ଷଢ଼େଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରଣହୁଙ୍କାର

ଷଢ଼େଇକଳା ନିର୍ବାଚନ ମଣ୍ଡଳୀର ରାଜନଗର ଫୁଟ୍‌ବଲ୍‌ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୧୨ ଦିନ ପରେ ଝାରଖଣ୍ଡରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରକୁ ଟାଏ ଟାଏ ବାଏ ବାଏ କହି ବିଦାୟ ଦେବା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Monday, 11 November 2024
  • , Updated: 11 November 2024, 06:28 PM IST

ଝାରଖଣ୍ଡର ଷଢ଼େଇକଳାରେ ରଣହୁଙ୍କାର ଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜେଏମ୍‌ଏମ୍‌ର ହେମନ୍ତ ସୋରେନ୍‌ ଓ କଂଗ୍ରେସ ମେଣ୍ଟ ସରକାର ଉପରେ ବର୍ଷିଲେ। ଆଉ ଚମ୍ପାଇ ସୋରେନ୍‌ଙ୍କ ପାଇଁ ଭୋଟ୍‌ ମାଗିଲେ। ଜେଏମ୍‌ଏମ୍‌ ସରକାରର ଏକ୍ସପାଏରୀ ତାରିଖ ଓ ନୂଆ ସରକାର ଗଠନ ତାରିଖ ମଧ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

ଷଢ଼େଇକଳା ନିର୍ବାଚନ ମଣ୍ଡଳୀର ରାଜନଗର ଫୁଟ୍‌ବଲ୍‌ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୧୨ ଦିନ ପରେ ଝାରଖଣ୍ଡରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରକୁ ଟାଏ ଟାଏ ବାଏ ବାଏ କହି ବିଦାୟ ଦେବା। ଆଉ ଏଠାରେ ନୂଆ ସରକାର ଗଠନ କରିବା। ନଭେମ୍ୱର ୨୩ ତାରିଖରେ ଝାରଖଣ୍ଡରେ ନୂଆ ସକାଳ ଆସିବ। ନୂଆ ସରକାର ଗଠନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଠାକାର ବିଧାୟକ ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ବଡ଼ ଭୂମିକା ଦେବେ। ତେଣୁ ଚମ୍ପାଇଙ୍କୁ ବଡ଼ ବ୍ୟବଧାନରେ ବିଜୟୀ କରାଇ ଝରଖଣ୍ଡ ବିଧାନସଭାକୁ ପଠାଇବା ପାଇଁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ।

ସେ କହିଛନ୍ତି, ଓଡ଼ିଶା, ଛତିଶଗଡ଼ ଓ ଝାରଖଣ୍ଡକୁ ଭାରତର ୩ ଭଉଣୀ ବୋଲି କୁହାଯାଏ। କାରଣ ପୂର୍ବ ଭାରତର ଏହି ୩ଟି ରାଜ୍ୟ ବିନା ଦେଶର ପ୍ରଗତି କରିହେବ ନାହିଁ। ଭାରତରେ ଉତ୍ପାଦିତ ହେଉଥିବା ଯେତେ ପ୍ରକାର ଖଣିଜ ଦ୍ରବ୍ୟ ରହିଛି, ସେ ସବୁ ଏହି ୩ଟି ରାଜ୍ୟରୁ ଉତ୍ପାଦନ ହେଉଛି। ହେଲେ ଛତିଶଗଡ଼ର କଂଗ୍ରେସ ସରକାର ସେହି ଖଣିଜ ସମ୍ପତ୍ତି ଲୁଟ୍‌ କରୁଥିଲା। ଠିକ୍‌ ସେମିତି ଓଡ଼ିଶାରେ ବିଜେଡି ସରକାର ଲମ୍ୱା ସମୟ ଧରି ରହି ଖଣିଜ ସମ୍ପତ୍ତି ଲୁଟ୍‌ କରୁଥିଲା। ହେଲେ ସାଧାରଣ ନିର୍ବାଚନରେ ଓଡ଼ିଶାର ଲୋକ ମନ ବଦଳାଇଲେ। ଆଉ ବିଜେଡି ସରକାରକୁ ହଟାଇ ଦେଲେ। ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡ଼ିଶାରେ ଏବେ ବିଜେପି ସରକାର ଚାଲିଛି। ନୂଆ ସରକାର ଆସିବା ପରେ ୧୦୦ ଦିନ ଭିତରେ ସଂକଳ୍ପପତ୍ରରେ ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଝାରଖଣ୍ଡରେ ଏକ ପରିବାରବାଦ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି। ଏ ସରକାରକୁ ହଟାଇବା। ଏହି ପ୍ରକ୍ରିୟା ଷଢ଼େଇକଳାରୁ ଆରମ୍ଭ ହେବ। ଆଉ ଚମ୍ପାଇ ସୋରେନ୍‌ଙ୍କୁ ବହୁ ମତରେ ବିଜୟୀ କରାଇ ବିଧାନସଭା ପଠାଇବା। ଝାରଖଣ୍ଡ ରାଜନୀତିରେ ଚମ୍ପାଇ ସୋରେନଙ୍କ ଯୋଗଦାନ ବହୁତ ରହିଛି। ଝାରଖଣ୍ଡ ଗଠନରେ ତାଙ୍କର ବହୁତ ବଡ଼ ଭୂମିକା ରହିଛି। ଏ ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜେଲ୍‌ରୁ ଆସି ଚମ୍ପାଇ ସୋରେନଙ୍କୁ ବହୁତ ଅପମାନିତ କରିଛନ୍ତି। ଆଗାମୀ ନିର୍ବାଚନରେ ତାହାର ଜବାବ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି।

ସେ କହିଛନ୍ତି, ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଝାରଖଣ୍ଡ ରାଜ୍ୟ ଗଠନ ହୋଇଥିଲା। ଆଦିବାସୀଙ୍କ ବିକାଶ କରିବା ପାଇଁ ଏହି ରାଜ୍ୟ ଗଠନ କରାଯାଇଥିଲା। ଆଉ ଏଠାରେ ବିଜେପି ସରକାର ଗଢ଼ିଥିଲା। ଆଶ୍ଚର୍ଯ୍ୟର କଥା ଆଜି ଆଦିବାସୀଙ୍କ ଜନସଂଖ୍ୟା କମି କମି ଯାଉଛି। ଆଦିବାସୀଙ୍କ ଜମିକୁ ହରଣଚାଲ କରାଯାଉଛି। ଜେଏମ୍‌ଏମ୍‌ର ହେମନ୍ତ ସୋରେନ ଓ କଂଗ୍ରେସ ମିଳିତ ଭାବେ ଆଦିବାସୀଙ୍କ ଜମିକୁ ହଡ଼ପ୍‌ କରୁଛନ୍ତି। ଆଦିବାସୀଙ୍କଠାରୁ ଜମିକୁ ନେଇ ବାଂଲାଦେଶୀ ଓ ରୋହିଙ୍ଗିଆମାନଙ୍କୁ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ବିଜେପି ସରକାର ଅର୍ଥ ହେଉଛି ବିକାଶର ସରକାର। ଓଡ଼ିଶାରେ ଗତ ୫ ମାସ ହେଲା ଡବଲ୍‌ ଇଞ୍ଜିନ ସରକାର ଚାଲିଛି। ବର୍ଷେ ତଳେ ଛତିଶଗଡ଼ରେ ଡବଲ୍‌ ଇଞ୍ଜିନ ସରକାର ହୋଇଛି। ଏବେ ସମୟ ଆସିଛି ଝାରଖଣ୍ଡରେ ଡବଲ ଇଞ୍ଜିନର ସରକାର କରିବା ପାଇଁ। କିଛିଦିନ ତଳେ ଝାରଖଣ୍ଡ ନିର୍ବାଚନ ପାଇଁ ଗୃହମନ୍ତ୍ରୀ ସଂକଳ୍ପପତ୍ର ଉନ୍ମୋଚନ କରିଛନ୍ତି। ବିଜେପିର ସଂକଳ୍ପପତ୍ର ହେଉଛି ମୋଦିଜୀଙ୍କ ଗ୍ୟାରେଣ୍ଟି। ଓଡ଼ିଶାରେ ୧୦୦ ଦିନ ଭିତରେ ସଂକଳ୍ପପତ୍ରରେ ଥିବା ସବୁ ଦାବି ପୂରଣ କରିଛୁ। ଠିକ୍‌ ସେମିତି ଝାରଖଣ୍ଡରେ ନୂଆ ସରକାର ଗଠନ ହେଲା ପରେ ସଂକଳ୍ପପତ୍ରରେ ଦିଆଯାଇଥିବା ସବୁ ଦାବି ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଆ ଓ ହିନ୍ଦୀ ଭାଷଣ ଦେଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାନ୍ତାଳୀ ଭାଷାରେ ମଧ୍ୟ ଭାଷଣ ଦେଇଥିଲେ।

Related story