‘୩ ଦକ୍ଷିଣୀ ଅଫିସରଙ୍କ କବଜାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌, ଠିକାଦାରୀ-ଖଣି ଓ ସବୁ ବଡ଼ ଟେଣ୍ଡରରୁ ଓଡ଼ିଆ ବଂଚିତ’

‘ମେଘା ଇଞ୍ଜିନିୟରିଂ, ଏଲଆଣ୍ଡଟି, ନାଗାର୍ଜୁନ କନଷ୍ଟକ୍ସନ କର୍ପୋରେସନ ଭଳି ଅନେକ ବହୁ ଦକ୍ଷିଣ ଭାରତୀୟ କମ୍ପାନୀ କିପରି ଓଡ଼ିଶାରେ ଏବେ ସବୁ ଠିକା କାମ ପାଉଛନ୍ତି।’

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

  • Published: Saturday, 17 June 2023
  • , Updated: 17 June 2023, 06:48 PM IST

 ଓଡ଼ିଶାର ଶାସନ ବ୍ୟବସ୍ଥାରେ ଏବେ ଦକ୍ଷିଣ ଭାରତୀୟ ଲବି ଅଧିକ ପ୍ରଭାବ ବିସ୍ତାର କରିଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଏବେ ୩ଜଣ ଦକ୍ଷିଣ ଭାରତୀୟ ଅଫିସରରେ ଦଖଲରେ ରହିଛି । ଯେଉଁଥିପାଇଁ ରାଜ୍ୟର ସବୁ କ୍ଷେତ୍ରରେ ବଡ଼ବଡ଼ ଠିକା କାର୍ଯ୍ୟରେ ଏବେ ଦକ୍ଷିଣ ଭାରତୀୟ ଉଦ୍ୟୋଗପତି ଓ ଠିକାଦାରମାନେ କାୟାବିସ୍ତାର କରୁଛନ୍ତି । ଆଉ ଓଡ଼ିଶାର ବ୍ୟବସାୟୀ ଓ ଠିକାଦାରମାନେ ରାଜ୍ୟରେ ବିଭିନ୍ନ କାର୍ଯ୍ୟ ପାଇବାରୁ ବଂଚିତ ହେଉଛନ୍ତି । ଆଜି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ।

ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି ଯେ, ସ୍ୱାଧୀନତା ପରଠୁ ଯାହା ଓଡ଼ିଶା ଇତିହାସରେ କେବେ ହୋଇନଥିଲା ତାହା ବିଗତ ଦୁଇବର୍ଷ ହେବ ହେଉଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ମଧ୍ୟରେ ଜଣେ ହେଲେ ଓଡ଼ିଆ ଅଫିସର ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ, ଉପଦେଶ ଦେବାପାଇଁ କିମ୍ବା ରାଜ୍ୟ ସ୍ୱାର୍ଥକୁ ଆଗକୁ ବଢ଼ାଇନେବା ପାଇଁ କ’ଣ ଜଣେ ହେଲେ ବି ଏବେ ଯୋଗ୍ୟ ଓଡ଼ିଆ ଅଫିସର ନାହାନ୍ତି? ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ୩ଜଣ ଅଧିକାରୀ ହେଉଛନ୍ତି ଦକ୍ଷିଣ ଭାରତୀୟ । ଆଜିର ସମୟରେ ଦକ୍ଷିଣ ଭାରତୀୟ ଉଦ୍ୟୋଗପତିମାନଙ୍କ ବିଭିନ୍ନ କ୍ଷେତ୍ରରେ ମାତ୍ରାଧିକ ଦଖଲ କେବଳ ଏକ ସଂଯୋଗ ନା ସୁଚିନ୍ତିତ ଓ ସୁନିୟୋଜିତ ପ୍ରୟାସ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ ମେଘା ଇଞ୍ଜିନିୟରିଂ, ଏଲଆଣ୍ଡଟି, ନାଗାର୍ଜୁନ କନଷ୍ଟକ୍ସନ କର୍ପୋରେସନ ଭଳି ଅନେକ ବହୁ ଦକ୍ଷିଣ ଭାରତୀୟ କମ୍ପାନୀ କିପରି ଓଡ଼ିଶାରେ ଏବେ ସବୁ ଠିକା କାମ ପାଉଛନ୍ତି । ଏମାନଙ୍କୁ ସୁହାଇବା ଭଳି ବିଭିନ୍ନ କାମକୁ ଏକତ୍ରୀକରଣ କରି ବୃହତ୍ ରୂପ ଦିଆଯିବା ଦ୍ୱାରା ଓଡ଼ିଶାର ଠିକାଦାରମାନେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରୁନାହାନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଦକ୍ଷିଣ ଭାରତୀୟ ଲବି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ସୁହାଇବା ଭଳି ପଦକ୍ଷେପ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି ।

ସେହିପରି ଦକ୍ଷିଣ ଭାରତୀୟ ଖଣି ମାଲିକମାନେ ଏବେ ଓଡ଼ିଶାରେ ଖଣି ପରିଚାଳନା କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଛନ୍ତି । ବଡ଼ବିଲ ଅଂଚଳରେ ସ୍ଥାନୀୟ ଘରୋଇ ଖଣି ମାଲିକମାନେ ଦକ୍ଷିଣ ଭାରତୀୟ ନିର୍ଦ୍ଦିଷ୍ଟ ଖଣି ବ୍ୟବସାୟୀଙ୍କ ଡେଭଲପର ତଥା ଅପରେଟର(ଏମଡିଓ) ଭାବେ ବ୍ୟବହାର କରିବା ପାଇଁ ଅଘୋଷିତ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ କମ୍ପାନୀ ଏଭଳି କାୟା ବିସ୍ତାର କରି ବ୍ୟାପକ ହରିଲୁଟ୍ ଦ୍ୱାରା ଆନ୍ତର୍ଜାତିକସ୍ତରରେ ପହଂଚିଲାଣି, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଅଫିସରମାନେ ସମ୍ପୂର୍ଣ୍ଣ ଦାୟୀ ଓ ଉତ୍ତରଦାୟୀ ।

ସେହିପରି ଅନ୍ୟ ଏକ ଦକ୍ଷିଣ ଭାରତୀୟ କମ୍ପାନୀ ଟେକମେଡ୍ ସଲ୍ୟୁଏସନ୍ ପ୍ରାଇଭେଟ୍ ଲିମିଟେଡ୍ ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପାଥୋଲୋଜି ଓ ରୋଡିଓଲୋଜିକାଲ ପରୀକ୍ଷା କରିବା ପାଇଁ ଠିକା କାର୍ଯ୍ୟ ନେଇଛନ୍ତି? ଏହି ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି ତ?  ଅଂଶଗ୍ରହଣ କରିଥିବା ଅନ୍ୟ ବିଡରମାନଙ୍କ ନାମ କ’ଣ? ସେମାନେ ଏହି ପରୀକ୍ଷା କରାଇବା ପାଇଁ କ’ଣ ମୂଲ୍ୟ ଧାର୍ଯ୍ୟ କରିଥିଲେ ? କେଉଁ ପରିସ୍ଥିତିରେ ଓଡ଼ିଶାର ବ୍ୟବସାୟୀମାନେ କାମ ପାଇପାରୁନାହାନ୍ତି ଓ ଦକ୍ଷିଣ ଭାରତୀୟ ବ୍ୟବସାୟୀମାନେ ସମସ୍ତ କାମ ପାଉଛନ୍ତି ତଥା ଏସବୁ କମ୍ପାନୀଗୁଡ଼ିକର କାର୍ଯ୍ୟ ଓ ଗୁଣବତ୍ତା କିଏ ଯାଂଚ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡି ସରକାରଙ୍କ ୨୩ ବର୍ଷର ଶାସନରେ କାହିଁକି ଓଡ଼ିଆ ଠିକାଦାର ଓ ବ୍ୟବସାୟୀମାନଙ୍କୁ ସୁଯୋଗ ଦିଆଯାଇନାହିଁ ଓ ସେମାନଙ୍କୁ ସେଭଳି ଯୋଗ୍ୟ କରାଗଲା ନାହିଁ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି ଓ ଜଣେ ନିର୍ଦ୍ଦିଷ୍ଟ ନିମ୍ନପଦସ୍ଥ ଅଧିକାରୀଙ୍କ ଦ୍ୱାରା ରାଜନୀତିକ ଜନମତକୁ ଚଂଚକତା ସହ ହରଣ କରିବାର ପ୍ରୟାସ ହୋଇଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ଆଜି ସଙ୍ଗୀନ ଅଭିଯୋଗ ଆଣି ବିଜେଡି ଶିବିର ଓ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭଟି ସଚିବ ଭିକେ ପାଣ୍ଡିଆନଙ୍କ ନାଁ ନନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଉପରେ ଅପରାଜିତା ବର୍ଷିଛନ୍ତି । ଶାସକ ବିଜେଡିର ନେତା,ମନ୍ତ୍ରୀ,ବିଧାୟକମାନେ କାହିଁକି ଜଣେ ସଚିବ ପାହ୍ୟାର ଅଫିସରଙ୍କ ଦାସତ୍ୱ ଶିକାର କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ଖୋଲାଖୋଲି ଭାବେ ଅର୍ଡର ଅଫ ପ୍ରିସିଡେନ୍ସ ଓ ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲସକୁ ଉଲ୍ଲଘଂନ ହେଉଛି । ଏନେଇ ମୁଖ୍ୟମନ୍ତ୍ରୀ ନିରବ କାହିଁକି ଅଛନ୍ତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।

Related story