Advertisment

ନିର୍ବାଚନୀ କଟକଣା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା: ବିରୋଧୀ ଚୁପ୍‌, ନିର୍ବାଚନ କମିଶନ ନିରବ

ଭୋଟ ବେଳେ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ  ତୁଷ୍ଟୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସିଧାସଳଖ ନିର୍ବାଚନୀ ଆଚରଣ ବିଧି ଉଲ୍ଲଘଂନ କରୁଥିଲେ ମଧ୍ୟ ବିରୋଧୀ ଦଳ ଚୁପ୍ ରହିଛନ୍ତି । ଏପରିକି ନିର୍ବାଚନ କମିଶନ ମଧ୍ୟ ଏନେଇ ଆପତ୍ତି ନଉଠାଇବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

author-image
Ordigital Desk
naveen patnaik

naveen patnaik

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଥିବା ସତ୍ତ୍ୱେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ଏକ ବୃହତ୍ ସମୁଦାୟକୁ ସନ୍ତୁଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଲୋଭନୀୟ ପ୍ୟାକେଜ୍ ଘୋଷଣା କରିଛନ୍ତି । ଝାରସୁଗୁଡ଼ା ନିର୍ବାଚନରେ ଅଗରିଆ ସମାଜ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସେମାନଙ୍କୁ ରାଜଧାନୀ ଭୁବନେଶ୍ୱରରେ ଅଧ ଏକର ଜମି ଓ ୩କୋଟି ଟଙ୍କା ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଭୋଟ ବେଳେ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ  ତୁଷ୍ଟୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସିଧାସଳଖ ନିର୍ବାଚନୀ ଆଚରଣ ବିଧି ଉଲ୍ଲଘଂନ କରୁଥିଲେ ମଧ୍ୟ ବିରୋଧୀ ଦଳ ଚୁପ୍ ରହିଛନ୍ତି । ଏପରିକି ନିର୍ବାଚନ କମିଶନ ମଧ୍ୟ ଏନେଇ ଆପତ୍ତି ନଉଠାଇବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଅଗରିଆ ସମାଜର ପ୍ରତିନିଧିମାନେ ନିକଟରେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସେମାନଙ୍କ ଅନୁରୋଧ ତଥା ଅଗରିଆ ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ନିକଟରେ ଅଗରିଆ ସମାଜ ପାଇଁ ଅଧ ଏକର ଜମି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏଥିପାଇଁ ଜମି ଚିହ୍ନଟ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଗରିଆ ସମାଜ ଭବନ ନିର୍ମାଣ ପାଇଁ ସରକାର ମଧ୍ୟ ୩କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ଦେବଗଡ଼ ଆଦି ଜିଲ୍ଲାରେ ବସବାସ କରନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନୀ ଆଚରଣ ବିଧି ବଳବତ୍ତର ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କିଭଳି କଲେ । ସେଠାରେ ଏବେ ପ୍ରଚାର ଜୋରସୋରରେ ଚାଲିଥିବାବେଳେ ନିର୍ବାଚନମଣ୍ଡଳୀର ପ୍ରାୟ ୧୮ ପ୍ରତିଶତ ଭୋଟର ହେଉଛନ୍ତି ଅଗରିଆ ସମୁଦାୟର । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଅଗରିଆ ସମୁଦାୟର ଓ ତାଙ୍କ ଭୋଟବ୍ୟାଙ୍କରେ ଛିଦ୍ର କରିବା ନିମନ୍ତେ ଶାସକ ବିଜେଡି ଏବେ ଏଭଳି ପ୍ରଲୋଭନ ଦେଖାଇଥିବା ଚର୍ଚ୍ଚା ହେଉଛି । ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରି ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ନିରବ ରହିଥିବାବେଳେ ନିର୍ବାଚନ କମିଶନ ମଧ୍ୟ କାହିଁକି ଆପତ୍ତି  ଉଠାଉ ନାହାନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment

ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନବେଳେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୁଲତା ଓ ମେହେର ସମାଜ ପାଇଁ ଅନୁରୂପ ଘୋଷଣା କରିଥିଲେ । ସେତେବେଳେ ବି ବିରୋଧୀ ଦଳ ଓ ନିର୍ବାଚନ କମିଶନ ନିରବ ରହିଥିଲେ । ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସଂଖ୍ୟାଧିକ କୁଲତା ଓ ମେହେର ସମାଜର ଭୋଟର ଥିବାରୁ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀରେ ଧର୍ମଶାଳା ନିର୍ମାଣ(କୁଲତା ସମାଜ) ଓ ଭୁବନେଶ୍ୱରରେ ଗଙ୍ଗାଧର ମେହେର ଭବନ ନିର୍ମାଣ(ମେହେର ସମାଜ) ନିମନ୍ତେ ସରକାରୀ ସହାୟତା ଘୋଷଣା କରିଥିଲେ ।

BjD Bjp Congress Naveen Patnaik Bjd Leader Jharsuguda Bypoll