ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁଣିଥରେ ପୂର୍ବର ନବୀନ ପଟ୍ଟନାୟକ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଅପରାଧୀଙ୍କୁ ମଧ୍ୟ ସୁଧୁରିଯିବାକୁ ଚେତାବନୀ ଦେଇଛନ୍ତି । ରାଜ୍ୟରେ ଥିବା ପୂର୍ବ ସରକାର ପ୍ରତ୍ୟେକଦିନ ମହିଳା ସଶକ୍ତିକରଣ କଥା କହୁଥିଲେ କିନ୍ତୁ ମହିଳାଙ୍କ ଉପରେ ହିଂସା ନିୟମିତ ବଢ଼ି ଚାଲିଥିଲା । ଆଉ ଦଣ୍ଡବିଧାନ ହାର ଅତ୍ୟନ୍ତ ଲଜ୍ଜାଜନକ ଥିଲା ବୋଲି ଶ୍ରୀ ମାଝୀ କହିଛନ୍ତି ।
ଆଜି ଲୋକସେବା ଭବନରେ ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ନ୍ୟାୟ ସଂହିତା ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଓଡ଼ିଶାରେ ପୂର୍ବ ସରକାରରେ ଆଇନର ଶାସନ କାର୍ଯ୍ୟକାରୀ କରିବାକୁ ଇଚ୍ଛାଶକ୍ତିର ଅଭାବ ଥିଲା । ଆମ ଦେଶରେ ବିଭିନ୍ନ ଅପରାଧକୁ ସମାଧାନ କରିବା ପାଇଁ ଆଇନର ଅଭାବ ନାହିଁ। ଯଦି କିଛି ଅଭାବ ଅଛି ତାହା ହେଉଛି କାର୍ଯ୍ୟକାରୀ କରିବାରେ ଢ଼ିଲା ମନୋଭାବ । ସେ ଉଦାହରଣ ଦେଇ କହିଥିଲେ ଯେ, ମହିଳା ହିଂସା ସମ୍ପର୍କିତ ମକଦ୍ଦମାର ଦଣ୍ଡବିଧାନ ହାର ଓଡ଼ିଶାରେ ଗୋଟିଏ ଅଙ୍କରେ ରହିଛି । ୨୦୨୨ ମସିହାର ଏନସିଆରବି ତଥ୍ୟ ଅନୁସାରେ ମହିଳା ହିଂସା ବିରୋଧରେ ଦଣ୍ଡବିଧାନ ହାର ଉତ୍ତରପ୍ରଦେଶରେ ୭୦.୮ ପ୍ରତିଶତ, ମିଜୋରାମରେ ୬୮ପ୍ରତିଶତ ଓ ବିହାରରେ ୬୦.୯ ପ୍ରତିଶତ । କିନ୍ତୁ ଆମ ଓଡ଼ିଶାରେ ଏହା ମାତ୍ର ୯.୩ ପ୍ରତିଶତ ରହିଛି, ଯାହାକି ଲଜ୍ଜାଜନକ । ପୂର୍ବ ସରକାର ପ୍ରତ୍ୟେକ ଦିନ ମହିଳା ସଶକ୍ତିକରଣ କଥା କହୁଥିଲେ । ଏହା କିପ୍ରକାରର ମହିଳା ସଶକ୍ତିକରଣ, ତାହା ବୁଝିବାର ଶକ୍ତି ବାହାରେ ବୋଲି ସେ କହିଥିଲେ । ଓଡ଼ିଶାରେ ଏଭଳି ଲଜ୍ଜାଜନକ ପରିସ୍ଥିତି ପାଇଁ କେବଳ ଦୁଇଟି କାରଣ ଦାୟୀ । ପ୍ରଥମଟି ହେଉଛି ଖାମଖିଆଲି ଢଙ୍ଗରେ ତଦନ୍ତ ଓ ଦ୍ୱିତୀୟଟି ହେଉଛି ରାଜନୀତିକ ଇଚ୍ଛାଶକ୍ତିର ଅଭାବ ।କିନ୍ତୁ ଏବେ ଆଉ ସେସବୁ ଚାଲିବ ନାହିଁ । ଅପରାଧୀ ସୁଧୁରି ଯାଆନ୍ତୁ ନହେଲେ ସୁଧାରିବା ପାଇଁ ସରକାରଙ୍କ ପାଖରେ ବହୁତ ବାଟ ଅଛି ବୋଲି ବିଧାନସଭାରୁ କହିସାରିଛି । ଗତ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମଧ୍ୟ ଏ କଥା କହିଥିଲି । ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନ ଓ କୋର୍ଟରେ ଲମ୍ବିତ ଥିବା ମହିଳା ହିଂସା ସମ୍ବନ୍ଧୀୟ ସବୁ ମାମଲାକୁ ତର୍ଜମା କରାଯାଇ ଦଣ୍ଡବିଧାନ କରିବାକୁ ପଦକ୍ଷେପ ନିଆଯାଉ । ସେ ସେଠାରେ ଉପସ୍ଥିତ ଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ଏହି କାମକୁ ଯୁଦ୍ଧକାଳୀନ ଭିତ୍ତିରେ ତଦାରଖ କରିବାକୁ ପରାମର୍ଶ ଦେବା ସହ ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ କହିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ନୂଆ ଆଇନରେ ପୁଲିସ ପାଖରେ ଅଭିଯୋଗ ପଞ୍ଜିକରଣ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି । ଇଲେକ୍ଟ୍ରୋନିକ ମାଧ୍ୟମରେ ଅଭିଯୋଗ ପଞ୍ଜିକରଣ ହୋଇପାରିବ । ପୁଲିସ ନିଜ ଭୌଗଳିକ ପରିଧିରେ ଆସୁନି ବୋଲି କହି କୌଣସି ଅଭିଯୋଗକୁ ଫେରାଇ ପାରିବ ନାହିଁ । ଉକ୍ତ ଅଭିଯୋଗକୁ ସମ୍ବନ୍ଧିତ ପୁଲିସ ଥାନାକୁ ପଠାଇବ । ସେହିପରି ୧୫ବର୍ଷରୁ କମ୍ ଓ ୬୦ବର୍ଷରୁ ଅଧିକ ବ୍ୟକ୍ତି, ଶାରୀରିକ ଓ ମାନସିକସ୍ତରରେ ଭିନ୍ନକ୍ଷମ ବ୍ୟକ୍ତି, ମହିଳାମାନେ ଥାନାକୁ ନଯାଇ ମଧ୍ୟ ନିଜର ବୟାନ ରେକର୍ଡ କରିବା ସହ ପୋକସୋ ଆଇନରେ ୬୦ଦିନ ମଧ୍ୟରେ ଫଇସଲାର ପ୍ରାବଧାନ, ସାଇବର କ୍ରାଇମ, ସଂଗଠିତ ଅପରାଧ ଆଦିକୁ ନେଇ ଏହି ନୂଆ ଆଇନରେ ବ୍ୟବସ୍ଥା ରହିଛି । କେବଳ ସେତିକି ନୁହେଁ ବିଭିନ୍ନ ଛୋଟଛୋଟ ଅପରାଧ ପାଇଁ ଜେଲ୍ କିମ୍ବା ଜୋରିମାନା ବଦଳରେ ସେମାନଙ୍କୁ ଗୋଷ୍ଠୀ ସେବା କରିବା ପାଇଁ ବ୍ୟବସ୍ଥା ରଖାଯାଇଛି । ଯାହାକି ଜେଲରେ ଭିଡ଼ ହ୍ରାସରେ ସହାୟକ ହେବ ଓ ଜଣେ ବ୍ୟକ୍ତିକୁ ପରିବର୍ତ୍ତନ ପାଇଁ ସୁଯୋଗ ମିଳିବ । ଯେଉଁମାନେ ପେଷାଦାର ଅପରାଧୀ ନୁହଁନ୍ତି ସେମାନଙ୍କୁ ମୁଖ୍ୟଧାରାକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଏହି ଆଇନରେ ରହିଛି ବୋଲି ସେ କହିଛନ୍ତି ।
ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବ୍ୟବସ୍ଥାର ସରଳୀକରଣ ପାଇଁ ଆଇନର ପରିବର୍ତ୍ତନ କରାଯାଇଛି । ସାଧାରଣ ଲୋକେ ଆଇନକୁ ବୁଝିପାରିଲେ, ଆଇନର ଶାସନ ପ୍ରଭାବୀ ହୋଇପାରିବ । ଓଡ଼ିଶାରେ ଗ୍ରାମ୍ୟ ନ୍ୟାୟାଳୟର ବ୍ୟବସ୍ଥା ଆରମ୍ଭ ହୋଇସାରିଛି ଓ ଏହାକୁ ଅଧିକ ଆଗକୁ ନିଆଯିବ । ଏହାଦ୍ୱାରା ଗ୍ରାମ୍ୟସ୍ତରରେ ମଧ୍ୟସ୍ଥତା ଜରିଆରେ ଅନେକ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ମନୋଜ ଆହୁଜା, ସମାଜସେବୀ ଜଗଦାନନ୍ଦ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ ।