ସରକାରଙ୍କ ୧୦୦ ଦିନର ହିସାବ ଦେଲେ, ୫ ବର୍ଷର ରୋଡମ୍ୟାପ୍ ରଖିଲେ ମୁଖ୍ୟମନ୍ତ୍ରୀ

ମୋହନ ସରକାରଙ୍କ ୧୦୦ଦିନ କାର୍ଯ୍ୟକାଳ ପୂରଣ ଉପଲକ୍ଷେ ଆଜି ପୁରୀରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ୧୦୦ଦିନର କାର୍ଯ୍ୟକାଳରେ ଆମେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିପାରିଛୁ ।

ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କରୁଛନ୍ତି

  • Published: Thursday, 19 September 2024
  • , Updated: 19 September 2024, 10:46 PM IST

ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ନିଜର ୧୦୦ଦିନ କାର୍ଯ୍ୟକାଳ ପୂରଣ କରିଛି । ଏଥିପାଇଁ ପୁରୀରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ କରି ମୋହନ ସରକାର ନିଜର ୧୦୦ଦିନର କାର୍ଯ୍ୟର ହିସାବ ରଖିବା ସହ ଆଗାମୀ ୫ବର୍ଷର ରୋଡମ୍ୟାପ୍ ମଧ୍ୟ ଉପସ୍ଥାପନ କରିଛନ୍ତି । ଆସନ୍ତା ୩ ଦିନ ଧରି ଜିଲ୍ଲାସ୍ତରରେ ମଧ୍ୟ ମୋହନ ସରକାରଙ୍କ ୧୦୦ଦିନ କାର୍ଯ୍ୟକାଳର ପୂର୍ତ୍ତି ପାଳନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ମୋହନ ସରକାରଙ୍କ ୧୦୦ଦିନ କାର୍ଯ୍ୟକାଳ ପୂରଣ ଉପଲକ୍ଷେ ଆଜି ପୁରୀରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ୧୦୦ଦିନର କାର୍ଯ୍ୟକାଳରେ ଆମେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିପାରିଛୁ । ଆଗାମୀ ୧୨ବର୍ଷର କାଳଖଣ୍ଡରେ ସମୃଦ୍ଧ ଓଡ଼ିଶା ଗଠନ ହେବ । ତାଙ୍କ ସରକାରର ପ୍ରଥମ ୫ବର୍ଷରେ ଏହାର ମୂଳଦୁଆ ପଡ଼ିବ । ପ୍ରଥମ ୧୦୦ଦିନରେ ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଗାମୀ ଦଶକ ହେବ ଭିତ୍ତିଭୂମି ନିର୍ମାଣର ଦଶକ ବୋଲି ସେ କହିଛନ୍ତି ।

ଓଡ଼ିଆ ଅସ୍ମିତା ଓ ସ୍ୱାଭିମନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଗତ କିଛିବର୍ଷ ଧରି ଓଡ଼ିଆ ଅସ୍ମିତା, ଭାଷା, ସ୍ୱାଭିମାନ ଓ ପରିଚୟ ଅବହେଳିତ ହୋଇ ରହିଥିଲା । ୨୦୨୪ ନିର୍ବାଚନରେ ଲୋକେ ଓଡ଼ିଆ ଅସ୍ମିତାର ପୁନଃପ୍ରତିଷ୍ଠା ପାଇଁ ଜନାଦେଶ ଦେଇଛନ୍ତି । ଆମେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ସହିତ ଓଡ଼ିଆ ଅସ୍ମିତାର ପୁନଃପ୍ରତିପାଦନ ନିମନ୍ତେ ୨୦୦କୋଟି ଟଙ୍କାର ସ୍ଥାୟୀ ପାଣ୍ଠି ଗଠନ କରିଛୁ । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ଶ୍ରୀମନ୍ଦିରର ଉନ୍ନତି ପାଇଁ ୫୦୦କୋଟି ଟଙ୍କାର ସ୍ଥାୟୀ ପାଣ୍ଠି ପାଇଁ ଏହି ୧୦୦ଦିନ ମଧ୍ୟରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ଦେବା ଆମର ବଡ଼ ପ୍ରତିଶ୍ରୁତି । ବଜେଟରେ ୫ହଜାର କୋଟି ଟଙ୍କାର ବ୍ୟବସ୍ଥା କରି ଏହାକୁ କାର୍ଯ୍ୟକାରୀ କରୁଛୁ । ସେହିପରି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ବର୍ଷକୁ ୧୦ହଜାର ଟଙ୍କା ଲେଖାଏଁ ୫ବର୍ଷରେ ମୋଟ ୫୦ହଜାର ଟଙ୍କା ଦେବାକୁ ଯୋଜନା ହୋଇଛି । ଏହି ଟଙ୍କା ଋଣ ଆକାରରେ ଦିଆଯାଉନି । ସେମାନେ ଏହାକୁ ନିଜ ଇଚ୍ଛାରେ ଉପଯୋଗ କରି ରୋଜଗାର ବଢ଼ାଇପାରିବେ ।

ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଗାମୀ ଦିନରେ ତାଙ୍କ ସରକାରର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଆୟୁଷ୍ମା ଭାରତ ଯୋଜନାକୁ ତାଙ୍କ ସରକାର ଖୁବଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଦେଶର ଯେକୌଣସି ଅଂଚଳରେ ରହୁଥିବା ଓଡ଼ିଆ ଲୋକଟିଏ ଚିକିତ୍ସା ସୁବିଧା ପାଇପାରିବ । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ସହ ଖାଲି ପଡ଼ିଥିବା ଡାକ୍ତର ଓ ପାରା ମେଡିକାଲ ପଦବୀ ପୂରଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଶିକ୍ଷା କ୍ଷେତ୍ରରେ ୧୦୦ଦିନ ମଧ୍ୟରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପିଏମଶ୍ରୀ ଯୋଜନା ୮୦୦ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠା କରାଯିବ । ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି । ମାଧେ ସିଂହ ହାତଖର୍ଚ୍ଚ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ୫ହଜାର ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ହୋଇଛି ।

ନିଯୁକ୍ତି କ୍ଷେତ୍ରରେ ଆଗାମୀ ୫ବର୍ଷ ମଧ୍ୟରେ ଅଢ଼େଇ ଲକ୍ଷ ସରକାରୀ ପଦବୀ ପୂରଣ କରାଯାଇ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ଅଗ୍ନିବୀରମାନଙ୍କ ପାଇଁ ୟୁନିଫର୍ମ ଚାକିରି ବା ସେବାରେ ୧୦ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ।

ସେହିପରି ଆସନ୍ତା ୫ବର୍ଷ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ସାଢ଼େ ୩ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ । ଆମେ ଏବେ ସୁଦ୍ଧା ୨୬ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ଦେଇସାରିଛୁ । ଏହାଦ୍ୱାରା ରାଜ୍ୟରେ ୬ହଜାର କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବ ଓ ୧୯ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରରେ ୧୦୦ ଏକର ଅଂଚଳରେ ଏକ ନୂଆ ବିଶ୍ୱସ୍ତରୀୟ ଷ୍ଟାଡ଼ିୟମ  ତଥା କ୍ରୀଡ଼ା କେନ୍ଦ୍ର ନିର୍ମାଣ ପାଇଁ ତାଙ୍କ ସରକାର ନିଷ୍ପତ୍ତି ନେଇଛି । ହକି ଜାତୀୟ ଦଳର ପ୍ରାୟୋଜକ ଭାବେ ରାଜ୍ୟ ସରକାର ୨୦୩୬ ମସିହା ପର୍ଯ୍ୟନ୍ତ ରହିବେ ବୋଲି ନିଷ୍ପତ୍ତି ହୋଇଛି । ଗ୍ରାମାଂଚଳ ଓ ତୃଣମୂଳ କ୍ଷେତ୍ରରେ କ୍ରୀଡ଼ାର ବିକାଶ ପାଇଁ ତାଙ୍କ ସରକାର ୯୫୨କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

ଆଜିର ଏହି ରାଜ୍ୟସ୍ତରୀୟ ଉତ୍ସବରେ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ଶାସକ ଦଳର ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ପୁରୀରେ ଅନୁଷ୍ଠିତ ଏସଏଚଜି ମେଳାକୁ ମଧ୍ୟ ଉଦଘାଟନ କରିଥିଲେ ।

Related story