Advertisment

ବିଜେପିରେ ମିଶିବେ ପ୍ରଶାନ୍ତ ଜଗଦେବ: ବିଜେଡି, ଗୁମାସ୍ତାଙ୍କୁ ଖୁସି ପାଇଁ ମନଗଢ଼ା ଗପ: ବିଜେପି

ଆଉ ବିଜେଡି ମୁଖପାତ୍ରଙ୍କର ଏଭଳି ବୟାନ ପରେ ବିଜେପି ପ୍ରତିକ୍ରିୟାଶୀଳ ହୋଇ କହିଛି ଯେ, ନିଜ ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ଏଭଳି କପୋଳକଳ୍ପିତ ଗପ କହୁଛି ।

author-image
Ordigital Desk
Prashant Jagdev

Prashant Jagdev

ବିଜେଡିରୁ ବହିଷ୍କୃତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ବିଜେପିରେ ମିଶିବାକୁ ପ୍ରସ୍ତୁତ ହେଉଛନ୍ତି । ବିଜେପି ନେତାଙ୍କୁ ଆକ୍ରମଣ ଓ ଗୁଣ୍ଡାଗର୍ଦ୍ଦି ପାଇଁ ଯେଉଁ ପ୍ରଶାନ୍ତଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ଏବେ ତାଙ୍କୁ ବିଜେପି କୋଳେଇ ନେବାକୁ ଯାଉଛି ବୋଲି ବିଜେଡି ଅଭିଯୋଗ କରିଛି । ଆଉ ବିଜେଡି ମୁଖପାତ୍ରଙ୍କର ଏଭଳି ବୟାନ ପରେ ବିଜେପି ପ୍ରତିକ୍ରିୟାଶୀଳ ହୋଇ କହିଛି ଯେ, ନିଜ ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ଏଭଳି କପୋଳକଳ୍ପିତ ଗପ କହୁଛି । ବିଜେଡି ମୁଖପାତ୍ରଙ୍କ ଅବସ୍ଥା ମିଛୁଆରାଧୁଆ ଭଳି ହେବ ବୋଲି ବିଜେପି କହିଛି । ତେବେ ବିଜେପିରେ ସାମିଲ ହେବା ପ୍ରସଙ୍ଗକୁ ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୁହଁ ଖୋଲିନାହାନ୍ତି ।

Advertisment

ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଉପରେ ଟ୍ୱିଟରରେ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ସାଧାରଣ ଜୀବନରେ କୌଣସି ପ୍ରକାରର ହିଂସା ଓ ପ୍ରତିବନ୍ଧକରେ ବିଜେଡି ବିଶ୍ୱାସ କରେନି । ଯଦି ସେଭଳି କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ବିଜେଡି ହିଁ ପ୍ରଥମେ ଏହାକୁ ନିନ୍ଦା କରେ । ସେ ଧର୍ମେନ୍ଦ୍ରଙ୍କୁ ଗୋଟିଏ ଉଦାହରଣ ଦେଇ ଶ୍ରୀ ପାତ୍ର କହିଛନ୍ତି ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଲୁଗାଁରେ ବିଜେପିର ନଗର ମଣ୍ଡଳ ସଭାପତିଙ୍କ ଉପରେ ୨୦୨୧ ସେପ୍ଟେମ୍ବର ମାସରେ ଆକ୍ରମଣ କଲେ । ଏହି କାରଣ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ସଙ୍ଗେସଙ୍ଗେ ଦଳରୁ ନିଲମ୍ବନ କଲେ । ପରେ ତାଙ୍କୁ ଦଳରୁ ବହିଷ୍କାର କରାଗଲା । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ ଓ ତାଙ୍କୁ ବାରମ୍ବାର ଭେଟିଥିବା ଯୋଗୁ ଏବେ ସେହିି ଜଗଦେବ ଫୁଲମାଳ ପକାଇ ବିଜେପିରେ ମିଶିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେଣୁ ଓଡ଼ିଶାବାସୀଙ୍କ ଆଗରେ ବିଜେପି କେଉଁଭଳି ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛି ବୋଲି ବିଜେଡି ମୁଖପାତ୍ର ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ଏହାର ଜବାବ ଟ୍ୱିଟରରେ ରଖି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ବିଜେଡି ମୁଖପାତ୍ରଙ୍କ ଅବସ୍ଥା ମିଛୁଆରାଧୁଆ ଭଳି ହେବ । ସେ ଏତେ ମିଛ କହିଲେଣି ଯେ, ଆଗକୁ ସତ କହିଲେ ବି କେହି ତାଙ୍କୁ ବିଶ୍ୱାସ କରିବେ ନାହିଁ । କେବଳ ନିଜ ଗୁମାସ୍ତାଙ୍କୁ ଖୁସି କରିବା ପାଇଁ କପୋଳକଳ୍ପିତ ଗଳ୍ପ କହୁଛନ୍ତି । ପାଗଳର ପ୍ରଳାପ କରୁଛନ୍ତି । ବିଜେଡି ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଆନ୍ତି, ତାକୁ ସାରା ଓଡ଼ିଶା ଦେଖୁଛି । ବିଜେପି ଯାହାକୁ ଦଳରୁ ନିଲମ୍ବନ କରେ ତାକୁ ପରେ ଦଳରେ ରଖେ । ବିଜେଡିର ଆଇଟି ସେଲ ପିଲାମାନେ ପଇସା ଖାଇ ଧରା ପଡ଼ୁଛନ୍ତି । ଏହାର ଅନେକ ଉଦାହରଣ ରହିଛି । ମାହାଙ୍ଗା ଡବଲ ମର୍ଡର, ମାହାଙ୍ଗା ଛାତ୍ରୀ ମୃତ୍ୟୁ, ନୟାଗଡ଼ର ପରୀ ନିଖୋଜ, ଯାଜପୁରର ପିହୁ, ମମିତା ମେହେର ହତ୍ୟାକାଣ୍ଡ, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କାହିଁକି ନିରବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିବା ସହ ସସ୍ମିତଙ୍କୁ ସିଧାସଳଖ ସମାଲୋଚନା କରି ଚରିତ୍ର ଏଭଳି,ଯେତେବେଳେ ଯାହାର ଖାଆନ୍ତି ତା’ର ଗୁଣଗାନ କରନ୍ତି ବୋଲି କହିଛନ୍ତି । ୨୦୧୩ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ବେଇମାନ ବୋଲି କହିଥିବା ସସ୍ମିତ ଏବେ ପେଷାଦର ମୁଖପାତ୍ର ଭଳି ଭୂମିକା ନିର୍ବାହର କରୁଛନ୍ତି । ହନୁ ମଲାବେଳେ ସତ କହିବା ଭଳି ଆପଣ ମଧ୍ୟ ନିଜର ରାଜନୀତିକ କ୍ୟାରିୟରର ଶେଷ ପର୍ଯ୍ୟାୟରେ ସତ କହିଲେ ଭଲ ହେବ ଶ୍ରୀ ହରିଚନ୍ଦନ କହିଛନ୍ତି ।

Advertisment

ଅନ୍ୟପକ୍ଷରେ ଏ ସମ୍ପର୍କରେ ପ୍ରଶାନ୍ତ ଜଗଦେବ ନିରବ ରହିଥିବାବେଳେ ତାଙ୍କ ପତ୍ନୀ ଏବେ ବିଜେଡିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମର ନେତୃୃତ୍ୱ ନେବା ଜାରି ରଖିଛନ୍ତି ।

BjD Bjp