ରାଜନୈତିକ ଦଳମାନେ କେଉଁଠାରେ ପାଣ୍ଠି ଆଣୁଛନ୍ତି ସେସବୁ ଜାଣିବାର ଅଧିକାର ଭୋଟରଙ୍କର ନାହିଁ। ଏକଥା ଆମେ କହୁନୁ, ଖୋଦ୍ କେନ୍ଦ୍ର ସରକାର କହୁଛନ୍ତି। ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ସମ୍ବିଧାନ ଅନୁଯାୟୀ ରାଜନୈତିକ ଦଳମାନେ କେଉଁଠାରୁ ଆର୍ଥିକ ସହାୟତା ପାଉଛନ୍ତି ସେସବୁ ବିଷୟରେ ଜାଣିବାର ଅଧିକାର ମତଦାତାଙ୍କର ନାହିଁ।
ସୁପ୍ରିମକୋର୍ଟରେ ନିର୍ବାଚନ ବଣ୍ଡ ଯୋଜନାକୁ ଚ୍ୟାଲେଞ୍ଜ କରାଯାଇ ହୋଇଥିବା ଆବେଦନ ଉପରେ ଶୁଣାଣି ପୂର୍ବରୁ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ଏକ ବିବୃତ୍ତିରେ ଏପରି କହିଛନ୍ତି। ସେ ସୁପ୍ରିମକୋର୍ଟରେ ଏକ ଲିଖିତ ଦାଖଲ ଉପସ୍ଥାପନ କରି କହିଛନ୍ତି, ସମ୍ବିଧାନର ଧାରା ୧୯(୧)(କ) ଅନୁଯାୟୀ ଜଣେ ପ୍ରାର୍ଥୀଙ୍କ ବିଷୟରେ ଜାଣିବାର ଅଧିକାର ନାଗରିକମାନଙ୍କର ରହିଛି, କିନ୍ତୁ ସବୁ କିଛି ଜାଣିବାର ସାଧାରଣ ଅଧିକାର ନାହିଁ। ଏହା ସୂଚାଇଥାଏ ଯେ, ନିର୍ବାଚନ ବଣ୍ଡ ବିଷୟରେ ସୂଚନା ସର୍ବସାଧାରଣରେ ଉପସ୍ଥାପନ ହୋଇପାରିବ ନାହିଁ।
ଆସନ୍ତାକାଲି ନିର୍ବାଚନ ବଣ୍ଡ ଯୋଜନାକୁ ‘ଅପାରଦର୍ଶୀ ଏବଂ ଅଗଣତାନ୍ତ୍ରିକ’ ଦର୍ଶାଇ କରାଯାଇଥିବା ଆବେଦନର ଶୁଣାଣି ହେବ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।
ଏହା ପୂର୍ବରୁ ସୁପ୍ରିମକୋର୍ଟ ବେଞ୍ଚ ଆଗରେ ଲିଖିତ ଦାଖଲରେ ଭେଙ୍କଟରମଣି କହିଛନ୍ତି ଯେ, କେବଳ ନିର୍ବାଚନ ପ୍ରାର୍ଥୀଙ୍କ ବିଷୟରେ ଜାଣିବା ଭୋଟରଙ୍କ ସାମ୍ବିଧାନିକ ଅଧିକାର, ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଜାଣିବାର ଅଧିକାର ନାହିଁ। ସେ ଆହୁରି ଯୁକ୍ତି ବାଢ଼ି କହିଛନ୍ତି, ପ୍ରାର୍ଥୀଙ୍କ ବାବଦରେ ପୂର୍ବ ଅପରାଧିକ ମାମଲା ଏବଂ ସେମାନଙ୍କ ଜୀବନୀ ବାବଦରେ ଜାଣିବାର ଅର୍ଥ ଏହା ନୁହେଁ, ସେମାନେ କେଉଁଠାରେ ଆର୍ଥିକ ଅନୁଦାନ ପାଉଛନ୍ତି ତାହା ଜାଣିବା।
ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ନିର୍ବାଚନ ବଣ୍ଡ ଯୋଜନା କୌଣସି ବ୍ୟକ୍ତିର ଅଧିକାରକୁ ଉଲ୍ଲଂଘନ କରେ ନାହିଁ ଏବଂ ସମ୍ବିଧାନର ତୃତୀୟ ଭାଗ ଅନୁଯାୟୀ କୌଣସି ଅଧିକାରକୁ ଘୃଣ୍ୟ ବୋଲି କୁହାଯାଇପାରିବ ନାହିଁ। ଯେଉଁ ଆଇନ ପ୍ରତିକୂଳ ନୁହେଁ, ତାକୁ ଅନ୍ୟ କୌଣସି କାରଣରୁ ରଦ୍ଦ କରାଯାଇପାରିବ ନାହିଁ ବୋଲି ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣି ଯୁକ୍ତି ବାଢ଼ିଛନ୍ତି।
ମୁଖ୍ୟ ବିଚାରପତି, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଅକ୍ଟୋବର ୧୬ରେ ଏହି ମାମଲା ଉପରେ ଶୁଣାଣି କରିଥିଲେ। ଏ ଉପରେ ଉଠାଯାଇଥିବା ପ୍ରସଙ୍ଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସେମାନେ ମାମଲାକୁ ପାଞ୍ଚ ଜଣିଆ ଖଣ୍ଡପୀଠକୁ ପଠାଇ ହସ୍ତାନ୍ତର କରିଥିଲେ। ଆସନ୍ତାକାଲି ମାମଲାର ଶୁଣାଣି ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।