Advertisment

ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’; ଜାଣି ନିଅନ୍ତୁ ସବିଶେଷ ତଥ୍ୟ

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବାରେ "ଶକ୍ତିଶ୍ରୀ କାର୍ଯ୍ୟକ୍ରମ" ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

author-image
Jitendra Garnayak
undefined

CM Mohan Charan Majhi

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆରମ୍ଭ ହେବ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଇବା ସହିତ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶଦିଗରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟ କରିବ।

Advertisment

ଏହି କାର୍ଯ୍ୟକ୍ରମର ୮ ଗୋଟି ପ୍ରମୁଖ ଦିଗ ଉପରେ ଜାଣନ୍ତୁ

ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର: ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏକ ସ୍ଥାୟୀ "ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର"ର ସ୍ଥାପନ କରାଯିବ, ଯାହାକି ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ "ଶକ୍ତିଶ୍ରୀ ସାଥୀ" ଓ ଜଣେ ଅଧ୍ୟାପିକା "ଶକ୍ତିଶ୍ରୀ ସଂଯୋଜିକା" ଭାବରେ ଉକ୍ତ କେନ୍ଦ୍ରର ପରିଚାଳନା କରିବେ। ଏଥିସହ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା "ଶକ୍ତିଅପା" ଭାବରେ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ। ପ୍ରତି ୩ ମାସରେ ଥରେ “ଶକ୍ତିଅପା”ମାନେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏହି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର କାର୍ଯ୍ୟ କରିବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାଚରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଆଇନଗତ ଅଧିକାର ତଥା ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ।ଡିଜିଟାଲ ସୁରକ୍ଷାର ବିଭିନ୍ନ ଦିଗକୁ ନେଇ ସଚେତନ କରାଯିବ।

ଶକ୍ତିଶ୍ରୀ ମୋବାଇଲ ଆପ୍‌: “ଶକ୍ତିଶ୍ରୀ ଆପ୍‌” ନାମରେ ଏକ ନୂତନ ମୋବାଇଲ ଆପ୍‌ କାର୍ଯ୍ୟକାରୀ ହେବ। କ୍ୟାମ୍ପସରେ ଛାତ୍ରୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ।

Advertisment

ଛାତ୍ରୀମାନଙ୍କର ସଚେତନତା ଓ ଅବଗତି ନିମନ୍ତେ ଶକ୍ତିଶ୍ରୀ ମୋବାଇଲ ଆପ୍‌ରେ କଲେଜମାନଙ୍କରେ ରହୁଥିବା ଇଣ୍ଟରନାଲ କମିଟି ଏହାର ନିୟମାବଳୀ ଏବଂ କାର୍ଯ୍ୟ ସମ୍ବନ୍ଧରେ ସମସ୍ତ ସୂଚନା ପ୍ରଦାନ କରାଯିବ। ଏଥିସହ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ଫୋନ୍‌ ନମ୍ବର ମଧ୍ୟ ପ୍ରଦାନ କରାଯିବ।

ଯଦି କୌଣସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ତେବେ ସେ ନିଜର ପରିଚୟକୁ ଗୋପନୀୟ ରଖି ନିଜର ଅଭିଯୋଗକୁ Text, Audio ବାVideo Messageମାଧ୍ୟମରେ ଉକ୍ତ ଆପ୍‌ରେ ପଞ୍ଜିକୃତ କରିପାରିବେ। ଅଭିଯୋଗଟି ଆପ୍‌ରେ ପଞ୍ଜିକୃତ ହୋଇ ସାରିବା ପରେ ଏହା ସିଧାସଳଖ ଉକ୍ତ ଛାତ୍ରୀ ପଢୁଥିବା ଶିକ୍ଷାନୁଷ୍ଠାନର ଇଣ୍ଟରନାଲ କମିଟିର ଅଧ୍ୟକ୍ଷଙ୍କ ନିକଟରେ ପହଂଚିବ।

ଛାତ୍ରୀମାନେ ଯଦି ଚାପ ଆଦିର ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଶକ୍ତିଶ୍ରୀ ମୋବାଇଲ ଆପ୍ ମାଧ୍ୟମରେ ସେମାନେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ସିଧା ସଳଖ କଥା ହୋଇ ଉପଯୁକ୍ତ ପରାମର୍ଶ ନେଇପାରିବେ। ଶକ୍ତିଶ୍ରୀ ଆପରେ ଛାତ୍ରୀମାନଙ୍କ ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଟେଲି-ମାନସ (Tele-MANAS -Tele Mental Health Assistance and Networking Across States)ଯୋଜନାର ସୁବିଧା ମଧ୍ୟ ଉପଲବ୍ଧ ହେବ।

ଏଥିସହ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଶକ୍ତିଶ୍ରୀମୋବାଇଲ ଆପରେ ରହିଥିବା SOSବଟନକୁ ବ୍ୟବହାର କରି ଛାତ୍ରୀମାନେ ତୁରନ୍ତ ସାହାଯ୍ୟ ପାଇପାରିବେଏବଂ ସିଧାସଳଖ ଶକ୍ତିଶ୍ରୀ ସାଥୀ ଏବଂ ଶକ୍ତିଶ୍ରୀ ସଂଯୋଜିକାଙ୍କ ସହ କଥା ହୋଇପାରିବେ।

ଶକ୍ତିଶ୍ରୀ ମୋବାଇଲ ଆପରେ ବିଭିନ୍ନ ଜିଲ୍ଲାମାନଙ୍କରେ ରହିଥିବା ଲୋକାଲ୍ କମିଟି ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀ ହୃଦୟଙ୍ଗମ କରନ୍ତି ଯେ, ତାଙ୍କର ଅଭିଯୋଗ ସମ୍ପୃକ୍ତ କଲେଜର ଇଣ୍ଟରନାଲ କମିଟି ଦ୍ୱାରା ସମାଧାନ ହେଉନାହିଁ। ତେବେ ସେ ନିଜର ଅଭିଯୋଗ ସମ୍ବନ୍ଧରେ ଲୋକାଲ୍ କମିଟିକୁ ମଧ୍ୟ ଅବଗତ କରାଇପାରିବେ। ଏହି ସଂକ୍ରାନ୍ତୀୟଏକ SOP ଖୁବଶୀଘ୍ର ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି କରାଯିବ।

ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁସ୍ୱତନ୍ତ୍ର କୋଡ୍ ଅଫ୍ କଣ୍ଡକ୍ଟ: ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଡ୍‌ ଅଫ୍ କଣ୍ଡକ୍ଟ (Code of Conduct)ଲାଗୁ ହେବ। ଏହା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ଏକ ବାର୍ଷିକ ଅନଲାଇନ୍‌ ଟ୍ରେନିଂ ମଡ୍ୟୁଲକୁ ସମ୍ପୂର୍ଣ୍ଣ କରିବେ, ଯାହା ଦ୍ୱାରା ସମସ୍ତଙ୍କ ମଧ୍ୟରେ ମହିଳା ସୁରକ୍ଷା, ଲିଙ୍ଗଗତସମାନତା ଓ ସମ୍ବେଦନଶୀଳତା ସମ୍ବନ୍ଧରେ ସଚେତନତା ବୃଦ୍ଧି ହୋଇପାରିବ।

SAFE କ୍ୟାମ୍ପେନ୍‌: ଲିଙ୍ଗଗତ ସମାନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ SAFE (Shakti Shree Actions for Female Empowerment)କ୍ୟାମ୍ପେନ୍‌ର ଆୟୋଜନ କରାଯିବ। ଏହି କ୍ୟାମ୍ପେନ୍‌ ମାଧ୍ୟମରେ ବାର୍ଷିକ ଦୁଇ ଥରଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର, ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆଦିର ଆୟୋଜନ କରାଯିବ, ଯାହାକି ଛାତ୍ରୀମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ଶୈକ୍ଷିକ ପରିବେଶ ପ୍ରଦାନ କରିବ।

କ୍ୟାମ୍ପସ ସୁରକ୍ଷା ରିପୋର୍ଟ: କ୍ୟାମ୍ପସ ସୁରକ୍ଷାକୁ ନେଇ ପ୍ରତିଟି କଲେଜ ନିଜର ଏକ ବାର୍ଷିକ ରିପୋର୍ଟ ପ୍ରତିବର୍ଷ ଡିସେମ୍ବର ମାସ ୩୧ ତାରିଖ ସୁଧା ପ୍ରଦାନ କରିବେ। କ୍ୟାମ୍ପସ ସୁରକ୍ଷାକୁ ନେଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଥିବା କାର୍ଯ୍ୟ, ପଞ୍ଜିକୃତ ହୋଇଥିବା ଅଭିଯୋଗ ଓ ଏହାର ସମାଧାନ, ଆପାତ୍ତକାଳୀନ ସ୍ଥିତିର ମୁକାବିଲା ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ରହିଥିବା ଭିତ୍ତିଭୂମିଆଦି ସମ୍ବନ୍ଧରେ ସବିସ୍ତୃତ ବିବରଣୀକୁ ଉକ୍ତ ରିପୋର୍ଟରେ ସ୍ଥାନିତ କରାଯିବ।

ସିସିଟିଭି (CCTV) କ୍ୟାମେରା: ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବ, ଯାହାଦ୍ୱାରା କଲେଜ କ୍ୟାମ୍ପସକୁ ୨୪ ଘଣ୍ଟାମନିଟରିଙ୍ଗ କରାଯାଇପାରିବ। ଏଥିସହ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ରହିବାର ବ୍ୟବସ୍ଥା କରାଯିବ। କଲେଜରେ ରହିଥିବା ଇଣ୍ଟରନାଲ କମିଟିର ସଦସ୍ୟ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ପରାମର୍ଶ ଅନୁଯାୟୀ ସିସିଟିଭି କ୍ୟାମେରା ଲଗାଇବାର ସ୍ଥାନ ନିରୂପଣ କରାଯିବ।

ଅନଲାଇନ କୋର୍ସ: କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH Act, 2013) ଏବଂ ଏହି ସମ୍ବନ୍ଧରେ UGC ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଅନଲାଇନ କୋର୍ସ ପ୍ରଦାନ କରାଯିବ।

ଶକ୍ତି ସ୍ୱରୂପିଣୀ: ରାଜ୍ୟର ସମସ୍ତ ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକାଓଶକ୍ତି ଅପାମାନଙ୍କ ପାଇଁ ବାର୍ଷିକ ଏକ ଦିବସୀୟ କର୍ମଶାଳା "ଶକ୍ତି ସ୍ୱରୂପିଣୀ"ର ଆୟୋଜନ କରାଯିବ। ଉକ୍ତ କର୍ମଶାଳାରେ ମହିଳାମାନଙ୍କରସାମ୍ବିଧାନିକ ଓ ଆଇନଗତ ଅଧିକାର ସମ୍ବନ୍ଧରେ ସଚେତନ କରାଯିବ। ମହିଳାଙ୍କ ସୁରକ୍ଷାକୁ ନେଇ ରହିଥବା ବିଭିନ୍ନ ଦିଗ ସମ୍ବନ୍ଧରେ ସଚେତନ କରାଇବା, ଡିଜିଟାଲ ସୁରକ୍ଷା ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବା ଠାରୁ ନେଇ ଶକ୍ତିଶ୍ରୀ ମୋବାଇଲ ଆପ୍‌ର ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହାକି ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସୁଚାରୁ ରୂପେ ପରିଚାଳିତ ହୋଇପାରିବ।

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବାରେ "ଶକ୍ତିଶ୍ରୀ କାର୍ଯ୍ୟକ୍ରମ" ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

CM Mohan Charan Majhi