Advertisment

ସମାଧାନ ହେବ କି ମହାନଦୀ ବିବାଦ? ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଚର୍ଚ୍ଚା ବଢ଼ିଲା

ମୁଖ୍ୟମନ୍ତ୍ରୀ ମାଝୀଙ୍କ ଏପରି ବୟାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ମହାନଦୀ ବିବାଦ ପ୍ରସଙ୍ଗ।

author-image
Hemant Lenka
ଅଦ୍ୟତନ ହୋଇଛି
Odisha

Odisha

ଦୀର୍ଘ ବର୍ଷ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀକୁ ନେଇ ଜାରି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ଆଶା ସୃଷ୍ଟି ହୋଇଛି। କେନ୍ଦ୍ର ସମେତ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଆସିବା ପରେ ବିବାଦର ସମାଧାନ ପାଇଁ ବାଟ ‍ଫିଟିବାର ସମ୍ଭାବନା ସୃଷ୍ଟି ହୋଇଥିଲା।

Advertisment

ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ବୟାନ ଏହି ଆଶାକୁ ଆହୁରି ବଢ଼ାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଦୁଇ ଦୁଇ ଥର ଆଲୋଚନା ସରିଲାଣି। ତେଣୁ ଆଗକୁ ସମାଧାନର ବାଟ ‍ଫିଟିବାର ସମ୍ଭାବନା ଥିବା ସେ ପରୋକ୍ଷରେ ସଙ୍କେତ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମାଝୀଙ୍କ ଏପରି ବୟାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ମହାନଦୀ ବିବାଦ ପ୍ରସଙ୍ଗ। ବଲାଙ୍ଗୀର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ମହାନଦୀ ବିବାଦ ପ୍ରସଙ୍ଗକୁ ସରକାର ଗୁରୁତର ସହ ନେଇଛନ୍ତି। ଏ ସଂପର୍କରେ ଆଲୋଚନା ଜାରି ରହିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏ ସଂପର୍କରେ ଦୁଇ ଥର ଆଲୋଚନା କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଏହାସହ ମହାନଦୀରେ ଓଡ଼ିଶା ସରକାରଙ୍କ ନିକଟରେ ବିଚାରଧୀନ ଥିବା ଆନିକଟ, ଆଡ଼ିବନ୍ଧ, ବ୍ୟାରେଜ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ଏବେ ବିଜେପି ସରକାର ଥିବାରୁ ମହାନଦୀ ସମସ୍ୟାର ସମାଧାନ ଆଶା ସଞ୍ଚରିଛି। କିନ୍ତୁ ବିଜେଡି ଓ କଂଗ୍ରେସ ଏହାକୁ କେବଳ ଭେଳିକି ବୋଲି କହିଛନ୍ତି। ସେହିପରି ସମସ୍ୟାର ସମାଧାନ ପାଇଁ ଗଠନ ହୋଇଥିବା ଟ୍ରିବୁନାଲରୁ କୌଣସି ସୁଫଳ ମିଳୁ ନଥିବାରୁ ଆପୋଷ ଆଲୋଚନା ହିଁ ଏକମାତ୍ର ବାଟ ବୋଲି କହିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ।

ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ଆମ ସରକାରଙ୍କ ସମୟରେ କେନ୍ଦ୍ର ସରକାରଙ୍କ ଅସହଯୋଗ ପାଇଁ ସମସ୍ୟାର ସମାଧାନ ହୋଇ ପାରିଲାନି। ମୁଖ୍ୟମନ୍ତ୍ରୀ କ‘ଣ କଥା ହୋଇଛନ୍ତି ସାର୍ବଜନୀନ କରନ୍ତୁ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ଏହା କେବଳ ସରକାରଙ୍କ ଜୁମଲା ଛଡ଼ା ଆଉ କିଛି ନୁହେଁ ବୋଲି କହିଛି।

ଅନ୍ୟପକ୍ଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମସ୍ୟାର ସମାଧାନ ପାଇଁ ୨୦୧୮ ମସିହାରେ ଯେଉଁ ଟ୍ରିବ୍ୟୁନାଲ ଗଠନ ହୋଇଥିଲା ତା’ହା ଏବେ ଏକ ପ୍ରକାର ସ୍ଥାଣୁ ପାଲଟିଛି। ଯଦିଓ ଏହି ଟ୍ରିବୁନାଲର କାର୍ଯ୍ୟକାଳକୁ ଏପ୍ରିଲ ୨୦୨୬ ଯାଏ ବୃଦ୍ଧି କରାଯାଇଛି, ହେଲେ ୭ ମାସ ହେଲା ଟ୍ରିବୁନାଲର ଅଧ୍ୟକ୍ଷ ନାହାନ୍ତି।

ସେହିପରି ମହାନଦୀ ଉପରେ ୩୨ଟି ସିଟିଂ ହୋଇଥିଲେ ବି ଏପର୍ଯ୍ୟନ୍ତ ଥରେ ମଧ୍ୟ ଶୁଣାଣି ହୋଇପାରିନି। ପୁଣି ଏ ଯାଏ ଓଡିଶା, ଛତିଶଗଡ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ତଥ୍ୟ ମଧ୍ୟ ଦାଖଲ ହୋଇନାହିଁ।

ଆଉ ଏକ ବଡ଼ କଥା ହେଉଛି ଯଦିଓ ଟ୍ରିବୁନାଲ ଆରମ୍ଭରୁ ଅଣମୌସୁମୀ ସମୟରେ ଛତିଶଗଡ଼ ପାଣି ଛାଡ଼ିବା ପାଇଁ ଏକ ଅନ୍ତରୀଣ ରାୟ ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନ ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ସେନେଇ କୌଣସି ନିଷ୍ପତ୍ତି ଆସିପାରିଲା ନାହିଁ।

ତେଣୁ ଆପୋଷ ଆଲୋଚନା କରି ସମାଧାନ ସହ ପ୍ରଥମେ ଅଣ ମୌସୁମୀ ସମୟରେ ପାଣି ଛାଡ଼ିବାକୁ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରିବାକୁ କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ।

Odisha Mahanadi Mohan Charan Majhi