Advertisment

ନିଲମ୍ବନ ହଟିବା ପରେ ବିଜେଡିରେ ମିଶିପାରନ୍ତି ଚିରଞ୍ଜିବ

ବିଭିନ୍ନ କାରଣରୁ ଦଳୀୟ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ନେତାମାନଙ୍କୁ ଫେରାଇ ଆଣିବାକୁ ପ୍ରଦେଶ କଂଗ୍ରେସ ଏବେ ପ୍ରୟାସ ଆରମ୍ଭ କରିଛି।

Chiranjib Biswal

Chiranjib Biswal

Advertisment

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏବେ ନିଜର ବଳ ଗୋଟାଇବାରେ ଲାଗିଛି । ବିଭିନ୍ନ କାରଣରୁ ଦଳୀୟ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ନେତାମାନଙ୍କୁ ଫେରାଇ ଆଣିବାକୁ ପ୍ରଦେଶ କଂଗ୍ରେସ ଏବେ ପ୍ରୟାସ ଆରମ୍ଭ କରିଛି। ଗତ ଜୁଲାଇ ମାସରେ ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଖୁବଶୀଘ୍ର ପ୍ରତ୍ୟାହାର କରାଯିବ ବୋଲି ଦଳ ସଙ୍କେତ ଦେଇଛି । ଆଉ ନିଲମ୍ବନ ହଟିବା ପରେ ଚିରଞ୍ଜିବ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Advertisment

ପ୍ରଦେଶ କଂଗ୍ରେସ କମିଟି(ପିସିସି) ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱାଳଙ୍କ ସମେତ ବରିଷ୍ଠ ନେତାମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବାକୁ ଦଳ ନିଷ୍ପତ୍ତି ନେଇଛି । ଖୁବଶୀଘ୍ର ଏନେଇ ନିର୍ଦ୍ଦେଶନାମା ଜାରି ହେବ ବୋଲି ସେ କହିଛନ୍ତି । ଆସନ୍ତା ୬ତାରିଖରେ ଦଳର ନୂଆ ରାଜ୍ୟ ପ୍ରଭାରୀ ଡଃ ଅଜୟ କୁମାର ଆସିବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବାପରଠୁ ସାଂଗଠନିକ କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ଚିରଞ୍ଜିବ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବିତ କରିଥିବାରୁ ସେ ବିଜେଡିରେ ସାମିଲ ହୋଇପାରୁନଥିଲେ । ମାତ୍ର ନିଲମ୍ବନ ହଟିବା ପରେ ଓ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ତାଙ୍କ ସମର୍ଥକଙ୍କ ମହଲରୁ ସୂଚନା ମିଳିଛି । ଶ୍ରୀ ବିଶ୍ୱାଳ ଗତ ସାଧାରଣ ନିର୍ବାଚନରେ ପରାଜିତ ହେବାପରଠୁ ଅର୍ଥାତ୍ ଦୀର୍ଘ ପ୍ରାୟ ସାଢ଼େ ୪ବର୍ଷ ଧରି ସାଂଗଠନିକ କାର୍ଯ୍ୟରେ ସକ୍ରିୟ ନାହାନ୍ତି କିମ୍ବା ନିଜର ନିର୍ବାଚନମଣ୍ଡଳୀ ଜଗତସିଂହପୁରରେ ମଧ୍ୟ ବିଶେଷ ଦୃଶ୍ୟମାନ ହେଉନାହାନ୍ତି । ତେଣୁ ସେ ଆଗାମୀ ନିର୍ବାଚନ ଲଢ଼ିବେ କି ନାହିଁ ତାହା ମଧ୍ୟ ସନ୍ଦେହଘେରରେ ରହିଛି । ଅବଶ୍ୟ ନିଲମ୍ବିତ ଚିରଞ୍ଜିବଙ୍କୁ ବିଜେଡି ନିଜ ସହ ସାମିଲ କରିବ କି ନାହିଁ ତାହା ଏବେବି ପ୍ରଶ୍ନବାଚୀ ହୋଇ ରହିଛି ।
ଯଦିଓ ବିଜେଡିରେ ସାମିଲ ହେବା ପ୍ରସଙ୍ଗରେ ଚିରଞ୍ଜିବ ଏପର୍ଯ୍ୟନ୍ତ ନିରବ ରହିଛନ୍ତି ଓ ଆଗାମୀ ଦିନରେ ନିର୍ବାଚନ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି ତେଣୁ ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।

Advertisment

ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ପୂର୍ବତନ ବିଧାୟିକା ହେମା ଗମାଙ୍ଗ ଆସନ୍ତା ୭ତାରିଖରେ କଂଗ୍ରେସରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି । ତାଙ୍କୁ ଏନେଇ ଏଆଇସିସିରୁ କ୍ଲିଅରାନ୍ସ ମିଳିଛି ଓ ଭୁବନେଶ୍ୱରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହେବେ । ମାତ୍ର ତାଙ୍କ ପୁଅ ଶିଶିର ଗମାଙ୍ଗ ଓ ପତି ଗିରିଧର ଗମାଙ୍ଗ କଂଗ୍ରେସରେ ସାମିଲ ହେବାକୁ ସମୟ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି । ଶିଶିର କହିଛନ୍ତି ଯେ,ତାଙ୍କ ମା’ ୭ତାରିଖରେ କଂଗ୍ରେସରେ ସାମିଲ ହେବେ । ସେମାନେ ମଧ୍ୟ କଂଗ୍ରେସରେ ସାମିଲ ହେବେ । ଗତ ୪-୫ମାସ ଧରି ଏନେଇ ଆଲୋଚନା ଚାଲିଛି । ଗାନ୍ଧି ପରିବାର ଓ ଏଆଇସିସି ପକ୍ଷରୁ ମଧ୍ୟ ସେମାନଙ୍କ ଘରବାହୁଡ଼ାକୁ ସବୁଜ ସଙ୍କେତ ମିଳିଛି । ତେବେ ଖୁବଶୀଘ୍ର ଏନେଇ ତାରିଖ ଘୋଷଣା ହେବ ବୋଲି ସେ କହିଛନ୍ତି ।

କଂଗ୍ରେସର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଅଜୟ କୁମାର ଆସନ୍ତା ୬ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଦଳର ବରିଷ୍ଠ ନେତାମାନଙ୍କୁ ଭେଟିବା ସହ ସାଂଗଠନିକ ସ୍ଥିତି ଓ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଏହି ଗସ୍ତ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସମେତ ମହମ୍ମଦ ମୋକିମ୍ ଓ ଚିରଞ୍ଜିବ ବିଶ୍ୱାଳଙ୍କ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Congress Chiranjib Biswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe