Advertisment

ସୋମବାର ମୁହଁ ଖୋଲିବେ ଚିରଞ୍ଜିବୀ, ସ୍ୱାଗତ କଲେ ଲଲାଟେନ୍ଦୁ

ଦଳବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଦ୍ୱାରା ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ନିଲମ୍ବନ କରାଯାଇଛି ।

author-image
Ordigital Desk
Chiranjib Biswal

Chiranjib Biswal

ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବିତ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ଆଜି କୌଣସି ପ୍ରତିକ୍ରିୟା ଦେବେନି ବୋଲି ସ୍ପଷ୍ଟ କରିଛନ୍ତି । ଚିରଞ୍ଜିବୀଙ୍କ ସହ ନିଲମ୍ବିତ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଦଳ ସହ କଥା ହେବେ ଓ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ପରାମର୍ଶରେ କାମ କରିବେ ବୋଲି କହିଥିବାବେଳେ ଚିରଞ୍ଜିବୀ ନିଜର ନିଲମ୍ବନ ପ୍ରସଙ୍ଗରେ ସୋମବାର ପ୍ରତିକ୍ରିୟା ରଖିବେ ବୋଲି ସୂଚନା ମିଳିଛି । ତେବେ ଚିରଞ୍ଜିବୀଙ୍କ ନିଲମ୍ବନକୁ ପିସିସି ସାଧାରଣ ସମ୍ପାଦକ ତଥା ଜଗତସିଂହପୁର ଜିଲ୍ଲା ବାଲିକୁଦାର ପୂର୍ବତନ ବିଧାୟକ ଡାକ୍ତର ଲଲାଟେନ୍ଦୁ ମହାପାତ୍ର ସ୍ୱାଗତ କରିଛନ୍ତି । ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଏଆଇସିସି-ପିସିସି କଥାରେ ଟିପ୍ପଣୀ ଦେବା ଉଚିତ୍ ହେବନି ବୋଲି କହିଛନ୍ତି ।

Advertisment

ଚିରଞ୍ଜିବୀଙ୍କ ନିଲମ୍ବନ ଉପରେ ପ୍ରତିକ୍ରିୟା ରଖି ତାଙ୍କ ଜିଲ୍ଲା ଜଗତସିଂହପୁରର ବରିଷ୍ଠ ନେତା ତଥା ପିସିସି ସାଧାରଣ ସମ୍ପାଦକ ଡାକ୍ତର ମହାପାତ୍ର କହିଛନ୍ତି ଯେ, “ ଚିରଞ୍ଜିବୀଙ୍କ ବିରୁଦ୍ଧରେ ଏଭଳି ନିଷ୍ପତ୍ତି ଓ କାର୍ଯ୍ୟାନୁଷ୍ଠାନ ବହୁ ଆଗରୁ ନିଆଯିବାର ଥିଲା । ଏଠି ଦଳ ବଡ଼, ବ୍ୟକ୍ତି ବଡ଼ ନୁହେଁ । ଏଆଇସିସି ଯାହା କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ସ୍ୱାଗତଯୋଗ୍ୟ । ବିଶୃଙ୍ଖଳିତ ଆଚରଣ କରୁଥିବା ନେତାମାନେ, ନିଜର ନିଜର ଅହଙ୍କାର ଓ ଅହମିକାରେ କଂଗ୍ରେସରେ ବିଶୃଙ୍ଖଳା କରୁଥିଲେ ସେମାନେ ଜାଣି ରଖିବା ଉଚିତ୍ ଯେ, ସେମାନେ ବଡ଼ ନୁହଁନ୍ତି । ଦଳ ହେଉଛି ବଡ଼ । ଦଳ ସେମାନଙ୍କୁ ପରିଚୟ ଦେଇଛି । ତେଣୁ ଦଳକୁ ସମ୍ମାନ ଦେବା ଏହି ନେତାମାନେ ପ୍ରଥମେ ଶିଖିବା ଉଚିତ୍ । କଂଗ୍ରେସ ଦଳକୁ ଆଜି ପର୍ଯ୍ୟନ୍ତ କଂଗ୍ରେସ କର୍ମୀମାନେ ହିଁ ବଂଚାଇ ରଖିଛନ୍ତି । ସେମାନେ ହେଉଛନ୍ତି ନମସ୍ୟ । ଚିରଞ୍ଜିବୀଙ୍କ ନିଲମ୍ବନ ଯୋଗୁ ଜିଲ୍ଲା କିମ୍ବା ରାଜ୍ୟ କଂଗ୍ରେସ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ଓଲଟା ଦଳରେ ଶୃଙ୍ଖଳା ଅଧିକ ବ୍ୟବସ୍ଥିତ ହେବ ବୋଲି କହିଛନ୍ତି ।”

ଅନ୍ୟପକ୍ଷରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି ଯେ, “ଏଆଇସିସି-ପିସିସି କଥାରେ ଟିପ୍ପଣୀ ଦେବା ଉଚିତ୍ ହେବନି । କିନ୍ତୁ ନିଲମ୍ବନ ନିଷ୍ପତ୍ତି ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ଜଗତସିଂହପୁର ଜିଲ୍ଲା କଂଗ୍ରେସ ପାଇଁ କ୍ଷତିକାରକ । ଏହି ନିଲମ୍ବନ ନିଷ୍ପତ୍ତିକୁ ନେଇ ଚିରଞ୍ଜିବୀ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ପରେ ଯାହା ଜିଲ୍ଲା କଂଗ୍ରେସ ତା’ର ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି ଶ୍ରୀ ବାରିକ କହିଛନ୍ତି ।”

Advertisment

ସୂଚନାଯୋଗ୍ୟ, ଦଳବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଦ୍ୱାରା ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ନିଲମ୍ବନ କରାଯାଇଛି। କଂଗ୍ରେସର ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ନିଲମ୍ବନକୁ ନେଇ ଦଳରେ  ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଏଭଳି କଠୋର ନିଷ୍ପତ୍ତି ଦ୍ୱାରା କଂଗ୍ରେସ ରାଜ୍ୟରେ ଅଧିକ ଶୃଙ୍ଖଳିତ ହୋଇପାରିବ ବୋଲି ଆଲୋଚନା ହେଉଛି ।

Congress Odisha Congress Chiranjib Biswal