହୁଥିଲି। କିନ୍ତୁ ଆଜି ସେମାନେ ମୋ ପତ୍ନୀଙ୍କୁ ଟାର୍ଗେଟ କରିଛନ୍ତି। ମୁଁ ସବୁବେଳେ ସମ୍ମାନରେ ସହ ରହିଛି। ସେହି ସମ୍ମାନ ପାଇଁ ମୁଁ ବିଧାନସଭାରୁ ବାହାରି ଯାଉଛି।” ଏହାପରେ ସେ ଘୋଷଣା କରିଥିଲେ ଯେ “ମୁଁ କ୍ଷମତାକୁ ନ ଆସିବା ଯାଏ ବିଧାନସଭାରେ କେବେ ହେଲେ ପ୍ରବେଶ କରିବି ନାହିଁ।”

ଅଭିନେତାରୁ ନେତା ବନିଥିବା ଜନସେନା ମୁଖ୍ୟ ପବନ କଲ୍ୟାଣ ମଧ୍ୟ ଦୀର୍ଘ ୧୬ ବର୍ଷର ରାଜନୀତିକ କ୍ୟାରିୟର ମଧ୍ୟରେ ପ୍ରଥମଥର ବିଧାନସଭାରେ ପ୍ରବେଶ କରିଛନ୍ତି।

ସେ ପିଠାପୁରମ ବିଧାନସଭା ଆସନରୁ ଜିତିଥିବା ବେଳେ ଆନ୍ଧ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଟିଡିପି-ଜନସେନା ଓ ବିଜେପି ଏକାଠି ୨୦୨୪ ଆନ୍ଧ୍ର ବିଧାନସଭା ନିର୍ବାଚନ ଲଢ଼ୁଥିଲେ। ଏନଡିଏ ମେଣ୍ଟ ରାଜ୍ୟର ୧୭୫ ଟି ବିଧାନସଭା ଆସନରୁ ୧୬୪ରେ ବାଜିମାତ କରିଛି।

Related story