ନିତି ଆୟୋଗ ବୈଠକକୁ ବର୍ଜନ: ଅକଳରେ ନବୀନଙ୍କ ସମଦୂରତ୍ୱ ନୀତି

ଦେଶର ବିକାଶର ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ସର୍ବୋଚ୍ଚ ନିତି ନିର୍ଦ୍ଧାରକ ସଂସ୍ଥା ‘ନିତି ଆୟୋଗ’ର ପରିଚାଳନା ପରିଷଦ ବୈଠକକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Saturday, 27 May 2023
  • Updated: 27 May 2023, 07:07 PM IST

Sports

Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ନିତି ଆୟୋଗ ପରିଚାଳନା ପରିଷଦ ବୈଠକକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଜନ କରିଛନ୍ତି। ଦେଶର ବିକାଶ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ଓ ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ବାର୍ଷିକ ପରିଚାଳନା ପରିଷଦ ବୈଠକରେ  ନବୀନ ଓ ୯ଟି ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅନୁପସ୍ଥିତ ରହିବାକୁ ନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି ।

ଅନ୍ୟ ଦଳଗୁଡ଼ିକ ନିଜର ରାଜନୀତିକ କାରଣ ପାଇଁ ଅନୁପସ୍ଥିତ ରହିବା ସହଜେ ଅନୁମେୟ ହେଉଥିବାବେଳେ କେନ୍ଦ୍ରର ଏନଡିଏ ସରକାରଙ୍କୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇ ଆସୁଥିବା ବିଜେଡି ଶାସିତ ରାଜ୍ୟ ଓଡ଼ିଶା କାହିଁକି ନିିତି ଆୟୋଗଙ୍କ ବୈଠକରୁ ଦୂରେଇ ରହିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  ଗତ ଦୁଇ ସପ୍ତାହ ତଳେ ନବୀନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସହ ତୃତୀୟ ସାମ୍ମୁଖ୍ୟରେ ସାମିଲ ନହେବା ପାଇଁ ଘୋଷଣା କରିବା ଏବଂ ମେ’ ୨୮ରେ ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବରେ ବିଜେଡି ସାମିଲ ହେବା ପାଇଁ ନିଷ୍ପତ୍ତି ନେବା ହିଁ ନିର୍ବାଚନୀ ବର୍ଷରେ ତାଙ୍କର ସମଦୂରତ୍ୱ ଆଭିମୁଖ୍ୟ(ଉଭୟ ବିଜେପି ଓ କଂଗ୍ରେସଠୁ)ର ନଗ୍ନତାକୁ ପଦାରେ ପକାଉଥିବାରୁ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗକୁ ଜଳାଞ୍ଜଳି ଦେଇ ନିତି ଆୟୋଗ ବୈଠକରୁ ଦୂରେଇ ରହିଲେ ବୋଲି ଚର୍ଚ୍ଚା ।

ମିଳିଥିବା ସୂଚନା ଅନୁସାରେ, ଦେଶର ବିକାଶର ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ସର୍ବୋଚ୍ଚ ନିତି ନିର୍ଦ୍ଧାରକ ସଂସ୍ଥା ‘ନିତି ଆୟୋଗ’ର ପରିଚାଳନା ପରିଷଦ ବୈଠକକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଚଳିତଥର ବୈଠକର ଏଜେଣ୍ଡାରେ ଭାରତକୁ ୨୦୪୭ ମସିହା ସୁଦ୍ଧା ବିକଶିତ ରାଷ୍ଟ୍ର ଭାବେ ଗଢ଼ିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ ଓ ଭିତ୍ତିଭୁୂମି ବିକାଶ ସମେତ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହୋଇଛି । ମାତ୍ର ଏଭଳି ନିତି ଆୟୋଗ ଭଳି ସଂସ୍ଥାର ବୈଠକକୁ ଅନ୍ୟ ବିରୋଧୀ ଦଳଗୁଡ଼ିକ ନିଜସ୍ୱ ରାଜନୀତିକ କାରଣରୁ ଦୂରେଇ ରହିଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ’ ସାମିଲ ହେଉନଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଯାହାକି ଖୋଲାଖୋଲି ଭାବେ ଜାତୀୟସ୍ତରରେ ସର୍ବୋଚ୍ଚ ନିତି ନିର୍ଦ୍ଧାରକ ସଂସ୍ଥା ବୈଠକ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉତଥାପନ କରିବାର ଏକ ସୁଯୋଗକୁ ଓଡ଼ିଶା ହାତଛଡ଼ା କରିବାକୁ ପଛାଇ ନାହିଁ । ତା’ପୁଣି ନବୀନଙ୍କ ରାଜନୀତିକ ଉଦ୍ଦେଶ୍ୟକୁ ଚରିତାର୍ଥ ନିମନ୍ତେ ବୋଲି ଚର୍ଚ୍ଚା ହେଉଛି ।

Also Read

ତେବେ ନବୀନ କାହିଁକି ଏହି ବୈଠକକୁ ବର୍ଜନ କଲେ ସେ ନେଇ ସରକାରୀ ଭାବେ କିଛି କୁହାଯାଇନଥିଲେ ମଧ୍ୟ ନିର୍ବାଚନୀ ବର୍ଷରେ ନିଜର ସମଦୂରତ୍ୱ ନୀତିକୁ ନେଇ ହେଉଥିବା ସମାଲୋଚନାରୁ ବର୍ତ୍ତିବା ପାଇଁ ଏଭଳି କରିଛନ୍ତି ବୋଲି ରାଜନୀତିକ  ମହଲରେ ଆଲୋଚନା ହେଉଛି । ସାଧାରଣ ନିର୍ବାଚନ ପୂର୍ବରୁ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ପ୍ରୟାସ କରୁଥିବା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଓ ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଭୁବନେଶ୍ୱର ଆସି ନବୀନଙ୍କୁ ଭେଟିବା ପରେ ଅଚାନକ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ଓ ତାଙ୍କ ଦଳ ବିଜେଡି କୌଣସି ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବନି ତଥା ନିଜର ସମଦୂରତ୍ୱ ନୀତିରେ କାଏମ ବୋଲି ଘୋଷଣା କରିବା ପରୋକ୍ଷରେ ବିଜେପିକୁ ସୁହାଇବା ଭଳି ହୋଇଥିଲା । ସେହିପରି ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ୧୯ଟି ରାଜନୀତିକ ଦଳ(ଅଣଏନଡିଏ ଦଳଗୁଡ଼ିକ) ବର୍ଜନ କରିବା ନେଇ ପ୍ରେସ୍ ରିଲିଜ ଦେବାର ୨୪ଘଣ୍ଟା ନପୁରୁଣୁ ନବୀନଙ୍କ ବିଜେଡି ଏକ ପ୍ରେସ୍ ରିଲିଜ୍ ଜାରି କରି ରାଷ୍ଟ୍ରପତି ଓ ସଂସଦର ଅଧିକାର ଓ ଗାରିମା ସର୍ବଦା ସୁରକ୍ଷିତ ରହିବା ଉଚିତ୍ ଓ ଏସବୁର ରାଜନୀତିକରଣକୁ ବିରୋଧ କରି ମେ’ ୨୮ତାରିଖରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ସାମିଲ ହେବ ବୋଲି ଘୋଷଣା କରିଥିଲା ।

ପ୍ରଥମ ତୃତୀୟ ସାମ୍ମୁଖ୍ୟକୁ ବିରୋଧ ଓ ପରେ ସଂସଦ ଭବନ ଉଦଘାଟନୀ ସମାରୋହରେ ସାମିଲ ପାଇଁ ବିଜେଡିର ନିଷ୍ପତ୍ତି ବିଜେପିକୁ ସୁହାଇବା ଭଳି ହେଉଥିବାରୁ ନିଜର ସମଦୂରତ୍ୱ ନୀତିକୁ  ସୁରକ୍ଷିତ ରଖିବା ଆଳରେ ନବୀନ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା ପାଇଁ ଉଦ୍ଦିଷ୍ଟ ପ୍ଲାଟଫର୍ମ ‘ନିତି ଆୟୋଗ ବୈଠକ’କୁ ବର୍ଜନ କରିବାକୁ ପଛାଇ ନାହାନ୍ତି । କେବଳ ଅନ୍ୟ ୯ଟି ବିରୋଧୀ ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ଏହି ବୈଠକରେ ସାମିଲ ହୋଇନାହାନ୍ତି ବୋଲି ସନ୍ଦେଶ ଦେବାକୁ ଏଭଳି କରି ନିଜର ସୁବିଧାବାଦୀ ସମଦୂରତ୍ୱ ନୀତିକୁ କାଏମ ରଖିବାକୁ ପ୍ରୟାସ କରିଛନ୍ତି । ଯଦିଓ ସମଦୂରତ୍ୱର କଥା କହୁଥିବା ବିଜେଡି ୨୦୧୯ ମସିହା ପରଠୁ କେନ୍ଦ୍ରର ବିଜେପି ସରକାରଙ୍କୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଆଳରେ ସବୁ ପ୍ରମୁଖ ପ୍ରସଙ୍ଗରେ ଅଯାଚିତ ସମର୍ଥନ ଦେଇ ଆସିଛି ।

ସେହିପରି ନିତି ଆୟୋଗ ବୈଠକରେ କେବଳ ମୁଖ୍ୟମନ୍ତ୍ରୀ ସାମିଲ ହେବାର ପ୍ରାବଧାନ ଥିବାରୁ ନବୀନ ଦିଲ୍ଲୀ ଗସ୍ତରେ ଯାଇଥିଲେ ସଂସଦ ଭବନ ଉଦଘାଟନ ସମାରୋହରେ ସାମିଲ ହେବାର ବାଧ୍ୟବାଧକତା ରହିଥାନ୍ତା । ଯଦି ନବୀନ କେବଳ ନିତି ଆୟୋଗ ବୈଠକରେ ସାମିଲ ହୋଇ ଫେରି ଆସିଥାନ୍ତେ ତା’ହେଲେ ବିଜେପି ଜାତୀୟ ନେତୃତ୍ୱଙ୍କ ପ୍ରତି ଏହା ଅପମାନ ସଦୃଶ ହୋଇଥାନ୍ତା । ତେଣୁ ନବୀନ ବିଜେପିକୁ ସୁହାଇବା ଓ ନିଜର ସମଦୂରତ୍ୱ ନୀତି ସ୍ଲୋଗାନକୁ ସୁରକ୍ଷିତ ରଖିବାକୁ ଆଜି ନିତି ଆୟୋଗ ବୈଠକରେ ସାମିଲ ହେଲେନି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

ସୂଚନାଯୋଗ୍ୟ, ଆଜି ନିତି ଆୟୋଗ ପରିଚାଳନା ପରିଷଦ ବୈଠକକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ଦିଲ୍ଲୀ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ,  ତେଲେଙ୍ଗାନା, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀମାନେ ବର୍ଜନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos