ପୂଜାମଣ୍ଡପ ବୁଲିବେ ମୋହନ ଓ ତାଙ୍କ ମନ୍ତ୍ରୀଗଣ, ଏକ ଦଶନ୍ଧି ପରେ ନବୀନ ବି ବୁଲିବେ

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀମାନେ ଉଭୟ କଟକ ଓ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Thursday, 10 October 2024
  • , Updated: 10 October 2024, 10:29 PM IST

ପବିତ୍ର ଦଶହରାରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କର ମନ୍ତ୍ରିମଣ୍ଡଳର ସହଯୋଗୀମାନେ । ବିଜେପିର ଏଭଳି ଯୋଜନା ଦେଖି ଦୀର୍ଘ ପ୍ରାୟ ଏକ ଦଶନ୍ଧିରୁ ଅଧିକ ଦିନ ପରେ ଦଶହରା ପୂଜାମଣ୍ଡପ ବୁଲିବାକୁ ବାହାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଥିବାବେଳେ ପୂଜାମଣ୍ଡପ ବୁଲିବାରୁ ନିଜକୁ ଦୂରେଇ ରଖୁଥିବା ନବୀନଙ୍କ ଏବେ ଚେତାପଶିଛି ଓ ପ୍ରାୟ ୧୩ବର୍ଷ ପରେ ଦଶହରାରେ ବିଭିନ୍ନ ପୂଜାମଣ୍ଡପ ବୁଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀମାନେ ଉଭୟ କଟକ ଓ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ଏକାମ୍ର ବିଧାୟକ ବାବୁ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଆସନ୍ତାକାଲି ଶୁକ୍ରବାର ମହାଅଷ୍ଟମୀରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବେ । ଶନିବାର ନବମୀରେ କଟକର ବିଭିନ୍ନ ମଣ୍ଡପକୁ ଯିବେ । ଭୁବନେଶ୍ୱରର ରସୁଲଗଡ଼, ବରମୁଣ୍ଡା, ନୟାପଲ୍ଲୀ, ପୁରୁଣା ଷ୍ଟେସନ ବଜାର, ଲକ୍ଷ୍ମୀସାଗର, ସୁନ୍ଦରପଦା ଓ ଅନ୍ୟ କେତେକ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ଶନିବାର ମଧ୍ୟ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମିଳିତ ଭାବେ କଟକର ବିଭିନ୍ନ ପୂଜାମଣ୍ଡପ ବୁଲି ମା’ଙ୍କ ପୂଜାର୍ଚ୍ଚନା କରିବେ ବୋଲି ସେ କହିଛନ୍ତି ।

ସେହିପରି ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତାକାଲି କଟକ ଓ ଶନିବାର ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବା ପାଇଁ ସ୍ଥିର ହୋଇଛି । ନବୀନ ପ୍ରାୟ ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ଦଶହରାରେ ପୂଜାମଣ୍ଡପ ବୁଲିବେ । ବିଜେଡି କ୍ଷମତାରୁ ହଟିବା ପରେ ନବୀନଙ୍କ ଚେତା ପଶିଛି । ପୂର୍ବରୁ ଗଣେଶ ପୂଜାରେ ବିଭିନ୍ନ ମଣ୍ଡପ ବୁଲିଥିବା ନବୀନ ଏବେ ଦଶହରାରେ ପୂଜାମଣ୍ଡପ ବୁଲିବେ।

ତେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ସମେତ ଭିଭିଆଇପିମାନେ ଉଭୟ କଟକ ଓ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।

 

Related story