Advertisment

ଉଜୁଡ଼ା କ୍ଷେତ ବୁଲି ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଅସୁବିଧା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି।

author-image
Debadatta Aryashrestha
CM Mohan Majhi visits Rain Affected districts

CM Mohan Majhi visits Rain Affected districts

ଅଦିନିଆ ବର୍ଷା ମାଡ଼ରେ ମେରୁଦଣ୍ଡ ନଇଁ ଯାଇଥିବା ଚାଷୀଙ୍କ ପାଖରେ ଛିଡା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷତିପୂରଣ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଆଜି ବିଭିନ୍ନ କ୍ଷତିଗ୍ରସ୍ତ ଜିଲ୍ଲା ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସରକାରଙ୍କ ପାଖରେ ସହାୟତା ପାଇଁ କାନ୍ଦି କାନ୍ଦି ଗୁହାରୀ କରିଛି ଚାଷୀ। ଆଉ ଏପଟେ ବିରୋଧୀ, ସରକାରଙ୍କ ବିଫଳତା ନେଇ ଟାର୍ଗେଟ କରିଛନ୍ତି।

Advertisment

ଅଦିନିଆ ବର୍ଷାରେ ଧୋଇଯାଇଛି ଫସଲ, ଅଣ୍ଟା ସଳଖିବା ମୁସ୍କିଲ। ଆଉ ଏହି ଦୁଃଖକଷ୍ଟ ସମୟରେ ଚାଷୀଙ୍କ ପାଖେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଅସୁବିଧା ପଚାରି ବୁଝିଛନ୍ତି। ଖାଲି ସେତିକି ନୁହେଁ, କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି। ଦୀର୍ଘ ବର୍ଷ ପରେ ରାଜ୍ୟର ମୁଖିଆଙ୍କୁ ଏତେ ପାଖରେ ପାଇ ଚାଷୀ ନିଜର ଦୁଃଖ ବଖାଣିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ସବୁ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅପେକ୍ଷା କରି ରହିଥିବା ଚାଷୀ ହାତରୁ ଉଜୁଡା ଧାନକୁ ଆଣି ନିଜେ ଦେଖି ଆଶ୍ୱାସନା ଦେଇଛନ୍ତି ମୋହନ ମାଝୀ। 

ଆଜି ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଆଜି ମୁଖ୍ୟମନ୍ତ୍ରୀ ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଆଜି ସୁଦ୍ଧା ଫସଲ ବୀମା ଯୋଜନାରେ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଛନ୍ତି ଚାଷୀଙ୍କୁ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବି ଗ୍ରାଉଣ୍ଡକୁ ଯାଇଥିଲେ। ସେହିପରି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କଟକ ଓ ଜଗତସିଂପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭଦ୍ରକ ଓ ବାଲେଶ୍ୱର, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡା ଓ ଯାଜପୁର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦ୍ଧା ଗସ୍ତ କରି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଚାଷୀଙ୍କୁ ଭେଟିଛନ୍ତି।

Advertisment

ସେପଟେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷକୁ ନେଇ ରାଜନୀତି ଜୋର ଧରିଛି। ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ ଗଞ୍ଜାମ ଚାଷୀଙ୍କୁ ଭେଟିବେ। ୩୧ ତାରିଖରେ ପୁରୀ, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ। ସେପଟେ କଂଗ୍ରେସ ଦୁଇ ଦଳର ନେତାଙ୍କ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତକୁ କଡା ଭାଷାରେ ସମାଲୋଚନା କରିବା ସହ ରାଜନୀତି ନକରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଏବଂ ବୀମା ପଞ୍ଜୀକରଣ ଅବଧିକୁ ଆଉ ତିନି ଦିନ ବଢାଇବାକୁ ଦାବି କରିଛି।

Bjp Pravati Parida CM Mohan Majhi Kv Singh Deo Rain Affected Districts Rain Affected Farm